ରାଣୀ ରୂପମତୀ କଥା

       ସେମାନେ ବହୁପରିଶ୍ରମ କରି ଏକ ସୁଡଙ୍ଗ ତିଆରି କଲେ ଏବଂ ତାରି ମାଧ୍ୟମରେ ସିଂହାସନଟିକୁ ଆଣି ଜଙ୍ଗଲରେ ପହଁଚିଲେ । ତାକୁ ଭାଙ୍ଗି ଖଣ୍ଡଖଣ୍ଡ କରିବା ପାଇଁ ହାତୁଡି ଆଣି ପ୍ରହାର କରିବା ମାତ୍ରେ ପ୍ରଚଣ୍ଡ ବିସ୍ଫୋରଣ ସହିତ ଅଗ୍ନିର ଝଲକ ଦେଖାଗଲା । ସମସ୍ତେ ଡରିଗଲେ । ବିଚାର କଲେ ଏ ସିଂହାସନ ଆଉ ଆମ ଉପକାରରେ ଆସିବ ନାହିଁ । ଏଥିରେ ଆଉ ସୁନା, ହୀରା, ନୀଳା ଆଦି କିଛି ନାହିଁ । ପୁତ୍ତଳିକାମାନେ ଦେଖାଯାଉନାହାନ୍ତି । ସେମାନଙ୍କର ସ୍ଥାନ ଶୂନ୍ୟ । ଏଇଥିପାଇଁ ହୁଏତ ଭୋଜରାଜ ଏହାକୁ ପୁଣିଥରେ ପୋତି ପକାଇଥିଲେ ।

       ଜଣେ କହିଲା ଆମେ ଏହାକୁ ସେଇଠାରେ ପୁଣି ନେଇ ରଖିଦେବା ଦରକାର । ଅନ୍ୟ ଜଣେ କହିଲା ଆମେ ଏହାକୁ ନଭାଙ୍ଗି ଗୋଟାପଣେ କାହାକୁ ବିକ୍ରି କରିଦେବା । ଏଥିରେ ରଙ୍ଗବୋଳି ପୁଣି ଚମକାଇ ଦେବା । କେହି ସନ୍ଦେହ କରିପାରିବେ ନାହିଁ ।

       ଶେଷରେ ସ୍ଥିର ହେଲା ଯେ ସେମାନେ ସିଂହାସନଟିକୁ ନେଇ ଶ୍ରୀବସ୍ତି ଯିବେ ଏବଂ ସେଠିକାର ରାଜାଙ୍କୁ ବିକ୍ରି କରି ଯାହା ଧନ ପାଇବେ ତାହା ନିଜ ନିଜ ମଧ୍ୟରେ ବାଂଟିନେବେ । ସେମାନେ ସୁନା ବ୍ୟବସାୟୀ ଭାବରେ ଯାଇଥିଲେ । ଅଦ୍ଭୂତ ସିଂହାସନ ଦେଖି ଶ୍ରୀବସ୍ତିର ରାଜା ମୁଗ୍ଧଚକିତ ହୋଇଗଲେ । ବ୍ୟବସାୟୀ ମାନଙ୍କୁ ପଚାଶହଜାର ସୁନାମୁଦ୍ରା ଦେଇ ସିଂହାସନଟିକୁ ରଖିଲେ । ଚୋରମାନେ ନିଜ ନିଜ ମଧ୍ୟରେ ସୁନାମୁଦ୍ରା ବାଂଟିନେଇ ନିଜ ନିଜ ଘରକୁ ଫେରିଗଲେ । ସିଂହାସନଟିକୁ ଦରବାରରେ ରଖାଗଲା । ପରଦିନ ଶୁଭଲଗ୍ନ ଦେଖି ରାଜା ସିଂହାସନରେ ବସିଗଲେ ।

       ଏ କଥା ଚାରିଆଡେ ପ୍ରଚାରିତ ହୋଇଗଲା ଯେ ଶ୍ରୀବସ୍ତିର ରାଜାଙ୍କୁ ଏକ ଚମତ୍କାରୀ ସିଂହାସନ ମିଳିଛି ଯୋଉଥିରେ ବତ୍ରିଶଟି ପାହାଚ ରହିଚି । ଭୋଜରାଜଙ୍କ କାନରେ ମଧ୍ୟ ଏକଥା ପଡିଲା । ସେ ପ୍ରଥମେ କୁଦ ଖୋଳାଇ ଜାଣିବାକୁ ପାଇଲେ ଯେ ସୁଡଙ୍ଗ ମାଧ୍ୟମରେ ତାକୁ ଚୋରି କରାଯାଇଛି ।

       ଏହା ପରେ ଭୋଜରାଜ ଶ୍ରୀବସ୍ତି ଗଲେ ଏବଂ ରାଜାଙ୍କୁ ସିଂହାସନରେ ବସିଥିବାର ଦେଖିଲେ । ସେ ଏତେ ଚେଷ୍ଟା କରି ଥରେ ବସିପାରିଲେ ନାହିଁ । ଅଥଚ…. । ତାଙ୍କ ମନକୁ ବହୁପ୍ରଶ୍ନ ଆନ୍ଦୋଳିତ କଲା । ସେ ବଣିଆ ମାନଙ୍କୁ ଡାକି ପରୀକ୍ଷା କରାଇ ଜାଣିଲେ ଯେ ମହାରାଜ ବିକ୍ରମାଦିତ୍ୟଙ୍କର ସେ ମହାମୂଲ୍ୟବାନ ଚମତ୍କାରୀ ସିଂହାସନ ନିଜର ସମସ୍ତ ଆଭା, ଗୁଣ, ଗରିମା ହରାଇଛି । ପୁତ୍ତଳିକା ମାନେ ତ ତାଙ୍କରି ସାମ୍ନାରେ ଚାଲିଯାଇଥିଲେ । ସିଂହାସନ ଦେହରେ ଆଉ ସୁନାର ଅଣୁମାତ୍ର ନଥିଲା । ସବୁ ପିତଳ ପାଲଟି ଯାଇଥିଲା ।

       ଶ୍ରୀବସ୍ତିର ରାଜା ମଧ୍ୟ ଏକଥା ଦେଖି ଦୁଃଖରେ ଭାଙ୍ଗିପଡିଥିଲେ । ଏକ ପିତଳ ସିଂହାସନରେ ବସିବା ଲଜ୍ଜାଜନକ ବୋଲି ଭାବିଲେ । ଜ୍ୟୋତିଷମାନେ ଗଣନା କରି କହିଲେ, ମହାରାଜ ବିକ୍ରମାଦିତ୍ୟଙ୍କର ଏ ଚମତ୍କାରୀ ସିଂହାସନ ଅପବିତ୍ର ହୋଇଯାଇଛି । ଜଳସମାଧି ଦେଇ ଅନ୍ତିମ ସଂସ୍କାର କରିଦେବା ଏକାନ୍ତ ଆବଶ୍ୟକ ।

       ଶ୍ରୀବସ୍ତିର ରାଜାଙ୍କ ନିର୍ଧେସ ଅନୁସାରେ ସିଂହାସନଟିକୁ କାବେରୀ ନଦୀର ଅଥଳ ଗଣ୍ଡରେ ପକାଇ ଦିଆଗଲା । ବତ୍ରିଶ ସିଂହାସନ ନାହିଁ, ମହାରାଜ ବିକ୍ରମାଦିତ୍ୟ, ଭୋଜରାଜ ନାହାନ୍ତି କିନ୍ତୁ “ବତ୍ରିଶସିଂହାସନ” ର ସେଇ ମନୋହରା କଥା ଏବେ ମଧ୍ୟ ଜନମାନସକୁ ଆମୋଦିତ କରିଚାଲିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ