ରାଣ୍ଡୀପୁଅ ଅନନ୍ତା

ମଇଁଷିଗୁଡାକ ବସା ଚାରିପାଖେ ବଣ ଆଡକୁ ମୁହଁ କରି ଶୋଇଥାନ୍ତି । ରାତି ତିନିପହର ସରିକି ମଇଁଷିଗୁଡାକ ଉଠି ବଣକୁ ଚରିଯାନ୍ତି । ସେତେବେଳୁ ମହାକୁଡ ଜାଗ୍ରତ ଥାଏ । ଠେଙ୍ଗାଟି ତା’ ପାଖରେ ପଡିଥାଏ; କାରଣ ଠିକ୍ ସେତିକିବେଳେ ନେକଡିଆ ଆସି ବାଛୁରୀଟା ଘେନି ପଳାଇ ପାରେ । ବଣ ଭିତରେ ମଇଁଷି ଗୋଟାଏ ନାକସିଟକା ଦେଲେ ବାଘ ଆସିଛି ବୋଲି ମହାକୁଡ ଜାଣିପାରେ । ଆରେ ରେ-ରେ କୁହାଟଟା ମାରି ଦେଲେ ଯେଡେ ବାଘ ହେଲେ ବି ସେ ଛାଡି ପଳାନ୍ତି । କାହିଁକିନା ବାଘଗୁଡାକ ମହାକୁଡ ଡାକ ବାରିପାରନ୍ତି । ବଣରେ ଯିମିତି କୁକୁଡାଗୁଡାକ କୁକ୍କୁ-କୁ କରିବେ ମଇଁଷିପଲ ବସାକୁ ନେଉଟି ଆସନ୍ତି । ସେତିକିବେଳେ ମହାକୁଡ ଦୁହାଁଳୀ ମଇଁଷିଗୁଡାଙ୍କୁ ଛନ୍ଦି ଦୁହିଁ ପକାଏ । ଦିନ ଘଡିକ ସରିକି ମହାକୁଡାଣୀ ଦେବକୀ କାଣ୍ଡିଆକୁଣ୍ଡା ମିଶା ସେରେ ଚାଉଳର ଗୋଟିଏ ପୋଡପିଠା, ପାଂଚସେର ଅକାଣ୍ଡିଆ ବରଗଡା ଚାଉଳ ଆଉ ଧୂଆଁପତ୍ର ବିଡେ ଧରି ଗୋଠରେ ଯାଇ ହାଜର । ମହାକୁଡର ସେତିକି ମାତ୍ର ଦୈନିକ ଖାଦ୍ୟ । ସକାଳୁ ପିଠାଟି ଖାଇଦେଇ ସେରେ ନିରୁତା ମଇଁଷି ଦୁଧ ପିଇଦିଏ । ଦିନ ଦୁଇ ପହର ସରିକି ଅଢେଇସେର ଚାଉଳ ଟିକିଏ ଫୁଟାଫୁଟି କରିଦିଅନ୍ତି । ବଣରୁ ଯଦି କିଛି କାଙ୍କଡ, ଡଙ୍କ, ମଟକା, ଫୁଟଗୁଡୀ ମିଳିଥାଏ, ତାକୁ ସେଇ ଚାଉଳରେ ପକାଇ ଦେଇଥାଆନ୍ତି । ତରକାରି ପାଇଁ ଶୋଚନା ନ ଥାଏ । ବଖତରେ ୨ ସେର ଚାଉଳ ଦୁଇସେର ନିରୁତା ମଇଁଷି ଦୁଧ ମୂଳ ଖାଦ୍ୟ । ବୋଇଲା ।

 ‘ମଇଁଷି ମଣେ ନୁହା ଚଣାଖିଆ,

ଘୁଷୁରି ମଣେ ଧାଈ ।’

                ମହାକୁଡାଣୀ ଚାଉଳ ପିଠା ସେତିକ ଦେଇ ଘରର ଦୁଃଖସୁଖ, ଗାଁର ହାଲଚାଲ, ବନ୍ଧୁବାନ୍ଧବ ଖବରାଖବର କହି ନିତି ଦୁଧ କଳସୀଟି ମୁଣ୍ଡରେ ମୁଣ୍ଡେଇ ଘରକୁ ବାହୁଡିଆସେ । ଗ୍ରୀଷ୍ମକାଳରେ ମହାକୁଡକୁ କିଛିଟା ହରବରରେ ପଡିବାକୁ ହୁଏ । ବଣରେ ନାହିଁ ପାଣି, ଏଣେ ମଇଁଷିଗୁଡାକ ଦୁଇପହରଯାଏଁ ଜଳଜନ୍ତୁ ପରି କାଦୁଅ ପାଣିରେ ଡୁବିବେ, ନାକଟି ଖାଲି ସେମାନଙ୍କର ଦିଶୁଥାଏ । କ’ଣ କରିବେ? ବଣରୁ ବାହାରି ପାଟକୂଳରେ ଆସି ପଡନ୍ତି । ସେଠାରେ ତ ପାଣି ଆଉ ଚରାର କୌଣସି ଅଭାବ ନ ଥାଏ  । ତେଣୁ ମହାକୁଡେ ବଡ ଗୋଟାଏ ତାଳପତ୍ର ଛତା ସେହି ପାଟକୂଳରେ ପୋତିଦେଇ ତାହାରି ଭିତରେ ରୋଷେଇବାସ କରନ୍ତି ଓ ରାତିରେ କଠଉ ଯୋଡାକ ମୁଣ୍ଡରେ ଦେଇ ତେଲଗୁଣି ପୋକପରି ମୋଡିମାଡି ହୋଇ ଶୁଅନ୍ତି । ଶୋଇବା ପାଖରେ ଦୁଇ ତିନି ଗାଦି ମଇଁଷି ଗୋବର ଘଷିରେ ଧୂଆଁ ଜଳୁଥାଏ । ତେବେ ସୁଦ୍ଧା ପାଟକୂଳରେ କାଳିଆ କାଳିଆ ଡେଙ୍ଗାଗୋଡିଆ ବଡ ବଡଟା ମାନେ – ଏତେ ମଶା ଯେ ସମ୍ଭଳା ପଡେ ନାହିଁ । ମହାକୁଡ କ’ଣ କରିଥାନ୍ତି କି, ପାଟ ଭିତରୁ ହାଣ୍ଡିଏ ପଙ୍କ ଆଣି ଗୋଡ ଆଙ୍ଗୁଠିଠାରୁ ଅଂଟାଯାଏଁ ଲେପିଦେଇ – ‘ଯା ଗିହାଳୁ ଭାଇଏ ମଶା’ କହି ଶୋଇପଡେ । ପିଠି ହାତ ତା’ର ପୋଡି ଉଠିଲେ ଚାପଡା ଚାପଡାକେ ଦୁଇ ତିନି ପୁଞ୍ଜା ମଶା ଦଳି ହୋଇଯାଏ । ଟିକିଏ ନିଦ ଭାଙ୍ଗିଗଲେ, “ଆଲୋ ମାଳତୀ! ଆଲୋ ଶୁକ୍ରୀ! ଆଲୋ କାଳୀ!” କୁହାଟି ଦିଅନ୍ତି । ମଇଁଷିଗୁଡାକ ବି ଏ ମହାକୁଡ କଥା ଠିକ୍ ଠିକ୍ ବୁଝନ୍ତି, ଯେତେ ଦୂରରେ ଥିଲେ ବି ସେମାନେ ପାଖକୁ ଆସନ୍ତି । ଓଲିଆ ମଇଁଷି ବେକରେ କାଠଘଂଟି ବନ୍ଧା ଥାଏ, ଫାଶ ଫନ୍ଦା ଡାଳୁଅ ବିଲରେ ପଡିଲେ ଧାଇଁଯାଇ ସେ ବାଡେଇ ଆଣନ୍ତି ।

                ବର୍ଷେ କ’ଣ ହେଲା କି ଅଚାନକ କାହୁଁ ଠାକୁରାଣୀ ଆସି ପଲରେ ପଶିଗଲା । ଦିନ ଆଠଟା ଭିତରେ ଅଢେଇ ବୋଡିଆ ପଲଟା ଏକାବେଳକେ ପଟାରୁଟ୍ । ମହାକୁଡଙ୍କର ତ ଅଂଟା ବସିଗଲାଣି । ତେଣୁ ସେ ଖାଲି ଗାଲରେ ହାତ ଦେଇ ବସିଥାଆନ୍ତି । ମହାକୁଡାଣୀ ଆସି ତାଙ୍କୁ କହିଲେ, “କିରେ ମହାକୁଡ! ତୁ ଇମିତି ବସି ଭାବୁଚୁ କିଆଁ? ତୋର ପରା ଅଂଟା ବସିଗଲାଣି, ଓହୋ! ଏଥି ଲାଗି ଗୋଟାଏ ଭାବନା? ଯା ହବାର ଥିଲା ହେଲା । ଆରେ ମୋ ଭାଇ ଗୋଠରୁ ବୃନ୍ଦା ବାରିକ ଗୋଠରୁ ଦୁଧ କାଟ ଆଣି ଲଗାଇ ଦେବି ବେପାର । ବର୍ଷ ଦି’ଟା ଭିତରେ ଯେ ପଲକୁ ସେ ପଲ ଗୋଟି ଗୋଟି ଗଣି ନେ ।”

                ମହାକୁଡ କ’ଣ କଲେ କି ଠାକୁରାଣୀ ଦାଢବାହୁଡା ପିଲାପିଚିକା ଯେ ଦୁଇ ଚାରିଖଣ୍ଡ ଲାଙ୍ଗୁଡ ଥିଲା, ବିକିବାକି ପକାଇ ଜମିଦାରର ଚାରି ପଲରେ ଶେଠ ହେଲେ । ଏଡେବଡ ଚାକିରି ହେବାରୁ ସେ ମହାକୁଡାଣୀ ତ ବଡ ଖୁସି । ସେହିଦିନଠୁଁ ଗାଁରେ ତାକୁ କେହି ଶେଠାଣୀ ନ କହିଲେ ସେ ଭାରି କଳି କରେ, ମାଇକିନିଆ ହେଉ କି ମିଣିପ ହେଉ ତାକୁ ସେ ବାଡେଇବାକୁ ଧାଏଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ