ରୂପଧରଙ୍କ ଯାତ୍ରା

(ଟ୍ରୋୟ ନଗରୀ ଉପରେ ବିଜୟ ହାସଲ କରିବା ପରେ ରୂପଧର ତାଙ୍କର ସୈନିକମାନଙ୍କୁ ଧରି ସମୁଦ୍ରରେ ବୋଇତ ମେଲି ଦେଲେ । ସେତେବେଳେ ତାଙ୍କର ଲକ୍ଷ୍ୟ ଥିଲା ନିଜ ଦେଶକୁ ବାହୁଡି ଯିବା । ସମୁଦ୍ର – ଝଡରେ ବୋଇତଗୁଡିକ ଯାଇ ଏକ ଅଜଣା ଦ୍ୱୀପରେ ଲାଗିଲେ । ସେଠାରେ ଏକଆଖିଆ ରାକ୍ଷସ କେତେ ସୈନ୍ୟ ଖାଇଗଲା । ରୂପଧର କୌଶଳ କରି ବହୁକଷ୍ଟରେ ସେହି ରାକ୍ଷସ କବଳରୁ ମୁକ୍ତ ହୋଇ ନିଜ ବୋଇତକୁ ଫେରି ଆସିଲେ । ତା’ପରେ ସେମାନେ ପୁଣି ବୋଇତ ବାହି ଚାଲିଲେ । ଏଣିକି ଆଗକୁ ପଢନ୍ତୁ ।)

ରୂପଧରଙ୍କ ବୋଇତଗୁଡିକ ନୌକାଦ୍ୱୀପ ପାଖରେ ଯାଇ ପହଁଚିଲା । କୁହାଯାଏ ଯେ ସେ ସମଗ୍ର ଦ୍ୱୀପଟି ନୌକା ପରି ଭାସୁଥାଏ । ଏହି ଦ୍ୱୀପର ରାଜା ହେଲେ ଚିତ୍ରାଶ୍ୱ । ସେହି ଦ୍ୱୀପ ଉପରେ ଅଭେଦ୍ୟ କଂସାର ଦୁର୍ଗ ରହିଛି । ସେହି ରାଜାଙ୍କର ମିତ୍ର ହେଲେ ଦିଗ୍ପାଳକ । ତାଙ୍କର ତିନିଟି ପୁଅ ଓ ତିନିଟି ଝିଅ ।

                ଚିତ୍ରାଶ୍ୱ ଅତି ଭଲଲୋକ ଥିଲେ । ତେଣୁ ସେ ବିନା ଦ୍ୱିଧାରେ ରୂପଧର ଓ ତାଙ୍କ ଅନୁଚରମାନଙ୍କୁ ସ୍ୱାଗତ କଲେ । ଖୁବ୍ ଅଳ୍ପ ସମୟ ମଧ୍ୟରେ ଚିତ୍ରାଶ୍ୱ ଓ ରୂପଧର ଘନିଷ୍ଠ ବନ୍ଧୁ ହୋଇ ଉଠିଲେ । ଟ୍ରୋୟ ଯୁଦ୍ଧ ଦଶବର୍ଷ ଧରି ଲାଗିଥିଲା । ଦଶବର୍ଷ ମଧ୍ୟରେ କେତେ ନାଟକୀୟ ଘଟଣା ସବୁ ଘଟି ଯାଇଥିଲା । ଏ ସମ୍ପର୍କରେ ଚିତ୍ରାଶ୍ୱ ବଡ କୌତୁହଳୀ ହୋଇ ଶୁଣୁଥାନ୍ତି ଓ ସେ ସମ୍ପର୍କୀତ ନାନା ପ୍ରଶ୍ନ ବି ପଚାରୁଥାନ୍ତି । ସେ ଯେତେବେଳେ ପଚାରନ୍ତି ରୂପଧର ସେତେ ଅଧିକ ଉତ୍ସାହିତ ହୋଇ ସୁନ୍ଦର କରି ବର୍ଣ୍ଣନା କରୁଥା’ନ୍ତି । ଚିତ୍ରାଶ୍ୱ ବଡ ମୁଗ୍ଧ ହୋଇ ସେସବୁ ଶୁଣୁଥାନ୍ତି । ଯେତେ ଅଧିକ ଶୁଣୁଥା’ନ୍ତି ରୂପଧରଙ୍କ ପ୍ରତି ତାଙ୍କର ସମ୍ମାନ ସେତେ ବେଶି ବେଶି ବଢି ଯାଉଥାଏ ।

ଦିନେ ରୂପଧର ଚିତ୍ରାଶ୍ୱଙ୍କୁ କହିଲେ, “ମହାଶୟ, ଆମେମାନେ ତ ଆପଣଙ୍କର ଅତିଥି ହୋଇ ଏଠାରେ ବହୁତଦିନ ରହିଲୁ । ଏବେ ଆମେ ଆମ ଘରକୁ ବାହୁଡି ଯିବା ପାଇଁ ଇଚ୍ଛୁକ । ଏଣୁ ଆମକୁ ଅନୁମତି ଦିଅନ୍ତୁ । ତେବେ ଏଠାରୁ ଯିବାବେଳେ ଆପଣଙ୍କ ସହାୟତା ଆମର ଏକାନ୍ତ ଆବଶ୍ୟକ । କାରଣ ଆମେ ସମୁଦ୍ରଯାତ୍ରା ବିଷୟରେ ପ୍ରାୟ ଅନଭିଜ୍ଞ । ସେଥିଲାଗି ଅତୀତରେ ଆମେ ଅନେକ କଷ୍ଟ ବି ପାଇଛୁ, ଆଉ ଯେପରି ଅସୁବିଧା ନହୁଏ । ଚିତ୍ରାଶ୍ୱ ତାଙ୍କ କଥାକୁ ସ୍ୱୀକାର କଲେ । ସପ୍ତବାୟୁ ତାଙ୍କର ଅଧୀନ ଥିଲେ । ତେଣୁ ସେ ଏକ ବାୟୁକୁ ରଖି ଆଉ ଅନ୍ୟ ଷଡବାୟୁଙ୍କୁ ଗୋଟିଏ ଚମଡା ଥଳୀରେ ଭର୍ତ୍ତି କଲେ; ରୂପଧରଙ୍କୁ ସେଇଟି ସେ ଦେଇ କହିଲେ, “ବତ୍ସ, ଏହି ବାୟୁର ପ୍ରଭାବରେ ତୁମର ନୌକା ଅତି ସହଜରେ ଯାଇ ନିଜ ଦେଶରେ ପହଁଚି ପାରିବ । ଏଥର ତୁମର ଆଉ କୌଣସି ମଧ୍ୟ ଅସୁବିଧା ହେବ ନାହିଁ । କିନ୍ତୁ ମନେ ରଖ, ଘରେ ପହଁଚିବା ପୂର୍ବରୁ ଯେପରି ଏହି ଥଳୀକୁ କେହି ବି ଖୋଲି ନଦିଏ ।”

                ରୂପଧର ଉକ୍ତ ଥଳୀଟି ନେଇ ରାଜାଙ୍କ ପାଖରେ କୃତଜ୍ଞତା ଜଣାଇଲେ । ତା’ପରେ ଅନୁଚରବର୍ଗଙ୍କ ସହ ସେ ସମୁଦ୍ରଯାତ୍ରା ପୁଣି ଆରମ୍ଭ କରିଦେଲେ । ନଅଦିନ ଧରି ସମୁଦ୍ରଯାତ୍ରା କରିବାପରେ ଶେଷକୁ ସେମାନେ ଇଥାକାର ତଟଦେଶ ଦେଖି ପାରିଲେ । ସେମାନେ ଦ୍ୱାରରୁ ଦେଖିଲେ ଅନେକ ଲୋକ ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ନିଆଁ ଜଳାଇ ବସିଛନ୍ତି ।

ଏତେ ଦିନ ପରେ ନିଜ ଦେଶକୁ ଦେଖି ରୂପଧର ଓ ତାଙ୍କ ଅନୁଚରବର୍ଗ ଆନନ୍ଦରେ ଅଧିର ହୋଇଗଲେ । ରୂପଧରଙ୍କୁ ଏତେ ଖୁସି ଲାଗିଲା ଯେ ସେ ସ୍ୱସ୍ତିର ଦୀର୍ଘ ନିଶ୍ୱାସ ମାରିଲେ ଓ ତା’ପରେ ତାଙ୍କୁ ବହୁତ ନିଦ ମାଡିଲା । ନୌକା କୂଳରେ ପହଁଚିଲାବେଳକୁ ସେ ନିଦରେ ଶୋଇଗଲେ ।

ତାଙ୍କର ଏପରି ଗଭୀର ନିଦ୍ରା ଦେଖି ଅନୁଚରମାନେ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ । ସେମାନଙ୍କ ଧାରଣା ଯେ ସେହି ଥଳୀ ମଧ୍ୟରେ ବହୁ ମୂଲ୍ୟବାନ୍ ଜିନିଷ ଅଛି । ନହେଲେ ସେ ବା କାହିଁକି ତାକୁ ନିଜ ପାଖରେ ସର୍ବଦା ରଖିଛନ୍ତି!

କିଏ ଜଣେ କହିଲା, “ଆମେ ଦଶବର୍ଷ ଧରି ଯୁଦ୍ଧ କରି କରି ନୟାନ୍ତ ହେଲୁ । କିନ୍ତୁ ଆମକୁ କ’ଣ ବା ମିଳିଲା? କିଛି ହାତରେ ଧରି ସ୍ତ୍ରୀ ପିଲାଙ୍କ ପାଖକୁ ଆସିବୁ, ସେପରି କିଛି ତ ନାହିଁ । ଅଥଚ ରୂପଧର ଚିତ୍ରାଶ୍ୱଙ୍କ ଠାରୁ ଅନେକ କିଛି ଧନରତ୍ନ ଆମରି ସାମ୍ନାରେ ନେଇ ପଳାଇବେ? ଏହା ତ ଅସମ୍ଭବ । ଆମେମାନେ ଚାଲ ତାକୁ ଖୋଲି, ପ୍ରତ୍ୟେକ କିଛି କିଛି ଧନ ଭାଗକରି ନେବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ