ରାଜକୁମାରୀ ବିଚିତ୍ରା

ସମୟାନୁକ୍ରମେ ଖରାତେଜ କମି ଆସିଲା ବେଳକୁ ଦୂର ଦେଶର ଅସୁର ଜାତୀୟ ଜଣେ ରାଜା ଗୋଟାଏ ଓଟ ଉପରେ ବସି ସେହିବାଟେ ଯାଉଥିଲା । ସେହି ରାଜାଙ୍କ ସଙ୍ଗରେ କେତେ ଗୁଡିଏ ଅନୁଚର ବି ଥିଲେ । ସେ ସମସ୍ତଙ୍କ ହାତରେ ଖଣ୍ଡା, ତରବାରୀ, ଢାଲ, ବର୍ଚ୍ଛା, ଏକମୁନା, ଦୋମୁନା, ମୁଦ୍ଗର ଆଦି ମାରଣାସ୍ତ୍ର ମାନ ଥାଏ । ସେ ଲୋକ ପଞ୍ଝାକ ଦେଖିବାକୁ ଖୁବ୍ କାଳିଆ, ଭୂଷଣ୍ଡା, କଦାକାର ଦେଖା ଯାଉଥାନ୍ତି । ସେମାନଙ୍କ ମୁହଁରେ ଦାଢୀ, ନିଶ ଓ ମୁଣ୍ଡରେ ପଗଡି ବି ଥାଏ । ପୁଣି ସେମାନଙ୍କ ଦିହରେ ବାଘଛାଲ ଓ ହରିଣ ଛାଲର ପୋଷାକ ଥାଏ । ଯେମିତିକି ସେମାନଙ୍କୁ ଯେକେହି ବି ଦେଖିଲେ ହଠାତ୍ ତା’ ମନରେ ଭୟ ଆସିବ ।

ସେହି ଲୋକ ପଞ୍ଝାକ ଦୈବାତ୍ ମନ୍ଦିର ବାଟ ଦେଇ ଯାଉ ଯାଉ ହଠାତ୍ ଦେଖିଲେ ବଢିଆ ବଢିଆ ଚାରିଟା ଘୋଡା ଗଛରେ ବନ୍ଧା ହୋଇଛନ୍ତି । ସେହି ଘୋଡା ମାନଙ୍କୁ ଦେଖି ସେମାନଙ୍କ ମାଉଁସ ଖାଇବା ପାଇଁ ଏହି ଦୁଷ୍ଟ ମାନଙ୍କର ଲୋଭ ଆସିଲା । ତେଣୁ ଅନୁଚର ମାନଙ୍କୁ ଅସୁର ରାଜା କହିଲା –‘ତୁରନ୍ତ ଯାଇ ବାନ୍ଧିଆଣ ସେହି ଘୋଡା ମାନଙ୍କୁ ।’

ରାଜାଙ୍କ ଆଦେଶ ପାଇବା ମାତ୍ରେ ଖୁବ୍ ଜୋର୍ରେ ପାଟି ତୁଣ୍ଡ କରି ତାଙ୍କର ଅନୁଚର ମାନେ ସିଧା ଦଉଡିଲେ ସେହି ଘୋଡା ମାନଙ୍କୁ ଫିଟାଇବାକୁ।

ଏଣେ ଠିକ୍ ଏହି ସମୟରେ ହିଁ ସେ ସଖୀମାନଙ୍କ ନିଦ ଭାଙ୍ଗିଗଲା । ଘୋଡା ଗୁଡିକ ମଧ୍ୟ ଅଚିହ୍ନା ଲୋକ ମାନଙ୍କୁ ଦେଖି ଖୁବ୍ ଜୋର୍ରେ ଚିତ୍କାର କରି ଉଠିଲେ । ସିପ୍ରା ଦଉଡି ଯାଇ ସେ ଲୋକମାନଙ୍କୁ କହିଲା – “ଖବରଦାର, ଆମ ଘୋଡା ମାନଙ୍କ ଦେହରେ ମୋଟେ ହାତ ଦିଅନା । ବାଟୋଇ ମଣିଷ ତୁମେ । ତେଣୁ ତୁମେ ନିଜ କାମରେ ବାଟେ ବାଟେ ଚାଲିଯାଅ । ଗୋଟିଏ ରାଜ୍ୟର ରାଜା ସଙ୍ଗେ ଶତ୍ରୁ ହେବାକୁ ଆଦୌ ଚେଷ୍ଟା କରନା ।”

ରାଜାଙ୍କ ନାମ ଶୁଣି ଓ ଏପରି ସୁନ୍ଦରୀ କନ୍ୟାମାନଙ୍କୁ ଦେଖି ଅନୁଚର ମାନେ ସିଧା ଯାଇ ସେମାନଙ୍କ ରାଜାଙ୍କୁ କହିଲେ । ରାଜା ବି ଏପରି କଥା ଶୁଣି ସଙ୍ଗେ ସଙ୍ଗେ ଆଦେଶ ଦେଲା ଘୋଡା ଓ ସେହି ସୁନ୍ଦରୀ କନ୍ୟା ମାନଙ୍କୁ ତୁରନ୍ତ ବାନ୍ଧି ନେବା ପାଇଁ । ରାଜାଙ୍କ ଆଦେଶ ପାଇବା ମାତ୍ରେ ତାଙ୍କ ଅନୁଚର ମାନେ ବି ଦଉଡିଲେ ।

କନ୍ୟାମାନେ ଏହି ଦୁଷ୍ଟ ଲୋକ ମାନଙ୍କ ଉଦ୍ଧତପଣିଆ ଦେଖି ନିଜ ନିଜ ତୀର ଚଳାଇଲେ ବିଜୁଳି ବେଗରେ । ଏପରି ପ୍ରହାର କରିବା ଦ୍ୱାରା ସେ ବିଦେଶୀ ମାନଙ୍କ ଭିତରୁ ଅନେକ ଲୋକ ଖଣ୍ଡିଆ ଖାବରା ହୋଇ ସେହି ସୁନ୍ଦରୀ କନ୍ୟାମାନଙ୍କ ପାଖ ସୁଦ୍ଧା ବି ପଶି ପାରିଲେନି । ସେହି ଦୁଷ୍ଟ ମାନେ ଖାଲି ଅତି ବିକଳରେ ବୋପାଲୋ, ମାଆଲୋ, ମଲୁ ମଲୁ ବୋଲି ଚିତ୍କାର କରିବାକୁ ଲାଗିଲେ । ସେହି ଦୁଷ୍ଟ ଅନୁଚର ମାନଙ୍କ ରାଜା ଏପରି ଘଟଣା ଦେଖି ସେହି କନ୍ୟାମାନଙ୍କ ସହିତ ସେହିଠାରେ ହିଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଗଲା ।

କନ୍ୟାମାନେ ଆଉ ପାରି ଉଠିଲେନି । ବେଳକୁ ବେଳ ସେମାନେ ଥକି ଗଲେ । ଏଣେ ପାଖରୁ ସେମାନଙ୍କର ତୀରଗୁଡାକ ବି ସରିଗଲା । ଏହି ସମୟରେ ସେ ଅସୁର ରାଜା ନିଜ ଅନୁଚର ମାନଙ୍କୁ ଆଦେଶ ଦେଲା – ସେହି କନ୍ୟା ମାନଙ୍କୁ ଓ ତାଙ୍କ ସଙ୍ଗେ ତାଙ୍କ ଘୋଡା ମାନଙ୍କୁ ସେହିକ୍ଷଣି ବାନ୍ଧି ନେବା ପାଇଁ । ପରିଶେଷରେ ତାହାହିଁ ହେଲା । ବିଚିତ୍ରା, ସିପ୍ରା ଓ ତାଙ୍କ ସଖୀ ଯୋଡିକ ଶେଷରେ ସେହି ଅସୁର ମାନଙ୍କ ସଙ୍ଗେ ଯିବାକୁ ବାଧ୍ୟ ହେଲେ । ସେମାନଙ୍କ ଆଖିରୁ ଝରି ପଡୁଥାଏ କେବଳ ଅବାରିତ ଅଶ୍ରୁ ଧାରା, ତା ସାଙ୍ଗକୁ ସେମାନଙ୍କ ଛାତି ଫଟାଇ କେବଳ କୋହ ଉଠୁଥାଏ । ଏବେ ସେ ଅସୁର ତାଙ୍କୁ ମାରିବ, ହାଣିବ କି ଆଉ କ’ଣ କରିବ ସେ କଥା ବା କିଏ ଜାଣିଛି? ଏଣୁ ମନେ ମନେ ସେହି କନ୍ୟା ମାନେ କେବଳ ଭଗବାନଙ୍କୁ ଡାକୁଥାନ୍ତି । ନିଜ ନିଜ ଅନ୍ତର କଥା ଜଣାଇ ମା’ ମଙ୍ଗଳାଙ୍କୁ କଳା ବୋଦା ଯାଚୁ ଥାଆନ୍ତି । ଠିକ୍ ଏତିକିବେଳେ ଗୋଟିଏ ରାଜାପୁଅ ଆସି ସେଠାରେ ପହଁଚି ଗଲା ।

ସେହି ରାଜା ପୁଅର ହାତରେ ଥାଏ ଧନୁ ତୀର । ତା’ର ଅଂଟାରେ ପୁଣି ଥାଏ ଖଣ୍ଡା ଓ ଛୁରୀ । ସେ ପୁଣି ବସିଛି ଏକ ଘୋଡା ପିଠିରେ । ସେ ତା ପାଖରେ ଧଳା ଧଳା ଗୋଲଗୋଲିଆ କ’ଣ ସବୁ କେତେଟା ରଖିଛି । ତାଙ୍କ ପଛକୁ କଳା କଳା ଘୋଡାରେ ଚଢି ପହିଲିମାନ ଭଳିଆ ପଞ୍ଝା ଗୋଟାଏ ଅଛନ୍ତି । ସେ ସମସ୍ତଙ୍କ ହାତରେ ଧନୁ, ତୀର, ବର୍ଚ୍ଛା, ଖଣ୍ଡା, ଢାଲ, ଛୁରୀ, କଟାର ପୁଳାକୁ ପୁଳା ରହିଛି । ସମସ୍ତେ ନିଜ ନିଜ ନିଶ ଦାଢୀ ଖାଡା କରି ବସିଛନ୍ତି ତୋଖଡମାର୍କା ହୋଇ । ସେମାନଙ୍କୁ ଯେକେହିବି ଦେଖିଲେ  ତା ମନରେ ପ୍ରବଳ ଭୟ ଆସୁଥାଏ । ଏ ଅସୁର ଦଳ ବି ସେମାନଙ୍କୁ ଦେଖି ଟିକିଏ ଦବି ଗଲେ ।

ରାଜପୁତ୍ର ଦେଖିଲା ଝିଅ ଚାରୋଟି ବନ୍ଧା ହୋଇ ସେହି ଅସୁର ମାନଙ୍କ ସଙ୍ଗେ ଚାଲି ଯାଉଛନ୍ତି । ଆଉ ପୁଣି ସେହି କନ୍ୟା ମାନଙ୍କ ଆଖିରେ ଆଖିଏ ଲୁହ । ଯେପରିକି ସେହି କନ୍ୟା ମାନଙ୍କ ମନରେ ଅସରନ୍ତି ବେଦନା ଭରି ରହିଛି । ସେହି କନ୍ୟା ମାନଙ୍କୁ ଏପରି ଅବସ୍ଥାରେ ଦେଖିଲା ମାତ୍ରେ କଥାଟା କ’ଣ ବୋଲି ସେ ରାଜପୁତ୍ରର ଆଉ କିଛି ବୁଝି ନେବାକୁ ବାକି ରହିଲାନି । ଠିକ୍ ଏତିକିବେଳେ ସିପ୍ରା କାନ୍ଦି କାନ୍ଦି କହିଲା – “ଆମ୍ଭମାନଙ୍କୁ ଏ ବିପଦରୁ ଉଦ୍ଧାର କରନ୍ତୁ ଭଦ୍ର ।”

ରାଜପୁତ୍ର ପଚାରିଲା – “ତୁମେମାନେ ସବୁ କେଉଁ ଦେଶର ଯୁବତୀ?”

ସିପ୍ରା କହିଲା – “ଆମେ ସବୁ ଆଠମଲ୍ଲିକ ରାଜକୁମାରୀ ।”

ଯୁବକଟି ଏହା ଶୁଣି ଆଉ ତିଳେ ହେଲେ ବି ଧୈର୍ଯ୍ୟ ଧରି ରହିପାରିଲାନି । ସେ ରାକ୍ଷସ ମାନଙ୍କୁ ତାଙ୍କ ଅପରାଧର ଉଚିତ୍ ଦଣ୍ଡ ବିଧାନ କରିବା ପାଇଁ ସେ ରାଜପୁତ୍ର ତା ଘୋଡା ପିଠିରେ ଥିବା ଧଳା ପଦାର୍ଥକୁ ରାକ୍ଷସ ମାନଙ୍କ ଉପରକୁ ଫୋପାଡି ଦେଲା ।

ତା ପରେ ସେହିଠାରେ ଉଠିଲା ଏକ ଗଗନଭେଦି ନିଆଁ । ତା’ ଭିତରୁ ଛୁଟିଲା ଲାଲ ଟକ ଟକ ତୀର, ଛୁରୀ, ଗୁଳି ଇତ୍ୟାଦି ନାନା ପ୍ରକାର ତତଲା ଲୁହା । ଖାଲି ବାରୁଦ ଗନ୍ଧରେ ସେ ବନଭୂମିର  ଚାରିପାଖ ଗନ୍ଧେଇଗଲା । ସେଠାରେ ଆଉ କେହିବି ଆଖି ଫିଟାଇ ଅନାଇ ପାରିଲେନି । ଏ ଦୁର୍ବଳ ରାକ୍ଷସ ଗୁଡାକ ଖାଲି ଛଟପଟ ହୋଇ ଠିକ୍ ପୋଡା ମାଛ ପରି ବଙ୍କା ହୋଇଗଲେ । ଏକାଥରକେ ସେହି ଅସୁରମାନଙ୍କ ଦମ୍ ବି କମି ଗଲା । ଆଉ ଯେଉଁମାନେ ବାକି ରହି ଯାଇଥିଲେ, ସେମାନେ ଆଖି, କାନ, ନାକ, ବୁଜି ସେଠାରୁ ପଳାଇ ଯିବାକୁ ଆଉ ବାଟ ସୁଧା ପାଇଲେନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ