ରତ୍ନ ମଞ୍ଜରୀ କଥା

ମହାରାଜ ଭୋଜ ଯେତେବେଳେ ସିଂହାସନର ପ୍ରଥମ ପାହାଚରେ ପାଦ ଥାପିଲେ, ସେତେବେଳେ ପ୍ରଥମ ପୁତ୍ତଳିକା ରତ୍ନ ମଞ୍ଜରୀ କହିଲା, “ରହନ୍ତୁ! ଆପଣ ପ୍ରଥମେ ମୋ କଥା ଶୁଣନ୍ତୁ । ତା’ପରେ ଆପଣ ନିଷ୍ପତି ନିଅନ୍ତୁ ଯେ ଆପଣ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ କି ନୁହେଁ ଏବଂ ସିଂହାସନରେ ବସନ୍ତୁ ।” ତାପରେ ସେ କହାଣୀ କହିବାକୁ ଆରମ୍ଭକଲା:

       ବହୁ ପୁରୁଣା କାଳର କଥା । ଆର୍ଯ୍ୟାବର୍ତର ଅମ୍ବାବତୀ ରାଜ୍ୟରେ ଗନ୍ଧର୍ବସେନ ରାଜୁତି କରୁଥିଲେ । ସେ ବର୍ଣ୍ଣବ୍ୟବସ୍ଥାରେ ବିଶ୍ୱାସ କରୁ ନଥିବାରୁ, ଚାରି ବର୍ଣ୍ଣର ଚାରି କନ୍ୟାଙ୍କୁ ବିବାହ କରିଥିଲେ । ବ୍ରାହ୍ମଣ ବର୍ଣ୍ଣ ରାଣୀଙ୍କ ପାଖରୁ ବ୍ରହ୍ମଣୀତ, କ୍ଷତ୍ରିୟ ବର୍ଣ୍ଣ ରାଣୀଙ୍କ ଗର୍ଭରୁ ଶଙ୍ଖ, ଧନ୍ୱନ୍ତରୀ, ଭର୍ତୃହରି ନାମକ ତିନିପୁତ୍ର । ବୈଶ୍ୟ ପତ୍ନୀଙ୍କ ପାଖରୁ ଚନ୍ଦ୍ର ଏବଂ ଶୂଦ୍ରବର୍ଣ୍ଣ ରାଣୀଙ୍କ ବିକ୍ରମାଦିତ୍ୟ ନାମକ ପୁତ୍ର ଜନ୍ମ ହୋଇଥିଲେ ।

       ସମୟକ୍ରମେ ରାଜା ବ୍ରହ୍ମଣୀତକୁ ରାଜ୍ୟର ଦେୱାନ୍ ପଦରେ ବସାଇଥିଲେ । ମାତ୍ର ଅଶାନ୍ତି, ବିଶୃଙ୍ଖଳା, ଅରାଜକତାର ସାମନା କରି ନ ପାରି ସେ ରାଜ୍ୟଛାଡି ଚାଲିଗଲେ । ସେ ଧରାନଗରୀରେ ଆଶ୍ରୟ ନେଇ କୌଶଳକ୍ରମେ ସେଠାକାର ରାଜ୍ୟର ରାଜାଙ୍କୁ ହତ୍ୟା କରି ନିଜେ ରାଜାହୋଇ ଉଜ୍ଜୟିନୀ ଆକ୍ରମଣ ପାଇଁ ଅଗ୍ରସର ହେଲେ । କାରଣ ଉଜ୍ଜୟିନୀ ଥିଲା ଅମ୍ବାବତୀର ରାଜଧାନୀ । ମାତ୍ର ଦୁଃଖର କଥା ଯେ ତାଙ୍କର ଆଶା ସଫଳ ହେଲା ନାହିଁ । ସେ ହଠାତ୍ ଅସୁସ୍ଥ ହୋଇପଡି ମୃତ୍ୟୁ ବରଣ କଲେ ।

       ତେଣେ ରାଜାଙ୍କ କ୍ଷତ୍ରିୟପୁତ୍ର ଶଙ୍ଖ ରାଜ ସିଂହାସନରେ ବସିବା ପାଇଁ ଲାଳାୟିତ ହୋଇଥିଲେ । ମାତ୍ର ତାଙ୍କର ସାନଭାଇ ବିକ୍ରମାଦିତ୍ୟଙ୍କୁ ରାଜା ଖୁବ୍ ଶ୍ରଦ୍ଧା କରୁଥିଲେ । ଏଣୁ ସେ ସୁଯୋଗ ଉଣ୍ଡି ଶୋଇଥିବା ଅବସ୍ଥାରେ ନିଜ ପିତାଙ୍କୁ ହତ୍ୟାକରି ନିଜେ ରାଜାହେଲେ ।

       ଏଇ ଘଟଣାପରେ ଭୟଭୀତ ହୋଇ ଅନ୍ୟ ଚାରିଭାଇ ରାଜ୍ୟଛାଡି ପଳାୟନ କଲେ ଏବଂ ବିତ୍ରୁସ୍ନା ମନୋଭାବ ନେଇ ବିକ୍ରମାଦିତ୍ୟ ମଧ୍ୟ ରଜାହେବା ଲାଳସାରୁ ନିଜକୁ ବଂଚିତ କରି ଜଙ୍ଗଲ ମଧ୍ୟକୁ ପଳେଇଲେ । ଶଙ୍ଖ ନିଜକୁ ନିରଙ୍କୁଶ ରଖିବା ପାଇଁ ଲୋକ ଲଗାଇ ଚାରିଭାଇଙ୍କୁ ହତ୍ୟା କରାଇଲେ ମାତ୍ର ବିକ୍ରମାଦିତ୍ୟଙ୍କର କୌଣସି ସୂଚନା ପାଇଲେ ନାହିଁ । ତାଙ୍କ ମନରେ ସର୍ବଦା ଅନୁସନ୍ଧାନ ଜାରି ରଖି ଏବଂ ଜ୍ୟୋତିଷମାନଙ୍କ ଦ୍ୱାରା ଗଣନା କରାଇ ସେ ଜାଣିବାକୁ ପାଇଲେ ଯେ ବିକ୍ରମାଦିତ୍ୟ ବଂଚିଛନ୍ତି ଏବଂ ତାଙ୍କ ଭାଗ୍ୟରେ ରାଜଯୋଗ ରହିଛି । ସେ ରାଜ୍ୟ ହାସଲ କରି ରାଜଚକ୍ରବର୍ତ୍ତି ସମ୍ରାଟ ହେବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ