ରାଣ୍ଡୀପୁଅ ଅନନ୍ତା

                ଆହୁରି ବି ପାଂଚ ଛ’ ବରଷ ଗଲାଣି, ଅନନ୍ତା ଲାଗି ସେ ଗାଁର ଅନେକ ଲୋକ ଅସ୍ଥିର । ଏବେ ତାର ତ ଆଉ କିଛି ବି ଅତ୍ୟାଚାର ନାହିଁ । ଖାଲି କାହାରି ବାଡିରେ ମକା, କାକୁଡି, କୋଳି, ଆମ୍ବ, ବେଲ କିଛି ବି ରହିବ ନାହିଁ, ଆଉ ସୁନା ରୁପା ପଡିଥାଉ, ତାକୁ ସେ ଯମା ଅନାଇବ ନାହିଁ । ହେଲେ ସେ ଯେପରି ଉତ୍ପାତିଆ, ଠିକ୍ ସେହିପରି ବି ଭଲଲୋକଟି ମଧ୍ୟ । ତାକୁ ରଗେଇଲେ ଜାଣ ଆଉ ରକ୍ଷା ନାହିଁ । ସେ ଆଗେ ଦୁସ୍ମନ ଘରର ଖମ୍ବ ଆଉ କବାଟ ଭାଙ୍ଗେ । ମା’ ମନା କରିଛି କାହାରି ଦେହରେ ହାତ ଦିଏ ନାହିଁ । ଏଣେ ସାକୁଲା ସୁକୁଲି ଟେକାଟେକି କରି ତାକୁ ଦି’ କଥା କୁହ, ତୁମ ଗୃହ କାଢିବ । କାହାରି ବାଡି ହଣା ଯାଉଛି ଅନନ୍ତା ସେଠି ଦେଖୁଥିଲା – ତାକୁ ଯଦି କହିବ, “ବାପ ଅନ୍ତୁ! ତୁ ନ ହେଲେ କାହାରି ଘର କ’ଣ ଚଳିବ?” ଆଉ କିଛି କଥା ନାହିଁ, ତା’ପରେ ସେ ଧଇଲା କୋଡି । ଚାରିଜଣ ମଣିଷେ ଦିନକେ ଯାହା ପାରିବେ ନାହିଁ ପହରକ ଭିତରେ ଫୁଟେ ଗହୀରାରେ ବାଡିଟାକୁ ସେ ଅନ୍ତୁ ଏକଲା ତାଡି ପକାଇବ । ମୂଲିଆ ମିଳୁ ନାହିଁ, କାହା ଘର ଛପରବନ୍ଦି ହୋଇପାରିଲା ନାହିଁ, ସେ ଧଇଲା ଅନ୍ତାକୁ – ସାକୁଲା ସାକୁଲି କରି ତାକୁ କହିଲେ; ଦିନେ ଲାଗୁ କି ଦି’ଦିନ ଲାଗୁ, ସେ ଏକଲା ଗୋଟାଏ ଘର ଛାଇ ପକାଇବ । ରାମା ଭିଣାର ବାପ ମରି ଘରେ ପଡିଛି । ବାଡିରେ ମରିଛି ବୋଲି ତାକୁ କେହି ବି ଉଠାଇବାକୁ ଆଦୌ ଆସିଲେ ନାହିଁ । ଅନ୍ତୁ ରାତି ଛ’ ଘଡି ବେଳେ ଗାଁ ପାଖ ଦେଇ ଯାଉଥିଲା, ତାକୁ ସେ ରାମା ଭିଣା ସବୁ କହିଲା । ଆଉ କିଛି କଥା ନାହିଁ; ଅନ୍ତା ଏକଲା ହେଁସମିଶା କରି ମଡାକୁ କାନ୍ଧେଇଲା । ଅନ୍ଧାର ରାତି । ସେହି ସମୟରେ ବି ଗାଁରେ ବାଡି ପଡିଛି । ଅଧକୋଶେ ଦୂରରେ ମଡାମଶାଣିରେ ମଡାଟାକୁ ଫୋପାଡି ଦେଇ ନଈରେ ବୁଡିପଡି ସେ ବାହାରି ଅଇଲା । ଅନ୍ତା ବାଘ, ଭାଲୁ, ଭୂତ, ପ୍ରେତ, ସାପ, ବେଙ୍ଗ ଏମିତି କାହାକୁ ବି ସେ ମୋଟେ ଡରେ ନାହିଁ । ଅନ୍ତା ଲୋକଙ୍କ ବାଡିରୁ ଫଳକନ୍ଦ ଲୁଟିପାଟି ଖାଇବ; ହେଲେ ତାକୁ କିଛି ଖାଇବାକୁ ଯାଚ, ରାଗି ଘର ଦୁଆର ସେ ଭାଙ୍ଗିବ । ବିନ୍ଦିଆ ଚନ୍ଦ ଜଣେ ତନ୍ତୀ ମହାଜନ । ଆଠ ଦଶ ହଜାର ଗଣିଦେବା ଲୋକ ସେ । ଲୁଗା କାରବାର କରେ ସେ । ଗୋଟିଏ ବଡ ଦୋକାନଘର ତିଆରି କରୁଛି । ଚାରିଆଡେ ଖୁଂଟ ପଡି ଚଉକ ବୁଲିଗଲାଣି । ମଝି ଖମ୍ବ ଯୋଡାକ ଅଠର ହାତି । ଭାରି ମୋଟା ଶାଳଗଅଳ । ଦଶଜଣ ଲୋକ କସ୍ତାକସ୍ତି କରି ମଝି ଖମ୍ବ ଛିଡା କରିପାରୁ ନାହାଁନ୍ତି । ଜଣେ ହସି କହିଲା, “ଆମେ ଏତେ ପାରୁ ନାହୁଁ, ରାଣ୍ଡୀପୁଅ ଅନ୍ତା ହେଲେ ଏକଲା ସେ ଖମ୍ବଯୋଡାକ ଉଠାଇ ଛିଡା କରିଦିଅନ୍ତା ।” ଘଟଣା ଦେଖ, ଠିକ୍ ସେତିକିବେଳେ ଅନ୍ତା ଦାଣ୍ଡରେ ଯାଉଥିଲା । ବିନ୍ଦିଆ ତନ୍ତୀ ତାକୁ ଡାକିଦେଲା, “ଆରେ ଅନ୍ତା! ଏ ଯୋଡାକ ଖମ୍ବ ଉଠାଇ ଦେ, ତୋତେ ମୁଁ ଦି’ଟଙ୍କା ଖଜାଖିଆ ଦେବି ।” ଅନ୍ତା ଆଉ ଯାଏ କାହିଁ? ତା’ପରେ ସେ ଅନ୍ତା କହିଲା “ହଁ ରେ ଶଳା ତନ୍ତୀ! ମୁଁ ତ ତୋର ଗୁଲାମ? ତୋର ମୂଲ ଲାଗିବି?” ଏହି କଥା କହି ଅନ୍ତା ଧାଇଁଲା ସେ ତନ୍ତୀକୁ ମାରିବାକୁ । ତା’ପରେ ସେ ତନ୍ତୀ ତ ଡରରେ କୁଆଡେ ପଳାଇଗଲାଣି । ଦଶଜଣ ଲୋକ କୋଡିଏ ଦିନ କାମ କରି ଯେତେ ଖମ୍ବ ପୋତି ଛିଡା କରାଇଥିଲେ, ସେ ସବୁଗୁଡାକ ଘଂଟାକ ଭିତରେ ଅନ୍ତା ଉପାଡି ପକାଇଲା । ହେଲେ ଜଣାଶୁଣା ଲୋକେ ଅନ୍ତାଠାରୁ ଢେର୍ କାମ କରେଇ ନିଅନ୍ତି । ରୋଜି କାହାରି ହେଲେ କିଛି ପାଇଟି କରିଦେଇ ଆସେ । ବିନ୍ଦିଆ ତନ୍ତୀ ସେ ଗାଁର ଭଲଲୋକ ପାଖରେ ଅନନ୍ତା ନାମରେ ଗୁହାରି କରି ଓଲଟା ଗାଳି ଶୁଣିଲା ।

                ବିନୋଦରାୟପୁର ଭାର୍ଗବୀ ନଦୀର ଉତ୍ତର କୂଳରେ । ନଦୀ ଗର୍ଭଠାରୁ ସେ ଗାଁଟା ଅତି ଅଳ୍ପ ଉଂଚା । ବଢିପାଣିରୁ ଗାଁ ରକ୍ଷା ନିମନ୍ତେ ସରକାରବାହାଦୁର ଗୋପାଳପୁର କତିରୁ ରାମନଗର ଯାଏଁ ଅଠର ମାଇଲ ଲମ୍ବା କୋଡିଏ ହାତ ଓସାର ଦଶ ହାତ ଉଂଚା ଗୋଟାଏ କୂଳବନ୍ଧ ପକେଇଛନ୍ତି । ସେ ବନ୍ଧ ଯୋଗୁଁ ନଈକୂଳିଆ ଢେର୍ ଗାଁ ଆଉ ବିଲବାଡି ରକ୍ଷାପାଏ । ବିନୋଦରାୟପୁର ଗୋଟିଏ ବଡ ଧନବନ୍ତ ଗାଁ । ଗାଁ ତଳେ କଳିନ୍ଦ ବିଲ ଢେର୍ । ଗାଁରେ ପ୍ରାୟ ଦୁଇଶ ଘର ବସ୍ତି । ସମସ୍ତେ ଥିଲାଲୋକ । କେହି କାହାକୁ ଆଦୁର୍ଯ୍ୟା ହୁଏ ନାହିଁ । ସରକାରୀ ବଡ ବଡ ଅମଲା, ଇସ୍କୁଲ୍ ମାଷ୍ଟର, କାରବାରିଆ ମହାଜନ, କଲିକତିଆ ଚାକିରିଆ ଢେର୍ ।

ଅଶିଣ ମାସ ଦୁର୍ଗାପୂଜା ସମୟ । ବିଦେଶିଆ ସବୁ ଘରକୁ ଆସିଛନ୍ତି । ନାଚ ତାମସା ଖିଆପିଆ ଦିନ ରାତି ଲାଗିଛି । ତେଣୁ ସେ ଗାଁଟା ଖାଲି ଆନନ୍ଦରେ ଭାସୁଛି । ଫି ବର୍ଷ ଏହି ସମୟରେ ଗାଁଟାରେ ବଡ ଜାରି ହୁଏ । ଷଷ୍ଠୀ ବେଲବରଣ । ସକାଳିଆ ହଠାତ୍ ଉତ୍ତର ଦିଗରୁ ଖଣ୍ଡେ ମେଘ ଦେଖାଗଲା । ସୂର୍ଯ୍ୟ ବି ଉଇଁ ସେହି ମେଘରେ ଡୁବିଗଲେ । ମେଘଟା ଦେଖୁଁ ଦେଖୁଁ ଆକାଶଯାକ ଘୋଟିଗଲା । ସାଙ୍ଗେ ସାଙ୍ଗେ ପବନ । ବୁଢା ଗୋବନ୍ଦ ପଣ୍ଡେ କହିଲେ, ଆରେ ବାପ, ଡାକଋଷି କହିଛନ୍ତି –

“ହସି ପଶେ  – ଉଇଁ ନ ଦିଶେ

ବାପା ବୋଇଲେ ପୁତା, ନିଶ୍ଚେ ବରଷେ ।”

                ଆଜି ଜାଗ୍ରତ ଥାଅ, ନିଶ୍ଚେ ବର୍ଷା ହେବ । ପଣ୍ଡାଙ୍କ ମୁହଁ କଥା ମୁହଁରେ ଅଛି – ଟପ୍ ଟପ୍ ଟପର ଟପର କରି ପକାଇଲା ପାଣି; ଯେ ବର୍ଷୁଛି ସେହି ବର୍ଷୁଛି । ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ ସଞ୍ଜ ହେଲା । ପାଣି ଛାଡିବାକୁ ନାହିଁ, ଯେଠିକା ମଣିଷ ସେଇଠି ବସିଛନ୍ତି । ଶଏବର୍ଷର ବୁଢାମାନେ କହୁଛନ୍ତି, ଏପରି ବର୍ଷା ତ ଆଗରୁ କେବେବି ଦେଖା ଯାଇ ନ ଥିଲା । ଏଣେ ସେ ଗାଁରୁ ପା’ ଭାଗ ଘରର କାନ୍ଥ ଧୁପ୍ଧାପ୍ କରି ପଡିଗଲାଣି, ଦିନ ରାତି ପାଣି ପବନ ଖାଉଛନ୍ତି । ଦଶରା ଦିନ ଯେମିତି ରାତିପାହିଛି ‘ଗାଁ ଗଲା, ଗାଁ ଗଲା, ଗାଁ ଗଲା’ ବୋଲି ଚହଳ ପଡିଗଲା । ଆଉ କଣ ଲୋକେ ଘରେ ରହିବେ । ପାଛିଆ, କୁଡେଇ ଘେନି ବନ୍ଧକୁ ସିଧା ଧାଇଁଛନ୍ତି । ବଡ ସାନ ବିଚାର ନାହିଁ । ବ୍ରାହ୍ମଣ ପାଣ ଛୁଆଁଛୁଇଁ ହେଉଛନ୍ତି । ପାଛିଆ, କୋଡି ଧରି ସମସ୍ତେ ବନ୍ଧ ଉପରେ ଯାଇ ହାଜର । ନଈ ଦକ୍ଷିଣ କୂଳକୁ ଅନାଇବା ବେଳେ ଗୋଟାଏ ସମୁଦ୍ର, ଆଉ କିଛି ନାହିଁ । ବଢିପାଣି ବନ୍ଧ କାନେକାନେ ନଈ ଭିତରରୁ ପାଂଚ ହାତ ଉଚ୍ଚ ଗୋଟାଏ ଗୋଟାଏ ଲହଡି ଆସି ଝଲକେ ଝଲକେ ପାଣି ବନ୍ଧ ଟପି ପଡୁଛି । ଯେଉଁଠି ଝଲକେ ପାଣି ଟପି ପଡୁଛି, ସେଠାରେ କେହି କାହାକୁ କିଛିବି କହିବାକୁ ନାହିଁ – ଶହେ ବୋଝ ମାଟି ପଡିଯାଉଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ