ଯାଦୁ ମହଲ

ସେହି ବ୍ୟକ୍ତିଟି ଫାଟକ ଖୋଲିଦେଲା । “ମୁଁ ଏଠାକାର ଦରବାନ୍ । ଉପରେ ମୋର ରହିବା ପାଇଁ ଘରଟିଏ ଅଛି । ତୁମେ ରାତିକ ମୋ ସହିତ ସେଠାରେ ରହିପାର ।” ଏତିକି କହି ସେ ଫାଟକ ପୁଣି ତାଲା ଦେଇ ବନ୍ଦ କଲା ଓ ଆଲୁଅ ଧରି ଆଗେ ଆଗେ ଚାଲିଲା । କିଛି ସମୟ ପରେ ସେମାନେ ଯାଇ ଗୋଟିଏ ଘରେ ପହଁଚିଲେ । ବ୍ୟକ୍ତିଟି କହିଲା, “ତୁମେ ଏଠାରେ ବିଶ୍ରାମ ନେଉଥାଅ, ମୁଁ ତୁମ ପାଇଁ କିଛି ଖାଦ୍ୟ ନେଇ ଆସେ । ଅଜଣା ଲୋକଙ୍କ ପାଇଁ ଭିତରକୁ ଯିବା ମନା । ସେଥିପାଇଁ କଡା ନିୟମ ଅଛି । ଆଉ ଯଦି ମୋ ମାଲିକ ଥା’ନ୍ତେ ତେବେ ମୁଁ ଏତିକି ଭିତରକୁ ମଧ୍ୟ ତୁମକୁ କେବେବି ଆଣି ପାରି ନଥା’ନ୍ତି ।”

ମହେନ୍ଦ୍ର କହିଲେ “ତୁମ ମାଲିକ କେବେ ଆସିବେ? ସେ ଯାହାହେଉ ପଛକେ ମୁଁ କଦାପି ବି ଚାହେଁ ନାହିଁକି ମୋ ପାଇଁ ତୁମେ ତାଙ୍କ ପାଖରୁ ଗାଳି ଶୁଣ ବୋଲି । ମୁଁ ସକାଳୁ ଉଠି ପଳାଇବି ।”

ଦରବାନ୍ ମହେନ୍ଦ୍ରନାଥଙ୍କୁ କହିଲେ “ଭୟ କରିବାର କିଛି ନାହିଁ । ମୋର ମାଲିକ ଯେତିକି କଡା ମିଜାଜର, ସେତିକି ସେ ଦୟାଳୁ ମଧ୍ୟ । ତୁମେ ଏଠାରେ ପହଁଚିଛ ବୋଲି ଜାଣିଲେ ସେ ହୁଏତ ତୁମକୁ ଦୟା ଦେଖାଇଥା’ନ୍ତେ ଏଥିରେ କୌଣସି ସନ୍ଦେହ ନାହିଁ ।”

“ଆଚ୍ଛା ମୁଁ ଏବେ ତୁମ ପାଇଁ ଖାଦ୍ୟ ନେଇଆସେ ।” ଏତିକି କହି ସେ ଦରଜା ଆଉଜାଇ ଦେଇ ଚାଲିଗଲା । ମହେନ୍ଦ୍ରନାଥ ଦରବାନ୍କୁ ଅପେକ୍ଷା କରିବା ଭିତରେ ଭାବିଲେ “ଏବେ ପର୍ଯ୍ୟନ୍ତ ତ ସବୁ ଠିକ୍ ଅଛି । କିନ୍ତୁ ଏ ସ୍ଥାନଟି ବହୁତ ବିଚିତ୍ର ଲାଗୁଛି; ଠିକ୍ ସ୍ଥାନଟିର ମାଲିକ ଯେପରି ବିଚିତ୍ର । ମୋର ସମୟ ନଷ୍ଟ କରିବା କିଛିବି ଦରକାର ନାହିଁ । ରାଜକୁମାରୀଙ୍କୁ ଖୋଜିବା ପାଇଁ କାଲି ପୁଣି ମୁଁ ଶିଘ୍ର ଏଠାରୁ ବାହାରି ଯିବି ।”

କିଛି ସମୟ ପରେ କିଛି ଖାଦ୍ୟ ଧରି ଦରବାନ୍ ଫେରି ଆସିଲା; ସେ କହିଲା, “ଖାଦ୍ୟ ବେଶି କିଛି ମିଳିଲା ନାହିଁ । ଏତିକି ମାତ୍ର ଧରି ମୁଁ ଫେରି ଆସିଲି । ଏଥିରେ କିଛିଟା ତ କ୍ଷୁଧା ଶାନ୍ତି ହେବ ।”

ମହେନ୍ଦ୍ରନାଥ ପଚାରିଲେ “ତେବେ ତୁମେ କ’ଣ ତୁମ ମାଲିକଙ୍କ ଫେରିବା ବାଟକୁ ଅପେକ୍ଷା କରି ବସିଛ? ସେ କେବେ ଆସିବେ?”

ତା’ପରେ ସେ ଦରବାନ୍ କହିଲା “ଯେ କୌଣସି ଦିନ ସେ ଆସିଯାଇ ପାରନ୍ତି । ସେ ଚାଲିଗଲେ ଆମେ କେବଳ ଜାଣିପାରୁ । କିନ୍ତୁ ସେ କୁଆଡେ ଯାଆନ୍ତି ସେକଥା ଆମକୁ ଆଦୌ କହନ୍ତି ନାହିଁ, ସେଥିପାଇଁ ଆମକୁ ସର୍ବଦା ସତର୍କ ରହିବାକୁ ପଡେ ।”

ମହେନ୍ଦ୍ରନାଥ ଉତ୍ସୁକ ହୋଇ ପଚାରିଲେ “ଆମେ ଅର୍ଥାତ୍? ଏଠାରେ ଆହୁରି କିଏସବୁ ଅଛନ୍ତି କି? ତୁମ ମାଲିକଙ୍କ ପରିବାର ଏଠାରେ ରହନ୍ତି କି?” “ମୁଁ ତାଙ୍କ ପରିବାରଙ୍କୁ କେବେ ହେଲେ ବି ଦେଖି ନାହିଁ । ସେ ନିଜ କକ୍ଷରେ ସର୍ବଦା ଏକେଲା ରହନ୍ତି । ଥରେ ଥରେ ସେ ପୁରା ଦିନଟିଏ ବା ଦୁଇଦିନ ଭିତରେ ରହିଯାନ୍ତି । ଯଦି ସେ ଖାଇବାକୁ ଇଚ୍ଛା କରନ୍ତି, ତେବେ ଆମେ ତାଙ୍କ ଖାଦ୍ୟ ଭିତରକୁ ନେଇ ଯାଉ । ଯେଉଁମାନେ ତାଙ୍କ ପାଖକୁ ଯିବା ଆସିବା କରନ୍ତି ସେମାନେ କୁହନ୍ତି ଯେ ତାଙ୍କ କକ୍ଷରେ କେବଳ ଗଦା ଗଦା ଗ୍ରନ୍ଥ ଓ ପୋଥିସବୁ ରହିଛି । ସେ ସେଥିରେ ଥିବା କେତେକ ଆକୃତିର ଚିତ୍ର ବା ରେଖାଚିତ୍ର ସବୁ ବହୁତ ମନ ଦେଇ ଦେଖନ୍ତି । ଏବେ ଅଳ୍ପ ଦିନ ପୂର୍ବରୁ ଏଠାକୁ ଜଣେ ବିଶିଷ୍ଟ ମହିଳା ଆସିଥିଲେ; ମାଲିକ ପୁରା ଦୁଇଦିନ ପର୍ଯ୍ୟନ୍ତ ତାଙ୍କ ସହିତ ଭିତରେ ରହିଥିଲେ । ସେ ତାଙ୍କୁ କିଛି ପଚାରିବାକୁ ଚାହୁଁ ଥିଲେ । ବାହାରକୁ ଆସି ହଠାତ୍ କୁଆଡେ ଚାଲିଗଲେ । ସେଥିପାଇଁ କହୁଛି ଯେକୌଣସି ସମୟରେ ସେ ଫେରି ପାରନ୍ତି ।”

“କୌଣସି ମହିଳା” କଥା ଶୁଣି ମହେନ୍ଦ୍ରନାଥ ଭାବିଲେ ହୁଏତ ଏଠାରେ ରାଜକୁମାରୀଙ୍କ ବିଷୟରେ କିଛି ଖବର ମିଳିଯାଇ ପାରେ ବରଂ ମୁଁ ଏଠାରେ ଆଉ କିଛି ଦିନ ରହିଯାଏ, ମହେନ୍ଦ୍ରନାଥ ମନେ ମନେ ଏପରି ଭାବିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ