ରୂପଧରଙ୍କ ଯାତ୍ରା

(ଅନେକ ବାଧାବିଘ୍ନ ଅତିକ୍ରମ କରି ଓ ଅଧିକାଂଶ ନୌକା ଓ ଲୋକଙ୍କୁ ହରାଇବା ପରେ ସେ ସୁକେଶିନୀ ନାମକ ଦେବୀଙ୍କ ଦ୍ୱୀପରେ ଆସି ପହଁଚିଲେ; ସେ ନିଜ ଅନୁଚରମାନଙ୍କୁ ଦୁଇଦଳରେ ବିଭକ୍ତ କରି ମାୟାବୀ ନାମକ ଅନୁଚର ଓ ସେ ନିଜେ ଦୁଇ ଦଳର ଦଳପତି ହେଲେ । ଦୂରରୁ ଦେଖାଯାଉଥିବା ଏକ ଘର ବିଷୟରେ ବୁଝିବାକୁ ଅନିଚ୍ଛା ସତ୍ତ୍ୱେ ମାୟାବୀ ତାର ଦଳକୁ ନେଇ ଗଲା । ଏହି ଘର ଦେବୀ ସୁକେଶିନୀଙ୍କର ଥିଲା । ସେ ପ୍ରଥମେ ବହୁତ ଆଦର ଯତ୍ନ କଲେ । କିନ୍ତୁ ପରେ ମାୟାବୀ, ବ୍ୟତୀତ ଅନ୍ୟ ସମସ୍ତଙ୍କୁ ସେହି ଦେବୀ ତାଙ୍କ ମାୟାବଳରେ ପଶୁ ବନାଇ ଦେଲେ । ମାୟାବୀ ସନ୍ଦେହ କରି ଘର ଭିତରକୁ ନଯାଇ ଦୂରରୁ ସବୁ ଦେଖିଲେ ଓ ଫେରିଆସି ରୂପଧରଙ୍କୁ ଏସବୁ କଥା କହିଲେ । ରୂପଧର ଅନ୍ୟ ଦେବତାଙ୍କ ସାହାଯ୍ୟରେ ସୁକେଶିନୀଙ୍କୁ ହରାଇଲେ ଓ ତା’ପରେ ସୁକେଶିନୀ ତାଙ୍କର ବନ୍ଧୁ ହୋଇଗଲେ ।)

                ସୁକେଶିନୀଙ୍କ କହିବା ମୁତାବକ ରୂପଧର ସମୁଦ୍ର ତଟରେ ଥିବା ତାଙ୍କ ଅନୁଚରଙ୍କ ପାଖକୁ ଫେରିଗଲେ; ସେମାନେ ବଡ ନିରାଶ ହୋଇ ରୂପଧରଙ୍କର ପ୍ରତ୍ୟାବର୍ତ୍ତନର ଅପେକ୍ଷାରେ ଥିଲେ । ରୂପଧରଙ୍କୁ ଦେଖି ସେମାନେ ତାଙ୍କ ପାଖକୁ ଆନନ୍ଦରେ ଧାଇଁ ଆସିଲେ ।

                ସେମାନେ ରୂପଧରଙ୍କୁ ପଚାରିଲେ “ଆମର ଅନ୍ୟସବୁ ଲୋକମାନେ କାହାଁନ୍ତି?”

                ରୂପଧର କହିଲେ “ଆମ ଲୋକମାନେ ସୁକେଶିନୀଙ୍କ ଘରେ ଖୁସିରେ ଖାଇ ପିଇ ରହିଛନ୍ତି । ଏବେ ଆମେ ନୌକାକୁ ଭଲ ଭାବରେ ବାନ୍ଧି, ଜିନିଷପତ୍ର ଗୁମ୍ଫାରେ ଲୁଚାଇବା ପରେ ତୁମେମାନେ ମଧ୍ୟ ମୋ ସହିତ ସୁକେଶିନୀଙ୍କ ଘରକୁ ଯିବ ।”

                ସେମାନେ ଶୀଘ୍ର ଶୀଘ୍ର କାମ ଶେଷ କରିବାକୁ ଲାଗିଲେ । ମାୟାବୀ କିନ୍ତୁ ରାଗିଯାଇ କହିଲେ, “ମୂର୍ଖ, ତୁମେମାନେ ଥରେ ଭାବିଛ କେଉଁଠିକି ଯାଉଛ? ସୁକେଶିନୀ ତୁମ ସମସ୍ତିଙ୍କୁ ପଶୁ କରିଦେବ । ପୂର୍ବରୁ ଯେଉଁ ଘଟଣା ସବୁ ହୋଇଛି ତାହା କ’ଣ ତୁମେ ଭୁଲିଗଲ? ଥରେ ମନେ ପକାଅ । ଏକଆଖିଆ ରାକ୍ଷସର ଗୁମ୍ଫାରେ କି ଘଟଣା ଘଟିଥିଲା? ଏହି ରୂପଧରଙ୍କ ପ୍ରରୋଚନାରେ ପଡି ଆମର କେତେଯେ ସାଥୀ ମରିଗଲେ । କେବଳ ଆମେ ବୁଝିପାରି ନଥିଲୁ ବୋଲି ସେମାନଙ୍କ ଜୀବନ ଖାଲି ଖାଲିରେ ନଷ୍ଟ ହେଲା ।”

ତାଙ୍କର ଏଭଳି କଥା ଶୁଣି ରୂପଧର ଭୀଷଣମାତ୍ରାରେ ରାଗିଗଲେ ଓ ନିଜ ତଲବାର୍ କାଢି ମାୟାବୀଙ୍କ ଗଳା କାଟିବାକୁ ଉଦ୍ୟତ ହେଲେ; କିନ୍ତୁ ଅନ୍ୟାନ୍ୟ ଅନୁଚରମାନେ ତାଙ୍କୁ ସେଥିରୁ ବିଚ୍ୟୁତି କଲେ । ସେମାନେ କହିଲେ, “ସେ ଯଦି ଆସିବାକୁ ଚାହାଁନ୍ତି ନାହିଁ, ତେବେ ଏଇଠାରେ ରହି ନୌକାର ଦେଖାଶୁଣା ସେ କରନ୍ତୁ । ଆମେ କିନ୍ତୁ ଆପଣଙ୍କ ସହିତ ସୁକେଶିନୀଙ୍କ ଘରକୁ ଯିବୁ ।” ଅବଶ୍ୟ ଶେଷକୁ ମାୟାବୀ ମଧ୍ୟ ଏମାନଙ୍କ ସହ ଆସିଲେ ।

ସେମାନଙ୍କୁ ସୁକେଶିନୀ ଭଲ ଭାବରେ ସ୍ନାନ କରାଇ, ସୁନ୍ଦର ମୂଲ୍ୟବାନ୍ ପୋଷାକ ପିନ୍ଧିବାକୁ ଦେଲେ ଓ ସ୍ୱାଦିଷ୍ଟ ଖାଦ୍ୟସବୁ ଦେଲେ । ପୂର୍ବରୁ ଆସିଥିବା ଲୋକଙ୍କ ସହିତ ଏହି ଦଳଟି ମିଶି ଆନନ୍ଦରେ ଖୁବ୍ ଚିତ୍କାର କଲେ ।”

ସୁକେଶିନୀ ରୂପଧରଙ୍କୁ କହିଲେ, “ତୁମ ଲୋକମାନେ ଅତୀତ କଥା ଭୁଲିଗଲେ ଭାରି ଭଲ ହୁଅନ୍ତା । ମୁଁ ଜାଣେ ଯେ କି କି କଷ୍ଟ ମଧ୍ୟ ଦେଇ ତୁମେମାନେ ଆସିଛ । ତେଣୁ ସମସ୍ତେ ଆନନ୍ଦରେ ଖାଇ ପିଇ ଆଉ କିଛି ଦିନ ଏଠାରେ କଟାଅ ।”

ତାଙ୍କ କଥା ରୂପଧର ସ୍ୱୀକାର କଲେ ଓ ସେମାନେ ପ୍ରାୟ ଏକବର୍ଷ ପର୍ଯ୍ୟନ୍ତ ସେଠାରେ ରହିଲେ । ବର୍ଷେ ପରେ ଅନୁଚରମାନେ କହିଲେ ଯେ ସେମାନେ ଯଥାଶୀଘ୍ର ନିଜ ଦେଶକୁ ଫେରିଯିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ