ରାଣୀ ପସନ୍ଦ

                ବିଜୟବର୍ମା ଶାନ୍ତ ସ୍ୱରରେ କହିଲେ “ମୋତେ କ୍ଷମା କରନ୍ତୁ । ଆପଣ ଏବେ ରାଗିଯାଇଛନ୍ତି । କେବଳ ଗୋଟିଏ କଥା ଭାବିବେ ଯେ, ରୂପ ଓ ବାହାର ଗୁଣ ବ୍ୟତୀତ ଭିତରର ଅନେକ ଗୁଣ ରହିଛି ଯାହାକି ସାଧାରଣତଃ ଆମ ଦୃଷ୍ଟିରେ ପଡେ ନାହିଁ । ମଣିଷର ରୂପ ତ ବାର୍ଦ୍ଧକ୍ୟ ଅବସ୍ଥାରେ ଚାଲିଯିବ, ଗୁଣ ତ ଭଲ ଓ ମନ୍ଦ ପ୍ରଭାବରେ ପ୍ରଭାବିତ୍ତ ହୋଇପାରେ କିନ୍ତୁ ବଳିଷ୍ଠ ବ୍ୟକ୍ତିତ୍ୱ ଓ ସଦ୍ଗୁଣସବୁ ଯାହାକି ଦେଶ ଶାସନ ପାଇଁ ପ୍ରୟୋଜନ ସେସବୁ ମୋ ମତରେ କେବଳ ସୁମିତ୍ରାଠାରେହିଁ ଅଧିକ ଅଛି । ବିଶେଷତଃ ଏବିଷୟରେ ତାହାର ବୁଝିବା ଶକ୍ତି ଅଧିକ ଓ ସେ ମୋତେ ସାହାଯ୍ୟ କରିପାରିବ କିନ୍ତୁ ଆଜିପାଇଁ ଆଲୋଚନା ଏତିକିରେ ବନ୍ଦ ରହୁ । ପରେ ଏ ବିଷୟରେ କଥାବାର୍ତ୍ତା କରାଯିବ । ଏତିକି କହି ସେ ନିଜ କକ୍ଷକୁ ଚାଲିଗଲେ । ଦୁଇଦିନ ପରେ ରାଜା ପୁଣି ପ୍ରଶ୍ନ ଉଠାଇଲେ ଏବଂ ବିଜୟବର୍ମା ସେହି ଏକହିଁ ଉତ୍ତର ଦେଲେ । ରାଜା ବିରକ୍ତ ହୋଇ କହିଲେ, “ମନେହେଉଛି ତୁମର ବିବାହ ଏବେ ମୋ ପାଇଁ ଏକ ସମସ୍ୟା ହୋଇଉଠିବ ।”

                ବିଜୟବର୍ମା କହିଲେ “ମୁଁ ଅବଶ୍ୟ ଏ ସମସ୍ୟାର ସମାଧାନ ଭାବି ସାରିଛି । ମୁଁ ଆପଣଙ୍କୁ ଗଳ୍ପଟିଏ କହିବି ଓ ତତ୍ସମ୍ବଳିତ ପ୍ରଶ୍ନଟିଏ ପଚାରିବି । ଆପଣ ସେହିଗଳ୍ପଟି ସୁମିତ୍ରା ଓ ବୈଶାଳୀଙ୍କୁ ଶୁଣାଇବେ ଓ ସେହି ପ୍ରଶ୍ନଟି ପଚାରିବେ । ସେମାନେ ଯାହା କହିବେ ସେଥିରେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ ।” ରାଜା ନିରୁପାୟ ହୋଇ ପୁଅ କଥାକୁ ସ୍ୱୀକାର କଲେ, ତାଙ୍କଠାରୁ ଗଳ୍ପଟି ଶୁଣିଲେ, ପ୍ରଶ୍ନଟି ମଧ୍ୟ ଶୁଣିଲେ । ପରଦିନ ସେ ଅନ୍ତଃପୁରକୁ ଯାଇ ଦେଖିଲେ ବୈଶାଳୀ ଓ ସୁମିତ୍ରା ବୀଣା ବଜାଉଛନ୍ତି । ରାଜା ସେଠାକୁ ଯାଇ କହିଲେ, “ତୁମେ ଦୁହେଁ ମନ ଦେଇ ଶୁଣ ମୁଁ ତୁମକୁ ଗଳ୍ପଟିଏ କହିବି ଓ କିଛି ପ୍ରଶ୍ନ ପଚାରିବି ।” ତା’ପରେ ରାଜା ଗଳ୍ପଟି କହିବା ଆରମ୍ଭ କଲେ ।

-ବହୁଦିନ ତଳର କଥା । ସିଂହକେତୁ ଅବନ୍ତୀ ରାଜ୍ୟର ରାଜା ଥିଲେ, ତାଙ୍କର ଦୁଇଟି ସ୍ତ୍ରୀ ଥିଲେ । ପ୍ରଥମ ସ୍ତ୍ରୀଙ୍କ ନାମ ସ୍ୱର୍ଣ୍ଣଲତା ଯାହାଙ୍କୁ କି ସେ ବଂଶରୀତି ଅନୁସାରେ ବିବାହ କରିଥିଲେ, ଦ୍ୱିତୀୟ ସ୍ତ୍ରୀଙ୍କ ନାମ ଶ୍ରୀଲେଖା, ଯାହାଙ୍କର ଗୁଣ ଓ ବୈଶିଷ୍ଟ୍ୟ ଦେଖି ରାଜା ତାଙ୍କୁ ବିବାହ କରିଥିଲେ ।

ଥରେ ସ୍ୱର୍ଣ୍ଣଲତା ଭାବିଲେ କି ରାଜା ଶ୍ରୀଲେଖାକୁ ଅଧିକ ଭଲ ପାଉଛନ୍ତି । ଏକଥା ଭାବି ସେ ବଡ ଦୁଃଖୀ ହେଲେ । ଶ୍ରୀଲେଖା ସର୍ବଦା ପୁରୁଷ ବେଶ ଧାରଣ କରି ରାଜାଙ୍କ ସହିତ ଶିକାର କରିବାକୁ ଯାନ୍ତି ଓ ରାଜକାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରନ୍ତି । ଏସବୁ ଦେଖି ସ୍ୱର୍ଣ୍ଣଲତା ଭାବିଲେ ସେ ବି ପୁରୁଷବେଶ ଧରି ରାଜାଙ୍କ ସହ ବୁଲିବେ । ଏକଥା ଦିନେ ସେ ରାଜାଙ୍କୁ କହିଲେ ।

ରାଜା ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ କିଛି କହିବାକୁ ଯାଉଛନ୍ତି । ତାଙ୍କୁ କହିବାକୁ ନ ଦେଇ ସ୍ୱର୍ଣ୍ଣଲତା କହିଲେ, “ମହାରାଜ, ମୁଁ ମଧ୍ୟ ଘୋଡାଚଢା ଓ ତରବାରୀ ଖେଳିବା ଶିଖିଛି । ତାଙ୍କ କଥାରେ ସିଂହକେତୁ ଅଳ୍ପ ହସି କହିଲେ, “ଠିକ୍ ଅଛି ତମେ ଯାହା ଚାହିଁବ ତାହା ହେବ ।”

କିଛିଦିନ ପରେ ଥରେ ରାଜାଙ୍କ ସହିତ ରାଜରାଣୀ ସ୍ୱର୍ଣ୍ଣଲତା ପୁରୁଷ ବେଶରେ ଶିକାର କରିବାକୁ ଗଲେ । ଜଙ୍ଗଲରେ ବୁଲି ବୁଲି ସେମାନେ ସୈନ୍ୟମାନଙ୍କ ପାଖରୁ ଅଲଗା ହୋଇଗଲେ । ରାଜା ଥକି ଯାଇଥିଲେ ତେଣୁ ରାଜା ରାଣୀ ଶିକାରୀ ବେଶରେ ଗୋଟିଏ ଭୀଲ ଘରେ ଯାଇ ପହଁଚିଲେ । ଭୀଲ ସ୍ତ୍ରୀଟି କିଛି ପାଣି ପିଇବାକୁ ଦେବା ପରେ ମାଟି ପାତ୍ରରେ କିଛି ଖାଦ୍ୟ ଆଣି ପରଶି ଦେଲା ।

ରାଜା ବଡ ଆଦରର ସହିତ ତାହା ଖାଇଲେ ଓ ପ୍ରଶଂସା କଲେ । କିନ୍ତୁ ରାଣୀ ଜମା ଖାଇ ପାରିଲେ ନାହିଁ । ପରେ ରାଜାଙ୍କ ଅନୁରୋଧରେ ସେ କିଛି ମଧୁ ମଧ୍ୟ ଆଣିଦେଲେ । ତାହା ପିଇସାରିବା ପରେ ଅଳ୍ପ ବିଶ୍ରାମ କରି ସେମାନେ ସେଠାରୁ ବାହାରିଗଲେ । ଭୀଲ ସ୍ତ୍ରୀଟି କିଛିଦୂର ଆଗେଇ ଦେବାକୁ ଆସି ଫେରିଗଲା ।

ହଠାତ୍ ସ୍ୱର୍ଣ୍ଣଲତା କହିଲେ, “ମହାରାଜ, ଟିକିଏ ରୁହନ୍ତୁ, ମୁଁ ଆସୁଛି ।” ଏହା କହି ସେ ଦୌଡି ଦୌଡି ଭୀଲ ସ୍ତ୍ରୀ ପାଖକୁ ଯାଇ ପଚାରିଲେ ସେ ଖାଦ୍ୟ କିପରି ତିଆରି ହୁଏ । ଭୀଲ ସ୍ତ୍ରୀ ସବୁ ବତାଇ ଦେଲା । ତା’ପରେ ରାଜାରାଣୀ ନଅରକୁ ଫେରି ଆସିଲେ ।

ସପ୍ତାହେ ପରେ ଦିନେ ରାଣୀ ଭୀଲସ୍ତ୍ରୀର ଖାଦ୍ୟ ବନାଇ ରାଜାଙ୍କ ସ୍ୱର୍ଣ୍ଣପାତ୍ରରେ ତାହା ପରଷି ଦେଇ କହିଲେ, “ଏ ଖାଦ୍ୟ ଆପଣଙ୍କୁ ସେଦିନ ଭୀଲ ଘରେ ଭଲ ଲାଗିଥିଲା ନା?”

ରାଜା ପାତ୍ରଟିକୁ ଘୁଂଚେଇ ରଖିଲେ । ତା’ପରେ ନିଜ ବେକରୁ ମୁକ୍ତାମାଳାଟିଏ କାଢି ରାଣୀଙ୍କୁ ତାହା ପିନ୍ଧାଇ ଦେଇ କହିଲେ, “ମୋ ପ୍ରତି ତୁମର ସ୍ନେହ, ପ୍ରେମ ଯୋଗୁଁ ମୁଁ ଋଣୀ । କିନ୍ତୁ ଶିରିଷ ଫୁଲ ପରି କୋମଳ ତମେ ଯଦି ସର୍ବଦା ଅନ୍ତଃପୁରରେ ରହିବ ତ ଭଲ । ମୋ ସହିତ ଜଙ୍ଗଲରେ ବୁଲି ବୁଲି କଷ୍ଟ ସହିବା ତୁମ ପାଇଁ ଉଦ୍ଦିଷ୍ଟ ନୁହେଁ । ତୁମର ସେ କଷ୍ଟ ମୁଁ ଆଦୌ ସହ୍ୟ କରି ପାରୁନାହିଁ ।”

ସ୍ୱର୍ଣ୍ଣଲତା ବୁଝିପାରିଲେ ନାହିଁ କି ସ୍ୱାମୀଙ୍କ କଥାରେ ସେ ଖୁସି ହେବେ ନା ଦୁଃଖୀ ହେବେ । ସେଇଥିପାଇଁ ସେ ମୌନ ରହିଲେ ।

ଗଳ୍ପଟି ଶେଷ କରି ରାଜା ସେ ଝିଅ ଦୁହିଁଙ୍କୁ ଚାହିଁ କହିଲେ, “ମୋର ଗୋଟିଏ ସନ୍ଦେହ ଅଛି ମୋର ମନେହୁଏ ରାଜାଙ୍କର ଦୁଇସ୍ତ୍ରୀଙ୍କ ପ୍ରତି ଭିନ୍ନ ଭିନ୍ନ ବ୍ୟବହାର ଥିଲା । ତମେମାନେ ଏ ବିଷୟରେ କ’ଣ କହୁଛ?”

ବୈଶାଳୀ କହିଲେ, “ଦୁଇସ୍ତ୍ରୀ ତ ଘୋଡାଚଢା ଓ ତରବାରୀ ଚଳାଇବା ଶିଖିଥିଲେ । ରାଜା ଜଣକୁ ବନ୍ଦିନୀ ପରି ଅନ୍ତଃପୁରରେ ରଖି ଅନ୍ୟ ଜଣକୁ ସାଙ୍ଗରେ ନେବା ନିହାତି ଅନ୍ୟାୟ ।”

ରାଜା ଏଥର ସୁମିତ୍ରାଙ୍କୁ ପ୍ରଶ୍ନ କଲେ, “ଝିଅ ତୁମର ବିଚାର କ’ଣ?” ସୁମିତ୍ରା ଅଳ୍ପ ହସି କହିଲେ, “ରାଜା ସିଂହକେତୁଙ୍କ ବ୍ୟବହାର ଠିକ୍ ଥିଲା । ତାଙ୍କ ଶାସନ କୁଶଳତା ଓ ମାନବ ଚରିତ୍ର ବୁଝିବାରେ ବହୁତ ଦକ୍ଷତା ଥିଲା ।”

ରାଜା ଏ ଉତ୍ତର ଶୁଣିବା ପରେ କିଛି ସମୟ ଚୁପ୍ ରହିଲେ ଓ ପରେ ନିଜ କକ୍ଷକୁ ସେ ଚାଲିଗଲେ । କିଛି ଦିନ ପରେ ରାଜକୁମାରଙ୍କର ବିବାହ ସୁମିତ୍ରାଙ୍କ ସହିତ ହେଲା । ଏବଂ ରାଜା ତାଙ୍କୁ ରାଜ୍ୟଭାର ଦେଇ ସିଂହାସନରେ ବସାଇଲେ ।”

ଗଳ୍ପଟି କହିସାରି ବେତାଳ ପଚାରିଲା, “ରାଜନ୍, ବୈଶାଳୀ ଓ ସୁମିତ୍ରାଙ୍କ ଉତ୍ତରରେ କ’ଣ ଏପରି ପାର୍ଥକ୍ୟ ଥିଲା ଯେ ରାଜା ସୁମିତ୍ରାଙ୍କୁ ତାଙ୍କ ବୋହୁ ଭାବରେ ପସନ୍ଦ କଲେ । ରାଜା କହିଥିବା ଗଳ୍ପରେ ଦୁଇସ୍ତ୍ରୀ ସମାନ ଭାବରେ ଦକ୍ଷ ହେବା ସତ୍ତ୍ୱେ ସିଂହକେତୁ ଶ୍ରୀଲେଖାକୁ କାହିଁକି ବେଶି ପସନ୍ଦ କରୁଛନ୍ତି? ଏସବୁ ସମସ୍ୟାର ସମାଧାନ ଜାଣିଥିଲେ ଶୀଘ୍ର କୁହ । ଜାଣି କରି ଯଦି ନକହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମ କହିଲେ, “କେବଳ ଭୀଲ ସ୍ତ୍ରୀର ଆତିଥ୍ୟକୁ ସମ୍ମାନ ଦେବାପାଇଁ ରାଜା ଭୀଲ ସ୍ତ୍ରୀର ଜିନିଷ ଖୁସିରେ ଖାଇଲେ, ଅଥଚ ସ୍ୱର୍ଣ୍ଣଲତା ସେତକ ବୁଝିପାରିଲେ ନାହିଁ । ଶ୍ରୀଲେଖା ହୋଇଥିଲେ ସେ ଖାଦ୍ୟର ପ୍ରଶଂସା କରନ୍ତେ । ବଡରାଣୀଙ୍କର ସାଧାରଣ ଜ୍ଞାନ ନଥିଲା, ତେଣୁ ତାଙ୍କ ପାଇଁ ଅନ୍ତଃପୁରହିଁ ଉତ୍ତମ ସ୍ଥାନ । ବଡରାଣୀ ସୁକୁମାରୀ ଥିଲେ, ସ୍ୱାମୀ ସୋହାଗିନୀ ହେବାକୁ ଇଚ୍ଛାକରି ବିଚରା ଜଙ୍ଗଲରେ ବୁଲିବାକୁ ମଧ୍ୟ ସ୍ୱୀକାର କରିଛନ୍ତି; କାରଣ ତାଙ୍କ ମନରେ ସର୍ବଦା ସାନରାଣୀଙ୍କ ପ୍ରତି ଈର୍ଷା ଥିଲା । ଯେହେତୁ ରାଜାଙ୍କ ପାଖରେ ସେ ସର୍ବଦା ରହୁଥିଲେ । ତାଙ୍କୁ ମଧ୍ୟ ରାଜା ଭଲ ପାଉଥିଲେ, କିନ୍ତୁ ସେ କେବଳ ଅନ୍ତଃପୁର ପାଇଁ ଉଦ୍ଦିଷ୍ଟ ଥିଲେ । ଜଙ୍ଗଲରେ ବୁଲିବା, ବା କଷ୍ଟ ସହିବା ତାଙ୍କ ସ୍ୱଭାବରେ ଯାଉ ନ ଥିଲା । ତେଣୁ ରାଜା ତାଙ୍କୁ ସେପରି କହିଲେ । କିନ୍ତୁ ରାଜା ତାଙ୍କୁ ଭଲ ପାଉଥିଲେ । ଅବଶ୍ୟ ରାଜ୍ୟଶାସନରେ ଦକ୍ଷତା ଅନ୍ୟ ଏକ କଥା ଯାହା କି ଶ୍ରୀଲେଖାଙ୍କ ପାଖରେ ଥିଲା । ତେଣୁ ଶ୍ରୀଲେଖା ପରି ଗୁଣବତୀ ଓ ବୁଦ୍ଧିମତୀ ସ୍ତ୍ରୀ ସର୍ବଦା ସ୍ୱାମୀର ପାଖେ ପାଖେ ଥିବା ଦରକାର । ବିଜୟବର୍ମାଙ୍କ କାହାଣୀରେ ସେ ସିଂହକେତୁ, ବୈଶାଳୀ ସ୍ୱର୍ଣ୍ଣଲତା ଓ ଶ୍ରୀଲେଖା ସୁମିତ୍ରା । ସବୁକିଛି ଜାଣିବା ପରେ ରାଜା ଇଚ୍ଛା କରି ପ୍ରଥା ଅନୁସାରେ ତାଙ୍କର ବିବାହ କରାଇଲେ କାରଣ ଗଳ୍ପ କହିବା ପୂର୍ବରୁ ରାଜା ସୁମିତ୍ରାର ବିଚାର ବିଷୟରେ ନିଶ୍ଚିତ ନଥିଲେ । ଗଳ୍ପଟି ଦ୍ୱାରା ସେ ସବୁ ଜାଣିପାରିଲେ ଏଥିରେ ଆତ୍ମପ୍ରବଂଚନା ନୁହେଁ ବରଂ ସଦିଚ୍ଛା ରହିଛି ।”

ବିକ୍ରମ ଉତ୍ତର ଦେବା ଯୋଗୁଁ ତାଙ୍କର ମୌନଭଙ୍ଗ ହେଲା । ତେଣୁ ବେତାଳ ପୂର୍ବ ସର୍ତ୍ତ ଅନୁସାରେ ରାଜାଙ୍କ କାନ୍ଧରୁ ଖସିଯାଇ ପୂର୍ବୋକ୍ତ ଗଛରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ