ରାଣୀ ରୂପମତୀ କଥା

ବତ୍ରିଶ ଦିନ ଭୋଜରାଜ ନିଜର ଶେଷ ଇଚ୍ଛା ଶେଷ ପୁତ୍ତଳିକାକୁ କହିବା ପାଇଁ ଅଗ୍ରସର ହେଲେ । ଚିରାଚରିତ ଢଙ୍ଗରେ ରାଜା ସିଂହାସନରେ ପାଦଥାପିବା ମାତ୍ରେ ଶେଷ ପୁତ୍ତଳିକା ରୂପମତୀ ରୂପଧାରଣ କରି ହସହସ ମୁଖରେ କହିଲା, “କ’ଣ ରାଜାଭୋଜ! ଆଜି ତ ଆପଣଙ୍କ ମନରେ ସିଂହାସନ ଆରୋହଣ କରିବାର ପୂର୍ବ ଉତ୍ସାହ ନାହିଁ । ଘଟଣା କ’ଣ? ଆପଣଙ୍କ ମନରେ ପରିବର୍ତନ ଆସିବାର କାରଣ କ’ଣ?”

       ଭୋଜରାଜ କହିଲେ, “ତମ ମାନଙ୍କ କାହାଣୀ ମାଧ୍ୟମରେ ମୁଁ ମହାରାଜ ବିକ୍ରମାଦିତ୍ୟଙ୍କର ଧର୍ମ, କର୍ମ, ଦାନ, ଧ୍ୟାନ, ପରୋପକାର, ସହିଷ୍ଣୁତା, ବୀରତ୍ୱ, ସେବା, ତ୍ୟାଗ, ମହାନୀୟତା ସଂପର୍କରେ ଅନେକ କଥା ଜାଣିବାପରେ ମୁଁ ଏଇ ନିଷ୍ପତି ଗ୍ରହଣ କରିଛି ଯେ ଏ ଚମତ୍କାରୀ ସିଂହାସନରେ ବସିବାର ଅଧିକାର ଆମର କାହାର ନାହିଁ । ଖୋଦ ମହାରାଜଙ୍କର ପୁଅ ଯେତେବେଳେ ବସିପାରିନଥିଲେ ମୁଁ କେଉଁ ସାହସରେ ବସିବି? ଏଣୁ ଏ ସିଂହାସନକୁ ମାଟିତଳେ ପୋତିଦେବାକୁ ଚାହୁଁଛି?”

       ଭୋଜରାଜଙ୍କର କଥା ଶୁଣି ସବୁ ପୁତ୍ତଳିକା ନିଜ ନିଜ ରୂପ ଧାରଣ କରି ସାମ୍ନାକୁ ଆସି ହସି ଉଠିଲେ । ସେମାନଙ୍କର ନାୟକ ରୂପମତୀ ଖୁସି ହୋଇ କହିଲା, “ହେ ଭୋଜରାଜ! ଆପଣଙ୍କ ନିଷ୍ପତି ଶୁଣି ଆମେମାନେ ଅତ୍ୟଧିକ ଆନନ୍ଦିତ । ଆଜିଠାରୁ ଆମେ ସମସ୍ତେ ମୁକ୍ତ । ସିଂହାସନ ପୁତ୍ତଳିକା ବିହୀନ ହୋଇଯିବ । ଆପଣ ବିକ୍ରମାଦିତ୍ୟଙ୍କର ସମକକ୍ଷ ହୋଇନଥିଲେ ମଧ୍ୟ ତାଙ୍କର କିଛି ଗୁଣ ଆପଣଙ୍କର ପାଖରେ ଅଛି । ସେଇଥିପାଇଁତ ଆପଣ ସ୍ୱଚକ୍ଷୁରେ ସିଂହାସନକୁ ଦେଖିପାରିଲେ । ନହେଲେ କ’ଣ ସମ୍ଭବ ହୋଇଥାନ୍ତା? ଆମ୍ଭମାନଙ୍କର ଆଶୀର୍ବାଦ ଆପଣଙ୍କ ସହିତ ଅଛି । ଯେତେକାଳ ମହାରାଜ ବିକ୍ରମାଦିତ୍ୟଙ୍କ ନାମ ସୃଷ୍ଟିରେ ରହିଥିବ ସେତେଦିନ ପର୍ଯ୍ୟନ୍ତ ତାଙ୍କ ସହିତ ଆପଣଙ୍କ ନାମ ଯୋଡି ହୋଇଥିବ । ଆମେ ସବୁ ଚାଲିଯିବା ପରେ ଏ ସିଂହାସନର ଜ୍ୟୋତି ଲିଭିଯିବ । ପ୍ରକୃତିର ନିୟମ ଅନୁସାରେ ଏହାର ଶେଷ ଅବସ୍ଥା ଆସିଯିବ । ଆଚ୍ଛା, ଏବେ ଆମେ ଆସୁଛୁ ଆପଣ ସୁଖରେ ରାଜ୍ୟଶାସନ କରୁଥାନ୍ତୁ । ଅସୀମ ସୁଖସଂପଦର ଅଧିକାରୀ ହୁଅନ୍ତୁ” ।

       ଏହାପରେ ଗୋଟି ଗୋଟି ହୋଇ ବତିଶଟି ଯାକ ପୁତ୍ତଳିକା ଅପରୂପ ଅପସରା ସାଜି ଅନ୍ତର୍ଦ୍ଧାନ ହୋଇଗଲେ । ଭୋଜରାଜ ଆଶ୍ଚର୍ଯ୍ୟ ହୋଇ କେବଳ ଯାହା ଚାହିଁ ରହିଲେ । ପୁତ୍ତଳିକା ମାନଙ୍କର ଅନ୍ତର୍ଦ୍ଧାନ ପରେ ସତକୁ ସତ ସିଂହାସନଟି ଜ୍ୟୋତିହୀନ ହୋଇଗଲା ପରି ଜଣାପଡିଲା ।

       ଭୋଜରାଜ ଆଉ ବିଳମ୍ବ ନକରି ଲୋକ ଲଗାଇ ଯେଉଁ ସ୍ଥାନରୁ ଖୋଳାଇ ଆଣିଥିଲେ ସେହି ସ୍ଥାନରେ ପୋତିଦେଲେ । ପୂର୍ବପରି ସେଠାରେ ଏକ କୁଦ ତିଆରି ହୋଇଗଲା । ଗାଈଆଳ ଟୋକାମାନେ ଗାଈ ଚରାଇବାକୁ ଆସିଲେ ମାତ୍ର କେହି ଆଉ ସେଇ କୁଦ ଉପରକୁ ଚଢିଲେ ନାହିଁ ।

ଏବଂ ଶେଷରେ

       କ୍ରମେ ସମୟ ବିତିଚାଲିଲା । ପୁତ୍ତଳିକା ମାନଙ୍କର କହିବା ଅନୁସାରେ ସିଂହାସନକୁ ଦୁର୍ଦ୍ଦଶା ଘାରିଲା । ଏ କଥା ଚାରିଆଡେ ବ୍ୟାପିଗଲା । ବହୁ ଲୋକ ସିଂହାସନ ପୋତା ହୋଇଥିବା କୁଦ ଦେଖିବାକୁ ଆସିଲେ । ଦିନେ ଏକ ଚୋରଦଳ କଥା ହେଲେ କେମିତି ସେ ସିଂହାସନକୁ ନେଇ ଖଣ୍ଡ ଖଣ୍ଡ କରି ବିକ୍ରି କରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ