ଯମଙ୍କ ମହିଷ

ସେ ଅଂଚଳର ଲୋକେ ଆସି ମିନତି କରି କହିଲେ, “ବୈଦ୍ୟରାଜ! ଏ ସଂକ୍ରାମକ ରୋଗ ବ୍ୟାପିଥିବା ବେଳେ ଆପଣ ଦୂରକୁ ଚାଲିଗଲେ ଆମେ କ’ଣ କରିବୁ?”

ଲୋକମାନଙ୍କ କଥା ଶୁଣି କୁମାର କହିଲା, “ମୋଟେ ବ୍ୟସ୍ତ ହୁଅନାହିଁ । ମୁଁ ସତ୍ୱର ଫେରି ଆସିବି ।” ଏହା କହି କୁମାର ସୁନ୍ଦରପୁର ଗଲା ।

ସେ ରାଜପ୍ରାସାଦରେ କୁମାରକୁ ବିଶେଷ ଅଭ୍ୟର୍ଥନା ଦିଆଗଲା । ରାଜା କହିଲେ, “ଭଦ୍ରେ! ଆପଣଙ୍କ ଖ୍ୟାତି ଶୁଣି ଡକାଇଲି । ମୋ କନ୍ୟାକୁ ଭଲ କରିଦେଲେ ମୁଁ ଆପଣଙ୍କ ପାଇଁ ଗୋଟିଏ ପ୍ରାସାଦ ଛାଡି ଦେବି । ଆଉ ସେଥିରେ ଦାସଦାସୀ ଖଞ୍ଜି ଦେବି । ତା’ଛଡା ବିପୁଳ ପରିମାଣର ସ୍ୱର୍ଣ୍ଣ ମୁଦ୍ରା ବି ଦେବି ।”

କୁମାର ରାଜକନ୍ୟାଙ୍କ କୋଠରୀ ଭିତରେ ପଶିଯାଇ ଦେଖିଦେଲା ମହିଷର ରୂପ । ପ୍ରଥମେ ସେ ଦୁଃଖିତ ହେଲା । ତା’ପରେ ସେ ସ୍ଥିର କଲା ତିନିବାର ଦୁର୍ଗାନାମ ସ୍ମରଣ କରି ମହିଷକୁ ତଡି ଦେବ ।

ସେତିକି ବେଳେ ରାଜା ତା’ କାନ ପାଖରେ କହିଲେ, “ବାବୁ! ଏ କନ୍ୟା ମୋର ଏକମାତ୍ର ସନ୍ତାନ । ସମସ୍ତେ ଆଶା ଛାଡି ଦେଇଛନ୍ତି । ତମେ ଏହାକୁ ଯଦି ବଂଚାଇ ପାରିବ, ତେବେ ତମକୁ ବରଂ ମୁଁ ମୋ ଜାମାତା ରୂପେ ବରଣ କରିବି । ଯଦ୍ୱାରା ତମେ ହେବ ମୋ ପରେ ଏ ରାଜ୍ୟର ରାଜା ।”

ଏହା ଶୁଣି ସେ କୁମାର ହଠାତ୍ ଗମ୍ଭୀର ହୋଇ କହିଲା, “ମହାରାଜ! କ୍ଷମା କରନ୍ତୁ । ଏହାଙ୍କୁ ରକ୍ଷା କରିବା ମୋର ସାଧ୍ୟାତୀତ ।”

କୁମାରର ଏଭଳି କଥା ଶୁଣି ସେ ରାଜା ଅତ୍ୟନ୍ତ ବ୍ୟାକୁଳ ଭାବରେ କହିଲେ, “ବାବୁ! ସେପରି ଆଦୌ କୁହନା । ଚେଷ୍ଟା କର ।”

“କ୍ଷମା କରନ୍ତୁ । ଚେଷ୍ଟା କରି ବି କିଛି ଲାଭ ନାହିଁ ।” ଏହା କହି କୁମାର ତଡିତ୍ ବେଗରେ ସେ କୋଠରୀରୁ ବାହାରି ଗଲା । ତା’ପରେ ସେ ସିଧା ଫେରି ଆସିଲା ନିଜ ଗ୍ରାମକୁ ଏବଂ ସାଧାରଣ ରୋଗୀମାନଙ୍କର ସେବାରେ ନିଜକୁ ନିୟୋଗ କଲା ।

ବେତାଳ କ୍ଷଣିକ ସକାଶେ ଚୁପ୍ ରହି ତୀବ୍ର କଣ୍ଠରେ ପ୍ରଶ୍ନ କଲା, “ରାଜା! କୁମାର କାହିଁକି ଏଭଳି ନିର୍ବୋଧତା କଲା? କେତେ ଦିନରୁ ଧନୀ ହେବା ନିମନ୍ତେ ତା’ ମନରେ ବାସନା ଥିଲା । ଅଥଚ ରାଜା ହେବାର ସୁଯୋଗ ପାଇ ତାହା ସେ ପାଦରେ ଠେଲି ଦେଲା କାହିଁକି? ତା’ର ମସ୍ତିଷ୍କ-ବିକୃତି ଘଟିଲା କି? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ରାଜା ବିକ୍ରମାର୍କ ଉତ୍ତର ଦେବାକୁ ଯାଇ କହିଲେ, “ସୁଖରେ ରହିବା ସକାଶେ କୁମାର ଯେ ଅନେକ ଦିନରୁ ସ୍ୱପ୍ନ ଦେଖୁଥିଲା, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ମଣିଷ କେବଳ ଗୋଟିଏ ଇଚ୍ଛା ବା ଉଦ୍ଧେଶ୍ୟ ଦ୍ୱାରା ଚାଳିତ ହୁଏ ନାହିଁ । ସାଧାରଣ ଲୋକ ପାଇଁ ଅର୍ଥ, କ୍ଷମତା ବା ରାଜସିଂହାସନ ବହୁତ ବଡ କଥା ହୋଇପାରେ, କିନ୍ତୁ ଯିଏ ଆଦର୍ଶବାଦୀ ବା ବିବେକୀ, ତା’ପାଇଁ ତା’ ଆଦର୍ଶ ଓ ବିବେକ ବଡ କଥା । ସୁଖ ସକାଶେ କୁମାରର ଯେତିକି ଆଗ୍ରହ ଥିଲା, ଜନସାଧାରଣଙ୍କ ସେବା ପାଇଁ ତା’ର ଆଗ୍ରହ ଓ ଗୁରୁଙ୍କ ଉପଦେଶ ତାହା ଅପେକ୍ଷା ଅଧିକ ମୂଲ୍ୟବାନ ବୋଲି ସେ ମନେ କଲା । ବୈଦ୍ୟ ଭାବରେ ସେ ବହୁ ଲୋକଙ୍କର ଉପକାର କରୁଥିଲା । ସେଥିରୁ ବିରତ ହେବା ତା’ ପକ୍ଷରେ ଅବିବେକିତା ହୋଇଥାନ୍ତା ।”

ସର୍ତ୍ତ ଅନୁସାରେ ରାଜା ନୀରବରେ ବେତାଳକୁ ଯଥା ସ୍ଥାନରେ ପହଁଚାଇଦେବା କଥା । ତାଙ୍କ ମୌନ ଭଙ୍ଗ ହେବାରୁ ଶବ ସହ ସେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେହି ବୃକ୍ଷ ଡାଳରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ