ରାଜକୁମାରୀ ବିଚିତ୍ରା

କୁମାରୀ ଚାରୋଟି ମଧ୍ୟ ନିଜକୁ ସୁରକ୍ଷିତ ନମଣି ଯାଇ ଛପି ଯାଇଥିଲେ ଗହଳିଆ କୁଞ୍ଜଲତା ପଛରେ । ଅସୁର ମାନେ ଆଉ ଥରେ ବି ସେହି କନ୍ୟା ମାନଙ୍କ ପାଖକୁ ଯିବା ପାଇଁ ସାହସ କରି ନାହାନ୍ତି । କେବଳ ନିଜ ନିଜ ପ୍ରାଣ ଭୟରେ ସେଠାରୁ ପଳାଇ ଯାଇଛନ୍ତି ଲୁଚି ଲୁଚିକା । ସେହି ଅସୁର ମାନଙ୍କ ରାଜା ବି ପଳାଇ ଯାଇଛି ଲୁଚି ଲୁଚି ଚୋରଙ୍କ ଭଳି । ସେହି ଯୁଦ୍ଧ କ୍ଷେତ୍ରରେ ଛାତି ପତାଇ ଠିଆ ହେବାକୁ ଅସୁର ମାନଙ୍କ ପକ୍ଷରୁ ଆଉ ଜଣେ ହେଲେ ବି କେହି ନାହାନ୍ତି । ଏପରି ଅବସ୍ଥା ଦେଖି ସେ ରାଜପୁତ୍ର ତୁରନ୍ତ ତାଙ୍କ ଦଳକୁ ଆଦେଶ ଦେଲେ ଯେ ସେହି କନ୍ୟାମାନଙ୍କୁ ଆଣି ସେମାନଙ୍କୁ ବନ୍ଧନମୁକ୍ତ କରି ଦେବାକୁ । ରାଜପୁତ୍ର ନିଜେ ତାଙ୍କ ଘୋଡାରୁ ଓହ୍ଲାଇ ସେଠାରେ ଦଣ୍ଡକ ଯାଏଁ ବିଶ୍ରାମ ବି କଲେ । ଠିକ୍ ସେହି ସମୟରେ ରାଜପୁତ୍ରଙ୍କ ସୈନ୍ୟମାନେ ଯାଇ କନ୍ୟାମାନଙ୍କୁ ଅସୁରମାନଙ୍କ ବନ୍ଧନରୁ ଖୋଲି ଦେଲେ ।

ଘୋଡା ଚାରୋଟିଯାକ ତ ଏପରି ନିଆଁ ଦେଖି ସେଠାରୁ ପଳାଇ ଯାଇଥିଲେ ଟିକିଏ ଦୂରକୁ । ବର୍ତ୍ତମାନ ଅବସ୍ଥା ଟିକେ ଥଣ୍ଡା ପଡିବାରୁ କନ୍ୟାମାନଙ୍କୁ ଖୋଜି ଖୋଜି ସେହି ଘୋଡାମାନେ ବି ତାଙ୍କ ପାଖରେ ଆସି ପହଁଚି ଗଲେ । କାହିଁକି ନା ଘୋଡାମାନେ ହେଲେ ନିମକ୍ସଚ୍ଚା ପଶୁ । ସେମାନେ ତ ମାଲିକର ଦାନା ଖାଆନ୍ତି, କାମ ବଜାନ୍ତି, ଦରକାର ପଡିଲେ ନିଜ ମାଲିକ ପାଇଁ ଜୀବନ ବି ଦିଅନ୍ତି । ଏଭଳି ବିପଦ ଆପଦରେ ନିଜ ମାଲିକକୁ କିପରି ସାହାଯ୍ୟ କରିବାକୁ ହୁଏ ସେକଥା ବି ସେମାନେ ଶିଖି ନାହାନ୍ତି । ତେଣୁ ସେହି ଘୋଡା ମାନେ ଏତେ ଘନଘଟା ଭିତରେ ବି କନ୍ୟାମାନଙ୍କୁ ଛାଡି ଚାଲିଯିବା ପାଇଁ ମୋଟେ ପ୍ରସ୍ତୁତ ନୁହଁନ୍ତି ।

କନ୍ୟାମାନେ ତ ଥକି ପଡିଥିଲେ । ସେମାନଙ୍କ ଅବସ୍ଥା ବି ଏକ ପ୍ରକାର ଝାଉଁଳି ପଡୁଥିଲା । ସେମାନଙ୍କର ପିନ୍ଧା ଲୁଗାପଟା ଗୁଡିକ ମଧ୍ୟ ଖୁବ୍ ଧୂଳି ଧୂସର ଝାଳ ଜୁଡୁବୁଡୁ ହୋଇଥିଲା । ତେଣୁ ସେହି କନ୍ୟାମାନେ ରାଜପୁତ୍ରଙ୍କ ସମ୍ମୁଖକୁ ଆସିବା ପାଇଁ ଖୁବ୍ ଲଜ୍ଜାବୋଧ କରୁଥିଲେ ।

ସେହି କନ୍ୟାମାନଙ୍କ ହାବଭାବକୁ ଲକ୍ଷ୍ୟ କରି ରାଜପୁତ୍ର ସେମାନଙ୍କୁ କହିଲେ – “ଆଦୌ ଲଜ୍ଜା କରନ୍ତୁନି କୁମାରୀ! ଏପରି ଅକସ୍ମାତ ବିପଦରେ ପଡିଲେ କାହାର ବି ଅବସ୍ଥାର ଠିକଣା ରହେନି । ସେ ଯାହାବି ହେଉନା କାହିଁକି ଆପଣମାନେ ନିଜ ନିଜ ସାଙ୍ଗରେ ଶରୀର ରକ୍ଷୀ ନଆଣି ଏପରି ଖାଲି ଖାଲି ଚାଲି ଆସିବାଟା ମୋଟେ ଉଚିତ୍ ହୋଇନି ।”

ବିଚିତ୍ରା ଓ ସିପ୍ରା ନିଜ ସଖୀ ଦୁଇଟିଙ୍କୁ ଅତିଥିର କରି କହିଲେ – “ପଚାରମ ସହୀ! କେଉଁ ଦେଶର ରାଜକୁମାର ସେ?”

ଏ କଥା ଶୁଣି ହେମ ନାମକ ସଖୀଟିଏ ସେ ଆଗନ୍ତୁକ ରାଜକୁମାରଙ୍କୁ ପଚାରିଲା – “କ୍ଷମା କରିବେ ଭଦ୍ର । ଆମ ଜେମା ଦେଇ ଦିହେଁ ଆପଣଙ୍କ ପରିଚୟ ପାଇବାକୁ ଅତ୍ୟନ୍ତ ବ୍ୟଗ୍ର ହୋଇ ପଡିଛନ୍ତି । ଦୟାକରି ଆପଣ ଆପଣଙ୍କ ପରିଚୟଟା ଜଣାଇବେ କି?

କୁମାର ଏହା ଶୁଣି ହସିଲେ ଏବଂ କହିଲେ – “ନିଜର ପରିଚୟ ଦେବା ପାଇଁ କ’ଣ ଦୟା ଦାକ୍ଷିଣ୍ୟ ଲୋଡା ହୁଏ?”

ହେମ କହିଲା – ହୁଏନି ସତ । ତଥାପି ଆପଣ ଯେତେ ବେଳେ ରାଜକୁମାର, ସେତେବେଳେ ଆପଣଙ୍କଠୁଁ ଅନୁମତି ନ ନେଇ ଆପଣଙ୍କୁ କୌଣସି ପ୍ରଶ୍ନ କରିବା –

ହେମ କଥାରେ ବାଧା ଦେଇ ସେ ରାଜ କୁମାର କହିଲା – ଏହା ତ ଏକ ରାଜକୁମାର ପ୍ରତି ସାଧାରଣ ଲୋକର ପ୍ରଶ୍ନ ନୁହେଁ । ବରଂ ଏହା ରାଜ କୁମାରୀ ମାନଙ୍କର ପ୍ରଶ୍ନ, ଏଥିରେ ତ କୌଣସି ପ୍ରକାରର ଅମାର୍ଜନୀୟ ଅପରାଧ ନାହିଁ ଅବଶ୍ୟ । ତେଣୁ ତୁମେ ଏତେ ମାତ୍ରାରେ କୁଣ୍ଠିତ କାହିଁକି? ତା ପରେ ସେହି ରାଜ କୁମାର କନ୍ୟାଟିକୁ ପଚାରିଲେ ଆଚ୍ଛା ଭଦ୍ରେ! ତୁମେ କ’ଣଏହି କୁମାରୀମାନଙ୍କ ସଖୀ?

କନ୍ୟାଟି ଉତ୍ତର ଦେଲା – ଆଜ୍ଞା ହଁ ।

ରାଜ କୁମାର ପଚାରିଲା – ତେବେ ତୁମ ନାମ?

କନ୍ୟାଟି କହିଲା – ମୋ ନାଁ ହେମ, (ଅନ୍ୟ ସଖୀଟିକୁ ଦେଖାଇ କହିଲା)ତା’ ନାଁ କୁମ ।

ରାଜ କୁମାର ପଚାରିଲା – ତୁମ ରାଜ କୁମାରୀ ମାନଙ୍କ ନାମ?

ତହୁଁ ହେମ କହିଲା – “ଆପଣ ଆଗେ ନିଜ ପରିଚୟ ନ ଦେଇ ଖଞ୍ଜରେ ଖଞ୍ଜରେ ଆମ ମାନଙ୍କ ପରିଚୟ ଆଦାୟ କରିନେବେ ପରା?”

ଏତକ ଶୁଣି ସେ ରାଜକୁମାର ପୂନର୍ବାର ହସି ଉଠିଲା । ରାଜକୁମାରର ସେ ହସରେ ସତେ ଯେପରି ଜଗତର ସମସ୍ତ ମାଧୁରୀ ପୂରି ରହିଛି । ସୁକୋମଳ କୁମାରୀ ଦୁହେଁ ନିଜ ଆଡ ଚାହାଁଣିରେ ଅନାଇ ଥାନ୍ତି ସେହି ରାଜ କୁମାର ଜଣଙ୍କର ସୁଠାମ ସୁନ୍ଦର ମୁଖମଣ୍ଡଳକୁ । ସେହି ରାଜ କୁମାରଙ୍କର ପ୍ରସାରିତ ବକ୍ଷ ଓ ବଳିଷ୍ଠ ବଳିଷ୍ଠ ବାହୁ ମଧ୍ୟରେ ଆଶ୍ରୟ ଗ୍ରହଣ କରି ନିଜ ନିଜ ଜୀବନକୁ ଶାନ୍ତି ଦେବାପାଇଁ । ଏହିପରି କେତେ କଥା ଭାବି ଭାବି ଦୁଇ ରାଜକୁମାରୀଙ୍କର ମନ ଚକୋରୀ ରହି ରହି ଖାଲି ଗୁମୁରି ଉଠୁଥାଏ । ସିପ୍ରା କହୁଥାଏ – ପ୍ରଭୁ ସତେ କ’ଣ ମୋ ପ୍ରତି ଟିକେ ଦୟା କରିବେ?”

ବିଚିତ୍ରା ବି ଭାବୁଥାଏ – ଏଭଳି ପୁରୁଷ ସିଂହ ଯଦି ମୋର ସ୍ୱାମୀ ନ ହୁଅନ୍ତି, ତେବେ ମୋର ଏ ରମଣୀ ଜନ୍ମ ଧିକ ହେବ ସିନା । ହେ ପ୍ରଭୁ ଅକର୍ମ କର୍ମଦାୟକ ପାର୍ବତୀ ପତି! ମୋ ମନବାଂଛା ପୂର୍ଣ୍ଣ ହେଲେ ମୁଁ ତୁମକୁ ସୁବର୍ଣ୍ଣର ଅଷ୍ଟୋତର ଶତ ବେଲପତ୍ରୀ ଚଢାଇ ଆପଣଙ୍କ ଶକ୍ତିରେ ତାହା ମଣ୍ଡନ କରିବି । ଏହିପରି ଭାବେ ଦୁହିଁଙ୍କର ମନ ଥାଏ ଭାବନା ରାଇଜରେ । କିନ୍ତୁ ସେହି ରାଜ କନ୍ୟା ମାନଙ୍କ କାନ ଥାଏ କୁମାରଙ୍କ ମୁଖରୁ କିଛି କଥା ଶୁଣିବା ପାଇଁ ।

ଏତିକିବେଳେ ସେ ରାଜ କୁମାରଙ୍କ ମୁଖରୁ ଶୁଣାଗଲା – “ତୁମ କୁମାରୀ ମାନେ ଯଦି ଅତି ନିତାନ୍ତ ଭାବରେ ମୋର ପରିଚୟ ଜାଣିବାକୁ ଇଚ୍ଛୁକ ଥାଆନ୍ତି ତେବେ କହୁଛି – ମୁଁ ତାଳଚେର ରାଜ୍ୟର ଯୁବରାଜ ।”

ହେମ ପଚାରିଲା – “ତେବେ ଆପଣଙ୍କ ନାମ?”

ରାଜ କୁମାର କହିଲା – “ମୋ ନାଁ ସୂର୍ଯ୍ୟ କୁମାର ।”

ଏତକ କଥା ସେ ରାଜ କୁମାରର ମୁଖରୁ ଶୁଣିବା ପରେ ହଠାତ୍ ଆଗେଇ ଆସିଲା ସିପ୍ରା ଏବଂ ତା’ ପଛେ ପଛେ ବିଚିତ୍ରା ବି । ଦିହିଁଙ୍କ ପ୍ରାଣ ଶିଖରୀର ଶୀଳାସ୍ତର ଭେଦି ବହି ଆସୁଥାଏ ଖାଲି ସ୍ନେହ ପ୍ରୀତି ଏବଂ ଭକ୍ତିର ଚିରସ୍ରାବୀ ଝରଣା । ସେ ଦିହିଁଙ୍କ ହାବ ଭାବକୁ ଲକ୍ଷ୍ୟ କରି ହେମ ଏବଂ କୁମ ଥକାମାରି ସେହିଠାରେ ହିଁ ଠିଆ ହୋଇ ଥାନ୍ତି । ସମସ୍ତ ଲଜ୍ଜା ଶରମକୁ ଦୂରକୁ ଠେଲିଦେଇ ଦୁଇ ରାଜ କନ୍ୟା ଯାଇ ପ୍ରଣାମ କଲେ ସେହି ରାଜକୁମାରଙ୍କ ଚରଣ ତଳେ । କନ୍ୟା ମାନଙ୍କ ବିନୀତ ଅବସ୍ଥା ଦେଖି ରାଜକୁମାର ଜଣକ ସେ ହୁହିଁଙ୍କ ହାତ ଧରି ସେମାନଙ୍କୁ ଧୀରେ ଧୀରେ ଉଠାଇ ଦେଲେ । ସେ ଭାବର ମୃଦୁ ପରଶ ପାଇ କୁମାରୀ ଦ୍ୱୟ ଶିହରୀ ହୋଇ ଉଠିଲେ । ସତେ ଯେପରି ସେହି କନ୍ୟା ମାନଙ୍କ ଜୀବନ ଭିତରେ କାମଦେବ ମଦୁଆ ନିଶାର ଢେଉ ଖେଳାଇ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ