ରୂପଧରଙ୍କ ଯାତ୍ରା

ସମସ୍ତେ ଆନନ୍ଦ ଉତ୍ସବରେ ମାତିଥା’ନ୍ତି । ସଂଗୀତଜ୍ଞ ଯେଉଁ ଗୀତଟି ଗାଇଲେ ତା’ର ବିଷୟବସ୍ତୁ ରୂପଧରଙ୍କ ଜୀବନୀ ଥିଲା । ସେ ଏହି ଗୀତଟି ଶୁଣି ବଡ ଆଶ୍ଚର୍ଯ୍ୟ ହେଲେ ।

ତାଙ୍କ ଗୀତରେ ବିଷୟବସ୍ତୁ ଏହିପରି ଥିଲା । “ଟ୍ରୋୟର ଯୁଦ୍ଧ ଏବେ ମଧ୍ୟ ଆରମ୍ଭ ହୋଇନାହିଁ । ସମ୍ରାଟ ନିଜର ଭବିଷ୍ୟତ ଜାଣିବା ପାଇଁ ସୂର୍ଯ୍ୟଙ୍କ ମନ୍ଦିରକୁ ଗଲେ । ସୂର୍ଯ୍ୟଦେବତା ସମ୍ରାଟଙ୍କୁ କହିଲେ କି ଟ୍ରୋୟ ନଗରୀର ପତନ ହେବା ମାତ୍ରେ ତୁମ ନିଜର ଯୋଦ୍ଧାମାନେ ନିଜ ନିଜ ଭିତରେହିଁ ଲଢିବେ । ଶେଷରେ ଠିକ୍ ସେଇଆହିଁ ହେଲା । ଦିନେ ଭୋଜନ ସମୟରେ ରୂପଧର ଓ ବଜ୍ରକାୟଙ୍କ ମଧ୍ୟରେ ଖୁବ୍ ଝଗଡା ହେଲା । ଏକଥା ଶୁଣି ସମ୍ରାଟ ଦୁଃଖ କରିବା ପରିବର୍ତ୍ତେ ଓଲଟି ଖୁସି ହେବାର ଦେଖାଗଲା । କାରଣ ସୂର୍ଯ୍ୟଭଗବାନ୍ ପୂର୍ବରୁ କହିଥିଲେ କି ଏହା ଶୁଭସୂଚକ ଅଟେ । ଅନ୍ଧଗାୟକ ଏହିସବୁ ବିଷୟବସ୍ତୁକୁ ନେଇ ସଂଗୀତ ରଚନା କରି ଗାନ କରୁଥାଏ । ସେହି ଗୀତ ଶୁଣୁ ଶୁଣୁ ରୂପଧରଙ୍କ ମନ ମଧ୍ୟରେ ଅତୀତର ସମସ୍ତ ଘଟଣା ମନେପଡିଲା ଓ ସେ ଭୀଷଣ ଦୁଃଖରେ ଅଭିଭୂତ ହୋଇ ପଡିଲେ । ସେ ଚାହୁଁ ନ ଥିଲେ କି ସେଠାରେ ଉପସ୍ଥିତ ଲୋକେ ତାଙ୍କ ଅଶ୍ରୁ ଦେଖନ୍ତୁ, ତେଣୁ ସେ ଅଶ୍ରୁ ସମ୍ବରଣ କଲେ ଓ ନିଜ ମୁହଁ ପୋଛି ପକାଇଲେ । ଗାୟକର ଗୀତ ସହିତ ମଝିରେ ମଝିରେ ସେ ଏପରି କରୁଥା’ନ୍ତି । ପୁଣି ଗାୟକ ଗୀତ ଗାଇବା ମାତ୍ରେ ତାଙ୍କର ଅଶ୍ରୁଧାରା ବହିଯାଉଥାଏ ।

ରୂପଧରଙ୍କର ଏହି ପ୍ରତିକ୍ରିୟାକୁ ଅନ୍ୟକେହି ଲକ୍ଷ୍ୟ କରି ନଥାନ୍ତି ସତ, କିନ୍ତୁ ପାଖରେ ବସିଥିବା ରାଜା ଦେଖିନେଇଥା’ନ୍ତି । ଏପରିକି ଅତି ଦୁଃଖରେ ତାଙ୍କ ମୁହଁରୁ ଯନ୍ତ୍ରଣା ପୂର୍ଣ୍ଣ ଶବ୍ଦ ବାହାରିବାର ମଧ୍ୟ ସେ ଶୁଣିଛନ୍ତି ।

ଶେଷକୁ ବୁଦ୍ଧିମାନ୍ ସଭାସଦ୍ବର୍ଗଙ୍କୁ କହିଲେ, “ବନ୍ଧୁଗଣ, ଆମେ ପେଟଭରା ଭୋଜନ କରିଛୁ । ଏବେ ଗୀତ ବନ୍ଦ କରି ବ୍ୟାୟାମ କ୍ରୀଡା ଦେଖିବେ । ଆମ ଅତିଥିଙ୍କ ପାଇଁ ଆମେ ସବୁକିଛିର ବ୍ୟବସ୍ଥା କରିଛୁ । ଏବେ ସେ ଦେଖିବେ ଆମ ମଲ୍ଲମାନେ ମଲ୍ଲଯୁଦ୍ଧରେ କେତେ ଦକ୍ଷ । ସେ ଆମ ମଲ୍ଲମାନଙ୍କ ଯୁଦ୍ଧ ବିଷୟରେ ତାଙ୍କ ଦେଶବାସୀଙ୍କୁ ମଧ୍ୟ ଯାଇ କହିବେ ।”

ରାଜା ଆସନ ଛାଡି ଉଠିବା ମାତ୍ରେ ଅନ୍ୟ ସଭାସଦ୍ବର୍ଗ ମଧ୍ୟ ଉଠି ପଡିଲେ । ତା’ପରେ ସମସ୍ତେ ମଲ୍ଲଯୁଦ୍ଧ ଦେଖିବାକୁ ଗଲେ । ସେଠାରେ ହଜାର ହଜାର ଦର୍ଶକ ଜମା ହୋଇଥା’ନ୍ତି । ଅନେକ ଯୁବକ ମଧ୍ୟ ବ୍ୟାୟାମ କ୍ରୀଡା ପ୍ରଦର୍ଶନ କରିବାକୁ ଛିଡା ହୋଇଥା’ନ୍ତି ।

ପ୍ରଥମେ ଦୌଡିବାର ପ୍ରତିଯୋଗିତା ହେଲା । ତା’ପରେ ମଲ୍ଲଯୁଦ୍ଧ ହେଲା । ତା’ପରେ ଓଜନିଆ ଜିନିଷ ଫିଙ୍ଗିବାର ପ୍ରତିଯୋଗିତା ହେଲା । ସେହିପରି ଭଳିକି ଭଳି ନାନା ଖେଳ ଓ ପ୍ରତିଯୋଗିତା ହେଲା । ମଲ୍ଲଯୁଦ୍ଧରେ ରାଜାଙ୍କ ପୁତ୍ର ଯୁବରାଜ ଜିତିଲେ । ସେ ତାଙ୍କର ଅନୁଚରମାନଙ୍କୁ କହିଲେ, “ଆମ ଅତିଥି ଯୁବାବସ୍ଥାରେ କେଉଁ କେଉଁ କ୍ରୀଡାରେ ଦକ୍ଷ ଥିଲେ ଆମେ ଜାଣିପାରୁ କି?”

ରୂପଧରଙ୍କୁ ଏକଥା ଆଦୌ ଭଲ ଲାଗିଲା ନାହିଁ । ସେ କହିଲେ, “ଯୁବକ, ଭଗବାନ୍ କେତେ ଲୋକଙ୍କୁ ବିକୃତ ରୂପ ଦେଇଛନ୍ତି, କିନ୍ତୁ ସେମାନେ କିଛି କଥା କହିବାକୁ ଆରମ୍ଭ କଲେ ସେମାନଙ୍କ ମୁଖରୁ ମୁକ୍ତାଝଡେ, ହଜାର ହଜାର ଲୋକ ତାଙ୍କ ମୁହଁରୁ ପଦେ କଥା ଶୁଣିବା ପାଇଁ ଉଦ୍ଗ୍ରୀବ ହୋଇ ବସିଥା’ନ୍ତି । ଅନ୍ୟ କେତେକ ଅଛନ୍ତି ମୁହଁ ସୁନ୍ଦର ଓ ନାନାଦି କଳା କୌଶଳ ଜାଣିଥାନ୍ତି କିନ୍ତୁ ଅନ୍ୟପ୍ରକାରର ଆନ୍ତରବୁଦ୍ଧି ବେଶି ନାହିଁ । ତୁମେ ଦେଖୁଛ ମୁଁ ନାନାଦି କଷ୍ଟ ମଧ୍ୟ ଦେଇ ଏଠି ଆସି ପହଁଚିଛି । ଖିଆପିଆ ସବୁକିଛି ବିଶୃଙ୍ଖଳା ମଧ୍ୟରେ ଆସିଛି । କେତେଦିନ ସମୁଦ୍ରରେ ଭାସିଭାସି ଖାଇ ନାହିଁ । ଶରୀର ଶୁଷ୍କ, ଯନ୍ତ୍ରଣାକ୍ଳିଷ୍ଟ ଓ ଦୁର୍ବଳ । ସେଥିରେ ତୁମେ ମୋତେ କ୍ରୀଡା ଦେଖାଇବାକୁ ଆହ୍ୱାନ କରୁଛ? କିନ୍ତୁ ମୁଁ ବୀର । ତୁମ ଅନୁରୋଧ ରକ୍ଷା କରି ମୁଁ ଏବେ ଓଜନିଆ ପଥର ଫିଙ୍ଗିବି ।”

ଏହାକହି ରୂପଧର ତାଙ୍କ ଆସନରୁ ଉଠିଲେ ଓ ପଥର ଧରି ଫିଙ୍ଗିଲେ । ଯୁବକମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁଥା’ନ୍ତି । ସମସ୍ତିଙ୍କ ଅପେକ୍ଷା ଦୀର୍ଘତମ ଦୂରତ୍ୱରେ ତାଙ୍କ ପଥର ପଡିଲା । ଯୁବରାଜ ଖୁସି ହୋଇ କହିଲେ, “ମହାଶୟ, ଆପଣଙ୍କର ଅସୁସ୍ଥ ଶରୀର ସତ୍ତ୍ୱେ କେବଳ ଆପଣହିଁ ତ ଆଜିର କ୍ରୀଡାରେ ବିଜେତା । ଏତେ ଦୂରକୁ ପଥର ଫିଙ୍ଗିଲେ ଯେ ଆମ ପାଇଁ ଯାହା ଅସମ୍ଭବ ତାହା କରି ଦେଖାଇଲେ ।”

ରୂପଧର ଏଥିରେ ଖୁସି ହୋଇ କହିଲେ, “ଯୁବକମାନେ, ପଥର ଫିଙ୍ଗିବା ତ ଦେଖିଲ । ଦୌଡିବା, ମଲ୍ଲଯୁଦ୍ଧ କରିବା ବା ଧନୁର୍ବିଦ୍ୟାରେ କେହି ମୋ ସହିତ ପ୍ରତିଯୋଗିତା କରିବାକୁ ଚାହିଁଲେ ଆସ । ଯୁଦ୍ଧରେ ମୋ ଅପେକ୍ଷା ଅଧିକ କୌଶଳୀ ଥିଲେ ଧନନବ । କିନ୍ତୁ ଅନ୍ୟସବୁଥିରେ, ମୁଁ ଦକ୍ଷ ଥିଲି । ଦେବତାଙ୍କ କଥା କହିପାରୁ ନାହିଁ । ହେଲେ ମାନବଙ୍କ ସ୍ତରରେ ଯିଏ ଚାହିଁବ ଲଢି କରି ଦେଖ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ