ରାଣୀଙ୍କର ଯାତ୍ରା ଦେଖା

ଗୋପାଳ ପଚାଶ ଟଙ୍କାକୁ ମୁଣିରେ ଭରି ସେଠାରୁ ହେଉ କହି ଚାଲି ଗଲେ ।

ରାଣୀ ରାଜାଙ୍କୁ ଡକାଇଲେ । ଯିବା କଥା କହିଲେ । ରାଜା ଆଶ୍ଚର୍ଯ୍ୟ ହେଲେ । ତୁମେ ରାଇଜର ରାଣୀ, ସାଧାରଣ ଲୋକ ଭଳି କେମିତି ମେଳାକୁ ଯିବ । ଲୋକେ ସବୁ କ’ଣ କହିବେ । ରାଜା ଯେତେ ମନା କଲେ ସୁଦ୍ଧା ରାଣୀ ମାନିଲେ ନାହିଁ । ଶେଷରେ ରାଜା କହିଲେ – ତୁମେ ଗୋପାଳକୁ ସାଥିରେ ଧରି ମେଳାକୁ ଯାଅ । ମଳୁ ଖୋଜୁ ଥିଲା ଯାହା, ବଇଦ କହିଲା ତାହା ।

ରାଣୀଙ୍କୁ ହଁ କହି ଦେଇ ରାଜା ବାହାର ଖଞ୍ଜାରେ ଯାଇ ବସିଲେ । ରାଣୀ ଏଣେ ଲୁଗା ପଟା ପିନ୍ଧି ଯିବା ପାଇଁ ପ୍ରସ୍ତୁତ ହେଲେ ।

ସେହି ସମୟରେ ଗୋପାଳ ଜାଣି ଶୁଣି ରାଜାଙ୍କ ପାଖରେ ପହଁଚି ନମସ୍କାର କଲେ । ରାଜା କହିଲେ ଗୋପାଳ ! ତୁମେ ମୋତେ ବହୁ ସାହାଯ୍ୟ କରିଛ । ଆଜି ଗୋଟାଏ ଉପକାର କଲେ ତୁମକୁ ତୁମ ମନ ମୁତାବକ ପୁରସ୍କାର ଦେବି ।

–              କି ଉପକାର କରିବି ଆଜ୍ଞା!

–              ରାଣୀ ଆଜି ଯାତ୍ରା ଦେଖିବାକୁ ବାହାରି ଛନ୍ତି । ଯେତେ ପ୍ରକାର ମନା କଲେବି ସେ ଶୁଣୁ ନାହାଁନ୍ତି । ତାଙ୍କୁ କୌଣସି ପ୍ରକାରେ ମେଳାକୁ ନଯିବା ପାଇଁ ମନାଇ ଦିଆ ନ ହେଲେ ମୋର ମାନ ସମ୍ମାନ ଚାଲି ଯିବ ।

ରାଜାଙ୍କ କଥା ଶୁଣି ଗୋପାଳ ଟିକିଏ ହସି ଦେଇ କହିଲେ, ଏଇ ସାମାନ୍ୟ କଥା ପାଇଁ ଆପଣ ଏତେ ଚିନ୍ତିତ । ଆପଣ ଏଠାରେ ବସି ଥାନ୍ତୁ ମୁଁ ସଙ୍ଗେ ସଙ୍ଗେ ରାଣୀମାଙ୍କୁ ମନାଇ ମେଳାକୁ ନଯିବା ପାଇଁ ରାଜି କରାଇ ଦେଉଛି ।

ରାଜା କହିଲେ – ବେଶ୍ କଥା, ତୁମେ ସଫଳ ହେଲେ ତୁମକୁ ସଙ୍ଗେ ସଙ୍ଗେ ପୁରସ୍କାର ଦେଇ ଦେବି ।

ଗୋପାଳ ଆଉ ରାଣୀଙ୍କ ନିକଟକୁ ନଯାଇ ନଅର ବାହାରକୁ ଚାଲି ଗଲେ । ଗୋଛାଏ କଂଟା ପିଠିରେ ବାନ୍ଧି ରାଣୀଙ୍କ ପାଖରେ ପହଁଚିଲେ, କହିଲେ ରାଣୀମା, କ’ଣ ଏତେ ବେଳ ଯାଏଁ ସଜ ବାଜ ସରିନି? ଉଛୁର ହୋଇ ଯାଉଛି ଶୀଘ୍ର ବାହାରି ପଡ ।

ରାଣୀ ବାହାରିବେ କ’ଣ ଗୋପାଳଙ୍କ ପିଠିରେ କଂଟା ଗୋଛା ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ – ଗୋପାଳ ତୁମର ପୁଣି ଏ କି ପ୍ରକାର ଅବତାର?

–              ଏଭଳି ବେଶ ବି ଆପଣ ହେବେ । ସେଥି ପାଇଁ ପରା ଗୋଛାଏ କଂଟା ଆପଣଙ୍କ ପାଇଁ ମଧ୍ୟ କାଟି ଆଣିଛି ।

–              ମୁଁ କାହିଁକି କଂଟା ବାନ୍ଧିବି ।

–              ରାଣୀମା, ଆପଣ ଦେହରେ କଂଟା ନବାନ୍ଧିଲେ ଲୋକ ଗହଳିରେ ଯିବେ କେମିତି? ସେଠି ଏମିତି ଲୋକ ସବୁ ଅଛନ୍ତି ଗହଳି ଭିତରେ ପରା ହେଲେ ହାତ ଲଗାଇ ଦେବେ ।

–              ମୁଁ ରାଣୀ, ମୋର ଦେହ ରକ୍ଷୀ ଅଛନ୍ତି, ପୁଣି ପାଲିଙ୍କିରେ ଯାଇ ଥାନ୍ତେ, ସାଥିରେ ଦେହ ରକ୍ଷୀ ରହି ଥାନ୍ତେ । ତାହା ପରା ଖୋଦ୍ ନବାବଙ୍କ ମେଳା । ମୁସଲମାନ୍ ମେଳା ପୁଣି । ସେଠି ଆପଣ ସାଧାରଣ ଲୋକମାନଙ୍କ ଭଳି ମେଳା ଭିତରକୁ ଯିବେ । ଆଉ ମଧ୍ୟ ସେଠାକାର ବଦମାସ୍ ଗୁଣ୍ଡା ଗୁଡିକ ବଡ ଘରର ଝିଅ ବୋହୂଙ୍କ ଦେହରେ ବେଶି ହାତ ଲଗାନ୍ତି । କିଏ ଗହଣା ଆଶାରେ ତ ଆଉ କିଏ ଖରାପ ଉଦ୍ଧେଶ୍ୟ ନେଇ । ତେଣୁ କଂଟା ବାନ୍ଧି ଗଲେ କେହି ହେଲେ ପାଖକୁ ଆସିବେ ନାହିଁ ।

ଏ ସବୁ କଥା ଶୁଣି ରାଣୀଙ୍କ ମନ ଭାଙ୍ଗି ଗଲା । ସେ କହିଲେ ନା, ଗୋପାଳ ତୁମେ ସବୁ ଯାଅ । ମୁଁ ଯିବି ନାହିଁ । ଏଭଳି ମେଳାକୁ କୌଣସି ଭଦ୍ର ଘରର ଝିଅ ବୋହୂ ଯିବା ବାସ୍ତବିକ ଉଚିତ୍ ନୁହେଁ ।

ରାଣୀ ମେଳାକୁ ଯିବା ପାଇଁ ପିନ୍ଧି ଥିବା ଲୁଗା ପଟା ଓହ୍ଲାଇ ଅନ୍ୟ ଶାଢୀ ପିନ୍ଧିଲେ ।

ଗୋପାଳ ହସ ହସ ମୁହଁରେ ରାଜାଙ୍କ ପାଖରେ ପହଁଚିଲେ । ରାଜାଙ୍କୁ ସବୁ କଥା କହି ଗଲେ । ମାତ୍ର ନିଜେ ଏ ନାଟକର ସୁତ୍ରଧର ବୋଲି କହିଲେ ନାହିଁ । ରାଜା ଖୁସି ହୋଇ ଗୋପାଳଙ୍କୁ ଶହେ ଟଙ୍କା ପୁରସ୍କାର ଦେଲେ ।

ସେଦିନ ଗୋପାଳ ଦେଢ ଶହ ଟଙ୍କା ରୋଜଗାର କରି ଖୁସିରେ ଘରକୁ ଫେରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ