ଯାଦୁ ମହଲ

                ସକାଳ ହେବାରୁ ମହେନ୍ଦ୍ର ଦେଖିଲେ ଦୁଇଜଣ ପରିଚାରିକା କିଛି ଖାଦ୍ୟ ନେଇ ଯାଉଛନ୍ତି । ବୁଢୀ ଓ ବିଦ୍ୟାବତୀ ସେଦିନ ଟିକିଏ ଶୀଘ୍ର ବଗିଚା ବୁଲି ଆସିଲେ । ସେଦିନ ତାଙ୍କ ସହିତ ଜଣେ ମାତ୍ର ଯୁବତୀ ଥିଲା । ଦୁହେଁ କିଛି ସମୟ ବୁଲିବା ପରେ ଅନ୍ୟ ଯୁବତୀଟି ଗୋଟିଏ ସ୍ଥାନରେ ବସିଲା । କିନ୍ତୁ ବିଦ୍ୟାବତୀ ଫୁଲମାନଙ୍କୁ ଦେଖି ଦେଖି ପୂର୍ବ ଦିନର ମହେନ୍ଦ୍ର ସହିତ ଦେଖା ହୋଇଥିବା ଗଛ ପାଖକୁ ଆଗେଇ ଗଲେ । ବିଦ୍ୟାବତୀଙ୍କୁ ନିକଟରେ ପାଇ ମହେନ୍ଦ୍ର କହିଲେ, “ରାଜକୁମାରୀ, ମୁଁ ମହେନ୍ଦ୍ରନାଥ ବୀରଗିରିରୁ ଆସିଛି ।”

ଏସବୁ ଶୁଣିବା ପରେ ରାଜକୁମାରୀ ଆହୁରି ଆଗକୁ ଚାଲିଲେ । କାରଣ ସେଠାରେ ଅଟକି ଗଲେ ଅନ୍ୟ ଯୁବତୀଟି ସନ୍ଦେହ କରିଥା’ନ୍ତା । ସେ ପୁଣି ଫେରି ଆସିଲେ ଓ ଧୀର ସ୍ୱରରେ କହିଲେ, “ମୁ ହିଁ ରାଜକୁମାରୀ ବିଦ୍ୟାବତୀ । ମୁଁ ଏଠାରୁ ବାହାରି ଯିବାକୁ ଚାହେଁ ।”

ମହେନ୍ଦ୍ର ପ୍ରଶ୍ନକଲେ ରାଜକୁମାରୀ ଆପଣଙ୍କୁ ଅପହରଣ କରିବା ବାଲା କିଏ?

ବିଦ୍ୟାବତୀ କହିଲେ “ମୁଁ ଜାଣେ ନାହିଁ । ବୋଧହୁଏ ସେ ବୁଢୀହିଁ ଏ ସବୁ ବିଷୟରେ କିଛି ଜାଣେ ।”

ମହେନ୍ଦ୍ର ପଚାରିଲେ “କିଏ ସେ ବୁଢୀ? ସେ କେଉଁଠାରେ ରହେ?”

ବିଦ୍ୟାବତୀ କହିଲେ “ସେ କୁହେ ତା’ର ନାମ କମଳା । କାରଣ ଆମ ମହଲରେ ମୋର ସେବା କରୁଥିବା ବୁଢୀର ନାମ ମଧ୍ୟ କମଳା ଥିଲା । ଇଏ ମଧ୍ୟ ଦେଖିବାକୁ ଠିକ୍ ତା’ରିପରି । କିନ୍ତୁ କାଲିଠାରୁ ସେ କୁଆଡେ ଯାଇଛି ।”

ମହେନ୍ଦ୍ର ପଚାରିଲେ “ଆପଣଙ୍କ ସହିତ ଥିବା ସେହି ପରିଚାରିକାର ନାମ କ’ଣ?”

ବିଦ୍ୟାବତୀ କହିଲେ “ସେମିତି ତ ଅନେକ ଅଛନ୍ତି । ମୁଁ ତାଙ୍କର ନାମଧାମ କିଛି ମନେରଖି ପାରେ ନାହିଁ । ଏଠାରେ ସବୁକଥା ଅଜବ । କୌଣସି ପୁରୁଷ ଲୋକଙ୍କୁ ଆମପଟ ଘରକୁ ଆସିବା ମୁଁ ଏପର୍ଯ୍ୟନ୍ତ ଦେଖିନାହିଁ । ଦୂରରୁ କେବଳ କଣ୍ଠସ୍ୱର ଶୁଣିପାରେ । ଏଠାକାର ମାଲିକ ବା କିଏ ଏବଂ କ’ଣ ତା’ର ଉଦ୍ଧେଶ୍ୟ କିଛି କାହିଁ ଜାଣି ହେଉନାହିଁ । ମାତ୍ର ମୋତେ ସେମାନେ ବହୁତ ସେବାଯତ୍ନ କରି ରଖିଛନ୍ତି । କିନ୍ତୁ ସେ ସେବାଯତ୍ନ ମୋତେ ବିଷ ପରି ଲାଗୁଛି । ନା ପାଟି କରି କହିପାରୁଛି ନା ଟିକିଏ କଥାବାର୍ତ୍ତା କରିବାକୁ କାହାକୁ ପାଉଛି । ପରିଚାରିକା ଗୁଡିକ ମୋ ପରି ପୋଷାକ ପିନ୍ଧିଛନ୍ତି । ଯଦ୍ୱାରା ହଠାତ୍ ମୋତେ କେହିବି ଚିହ୍ନି ପାରିବ ନାହିଁ । ସେହି ଝିଅମାନଙ୍କୁ କିଛି ପଚାରିଲେ ଗୋଟିଏ ଦୁଇଟି ଶବ୍ଦ ଛଡା ସେମାନେ ଆଉ କିଛି ମଧ୍ୟ କହନ୍ତି ନାହିଁ । ସତେ ଯେମିତି ସେମାନଙ୍କୁ ବେଶି କଥା କହିବାକୁ ବାରଣ କରାଯାଇଛି । ତାଛଡା ସେହି ପରିଚାରିକା ଗୁଡିକ ସବୁଦିନେ ବଦଳୁଛନ୍ତି । ଭିନ୍ନ ଭିନ୍ନ ଝିଅ ଆସୁଛନ୍ତି । ତେଣୁ ମୋପକ୍ଷେ ସେମାନଙ୍କର ନାମ ଧାମ ମନେ ରଖିବା ବଡ କଷ୍ଟ । ମୋର ସେସବୁ ବୁଝିବାର ଆବଶ୍ୟକତା ବା କ’ଣ?”

ମହେନ୍ଦ୍ର ପଚାରିଲେ “ସେମାନେ ଆପଣଙ୍କୁ କିଛି କହନ୍ତି ନାହିଁ?” “କେବଳ ଦରକାର ହେଲେ ତାହା ମଧ୍ୟ ଗୋଟିଏ ବା ଦୁଇଟି ଶବ୍ଦ । ମନେହୁଏ ଏଠାରେ କୌଣସି ଏକ ବଡ ଷଡଯନ୍ତ୍ର ଚାଲୁଛି । ଏଠାରୁ ଯେତେଶିଘ୍ର ବାହାରି ଗଲେ ମଙ୍ଗଳ ।” ଏତିକି କହି ସେ ବିଦ୍ୟାବତୀ ଅନ୍ୟ ଆଡକୁ ଗଲେ । ଆହୁରି ଜଣେ ପରିଚାରିକା ମଧ୍ୟ ଆସି ଗଲା । ଏଥର ତିନିଜଣ ମହଲ ଭିତରକୁ ଫେରିଗଲେ ।

ଥରେ ବିଦ୍ୟାବତୀଙ୍କୁ ଦେଖି କିଛି କହିବାପରେ ମହେନ୍ଦ୍ରନାଥ ଅଧିକ କଥା ଶୁଣିବାକୁ ବ୍ୟଗ୍ର ହୋଇ ପଡିଥିଲେ । ତାଙ୍କୁ ସୁସ୍ଥ ଅବସ୍ଥାରେ ଦେଖି ସେ ଖୁବ୍ ଖୁସି ହେଲେ । କିନ୍ତୁ ମହେନ୍ଦ୍ର ଭାବିବାକୁ ଲାଗିଲେ ଯେ କିଏ ତାଙ୍କୁ ଏଠାକୁ ଆଣିଲା? ମହଲର ମାଲିକ କି? ଯଦି ସେ ନୁହଁନ୍ତି ତେବେ କିଏ? ସେ ପୁଣି ବ୍ୟସ୍ତ ହୋଇ ଭାବିବାକୁ ଲାଗିଲେ ଯେ ବିଦ୍ୟାବତୀଙ୍କୁ ପୁଣି କିପରି ବୀରଗିରିକୁ ଫେରାଇ ନେଇ ହେବ ।

ଏତିକିବେଳେ ଦରବାନ୍ ମିତ୍ର ଆସି ସେଠାରେ ପହଁଚିଲା ଓ କହିଲା, “ମନେହୁଏ ତୁମେ ଖୁବ୍ ଥକି ଯାଇଛ ନା?” ମହେନ୍ଦ୍ରନାଥ ଚମକି ପଡି କହିଲେ, “ନା ସେପରି କିଛି ନୁହେଁ । ତେବେ ସମୟର ପୂର୍ବରୁ ଆସିଯାଇଥିଲି ଦେଖିଲି କେତେକ ଯୁବତୀ ସେହି ବଗିଚାରେ ବୁଲୁଥିଲେ ।” ଦରବାନ୍ ମିତ୍ର ପଚାରିଲା “କ’ଣ ଯୁବତୀମାନେ? ନିଜ ଆଖିରେ ଦେଖିଲ?”


ଗପ ସାରଣୀ

ତାଲିକାଭୁକ୍ତ ଗପ