ରତ୍ନ ମଞ୍ଜରୀ କଥା

       ଗୁପ୍ତଚର ଲଗାଇ ଶଙ୍ଖ ଜାଣିବାକୁ ପାଇଲେ ଯେ ବିକ୍ରମାଦିତ୍ୟ ଘନ ଜଙ୍ଗଲରେ ଏକ ଝରଣା କୂଳରେ ତପସ୍ୟା କରୁଛନ୍ତି । ସେ ଗୋପନରେ ତାଙ୍କୁ ହତ୍ୟା କରିବାର ଯୋଜନା କଲେ ଏବଂ ଜଣେ କାଳୀ ସାଧକ ତାନ୍ତ୍ରିକଙ୍କର ସାହାଯ୍ୟ ନେଲେ । ତାନ୍ତ୍ରିକ ଚତୁରତାର ସହିତ ବିକ୍ରମାଦିତ୍ୟଙ୍କର ପ୍ରିୟଭାଜନ ହୋଇ ତାଙ୍କୁ କାଳୀ ସାଧନାପ୍ରତି ଆସକ୍ତ କରାଇଲେ ।

       ଜଙ୍ଗଲସ୍ଥିତ କାଳୀମନ୍ଦିରକୁ ଡାକିନେଇ ତାନ୍ତ୍ରିକ ଯେତେବେଳେ ବିକ୍ରମାଦିତ୍ୟଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରିବାକୁ କହିଲେ, ସେତେବେଳେ ସେ ଯୋଗବଳରେ ତାନ୍ତ୍ରିକର ଅସଲ ଉଦ୍ଧେଶ୍ୟ ଜାଣିପାରି ତାକୁ କିପରି ପ୍ରଣାମ କରିବାକୁ ହେବ ଦେଖାଇ ଦେବାକୁ ଅନୁରୋଧ କଲେ । ତାନ୍ତ୍ରିକ ମୁଣ୍ଡ ନୁଆଁଇବା ମାତ୍ରେ ବିକ୍ରମାଦିତ୍ୟ ଲୁଚିଗଲେ । ହଠାତ୍ ଶଙ୍ଖ ଆସି ବିକ୍ରମାଦିତ୍ୟ ଭାବି ତାନ୍ତ୍ରିକକୁ ହତ୍ୟାକଲେ । କାଳ ବିଳମ୍ବ ନ କରି ବିକ୍ରମାଦିତ୍ୟ ଶଙ୍ଖକୁ ହତ୍ୟାକରି ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ଏବଂ କଟାମୁଣ୍ଡଧରି ଉଜ୍ଜୟିନୀରେ ପ୍ରବେଶ କଲେ । ପ୍ରଜାମାନେ ତାଙ୍କୁ ସାଦରେ ଗ୍ରହଣ କରିନେଲେ । ଶଙ୍ଖଙ୍କ ସମର୍ଥକମାନେ ହାର ମାନିଲେ । ବିକ୍ରମାଦିତ୍ୟ ରାଜା ହୋଇ ପ୍ରଜାଙ୍କୁ ସୁଖରେ ପାଳିଲେ ।

        ଏକଦା ବିକ୍ରମାଦିତ୍ୟ ଦଳବଳ ନେଇ ଶିକାର କରିବା ଉଦ୍ଧେଶ୍ୟରେ ଜଙ୍ଗଲକୁ ଗଲେ । ସେ ଏକ ହରିଣୀ ଦେଖି ତା’ ପଛରେ ଗୋଡାଇଲେ । କ୍ରମେ ସେ ଘନ ଜଙ୍ଗଲ ଭିତରେ ପଶିଗଲେ । ସୈନ୍ୟ ସାମନ୍ତମାନେ ପଛରେ ରହିଗଲେ । ବିକ୍ରମାଦିତ୍ୟ ଏଣେ ତେଣେ ବୁଲୁବୁଲୁ ଏମିତି ଏକ ସ୍ଥାନରେ ପହଁଚିଲେ ଯେଉଁଠାରେ ଏକ ସୁନ୍ଦର ମହଲ ଥିଲା । ତାଙ୍କର ମଧ୍ୟ ସେମିତି ଏକ ମହଲ କରିବା ଉଚିତ୍ ବୋଲି ଭାବି ସେ ଆଗେଇ ଚାଲିଲେ । ସେ ମହଲର ମାଲିକ, ରାଜା ବାହୁ ବଳେନ୍ଦ୍ରଙ୍କର ଦେୱାନ୍ ଲୁତବରଣଙ୍କର ଥିଲା । ସେ ଜଣେ ଭବିଷ୍ୟତ ଦ୍ରଷ୍ଟା ମଧ୍ୟ ଥିଲେ ।

       ଲୁତବରଣ ବିକ୍ରମାଦିତ୍ୟଙ୍କର ଆଦର ସତ୍କାର କରି କହିଲେ ଯେ ଆପଣ ଖୁବ୍ ଭାଗ୍ୟବାନ୍ । ଆପଣ ଖୁବ୍ ଶୀଘ୍ର ରାଜଚକ୍ରବର୍ତ୍ତି ହୋଇପାରିବେ । ଯଦି ରାଜା ବାହୁ ବଳେନ୍ଦ୍ର ଆପଣଙ୍କୁ ଅଭିଷିକ୍ତ କରାନ୍ତି, ଏବଂ ଆପଣ ସୁବିଧା ଦେଖି ତାଙ୍କ ପାଖରେ ଥିବା ଚମତ୍କାରୀ ସିଂହାସନ ମାଗି ନେଇ ପାରନ୍ତି । ସେ ଖୁବ୍ ଦାନୀ ଏବଂ ଧର୍ମ ପରାୟଣ । ଭଗବାନ୍ ଶିବ ଶଙ୍କର ସନ୍ତୁଷ୍ଟ ହୋଇ ତାଙ୍କୁ ଏହା ପ୍ରଦାନ କରିଥିଲେ ।

       ସେଇୟା ହେଲା, ବିକ୍ରମାଦିତ୍ୟଙ୍କୁ ସିଂହାସନରେ ଅଭିଷିକ୍ତ କରି ରାଜା ବାହୁ ବଳେନ୍ଦ୍ର ତାଙ୍କୁ ଚକ୍ରବର୍ତ୍ତି ରାଜା ବୋଲି ଘୋଷଣା କଲେ ଏବଂ ଇଚ୍ଛାମତେ ଦାନଗ୍ରହଣ କରିବାକୁ ଅନୁରୋଧ କଲେ । ଏହାପରେ ରାଜା ବିକ୍ରମାଦିତ୍ୟ ଏକ ପୂଜାର ଆୟୋଜନ କଲେ । ଅନେକ କିଛି ଦାନ କଲେ । ଚତୁର୍ଦ୍ଦିଗରେ ତାଙ୍କର ଯଶଖ୍ୟାତି ବ୍ୟାପି ଚାଲିଲା । ଏତକ କହି ରତ୍ନମଞ୍ଜରୀ ପ୍ରଶ୍ନ କଲେ- “ମହାରାଜ ଭୋଜ! ଆପଣ କ’ଣ ବିକ୍ରମାଦିତ୍ୟଙ୍କ ପରି ପ୍ରତାପୀ, ଯଶସ୍ୱୀ, ନ୍ୟାୟନିଷ୍ଠ? ଆପଣ କ’ଣ ନିଜସ୍ୱ ଉପାୟରେ ସିଂହାସନ ହାସଲ କରିଛନ୍ତି? ବାହୁବଳେନ୍ଦ୍ରଙ୍କ ଭଳି ରାଜା ଆପଣଙ୍କୁ ରାଜଚକ୍ରବର୍ତ୍ତି ଉପାଧିରେ ଭୂଷିତ କରିଛନ୍ତି? ଆପଣ ବିକ୍ରମାଦିତ୍ୟଙ୍କ ସହିତ ସମକକ୍ଷ? ଯଦି ନା, ତେବେ ଏ ସିଂହାସନଠାରୁ ଦୂରେଇ ରୁହନ୍ତୁ । ନ ହେଲେ ବିପଦ ଅବସମ୍ଭାବୀ ।”

       ମହାରାଜ ଭୋଜ ନୀରବ ରହିଲେ, ରାତିଯାକ ଶୋଇପାରିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ