ଯଦୁମଣି ରହସ୍ୟ

ସଙ୍ଗାତ ଘର ଖାଇବା

                କବି ଯଦୁମଣିଙ୍କର କବିତ୍ୱ ପ୍ରତିଭା ସାରା ଓଡିଶାରେ ବ୍ୟାପି ଯାଇ ଥାଏ । ତେଣୁ ରାଜା ତାଙ୍କୁ ଯଥା ଯୋଗ୍ୟ ସମ୍ମାନ ପ୍ରଦର୍ଶନ କରୁ ଥାଆନ୍ତି । କବି ଯଦୁମଣି ମଧ୍ୟ ରାଜାଙ୍କ ନିକଟତର ହୋଇ ଥାଆନ୍ତି । ତେଣୁ ରାଜାଙ୍କ ନିକଟତର ହୋଇ ଥିବାରୁ ସମସ୍ତେ କବି ଯଦୁମଣିଙ୍କୁ ଖୁବ୍ ଆଦର କରନ୍ତି । କିଏ ବାପା ଡାକିଲାଣିତ କିଏ ମଉସା ଡାକିଲାଣି, ପୁଣି କିଏ ଭାଇ କହିଲାଣିତ କିଏ ମଇତ୍ର ସଂଗାତ ବୋଲି ସମ୍ବୋଧନ କଲାଣି । କବି ଯଦୁମଣି ମଧ୍ୟ ଏଥିରେ ଭାରି ଖୁସି ହେଉ ଥାଆନ୍ତି ।

ଦିନକର ଘଟଣା । ଯଦୁମଣିଙ୍କୁ ତାଙ୍କର ଜଣେ ସଂଗାତ କହିଲେ, “ସଂଗାତେ ! କଣ ଭଲ ଅଛ । ଆଜି ଆମ ଘରେ ତମେ ଭୋଜନ କରିବ । ଭୋଜନ କଥା ଶୁଣି କବି ଯଦୁମଣି ବା କାହିଁକି ମନା କରିବେ । ସଂଗେ ସଂଗେ ଆଗ୍ରହର ସହିତ ହଁ ଭରିଲେ । ଖାଇବା ସମୟ ଆସି ଉପଗତ ହେବାରୁ ସଂଗାତେ ଆସି କବି ଯଦୁମଣିଙ୍କୁ ଡାକି ନେଲେ । ଦୁହେଁ ଯାକ ଏକାଠି ଖାଇ ବସିଲେ । ବନ୍ଧୁଙ୍କ ପତ୍ନୀ ଭାତ, ହରଡ ଡାଲି, କେରାଣ୍ଡି ମାଛ ତିଅଣ ରାନ୍ଧି ଥାଆନ୍ତି । କବି ଦେଖିଲେ ହରଡ ଡାଲି ଦର ସିଝା ଓ ମାଛ ତରକାରୀରେ ନାହିଁ ନଥିବା ଝୋଳ । ଏହା ଦେଖି ସଂଗେ ସଂଗେ କବି ଏକ କବିତା ଗାଇଲେ –

“ଦାନ୍ତେ ବାଜନ୍ତେ ରୁଡୁ ମୁଡୁ ବାଜିଲା

ଘୁଡୁ ଘୁଡୁ ବେଳାରୁ ଓହ୍ଲାଇ ଥିଲା,

ଦରାଣ୍ଡି ଆଣିଲା କେରାଣ୍ଡି ମାଛ

କେରାଣ୍ଡି ରାନ୍ଧିଛି ଦିଶୁଛି ସ୍ୱଚ୍ଛ ।”

କବିତାର ମର୍ମ ବୁଝି ପାରି ସଂଗାତେ ମନେ ମନେ ନିଜକୁ ଭାରି ଲଜ୍ଜା ଅନୁଭବ କଲେ । ଆଉ ଏକ ଦିନ ଭଲ ରକମର ମାଛ ତରକାରୀ ରାନ୍ଧି କବି ଯଦୁମଣିଙ୍କୁ ଡାକି ଖାଇବାକୁ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ