ରେବତୀ

ଶ୍ୟାମବନ୍ଧୁଟି ତ ବଡ ସିଧାସଳଖ ଲୋକ, ତେଣୁ ପ୍ରଜାମାନେ ତାଙ୍କୁ ବେଶ୍ ମାନନ୍ତି, ସୁଖ ବି ପା’ନ୍ତି । ଶ୍ୟାମବନ୍ଧୁ ବାପରେ ଧନରେ କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ, କାହାରିଠାରୁ ଅନ୍ୟାୟରେ ପଇସାଟିଏ ବି ସେ ନିଏ ନାହିଁ । ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ; କାହିଁକିନା ସେ ଶ୍ୟାମବନ୍ଧୁ ଚାରିଆଙ୍ଗୁଳି ଡାଳପତ୍ରରେ ଖଣ୍ଡେ ପାଉତି ଲେଖି ବଳେ ବଳେ ଚାଳରେ ଗୁଞ୍ଜି ଦେଇଯାଏ । ଜମିଦାର ପିଆଦା ଆସିଲେ ଗାଁକୁ ତାକୁ ଛାଡେ ନାହିଁ, ବରଂ ଆପେ ହାତ ଓଠ ଧରି ଧୂଆଁଖିଆ ଦୁଇ ପଇସା ଅଂଟାରେ ଗୁଞ୍ଜି ଦେଇ ତାକୁ ବିଦା କରେ । ଶ୍ୟାମବନ୍ଧୁଙ୍କ ଘରେ ଖାଇବାକୁ କୁଟୁମ୍ବ ଚାରିଜଣ, ଆପେ ଦୁଇ ପରାଣୀ, ମା ବୁଢୀ, ଦଶ ବରଷର ଗୋଟିଏ ଝିଅ । ସେହି ଝିଅଟିର ନାମ ରେବତୀ । ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି ‘କୃପାସିନ୍ଧୁ ବଦନ’ ଗାଏ, ଆଉ ଆଉ ଭଜନ ଗାଏ, କେବେ କେବେ କାଠ ଦୀପରୁଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢେ, ସେତେବେଳେ ରେବତୀ ପାଖରେ ବସି ସେସବୁ ଶୁଣୁଥାଏ । ଏହିପରି ଭାବେ ସେ ମୁହେଁ ମୁହେଁ ଢେର୍ ଭଜନ ଶିଖିଗଲାଣି, ତାଛଡା ତା’ ପିଲା ମୁହଁକୁ ଭଜନଗୁଡିକ ବି ଖୁବ୍ ମାନେ । ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁର କୌଣସି କୌଣସି ଲୋକ ଆସି ଶୁଣନ୍ତି । ରେବତୀ ତ ତା’ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା, ସେଇଟି ଗାଇଲେ ଶ୍ୟାମବନ୍ଧୁ ବଡ ଖୁସି ହୁଏ । ତେଣୁ ପ୍ରତିଦିନ ବାପ ତା’ ଝିଅକୁ ଗାଇବାକୁ କହେ, ରେବତୀ ଗାଏ –

“କା’ ଆଗେ କରିବି ଗୁହାରି?

ତୁମେ ନ ଚାହିଁଲେ ନାଥ ଗରିବ ଯିବ ସରି ।

କର ବା ନ କର ତ୍ରାଣ                                          ପଦେ ସମର୍ପିଛି ପ୍ରାଣ

                                                              ହୃଦେ ଅଛି ତମ ନାମ ଧରି ।

                                                              ତୁମ୍ଭ ବିନା ତ୍ରିଜଗତ ଶୂନ୍ୟ ହେ ହରି ।

                                                              ଶୀତଳ କର ଜୀବନ ପ୍ରେମାମୃତ ଦାନ କରି ।”

                ଦୁଇ ବରଷ ତଳେ ସ୍କୁଲ୍ ଡେପୁଟି ଇନ୍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ । ଗ୍ରାମର ମୁଖିଆ ମୁଖିଆ ଚାରିପାଂଚଜଣ ଲୋକ କୁହାପୋଛା କରିବାରୁ ଦିପୋଟିବାବୁ ଓଡିଶା ବିଭାଗର ଇନ୍ସପେକ୍ଟରଙ୍କଠାକୁ ରିପୋର୍ଟ କରି ଗୋଟିଏ ଅପର ପ୍ରାଇମେରୀ ସ୍କୁଲ୍ ସେହି ଗ୍ରାମରେ ବସାଇ ଦେଇଅଛନ୍ତି । ଶିକ୍ଷକ ବେତନ ମାସକୁ ଚାରି ଟଙ୍କା । ଏହି ଚାରି ଟଙ୍କା ସରକାରଙ୍କଠୁ ମିଳେ । ଏହାଛଡା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି । ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗର ଉତୀର୍ଣ୍ଣ ଛାତ୍ର, ନାମ ତାଙ୍କର ବାସୁଦେବ । ନାମଟି ଯେପରି ବାସୁଦେବ, ସେ ଲୋକଟା ମଧ୍ୟ ଠିକ୍ ସେହିପରି ବାସୁଦେବ । ସେ ଟୋକାଟାର ଭିତର ବାହାର ସବୁ ସୁନ୍ଦର । ଗାଁ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାରିକୁ ବି ସେ ଆଦୌ ଚାହେଁ ନାହିଁ । ବୟସ ଅନ୍ଦାଜ କୋଡିଏ । ସୁନ୍ଦର ରୂପ, ଯେମନ୍ତ ଗୋଟିଏ ଚାଉଳରେ ଗଢା ସେ । ପିଲାଦିନେ ତାକୁ ପିହୁଳା ରୋଗ ହୋଇଥିଲା ନା କ’ଣ । ତେଣୁ ତା’ ମା ତା ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା । ସେ ଚିହ୍ନ ଆଜିଯାଏଁ ବି ଅଛି । ବରଂ ସେ ଚିହ୍ନ ତାକୁ ଭାରି ମାନେ । ବାସୁଦେବ ପିଲାକାଳରୁ ମା’ ବାପଛେଉଣ୍ଡ, ତେଣୁ ସେ ତା’ମାମୁଘରେ ରହି ମଣିଷ ହୋଇଛି । ବାସୁଦେବ ଜାତିରେ କରଣ, ଶ୍ୟାମବନ୍ଧୁ ମଧ୍ୟ କରଣ । କେବେ ପୁନେଇଁ ଗୁରୁବାରରେ ଘରେ ପିଠାଟା ପଣାଟା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହିଆସେ, “ବାପା ବାସୁ! ସଞ୍ଜବେଳେ ଟିକେ ଆମ ଘରକୁ ଯିବ, ତୁମ ମାଉସୀ ଡାକିଅଛନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ