ରେବତୀ

ଏହିପରି ଯିବାଆସିବାରେ ସେମାନଙ୍କ ମଧ୍ୟରେ ଗୋଟାଏ ମାୟା ଲାଗିଗଲାଣି । ରେବତୀମା’ ବାସୁକୁ ଦେଖିଲେ କହେ, “ଆହା, ମା ଛେଉଣ୍ଡଟି କ’ଣ ଖାଏ, କିଏ ତା’ ଖାଇବା ଦେଖୁଛି ।” ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡିଏ ଅଧେ ବସି ଆସେ । ବାସୁକୁ ଦୂରରୁ ଦେଖିଲେ “ବାସୁଭାଇ ଅଇଲେ, ବାସୁଭାଇ ଅଇଲେ” ବୋଲି ରେବତୀ ପାଟି କରି ତା’ ବାପକୁ କହେ । ରେବତୀ ସଞ୍ଜବେଳେ ତା’ ବାପ ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନଗୁଡିକ ବାସୁକୁ ଶୁଣାଏ । ବାସୁକୁ ସେହି ସବୁ ଗୀତ ନୂଆ ନୂଆ ପରି ଲାଗେ । ଦିନେ ଏକଥା ସେକଥା ପଡୁ ପଡୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ୍ ଅଛି, ଯେଉଁଠାରେ କି କେବଳ ଝିଅମାନେ ହିଁ ପଢନ୍ତି, ଲୁଗାସିଆଁ ବି ଶିଖନ୍ତି । ସେହିଦିନଠାରୁ ରେବତୀକୁ ପାଠ ପଢାଇବାକୁ ଶ୍ୟାମବନ୍ଧୁଙ୍କର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ ସେ କହିଲେ । ବାସୁ ବି ଶ୍ୟାମବନ୍ଧୁଙ୍କୁ ପିତୃତୁଲ୍ୟ ମାନେ; ତେଣୁ ସେ କହିଲା, “ଆଜ୍ଞା, ମୁଁ ବି ସେହି କଥାଟା କହିବି କହିବି ବୋଲି ହେଉଥିଲି ।” ତା’ପରେ ସେ ଦୁଇଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢାଇବାର ସ୍ଥିର ହେଲା । ରେବତୀ ତ ସେତେବେଳେ ପାଖରେ ବସି ଏସବୁ ଶୁଣୁଥିଲା, ତେଣୁ ସେ ଦୁଇ ଚିଲାରେ ଘର ଭିତରକୁ ଯାଇ ମା’କୁ ଆଉ ଜେଜୀମାକୁ ଖବର ଦେଲା ଯେ, “ମୁଁ ପାଠ ପଢିବି, ମୁଁ ପାଠ ପଢିବି” । ଏକଥା ଶୁଣି ମା’ କହିଲେ, “ହଉ ହଉ ପଢିବୁ ।” କିନ୍ତୁ ଜେଜୀମା କହିଲେ, “ପାଠ କ’ଣ ଲୋ! ମାଇକିନିଆ ଝିଅଟା ପାଠ କ’ଣ? ରନ୍ଧାବଢା ଶିଖ, ପିଠାପଣା କରିବାକୁ ଶିଖ, ଝୋଟିଦିଆ ଶିଖ, ଦହିମୁହାଁ ଶିଖ, ପାଠ କ’ଣ?”

                ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବକାଠ ପିଢା ଉପରେ ବସି ଭାତ ଖାଉଅଛନ୍ତି, ରେବତୀ ମଧ୍ୟ ତାଙ୍କ ସାଙ୍ଗରେ ବସି ଖାଉଅଛି । ବୁଢୀ ଆଗରେ ବସି ଭାତପୁଞ୍ଜାଏ ଆଣ, ଡାଲିପାଣି ଟିକିଏ ପକେଇ ଯା, ଲୁଣ ଟିକିଏ ଦେ’ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି । କଥାରେ କଥାରେ ବୁଢୀ କହି ବସିଲେ, “ହଁ ରେ ଶ୍ୟାମ! ରେବୀ ପାଠ ପଢିବ – ପାଠ କଣରେ, ତିରିଲାଝିଅର ପାଠପଢା ଗୋଟେ କ’ଣ?” ଏପରି କଥା ଶୁଣି ଶ୍ୟାମବନ୍ଧୁ କହିଲେ, “ହେଉ, କହୁଛି ତ ପଢୁ । ଝଙ୍କଡ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲିପାରନ୍ତି, ବୈଦେହୀଶ ବିଳାସ ଛାନ୍ଦ ବି ଗାଆନ୍ତି ।” ସବୁ ଶୁଣି ରେବତୀ ଭାରି ଖପା ହୋଇଯାଇ ଜେଜୀମାକୁ ଗାଳି ଦେଇ କହିଲା, “ଯା ଲୋ ବୁଢୀ ଡୁଗୁରୀଟା ।” ତାହା ବାଦ୍ ଅଳି କରି ସେ ରେବତୀ ତା’ ବାପାକୁ କହିଲା, “ନାଁ ବାଁପା, “ନାଁ ବାଁପା, ମୁଁ ପାଁଠଁ ପଁଢିଁବିଁ ।” ଝିଅର କଥା ଶୁଣି ଶ୍ୟାମବନ୍ଧୁ କହିଲେ, “ହଁ – ହଁ – ତୁ ନିଶ୍ଚୟ ପଢିବୁ ।” ସେଦିନ କଥା ଏତିକି ।

                ତହିଁ ଆରଦିନ ଉପରଓଳି ବାସୁଦେବ ସୀତାନାଥବାବୁଙ୍କ ପ୍ରଥମପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ ଖୁସି ହୋଇ ବାପା ପାଖରେ ବସି କିତାବର ମୂଳ ପୁଡାଠାରୁ ଶେଷପୁଡାଯାଏଁ ଓଲଟାଇ ଓଲଟାଇ ଦେଖିଲା । ସେଥିରେ ହାତୀ, ଘୋଡା, ଗୋରୁ ଇତ୍ୟାଦିର ଛବି ଦେଖି ସେ ଭାରି ଖୁସି ହୋଇଗଲା । ରଜାମାନେ ହାତୀ, ଘୋଡା ବାନ୍ଧି ଖୁସି ହୁଅନ୍ତି, କେହି ହାତୀ, ଘୋଡା ଚଢି ଖୁସି ହୁଏ, ମାତ୍ର ଆମ୍ଭ ରେବୀ କେବଳ ଛବିଟା ଦେଖି ଏତେ ଖୁସି । ରେବୀ ଧାଇଁଯାଇ ମା’କୁ ସେ କିତାବର ଛବି ସବୁ ଦେଖେଇଲା; ତାହା ବାଦ୍ ଜେଜୀମାକୁ ଦେଖେଇଲା । ଜେଜୀମା କିଂଚିତ ବିରକ୍ତ ହୋଇ କହିଲା, “ହଁ ଯା ଯା ।” ତା’ପରେ ରେବୀ ତାହାକୁ ‘ଦୂର ଦୂର’ ଗାଳି ଦେଇ ସେଠାରୁ ଫେରି ଆସିଲା ।

                ଆଜି ଦିନଟି ଭଲ – ଶ୍ରୀପଂଚମୀ । ରେବତୀ ସକାଳୁ ବୁଡ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଅଛି; ବାସୁଭାଇ ଆସିଲେ କିତାବ ପଢାଇ ଦେବ । ଏଣେ ସେ ବୁଢୀ ଭୟରେ ବିଦ୍ୟାରମ୍ଭର ଆୟୋଜନ କିଛି ବି ହୋଇ ନାହିଁ । ବେଳ ଛ’ ଘଡି ସମୟରେ ବାସୁ ଯାଇ ପଢାଇଦେଲା, ସ୍ୱରେ-ଅ, ସ୍ୱରେ- ଆ, ହ୍ରସ୍ୱ–ଇ, ଦୀର୍ଘ–ଈ, ହ୍ରସ୍ୱ–ଉ, ଦୀର୍ଘ–ଊ; ଇତ୍ୟାଦି । ଏହିପରି ଭାବେ ପ୍ରତିଦିନ ପଢା ଚାଲିଲା, ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢେଇ ଦିଏ । ଦୁଇ ବରଷ ମଧ୍ୟରେ ରେବତୀ ଢେର୍ ପଢିଗଲାଣି । ମଧୁରାଓଙ୍କ ଛାନ୍ଦମାଳା ପଢିଯିବାବେଳେ ତା (ରେବତୀ) ତୁଣ୍ଡରେ ଆଦୌ ବାଟୁଳି ବାଜେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ