ରାଜଜ୍ୟୋତିଷ

ଚାଳିଶ ଦିନର ହିସାବ ରଖିବା ପାଇଁ ହାଲିମା ଗୋଟିଏ ଡବାରେ ଚାଳିଶଟି ଖଜୁରୀ କୋଳି ରଖିଲା । ତା’ପରେ ହୁସେନ୍କୁ ଡାକି ସେ କହିଲା, “ତମେ ପ୍ରତିଦିନ ଏଥିରୁ ଗୋଟିଏ ଗୋଟିଏ ଖାଇବ । ଶେଷଟି ଯେଉଁଦିନ ଖାଇବ ସେହିଦିନ ଆମେ ଏ ରାଜ୍ୟ ଛାଡି ଅନ୍ୟତ୍ର ପଳାଇବା ।

ଭାଗ୍ୟକୁ ସେ ଚୋର ଦଳରେ ମଧ୍ୟ ଚାଳିଶ୍ ଜଣ ଚୋର ଥିଲେ । ସେମାନେ ଶୁଣିବାକୁ ପାଇଲେ ଯେ ତାଙ୍କୁ ଧରିବା ପାଇଁ ରାଜା କୁଆଡେ ଜ୍ୟୋତିଷଙ୍କୁ କହିଛନ୍ତି । ଏକଥାର ସତ୍ୟତା ଜାଣିବା ପାଇଁ ଚୋର ସର୍ଦ୍ଦାର ଜଣେ ଚୋରକୁ ସେଇଦିନ ରାତିରେ ଜ୍ୟୋତିଷ ଘରକୁ ଗୋପନରେ ଖବର ସଂଗ୍ରହ କରିବାକୁ ପଠାଇଲା ।

ଚୋରଟି ଯାଇ ହୁସେନ୍ର ଘର ପଛପଟେ ଥାଇ ସେମାନଙ୍କ କଥାବାର୍ତ୍ତା ସବୁ ଶୁଣିଲା । ଠିକ୍ ସେତିକିବେଳେ ହାଲିମା ପ୍ରଥମ ଖଜୁରୀଟି ହୁସେନ୍ ହାତରେ ଦେଇ କହିଲା, “ଏଇଟି ହେଲା ପ୍ରଥମ, ବାକି ରହିଲା ଅଣଚାଳିଶଟି ।”

ଏକଥା ଶୁଣିବା ମାତ୍ରେ ଚୋର ବ୍ୟସ୍ତ ବିବ୍ରତ ହୋଇ ସର୍ଦ୍ଦାର ପାଖକୁ ସିଧା ଦୌଡିଲା; ସର୍ଦ୍ଦାରକୁ ଦେଖି ସେ କହିଲା, “ସର୍ଦ୍ଦାରଜୀ, ଜ୍ୟୋତିଷର ବହୁତ ଜ୍ଞାନ ଅଛି । ମୁଁ ଲୁଚିଛପି ଶୁଣିଲି ତା’ ସ୍ତ୍ରୀ କହୁଛି, ଇଏ ହେଲା ପ୍ରଥମ, ଆଉ ଅଣଚାଳିଶ ବାକି ରହିଲା ।”

ଦ୍ୱିତୀୟ ଦିନ ଅନ୍ୟ ଗୋଟିଏ ଚୋର ଆସି ଶୁଣିଲା ହାଲିମା କହୁଛି, “ଏବେ ଦୁଇଟି ଗଲା, ଆଉ ବାକି ଅଠତିରିଶ୍ ।” ଏହିପରି ଭାବରେ ସବୁଦିନେ ମୁଖିଆ ଜଣେ ଜଣେ ପଠାଏ । ଶେଷଦିନ ନିଜେ ଆସି ଗୋପନରେ ଏମାନଙ୍କ କଥାବାର୍ତ୍ତା ଶୁଣିଲା ।

ହାଲିମା କହିଲା, “ଦେଖୁଛ ନା, ଇଏ ହେଲା ଶେଷ ଗୋଟିକ, ଏଇଟା ଅନ୍ୟ ସବୁଠାରୁ ବଡ ।”

ଏକଥା ଶୁଣି ସର୍ଦ୍ଦାର ନିଶ୍ଚିତ ହୋଇଗଲା ଯେ ଜ୍ୟୋତିଷ ସବୁ ଜାଣେ । ତା’ପରେ ସେ ଘର ଭିତରକୁ ପଶି ଆସି ହୁସେନ୍ର ପାଦରେ ପଡି କହିଲା, “ମହାଶୟ, ଆମକଥା ରାଜାଙ୍କୁ କହିବେ ନାହିଁ । ଆମେ ରାଜପ୍ରାସାଦରୁ ଯାହା କିଛି ବି ନେଇଥିଲୁ ସେସବୁ ଫେରାଇ ଦେଉଛୁ । ତା’ଛଡା ଆପଣଙ୍କୁ କିଛି ଅଧିକା ଧନରତ୍ନ ବି ଦେଉଛୁ । ରାଜାଙ୍କ ପାଖରେ ତ ଧରା ପଡିଲେ ଆମ ସମସ୍ତିଙ୍କର ମୁଣ୍ଡକାଟ ନିଶ୍ଚୟ ହେବ ।”

ତାଙ୍କର ଅନୁରୋଧ ରକ୍ଷାପୂର୍ବକ ହୁସେନ୍ କଥା ଦେଲା “ଠିକ୍ ଅଛି । ମୁଁ ତୁମମାନଙ୍କ କଥା ରାଜାଙ୍କୁ କେବେ ମଧ୍ୟ କହିବି ନାହିଁ ।”

ସେଇଠାରୁ ଫେରି ସର୍ଦ୍ଦାର ସବୁତକ ରାଜପ୍ରାସାଦର ଲୁଟିଥିବା ଧନକୁ ଏକାଠି କରି ନେଇ ହୁସେନ୍ ଘରେ ଦେଇ ଆସିଲା । ତା’ଛଡା ପ୍ରାଣରକ୍ଷା ପାଇଁ କଥା ଗୋପନ ରଖିବାକୁ ହୁସେନ୍କୁ କିଛି ଅଧିକା ଧନ ବି ଦେଲା ।

ପରଦିନ ସକାଳୁ ଉଠି ସବୁ ଧନରତ୍ନ ଜ୍ୟୋତିଷ ନେଇ ରାଜାଙ୍କୁ ଦେଲା । ରାଜା ସେସବୁ ଦେଖି ମୁଗ୍ଧ ହୋଇ ଖାଲି ହୁସେନ୍ର ଜ୍ୟୋତିଷୀ ଗଣନ ଶକ୍ତିର ପ୍ରଶଂସା କରି ଚାଲିଲେ । ଏଣେ ରାଜା ଯେତେ ଯେତେ ପ୍ରଶଂସା କରୁଥା’ନ୍ତି ହୁସେନ୍ ଲଜ୍ଜାରେ ଓ ଭୟରେ ସେତେ ସେତେ ସଂକୁଚିତ ଓ ବିକଳ ହେଉଥାଏ । ସମସ୍ତେ ଭାବୁଥାନ୍ତି ଏ ଜ୍ୟୋତିଷ ଅତ୍ୟନ୍ତ ଗୁଣୀ ବ୍ୟକ୍ତି, ତେଣୁ ନମ୍ର ଓ ବିନୟଭାବ ଦେଖାଉଛନ୍ତି । ହୁସେନ୍ ଖାଲି ଭୟରେ ଅପେକ୍ଷା କରିଥାଏ କେବେ ତା’ ଜୀବନର ଶେଷ ଦିନ ଆସିବ ଯେଉଁଦିନ କି ସବୁକଥା ଧରା ପଡିଯିବ ।

ଏକଥା ଭାବି ଭାବି ବିଚାରାକୁ ଆଉ ଖାଇବା ରୁଚିଲା ନାହିଁ, ରାତିରେ ସେ ଆଉ ମଧ୍ୟ ଶୋଇ ପାରିଲା ନାହିଁ । ଦିନେ ଭାବି ଭାବି ତାକୁ ଗୋଟାଏ ବୁଦ୍ଧି ଜୁଟିଗଲା । ସେ ଭାବିଲା ରାଜଦରବାରକୁ ଯାଇ ପାଗଳ ପରି ବ୍ୟବହାର କଲେ ମଥା ଖରାପ ହୋଇଯାଇଛି ବୋଲି ରାଜା ଭାବିବେ ଓ ତା’ପରେ ତା’ଠାରୁ ଆଉ ଜ୍ୟୋତିଷ ଗଣନା ଆଶା କରିବେ ନାହିଁ ।

ଦିନେ ସେ ନିଜର ଗୋଟାଏ ଘରପିନ୍ଧା ପୋଷାକ ଅଧା ଓଦା ହୋଇଛି ପିନ୍ଧି, ପାଟି ଚିତ୍କାର କରି ଯାଇ ଦରବାରରେ ପହଁଚି ରାଜାଙ୍କ ହାତ ଧରି ତାଙ୍କୁ ସିଂହାସନରୁ ଟାଣି ଆଣି ତଳେ ପକାଇ ଦେଲା । ରାଜା ଏପରି ଅଚାନକ ବ୍ୟବହାର ଦେଖି କ୍ରୋଧରେ ଅଗ୍ନିଶର୍ମା ହୋଇ କିଛି କହିବା ପୂର୍ବରୁହିଁ ଭୀଷଣ ଶବ୍ଦ କରି ଛାତର ଗୋଟାଏ କାଠ ସିଂହାସନ ଉପରେ ଖସି ପଡିଲା । ଆଉ ମୁହୂର୍ତ୍ତେ ବିଳମ୍ବ ହୋଇଥିଲେ ରାଜାଙ୍କର ପ୍ରାଣ ଚାଲି ଯାଇଥା’ନ୍ତା । ସଙ୍ଗେ ସଙ୍ଗେ ରାଜାଙ୍କର ପ୍ରଚଣ୍ଡ କ୍ରୋଧ ଆନନ୍ଦ ଓ ପୁଲକରେ ପରିଣତ ହେଲା । ସେ ହୁସେନ୍କୁ ବାରମ୍ବାର କୃତଜ୍ଞତା ଜଣାଇ କହିଲେ, “ଆପଣଙ୍କ ପରି ଅସାଧାରଣ ଜ୍ୟୋତିର୍ବିଦ୍ୟା ଜାଣିଥିବା ଜ୍ୟୋତିଷ ମୁଁ କେବେବି ଦେଖି ନଥିଲି । ଆପଣ ତ ତ୍ରିକାଳଦର୍ଶୀ । ମୋର ଭବିଷ୍ୟତ ବିପଦ ଆପଣ ଜାଣିବା ମାତ୍ରେ ଅଧେ ସ୍ନାନ କରି ଓଦା ଲୁଗାରେ ଆସି ମୋତେ ମୃତ୍ୟୁ ମୁଖରୁ ଟାଣି ଆଣିଲେ!” ଏଥି ଉତାରେ ସେଠାରେ ଉପସ୍ଥିତ ସମସ୍ତ ରାଜପରିଷଦବର୍ଗ ହୁସେନ୍ର ପାଦତଳେ ପଡିଲେ ।

ହୁସେନ୍ର ଭାଗ୍ୟ ପ୍ରବଳ ଥିଲା । ତେଣୁ ସେ ଯେତେଥର ଅନ୍ୟ ଚେଷ୍ଟା କରିଛି ଫଳ ତା’ର ସପକ୍ଷରେ ହିଁ ଯାଇଛି । ରାଜା, ମନ୍ତ୍ରୀ ଓ ପାରିଷଦ ବର୍ଗ ରାଜାଙ୍କ ପ୍ରାଣରକ୍ଷା ଯୋଗୁଁ ଅତ୍ୟନ୍ତ ମୁଗ୍ଧ । ରାଜା କହିଲେ, “ଆଜି ଏହି ମହାନୁଭବ ବ୍ୟକ୍ତି ମୋ ପାଇଁ ଯାହା କିଛି ବି କରିଛନ୍ତି ତାକୁ ମୁଁ କିପରି ଶୁଝିବି? ଆଜିଠାରୁ ସେ ଦରବାରର ରାଜଜ୍ୟୋତିଷ ପଦରେ ରହିବେ । କାରଣ ଏହା ରାଜ୍ୟର ସୁରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ ।” ପୁରୁଣା ରାଜଜ୍ୟୋତିଷ ସାଧରଣ ଜ୍ୟୋତିଷ ହୋଇ ରହିଲେ । ରାଜାଙ୍କ ଏହି ଘୋଷଣାରେ ହୁସେନ୍ ଓ ହାଲିମା ବହୁତ ଆନନ୍ଦିତ ହେଲେ ।

ପରଦିନ ହାଲିମା ସେ ନଗରୀର ସ୍ନାନାଗାରକୁ ଗଲା ରାଜଜ୍ୟୋତିଷର ସ୍ତ୍ରୀ ଭାବରେ । ସେଠାରେ ପୁରୁଣା ରାଜଜ୍ୟୋତିଷଙ୍କ ସ୍ତ୍ରୀ ସ୍ନାନ କରୁଥିଲେ । କିନ୍ତୁ ନୂଆ ରାଜଜ୍ୟୋତିଷଙ୍କ ପତ୍ନୀଙ୍କ ସମ୍ମାନରେ ସମସ୍ତିଙ୍କୁ ସେଠାରୁ ବାହାର କରି ଦିଆଗଲା । ହାଲିମା ନିଜର ଦାସୀମାନଙ୍କୁ ନେଇ ବଡ ସମ୍ମାନର ସହିତ ସ୍ନାନାଗାରରେ ପ୍ରବେଶ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ