ରାଜ କୁମାରଙ୍କର ପରିବର୍ତ୍ତନ

       ପରଦିନ ସକାଳୁ ସକାଳୁ ଘୋଡା ଉପରେ ବସି ରାଜକୁମାର ଅର୍ଜ୍ଜୁନ ସିଂହ ଶିକାର ଉଦ୍ଧେଶ୍ୟରେ ଜଙ୍ଗଲକୁ ବାହାରିଗଲେ । କିଛି ବାଟ ଯିବାପରେ ଜଣେ ସାଧୁଙ୍କ ସହିତ ଅର୍ଜ୍ଜୁନସିଂହଙ୍କର ସାକ୍ଷାତ ହେଲା । ରାଜକୁମାର ସାଧୁଙ୍କୁ ଦେଖି ସାଷ୍ଟାଙ୍ଗ ପ୍ରଣାମ କଲେ । ସାଧୁ ତାଙ୍କୁ ଆଶୀର୍ବାଦ ଦେବାକୁ ଯାଇ କହିଲେ, “ଦୀର୍ଘାୟୁ ହୁଅ ପୁତ୍ର । ସବୁ ସମୟରେ ସୁଖରେ କାଳାତିପାତ କର ।” ଏହାପରେ ସାଧୁ କହିଲେ, “ବାପାରେ! ତୁମେ ମୋର ଗୋଟିଏ ଛୋଟିଆ କାମ କରିଦେବ ।” ରାଜକୁମାର ସଂଗେ ସଂଗେ କହିଲେ, “ଅବଶ୍ୟ କରିପାରିବି । କ’ଣ କରିବାକୁ ହେବ ଆପଣ ଖାଲି ମୋତେ କୁହନ୍ତୁ ।” ସାଧୁ କହିଲେ – “ବାପାରେ ! ଏଇ ଯେଉଁ ଗଛଟିଏ ଦେଖୁଛ ତା’ର ଏକ ପତ୍ର ଛିଣ୍ଡାଇ ପ୍ରଥମେ ଚାଖିବ । ଯଦି ପତ୍ର ତୁମକୁ ମିଠା ଲାଗିଲା ତା’ ହେଲେ ମୋତେ ଆଣି ଦେବ । କାହିଁକି ନା ମୁଁ ଏହାକୁ ପାଇବା ପରେ ଭଗବାନଙ୍କ ପାଇଁ ପ୍ରସାଦ ତିଆରି କରିବି ।

       ସାଧୁଙ୍କ କଥା ଶୁଣିବାପରେ, ଆଜ୍ଞାପାଳନ ପାଇଁ ରାଜକୁମାର ଗଛ ନିକଟକୁ ଯାଇ ତା’ର ଏକ ପତ୍ର ଛିଣ୍ଡାଇ ପାଟିରେ ମାରିଲେ । ହେଲେ ପତ୍ରଟି ତାଙ୍କୁ ମିଠା ଲାଗିବା ପରିବର୍ତେ ପିତା ଲାଗିଲା । ସଂଗେ ସଂଗେ ରାଜକୁମାର ପତ୍ରଗୁଡିକୁ ଫିଙ୍ଗି ଦେଲେ । ସାଧୁଙ୍କୁ କହିଲେ, “ସାଧୁ ମହାତ୍ମା! ଏହି ବୃକ୍ଷର ପତ୍ର ଗୁଡିକ ଖୁବ୍ ପିତା ।” ରାଜକୁମାରଙ୍କ କଥା ଶୁଣି ସାଧୁ ପଚାରିଲେ, “ତୁମେ ତା’ ହେଲେ ତା’ର ପତ୍ରଗୁଡିକୁ ଥୁ’ ଥୁ’ କରି ଫୋପାଡିଲ କାହିଁକି? ରାଜକୁମାର କହିଲେ, “ପତ୍ରଗୁଡିକ ଏତେ ପିତା ଯେ, ତାକୁ ଚାଖିବା କଷ୍ଟକର ।” ଏହାପରେ ସାଧୁ ମହାତ୍ମା କହିଲେ, “ରାଜକୁମାର ଅର୍ଜ୍ଜୁନ! ସଂସାରରେ ଏହା ହେଉଛି ଏକ ସତ୍ୟ ଘଟଣା । ଲୋକମାନେ ପିତା ଜିନିଷକୁ ଘୃଣା କରନ୍ତି । ଜିଭରେ ଏହି ପିତା, ଲାଗିବା ମାତ୍ରକେ ଘୃଣା କରି ତାଙ୍କୁ ଫିଙ୍ଗି ଦିଅନ୍ତି । କେବଳ ସେତିକି ନୁହେଁ । ତାକୁ ଛୁଇଁବା ପାଇଁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ପିତା ହେଉଛି ଘୃଣା, କିନ୍ତୁ ମିଠା ହେଉଛି ଅମୃତ ।” ସାଧୁଙ୍କର କଥା ଶୁଣି ରାଜକୁମାର କହିଲେ “ସାଧୁ ମହାତ୍ମା ! ଆପଣ ମୋତେ କାହିଁକି ଏତେ ସବୁ ଉପଦେଶ ଶୁଣାଉଛନ୍ତି?” ରାଜକୁମାରଙ୍କ କଥା ଶୁଣି ସାଧୁ କହିଲେ, “ବାପାରେ ! ମୁଁ ଆଜି ତୁମକୁ ଏପରି ଏକ ଜ୍ଞାନ ସଂପର୍କରେ ସୂଚନା ଦେବାକୁ ଯାଉଛି ଯାହା ସଂସାରରେ ସର୍ବଶ୍ରେଷ୍ଠ ଜ୍ଞାନ । ଯେଉଁ ଜ୍ଞାନ ତୁମେ ଆଜି ପର୍ଯ୍ୟନ୍ତ ଅର୍ଜ୍ଜନ କରିପାରି ନାହଁ । ତୁମେ ଆଜିଠାରୁ ଗୋଟିଏ କଥା ସବୁବେଳେ ମନେ ରଖିବ । ମଧୁର ବ୍ୟବହାର ଦ୍ୱାରା ତୁମେ ସବୁକିଛି କାର୍ଯ୍ୟ ହାସଲ କରିପାରିବ । ସମସ୍ତଙ୍କର ହୃଦୟକୁ ଜୟ କରିପାରିବ । ଦରିଦ୍ର ଜନତାଙ୍କ ପ୍ରତି ସବୁ ସମୟରେ ମଧୁର ବ୍ୟବହାର କର, ଦେଖିବ ସେମାନେ ତୁମକୁ ଆପଣାର ଭାବିବେ ।”

       ସାଧୁଙ୍କ କଥା ଶୁଣିବା ପରେ ରାଜକୁମାର ନିଜର ଭୁଲ୍ ବୁଝିପାରିଲେ । କେତେ କେତେ ନିରୀହ ଜନତାଙ୍କୁ ଅପମାନିତ କରିଥିବାରୁ ମନେ ମନେ ଦୁଃଖ କଲେ । ରାଜକୁମାର ଯେତେବେଳେ ରାଜମହଲରେ ପହଁଚିଲେ, ରାଜାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ରାଜକୁମାରଙ୍କର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ପ୍ରଦର୍ଶନ କରୁଥାଆନ୍ତି । ରାଜକୁମାର ସମସ୍ତଙ୍କ ପ୍ରତି ନମ୍ର, ମଧୁର ବ୍ୟବହାର ପ୍ରଦର୍ଶନ କରୁଥାଆନ୍ତି । ରାଜକୁମାରଙ୍କର ଏ ପ୍ରକାର ପରିବର୍ତ୍ତନ ଦେଖି ରାଜା ବହୁତ ଖୁସି ହେଲେ । ରାଜାଙ୍କ ମଥା ଉପରୁ ଏକ ମସ୍ତ ବଡ ବୋଝ ଓହ୍ଲେଇଗଲା କହିଲେ ଚଳେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ