ଯାଦୁ ମହଲ

ରାଜବୈଦ୍ୟ ଯିବା ପରେ ରାଜକୁମାରୀ ପୁଣି ଗଭୀର ନିଦ୍ରାରେ ମଗ୍ନ ହେଲେ । ସେଦିନଟି ସେମିତି ବିତିଲା । ରାତିରେ ରାଣୀ ରାଜକୁମାରୀଙ୍କ ପାଖରେ ଅନ୍ୟ ଏକ ପଲଙ୍କରେ ଶୋଇଥା’ନ୍ତି ହଠାତ୍ ସେ କୌଣସି ଥଣ୍ଡା ଥଣ୍ଡା ସ୍ପର୍ଶ ଅନୁଭବ କଲେ; ସେ ଚମକି ପଡି ଉଠି ଦେଖିଲେ ଯେ ଏକ ପିଶାଚ ରାଜକୁମାରୀଙ୍କ ଶଯ୍ୟାରୁ ବାହାରି କକ୍ଷର କବାଟ ଦେଇ ବାହାରକୁ ପଳାଉଛି । ସେ ସେହି ଆକୃତିରୁ କିଛିବି ଅନୁମାନ କରି ପାରିଲେ ନାହିଁ, ତାହା ପୁରୁଷର ନା ସ୍ତ୍ରୀର । କାରଣ ସେହି ଆକୃତିଟି ଅତ୍ୟନ୍ତ ଅସ୍ପଷ୍ଟ ଥିଲା । ପୁଣି ସେ ଭାବିଲେ ହୁଏତ ଏହା ଏକ ଭ୍ରମ ହୋଇ ପାରେ । ତା’ପରେ ସେ ଚୁପ୍ଚାପ୍ ଶୋଇଗଲେ । କିଛି ସମୟ ପରେ ସେ ତାଙ୍କ ଦେହରେ ପୁଣି ଥଣ୍ଡା ସ୍ପର୍ଶ ଅନୁଭବ କରି ଚମକି ଉଠି ପଡିଲେ । କିନ୍ତୁ କେଉଁଠି କିଛି ନଥିଲା । ରାଜା ମଧ୍ୟ ଆଉ ଏକ ପଲଙ୍କରେ ଶୋଇଥିଲେ । ସେ ତାଙ୍କୁ ଉଠାଇ ସବୁକଥା କହିଲେ । ରାଜା ରାଣୀଙ୍କ କଥା ଶୁଣି କହିଲେ, “ତୁମେ ବୋଧହୁଏ କୌଣସି ଖରାପ ସ୍ୱପ୍ନ ଦେଖିଛ । ଝିଅର ଅସୁସ୍ଥତା କଥା ଭାବି ଭାବି ଶୋଇଥିଲ, ତେଣୁ ଏପରି ଦେଖିଲ । ଭଗବାନ୍ଙ୍କ ଦୟାରୁ ଝିଅର କିଛି ଖରାପ୍ ହେବ ନାହିଁ ସବୁ ଠିକ୍ଠାକ୍ ହୋଇଯିବ । ଚିକିତ୍ସା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ତ କରାଯାଉଛି କେଉଁଠି କିଛି କମ୍ ଅଛି? ତେଣିକି ଭଗବାନଙ୍କ ଇଚ୍ଛା; ଆମର କପାଳ, ଝିଅର ଭାଗ୍ୟ । ତୁମେ ନିଶ୍ଚିନ୍ତ ରୁହ ।” ତୃତୀୟ ଦିନ ରାଜବୈଦ୍ୟ ଦେଖିଲେ ରାଜକୁମାରୀଙ୍କର ସ୍ୱାସ୍ଥ୍ୟରେ କୌଣସି ବି ଉନ୍ନତି ହେଉନାହିଁ । ତା’ଛଡା ସେ ମଧ୍ୟ ସେପରି ରୋଗକୁ ଆଦୌ ଚିହ୍ନି ପାରିଲେ ନାହିଁ । ତେଣୁ ସେ ବାଧ୍ୟ ହୋଇ ରାଜକୁମାରୀଙ୍କୁ ସବଳ ରଖିବାକୁ ଅର୍ଥାତ୍ ଦୁର୍ବଳତା ନ ରହିବା ପାଇଁ ଔଷଧ ଦେଇ ଚାଲିଗଲେ । ରାଜ୍ୟର ଚାରିଆଡେ ନୈରାଶ୍ୟ ଓ ଦୁଃଖର ବାତାବରଣ । ଗଲା ଷୋଳବର୍ଷ ମଧ୍ୟରେ ଏଇ ପ୍ରଥମଥର ପାଇଁ ରାଜକୁମାରୀଙ୍କ ଜନ୍ମଦିନ ଉତ୍ସବ ବନ୍ଦ କରି ଦିଆଗଲା । ବର୍ଷକରେ ଥରେ ସେହି ଉତ୍ସବ ପାଇଁ ପ୍ରତ୍ୟେକ ପ୍ରଜା ଅପେକ୍ଷା କରି ରହୁଥିଲେ ।

ଏବେ ପ୍ରଜାଙ୍କର ପ୍ରତ୍ୟେକ ମୁହୂର୍ତ୍ତ ଚିନ୍ତାରେ ବୁଡି ରହିଥାଏ । ଯେତେବେଳେ ସେମାନଙ୍କର ଧୈର୍ଯ୍ୟଚ୍ୟୁତ ହେଲା ସେତେବେଳେ ସେମାନେ ବାଧ୍ୟ ହୋଇ ରାଜନଅର ବାହାରେ ଠିଆହେଲେ ଓ ରାଜକୁମାରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଶ୍ନ କଲେ । ଶେଷକୁ ଜଣେ ସୈନିକ ଭିତରୁ ବାହାରକୁ ଆସିଲା ଓ ସେ କହିଲା, “ଏବେ ରାଜକୁମାରୀଙ୍କ ସ୍ୱାସ୍ଥ୍ୟ ଆଗପରି ଅଛି; ହେଲେ ସେ ଟିକିଏ ଭଲ ଅଛନ୍ତି । ଏବେ ଟିକିଏ ଉଠି ବସି ପାରୁଛନ୍ତି । କାଲି ତାଙ୍କର ଜନ୍ମଦିନ । ରାଜାଙ୍କର ବିଶେଷ ଆଦେଶ ଯେ ମନ୍ଦିରମାନଙ୍କରେ ରାଜକୁମାରୀଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସମବେତ ପୂଜା ପ୍ରାର୍ଥନା କରାଯିବ । ସେଥିପାଇଁ ରାଜା ଜ୍ୟୋତିଷାଚାର୍ଯ୍ୟ ବାଚସ୍ପତିଙ୍କ ସହ ଆଲୋଚନା କରୁଛନ୍ତି । ଏସବୁ ଶୁଣିବା ପରେ ଲୋକମାନେ ରାଜପ୍ରାସାଦରୁ ଘରକୁ ଲେଉଟି ଗଲେ ।”

ପରଦିନ ରାଜକୁମାରୀଙ୍କର ଜନ୍ମଦିନ ଥିଲା । ଲୋକମାନେ ଶୀଘ୍ର ଯାଇ ମନ୍ଦିର ପାଖରେ ଏକତ୍ରିତ ହେଲେ ଓ ରାଜକୁମାରୀଙ୍କର ମଙ୍ଗଳ ପାଇଁ ପୂଜା ପ୍ରାର୍ଥନା କରିବାକୁ ଲାଗିଲେ ।

ବାଚସ୍ପତି ରାଜକୁମାରୀଙ୍କ ଜାତକ ଟିକିନିଖି କରି ଦେଖିଲେ ଓ କହିଲେ, “ମହାରାଜ, ମୁଁ ରାଜକୁମାରୀଙ୍କ ଜନ୍ମ ସମୟରେହିଁ କହିଥିଲି ଯେ ଷୋଳବର୍ଷ ବୟସରେ ତାଙ୍କ ଶରୀର ଅସୁସ୍ଥ ହେବ । ଆପଣ କ’ଣ ମୋ କଥା ଭୁଲିଗଲେ ।”

ରାଜା ବଡ ଦୁଃଖିତ ସ୍ୱରରେ କହିଲେ “ହଁ ମୁଁ ତାହାହିଁ ଦେଖୁଛି । ପିଲାଦିନୁ ଏପର୍ଯ୍ୟନ୍ତ ସେ କୌଣସିଦିନ ବି ଅସୁସ୍ଥ ନଥିଲା । ତେଣୁ ଆମେ ସେସବୁ କଳ୍ପନାରେ ମଧ୍ୟ ସ୍ଥାନ ଦେଇନାହୁଁ । ରାଜବୈଦ୍ୟ ମଧ୍ୟ ସବୁ ଦେଖି କହିଲେ ଯେ କୌଣସି ରୋଗର ଲକ୍ଷଣ ସେ କାହିଁ ଦେଖିପାରୁ ନାହାଁନ୍ତି । କିନ୍ତୁ ମୋ ଝିଅର ଅବସ୍ଥା ଯେ କାହିଁକି ଏପରି ହେଲା ମୁଁ କିଛି ବୁଝିପାରୁ ନାହିଁ ।”

ପାଖରେ ରାଣୀ ବସିଥିଲେ । ସେ ବାଚସ୍ପତିଙ୍କୁ ପଚାରିଲେ, “ଆଜି ଝିଅର ଜନ୍ମଦିନ । ପ୍ରତ୍ୟେକ ବର୍ଷ କେତେ ଆଡମ୍ବରରେ ଉତ୍ସବଟି ପାଳନ କରା ହେଉଥିଲା; ପ୍ରଜାଙ୍କ ପାଇଁ ତ ଏହା ଏକ ପର୍ବ । ହେଲେ ଆଜି ସବୁ ନୀରବ । ଝିଅର ପୂର୍ଣ୍ଣ ସ୍ୱାସ୍ଥ୍ୟ ଫେରି ପାଇବାର ଆଶା ଆଉ ଅଛି ତ?”

ବାଚସ୍ପତି ପୁଣି ଜାତକ ଦେଖି କହିଲେ, “ପ୍ରାୟ ବର୍ଷେ ହେବ ଏକ ଦୁଷ୍ଟ ଗ୍ରହର ଚାଳନା ଯୋଗୁଁ ରାଜକୁମାରୀ ଏପରି ଭୋଗୁଛନ୍ତି । ଏପରି ଅବସ୍ଥା ପ୍ରାୟ ଏଗାର ମାସ ଓ ଏଗାର ଦିନ ଧରି ରହିବ । କିନ୍ତୁ ଅନ୍ୟ ଏକ ଉପାୟ ବି ଅଛି । ଯଦି ଆପଣମାନେ ରାଜି ହୁଅନ୍ତି ଓ କଷ୍ଟ ସ୍ୱୀକାର କରନ୍ତି ତେବେ ଯାଇ ରାଜକୁମାରୀ ହୁଏତ ଭଲ ହୋଇଯିବେ । କିନ୍ତୁ ସେଥିଲାଗି ଆପଣଙ୍କୁ ଯଥେଷ୍ଟ କଷ୍ଟ କରିବାକୁ ପଡିବ । ସେଥିପାଇଁ ଆପଣ ନିଜ ମନକୁ ପ୍ରସ୍ତୁତ କରନ୍ତୁ ମୁଁ କହିବି ।”

ରାଜାରାଣୀ କହିଲେ “ଆପଣ କୁହନ୍ତୁ, ଆମେ ଆମ ଝିଅର ସ୍ୱାସ୍ଥ୍ୟ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଅଛୁ । ସବୁପ୍ରକାର କଷ୍ଟ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛୁ ।”

“କଥାଟି ହେଲା ଗ୍ରହର ବକ୍ରଦୃଷ୍ଟି ଯୋଗୁଁ ଏପରି ହୋଇଛି । ରାଜକୁମାରୀଙ୍କୁ ଏହି ରାଜପ୍ରାସାଦ ଛାଡି ସ୍ଥାନାନ୍ତର ଯିବାକୁ ହେବ । ତାଙ୍କ ସୁରକ୍ଷାର ଯଥେଷ୍ଟ ବନ୍ଦୋବସ୍ତ ହେବ । ଏହା ଅତ୍ୟନ୍ତ ଜରୁରୀ । ସେକଥା କେହିବି ଜାଣିବେ ନାହିଁ । ଅଳ୍ପ ଲୋକ, ଯେଉଁମାନେ କି ପହରା ଦେବେ ଓ ସେବାରେ ରହିବେ କେବଳ ସେହିମାନେହିଁ ଜାଣିବେ; ଜ୍ୟୋତିଷଶାସ୍ତ୍ରରେ ଅଛି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଲେ କୌଣସି ଦୁଷ୍ଟଶକ୍ତି ହୁଏତ ହଇରାଣ କରୁଥାଏ । ସେସବୁ ଚାଲିଯିବ ।”

ଜ୍ୟୋତିଷଙ୍କ କଥା ଶୁଣି ରାଜା ରାଣୀ ବଡ ଚିନ୍ତାରେ ପଡିଲେ । ଏପରି ଅବସ୍ଥାରେ ସେମାନେ ତାଙ୍କ ଝିଅଟିକୁ କେଉଁଠିକି ଓ କିପରି ବା ପଠାଇବେ? ପୁଣି ରାଣୀ ତ ତାଙ୍କ ଝିଅ ବିନା ମୋଟେ ରହି ପାରିବେ ନାହିଁ ।

ଏସବୁ କଥା ଶୁଣି ଜ୍ୟୋତିଷ ଚୁପ୍ ରହିଲେ । ରାଜା କହିଲେ, “ରାଜଧାନୀର ନିକଟରେ ସାରସ ସରୋବର ମଝିରେ ଯେଉଁ ଦ୍ୱୀପ ଅଛି, ସେଠାରେ ଆମର ଗ୍ରୀଷ୍ମନିବାସ ଅଛି । ଆମେ ରାଜକୁମାରୀଙ୍କୁ ସେଠାକୁ ପଠାଇ ଦେବୁ । ଏହା ନିକଟରେ ଅବସ୍ଥିତ । ତେଣୁ ଆମେ ମଧ୍ୟ ସବୁଦିନେ ଯାଇ ତାକୁ ଦେଖା କରି ପାରିବା । ସେଠାକୁ ଯିବା ଆସିବା କରିବା ସେମିତି କିଛି କଷ୍ଟ କଥା ନୁହେଁ ।”

ଜ୍ୟୋତିଷ ପଚାରିଲେ “ସାରସ ସରୋବର ଆଗ୍ନେୟ କୋଣରେ ଅବସ୍ଥିତ; ନୁହେଁ?” ରାଜା ହଁ ଭରିଲେ । ତା’ପରେ ଜ୍ୟୋତିଷ କହିଲେ, “ତେବେ ରାଜକୁମାରୀଙ୍କୁ ସେଠାକୁ ପଠାଇବା ତ ବହୁତ ଭଲ ହେବ । କିନ୍ତୁ ସେଠାରେ ସେ କେବଳ ଏକାହିଁ ରହିବେ । ତାଙ୍କ ଉପରେ ତାଙ୍କ ପିତାମାତାଙ୍କର କୌଣସି ପ୍ରକାର ଦୃଷ୍ଟି ସୁଦ୍ଧା ପଡିବ ନାହିଁ । ସେଠାରେ କେବଳ ଜଣେ ମାତ୍ର ପରିଚାରିକା ତାଙ୍କ ପାଖରେ ରହିବ । ଖାଦ୍ୟ ଦ୍ରବ୍ୟ ଇତ୍ୟାଦି ପ୍ରତ୍ୟେକ ଦିନ ରାଜପ୍ରାସାଦରୁ ପଠାହୋଇ ପାରିବ ଆପଣ ଦୁଇଜଣ ତାଙ୍କୁ ମାସରେ କେବଳ ଥରେ ମାତ୍ର ଦେଖି ପାରିବେ । ତଦ୍ୱାରା ଆପଣଙ୍କ ଝିଅର ମଙ୍ଗଳ ହେବ । ବ୍ରତ ତ ବହୁତ କଠିନ ମନେ ହେବ, କିନ୍ତୁ ଝିଅ ପାଇଁ ଆପଣମାନଙ୍କୁ ଏତକ ନିଶ୍ଚୟ ପାଳନ କରିବାକୁ ହେବ । ଗ୍ରହର ବକ୍ରଦୃଷ୍ଟିର ସମୟ କଟିଯିବା ମାତ୍ରେ ସେ ତୁରନ୍ତ ସୁସ୍ଥ ହୋଇ ଯିବେ ଓ ସେତେବେଳେହିଁ ତାଙ୍କର ବିବାହ ଯୋଗ ରହିଛି । ସେଥିପାଇଁ ଆପଣମାନେ କିଛିବି ଚିନ୍ତା କରନ୍ତୁ ନାହିଁ । ଈଶ୍ୱର ଚାହିଁଲେ ସବୁ କିଛି ଅତି ସହଜରେ ଠିକ୍ ହୋଇଯିବ । ମୁଁ ଏଠାକୁ ଆସିବା ବେଳେ ଜଗତ୍ପତି ଆଚାର୍ଯ୍ୟଙ୍କୁ ଦେଖିଥିଲି । ମୁଁ ତାଙ୍କ ସହିତ ମଧ୍ୟ କଥା କହିବି । ରାଜକୁମାରୀଙ୍କ ଅସୁସ୍ଥତା, ଗ୍ରହର ବକ୍ରଦୃଷ୍ଟି ପ୍ରଭୃତି ବିଷୟରେ ଆଲୋଚନା ହେବ । ତା’ପରେ ମୁଁ ଶୁଭମୁହୂର୍ତ୍ତ ବାହାର କରିବି, ଯେଉଁ ସମୟରେ ଆପଣମାନେ ରାଜକୁମାରୀଙ୍କୁ ଦେଖିବାକୁ ଯିବେ ।” ଏତିକି କହି ବାଚସ୍ପତି ସେଠାରୁ ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ