ଯାଦୁ ମହଲ

ରାଣୀ ଦୌଡି ଆସି ତାଙ୍କ ଝିଅକୁ ସେ ଆଲିଙ୍ଗନ କଲେ ଓ ବହୁତ ଆଦର ଯତ୍ନ ବି କଲେ ।

ରାଜା ମଧ୍ୟ ଦୌଡି ଆସି ଝିଅକୁ ଧରି କହିଲେ, “ଝିଅ, ତୁ ଇଏ କିପରି ବେଶ ସାଜିଛୁ?”

ଇତିମଧ୍ୟରେ ମାଳିନୀ ମଧ୍ୟ ସେଠାକୁ ଆସି ମୁଣ୍ଡ ନୁଆଇଁ ବିଦ୍ୟାବତୀଙ୍କୁ ଅଭିବାଦନ କଲା । ବିଦ୍ୟାବତୀ ହସିହସି କହିଲେ, “ତେବେ ଏ ପାଲିଙ୍କିରେ ତୁମେ ହିଁ ମୋ ସ୍ଥାନରେ ବସିଥିଲ?”

ମହେନ୍ଦ୍ରନାଥ ରାଜାଙ୍କୁ ନମସ୍କାର କରି କହିଲେ, “ମହାରାଜ, ମୁଁ ଯେଉଁ କାମ ମୋ ହାତକୁ ନେଇଥିଲି ତାହା ପୂର୍ଣ୍ଣ କରିଛି । ବିଦ୍ୟାବତୀ ଫେରି ଆସିଲେ । ମୁଁ କାର୍ଯ୍ୟରେ ସାଫଲ୍ୟ ଲାଭ କରିଥିବାରୁ ଖୁବ୍ ଖୁସି । ପ୍ରକୃତରେ ମୋର ଏ ସାଫଲ୍ୟ କେବଳ ମୋ କାକାଙ୍କ ଆଶିର୍ବାଦରୁ ହିଁ ହୋଇ ପାରିଛି । ଏହି ହେଉଛନ୍ତି ମୋର କାକା ।” ଏତିକି କହି ସେ ମହେନ୍ଦ୍ରନାଥ ତାଙ୍କ ପାଖରେ ଥିବା ସାଧୁଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଧେଶ କଲେ । ରାଜା ତାଙ୍କୁ ଦେଖି ହଠାତ୍ ଚମକି ଉଠିଲେ ।

ମହେନ୍ଦ୍ରନାଥ କହିଲେ, “ଇଏ ହେଉଛନ୍ତି ମୋର କାକା ଜିତେନ୍ଦ୍ରନାଥ । ସେ ମହିମା ପୁରୀର ରାଜପରିବାରର ଲୋକ । ସେ ଅନେକ ଦିନହେବ ସନ୍ନ୍ୟାସ ନେଇ ବଣରେ ରହୁଥିଲେ ।”

ରାଜା ବୀରସିଂହ କହିଲେ, “ଦେବୀଙ୍କ ମନ୍ଦିରକୁ ଯେତେବେଳେ ବୀରେନ୍ଦ୍ରନାଥ ଆସିଥିଲେ, ସେତେବେଳେ ତାଙ୍କ ସହିତ ମୋର ଦେଖା ହୋଇଥିଲା । ପରେ ମୁଁ ଶୁଣିଲି କି ଶତ୍ରୁମାନେ ତାଙ୍କୁ ବଧ କଲେ ।”

ଏକଥା ଶୁଣି ସାଧୁ ଜିତେନ୍ଦ୍ରନାଥ କହିଲେ, “ମୋର ଜ୍ୟେଷ୍ଠଭ୍ରାତା ତ ଯୁଦ୍ଧ କରିବା ସମୟରେ ମରିଗଲେ । ସେତେବେଳେ ମହେନ୍ଦ୍ରର ଶିଶୁ ଅବସ୍ଥା । ତାକୁ ଓ ତା’ମାଙ୍କୁ ଧରି କୌଣସି ମତେ ମୁଁ ମହିମାପୁରରୁ ଜୀବନ ବଂଚାଇ ପଳାଇ ଆସିଲି । ତା’ପରେ ମୁଁ ସନ୍ନ୍ୟାସୀ ହୋଇ ପଳାଇଲି । ଦୈବଯୋଗକୁ ମହେନ୍ଦ୍ର ସହିତ ଜଙ୍ଗଲରେ ମୋର ଦେଖାହେଲା । ମହିମାପୁରର ଉତ୍ତରାଧିକାରୀ ଏହି ମହେନ୍ଦ୍ରନାଥ । ସେହିକଥା ଆପଣଙ୍କୁ କହିବାକୁ ମୁଁ ଏତେବାଟ ଧାଇଁ ଆସିଛି । ପୁଣି ତା’ର ମା’ଙ୍କୁ କ୍ଷମା ମାଗିବି ଯେ ସେ ଦୁହିଁଙ୍କୁ ନିରାଶ୍ରୟ ଅବସ୍ଥାରେ ଛାଡି ମୁଁ ସନ୍ନ୍ୟାସୀ ହୋଇ ପଳାଇ ଯାଇଥିଲି ।”

ଉଗ୍ରସେନ କହିଲେ “ମହେନ୍ଦ୍ରର ମା’ ଆମଦ୍ୱାରା ସୁରକ୍ଷିତ ଅଛନ୍ତି । ମୁଁ ତାଙ୍କୁ ଏଠାକୁ ଡକାଇ ଆଣୁଛି ।”

                ମହେନ୍ଦ୍ରନାଥ କହିଲେ, “ମୋତେ ଆଜ୍ଞା ଦେଲେ ମୁଁ ମୋ ମାଙ୍କୁ ଏଠାକୁ ଆଣିବି ।”

                ରାଜା ଉଗ୍ରସେନଙ୍କୁ କହିଲେ, “ଏମାନଙ୍କର ସତ୍କାର ଭଲ ଭାବରେ କର । ଏବେଠୁଁ ମହେନ୍ଦ୍ର ଓ ତାଙ୍କ ମା’ ଆମ ସହିତ ରାଜ ନଅରରେ ହିଁ ରହିବେ ।”

                ରାଣୀ କହିଲେ, “ମହାରାଜ! ଆଉ ଗୋଟିଏ କଥା” ଏତିକି କହି ସେ ରାଜାଙ୍କକାନରେ କିଛି କହିଲେ ।

ରାଜା ଅଳ୍ପ ହସି କହିଲେ, “ମୋ ଝିଅ ପାଇଁ ଏହାଙ୍କ ଠାରୁ ଅଧିକ ଭଲ ବର ଆଉ କେଉଁଠୁ ବା ମିଳିବ? ସମୟ ମଧ୍ୟ ଅନୁକୁଳ । ଏବେ ସବୁ କିଛି ଠିକ୍ ହୋଇଯିବ ।” ତାପରେ ସେ ମୁନିଙ୍କ ଆଡକୁ ଚାହିଁ କହିଲେ, “ମହେନ୍ଦ୍ରନାଥ ଓ ତାଙ୍କ ମା’ ଆସିବା ପର୍ଯ୍ୟନ୍ତ ଆପଣ ଏଠାରେ ଥା’ନ୍ତୁ ।” ତା’ପରେ ସେ ବାଚସ୍ପତିଙ୍କୁ କହିଲେ, “ଆପଣ ବିଦ୍ୟାବତୀର ଗ୍ରହସ୍ଥିତି ବିଷୟ ଗଣନା କରି ମୋତେ ସବିସ୍ତାରେ କୁହନ୍ତୁ । ଚାଲନ୍ତୁ ଭିତରକୁ ।”

ଏବେ ସମସ୍ତେ ଭିତରକୁ ଗଲେ । ରାଣୀ, ରାଜକୁମାରୀ ଓ ମାଳିନୀ ଚାଲିଥାନ୍ତି । ଅନ୍ୟ ପଟରେ ରାଜା, ସାଧୁ ଓ ଆଚାର୍ଯ୍ୟ ଚାଲିଥା’ନ୍ତି ।

ସେନାପତି ଉଗ୍ରସେନ ମହେନ୍ଦ୍ରଙ୍କ ପ୍ରତି ଆଦର ଭାବ ଦେଖାଇ କହିଲେ, “ତୁମ ମା’ଙ୍କୁ ଆଣିବାକୁ ତୁମ ସହିତ ମୁଁ ମଧ୍ୟ ଯିବି । ତୁମ ପରି ସାହସୀ ଯୁବକଙ୍କୁ ଜନ୍ମ ଦେଇ ସେ ଧନ୍ୟ । ଏତେ କଷ୍ଟ ମଧ୍ୟରେ ଥାଇ ବି ସେ କେବେହେଲେ କହି ନାହାଁନ୍ତି ଯେ ସେ ଏକ ରାଜ୍ୟର ରାଣୀ । ତାଙ୍କୁ ରାଜନଅରକୁ ଆଣିବାର ଗୌରବ ମୁହିଁ ପ୍ରାପ୍ତ କରିବି ।”

ଉଗ୍ରସେନ ଓ ମହେନ୍ଦ୍ରନାଥ ଘୋଡାରେ ବସି ମହେନ୍ଦ୍ରନାଥଙ୍କ ଘର ଆଡକୁ ଅଗ୍ରସର ହେଲେ । ଏଣେ ରାଜାରାଣୀ ବାଚସ୍ପତିଙ୍କୁ ଧରି ଝିଅର ବିବାହ ପାଇଁ ଜାତକ ଗଣନାରେ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ