ରୂପଧରଙ୍କ ଯାତ୍ରା

(ରୂପଧର ଜୀବିତ ଅଛନ୍ତି କି ନାହିଁ ସେ ବିଷୟ ନିର୍ଣ୍ଣୟ ହୋଇ ପାରିଲା ନାହିଁ । ଅନେକ ରାଜକୁମାର କହିଲେ କି ସେ ମରିଯାଇଛନ୍ତି । ତେଣୁ ସେମାନେ ଆସି ତାଙ୍କ ଘରେ ଆସ୍ଥାନ ଜମାଇ ବସିଗଲେ; ପ୍ରତ୍ୟେକଙ୍କର ଇଚ୍ଛା ହେଲା ତାଙ୍କ ପତ୍ନୀଙ୍କୁ ବିବାହ କରିବା । ତେଣୁ ସେମାନେ ବାରମ୍ବାର ପ୍ରଶ୍ନ ପଚାରିଥା’ନ୍ତି କି କାହାକୁ ସେ ବିଭା ହେବେ ଶୀଘ୍ର ପସନ୍ଦ କରି କହନ୍ତୁ । ରୂପଧରଙ୍କ ପତ୍ନୀ ଓ ପୁତ୍ର ସେମାନଙ୍କ ଅନାଚାର ଆଦୌ ସହି ପାରୁ ନଥା’ନ୍ତି । ରୂପଧରଙ୍କ ନାବାଳକ ପୁଅ ଧୀରମତି ପିତାଙ୍କ ବିଷୟରେ ଖବର ସଂଗ୍ରହ କରିବା ପାଇଁ ନୌକା ନେଇ ଅନ୍ୟ ଦେଶକୁ ବାହାରିଲେ । ସେ ନବଦ୍ୟୋତ ଓ ପ୍ରତାପଙ୍କ ସହ ଦେଖା କରିବାକୁ ଗଲେ । –ଏଣିକି ଆଗକୁ ପଢନ୍ତୁ ।)

ଏଣେ ଇଥାକାରେ ରୂପଧରଙ୍କ ଘରେ ବସି ଯୁବକ ରାଜକୁମାର ମାନେ ନିଶ୍ଚିନ୍ତରେ ଖାଇ ପିଇ ରହିଥା’ନ୍ତି । ଜୁଆ ଖେଳି ଖେଳି ସମୟ କଟାଉଥା’ନ୍ତି । ଧୀରମତିଙ୍କୁ ସେମାନେ ନାବାଳକ ଓ ଭୀତୁ ବୋଲି ଭାବୁଥିଲେ । ସେମାନଙ୍କର ବିଶ୍ୱାସ ଥିଲା କି ପଦ୍ମମୁଖୀ ଯେମିତି ହେଲେବି ସେମାନଙ୍କ ମଧ୍ୟରୁ ଜଣକୁ କାହାକୁ ନିଶ୍ଚୟ ବିବାହ କରିବେ । ଇତିମଧ୍ୟରେ ଧୀରମତି ପୈଲାସ ଗଲେଣି ବୋଲି ସେମାନେ ଜାଣି ନଥିଲେ ।

                ସେମାନେ କୁଆ ଖେଳୁଥିବା ଅବସ୍ଥାରେ ବାହାରୁ ଜଣେ ଯୁବକ ଆସି ସେମାନଙ୍କୁ ପଚାରିଲା, ‘ଆପଣମାନେ ଜାଣନ୍ତି କି ଧୀରମତି ପୈଲାସରୁ କେବେ ଫେରିବେ? ସେ ମୋର ନୌକା ନେଇ ଯାଇଛନ୍ତି । ଏବେ ମୋର ସେହି ନୌକା ଦରକାର । ମୁଁ ସେପାରି ଜଙ୍ଗଲକୁ ଯାଇ ଗୋଟିଏ ଘୋଡା ଆଣିବାକୁ ଚାହେଁ ।’

                ଏକଥା ଶୁଣି ସମସ୍ତେ ପରସ୍ପରର ମୁହଁକୁ ଆଶ୍ଚର୍ଯ୍ୟରେ ଚାହିଁଛନ୍ତି । ଦୁର୍ବୁଦ୍ଧି ନାମକ ବ୍ୟକ୍ତି, ସେ ଯୁବକକୁ ପଚାରିଲେ, “ଧୀରମତି ପୈଲାସ ଯାଇଛି? ତୁମକୁ ନପଚାରି ତୁମ ନୌକାଟିକୁ ଚୋରିକରି ନେଇଛି ନା ତୁମକୁ ପଚାରି ନେଇଛି? ଏସବୁ କେବେ ହେଲା? ସେହି ନୌକାର ନାବିକ କିଏ?

                ଧୀରମତି ସହିତ କେହି ଚାକର ଅଛନ୍ତି ନା ନଗରର ଯୁବକ ସାଥିରେ ଯାଇଛନ୍ତି? ଜାଣକି ସେ କେଉଁ କାମ ପାଇଁ ପୈଲାସ ଯାଇଛି? ସେ ବିଷୟରେ ସେ ତୁମକୁ କିଛି କହିଛି କି?” ସେ ଏହିପରି ଅନେକ ପ୍ରଶ୍ନ ପଚାରିଲେ ।

                ଯୁବକଟି କହିଲା “ସେ ମୋତେ ପଚାରିକରିହିଁ ନୌକା ନେଇଛନ୍ତି । ଏତେ ବଡ ସମ୍ଭ୍ରାନ୍ତ ଘରର ପୁଅ, ମୋତେ ନୌକା ମାଗିଲେ ମୁଁ କ’ଣ ଆଉ ନାହିଁ କରିଦେଇଥା’ନ୍ତି କି? ସେ ମାଗିବାମାତ୍ରେ ମୁଁ ତୁରନ୍ତ ତାଙ୍କୁ ଖୁସିରେ ଦେଇଦେଲି । ନୌକା ଚଳାଇବାରେ ଦକ୍ଷ ଯୁବକ କେତେଜଣହିଁ ତାଙ୍କ ସହିତ ଯାଇଛନ୍ତି । ସେହି ଦଳଟିର ନେତା ହେଲେ ବୃଦ୍ଧ ସହନ ।”

                ତାଙ୍କର ଏଭଳି କଥା ଶୁଣି ଦୁର୍ବୁଦ୍ଧି ଭୀଷଣ କ୍ରୋଧରେ ଅଗ୍ନିଶର୍ମା ହୋଇଗଲା । ଆଖି ତା’ର ରାଗରେ ଜଳୁଛି । ସେ ନିଜର ଅନୁଚରମାନଙ୍କୁ ଡାକି କହିଲେ, “ଏହିପରି ସେ ନାନା ଷଡଯନ୍ତ୍ର କରୁଛି । ଯେଉଁ ଦିନଠାରୁ ସେ ନାଗରିକମାନଙ୍କୁ ଡକାଇ ସଭା କଲା, ଓ ଆମନାମରେ ଅଭିଯୋଗ କଲା, ସେହି ଦିନରୁ ମୋର ଆଶଙ୍କା ହେଉଥିଲା କି ସେ ଆମକୁ ଏଠାରୁ ବାହାର କରିବା ପାଇଁ କିଛି ନା କିଛି ନିଶ୍ଚୟ କରୁଛି । ଆମ ଆଖିରେ ଧୂଳି ଦେଇ ସେ ଟୋକା ନାବିକ ଯୋଗାଡ କରି କେଉଁ ଛଟକରେ ଏଠୁ ପଳାଇଲା? ତୁମେମାନେ ଏକ ବେଗବାନ୍ ନୌକା ଯୋଗାଡ କର ପ୍ରାୟ କୋଡିଏ ଜଣ ନାବିକ ସଙ୍ଗରେ ନିଅ । ତାକୁ ଦେଖିବା ମାତ୍ରେ ତାକୁ ଆଗ ମାରିଦେବ । ସେ ଖବର ଶୁଣିଲେ ଯାଇ ମୋର ମନରେ ଶାନ୍ତି ଆସିବ ।” ତା’ପରେ ସ୍ଥିର ହେଲା ଧୀରମତି ଫେରିବା ବେଳେ ତାଙ୍କୁ ରାସ୍ତାରେହିଁ ମାରି ଦିଆଯିବ । ଏହି କାର୍ଯ୍ୟ ଦୁର୍ବୁଦ୍ଧିକୁ ଦିଆଗଲା ।

ସେମାନଙ୍କର ଏପ୍ରକାର ଷଡଯନ୍ତ୍ର କଥା ପଦ୍ମମୁଖୀଙ୍କ ଚାକରମାନେ ଶୁଣିଲେ । ସେମାନେ ମଧ୍ୟ ଜାଣି ନଥିଲେ କି ଧୀରମତି ପୈଲାସ ଯାଇଛନ୍ତି ବୋଲି । ପଦ୍ମମୁଖୀ ସବୁ ଶୁଣି କହିଲେ, “ଘରେ ଏତେ ଲୋକ, ଅଛନ୍ତି, କେହି ବି ମୋତେ କହିନାହାଁନ୍ତି କି ମୋ ପୁଅ ନୌକାଯାତ୍ରାରେ ଯାଇଛି । ମୁଁ ଯଦି ଜାଣି ଥା’ନ୍ତି ତେବେ ମୁଁ କେବେ ହେଲେ ମଧ୍ୟ ତାକୁ ସେଠାକୁ ଛାଡି ନଥା’ନ୍ତି ।” ଏତିକି କହି ସେ କାନ୍ଦି ପକାଇଲେ । ତାଙ୍କ ସହିତ ଅନ୍ୟମାନେ ମଧ୍ୟ କାନ୍ଦି ପକାଇଲେ । ତା’ପରେ ଜେଜେମା ବୁଢୀ କହିଲେ କି ଏକଥା ତମେ ଜାଣ ବୋଲି ସେ ଆଦୌ ଚାହୁଁନଥିଲା ।”

ଦୁର୍ବୁଦ୍ଧି କହିଲେ, “ଏ ବିଷୟରେ ତୁମେମାନେ କାହାକୁ କିଛି ହେଲେବି କହିବ ନାହିଁ । ଧୀରମତିକୁ ହତ୍ୟା କରିବାର ଯୋଜନା ବିଷୟ ଯେପରି ଅନ୍ୟ କେହି ମଧ୍ୟ ନଜାଣିବେ ।” ତା’ପରେ ସେ କୋଡିଏ ଜଣ ନାବିକ ଧରି ସମୁଦ୍ରତଟ ଆଡେ ଆଗେଇ ଗଲେ । ଗୋଟିଏ ନୌକାରେ ସେମାନେ ତାଙ୍କର ଖଣ୍ଡା ତଲବାର ସବୁ ଲୁଚାଇ ରଖିଲେ । ତା’ପରେ ସେମାନେ କିଛି ଦୂରରେ ରହି ଅପେକ୍ଷା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ