ରେବତୀ

                ଦିନ ଚାଲିଯାଏ, କାହାରି ଲାଗି ତ ଆଉ ଦିନ ବସି ରହେ ନାହିଁ । କାହାର ପାଲିଙ୍କି ଉପରେ ପାଟଛତା, ତ ଆଉ କାହାରି ବେଡି ଉପରେ କୋରଡା । ଦିନ ଯାଉଛି ସମସ୍ତଙ୍କର, ଯିବ ବି ସମସ୍ତଙ୍କର । ଏଣେ ଦେଖୁଁ ଦେଖୁଁ ତିନିମାସ କାଟିଗଲାଣି । ଶ୍ୟାମବନ୍ଧୁ ଘରେ ଯେଉଁ ଦୁଇଗୋଟି ଗାଈ ଥିଲେ, ତହବିଲ ବାକୀ ଟଙ୍କା ସକାଶେ ଜମିଦାର ଘର ଲୋକେ ଆସି ସେ ଗାଈଦୁଇଟିକୁ ବାନ୍ଧି ଘେନିଗଲେ । ଆମ୍ଭେମାନେ ଜାଣୁ, ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବନିର୍ମାଲ୍ୟ ପରି ଜ୍ଞାନ କରେ, ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରିରେ ପୈଠ ନ କରିବାଯାଏଁ ତାହାର ଆଖିରେ ନିଦ ଆଦୌ ନ ଥାଏ । ମାତ୍ର ତାହା ଅର୍ଥାତ୍ ସେ ଶ୍ୟାମବନ୍ଧୁ ଉପରେ ଟଙ୍କା ଥାଉ ବା ନ ଥାଉ ତା’ ଗାଈ ଦିଓଟି ବଡ ଦୁଧିଆଳୀ, ଏକଥା ବହୁ ପୂର୍ବରୁ ତ ଜମିଦାରଙ୍କୁ ଜଣାଥିଲା । ଏହା ଛଡା ଜମିଦାର ଚଷିବାକୁ ଯେଉଁ ତିନିମାଣ ଜମି ଶ୍ୟାମବନ୍ଧୁକୁ ଦେଇଥିଲେ ତାହା ବି ସେ ଛଡାଇ ନେଲେଣି । ଏପରି ପରିସ୍ଥିତିରେ ସେ ହଳିଆଟା ବା ଘରେ ଆଉ କିଆଁ ରହିବ? ଦୋଳପୂର୍ଣ୍ଣିମା ଦିନ ସେ ମଧ୍ୟ ଛାଡିଗଲା । ବଳଦ ଦୁଇଟା ସାଢେ ସତର ଟଙ୍କାରେ ବିକାଯାଇଥିଲା, ସେ ଦୁଇଜଣଙ୍କ କ୍ରିୟାରେ ସବୁ ଖରଚ ଯାଇ ଯାହା ବି କିଛି ବଳିଥିଲା, ସଟାବଟା କରି ମାସେ ଚଳିଲା । ଆଜି ଢାଳଟା କାଲି ପିତଳଟା, ସଟାବଟା ବନ୍ଧାଛନ୍ଦାରେ ଆଉ ମାସେ ଗଲା । ବାସୁ ଦୁଇ ଓଳି ଦୁଆରକୁ ଆସେ, ରାତି ଘଡିଏଯାଏଁ ଥାଏ, ଜେଜୀମା ନାତୁଣୀ ଶୋଇବାକୁ ଗଲେ ବାସୁ ବି ତା’ ବସାକୁ ଯାଏ । ବାସୁ କିଛି ଟଙ୍କାପଇସା ଦେଲେ ଜେଜୀମା ବା ନାତୁଣୀ କେହି କିଛି ବି ନିଅନ୍ତି ନାହିଁ । ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡିଥାଏ । ବାସୁ ଏସବୁ ଜାଣିପାରି ଆଉ କିଛି ବି ଦିଏ ନାହିଁ । ବୁଢୀ ପାଖରୁ ଗୋଟାଏ ଦୁଇଟା ପଇସା ନେଇ ସଉଦା କିଣିଦିଏ, ସେହି ଦୁଇ ପଇସାର ସଉଦାରେ ଆଠ ଦଶଦିନ ଚଳିଯାଏ । ତେଣେ ସେ ଘରର ଚାଳ ଉଡି ଗଲାଣି, ତେଣୁ ଛାଉଣି ଦରକାର । ବାସୁ ଦୁଇଟଙ୍କାର ନଡା କିଣି ବାଡିରେ ଗଦେଇ ଅଛି, ଶରଣ ହେବାରୁ ଛପରବନ୍ଦି ହୋଇପାରି ନାହିଁ । ବୁଢୀ ଏବେ ଆଉ ଦିନ ରାତି ବସି କାନ୍ଦେ ନାହିଁ । କେବଳ ସଞ୍ଜ ହେଲେ ବସି କାନ୍ଦେ । କାନ୍ଦି କାନ୍ଦି ତଳେ ପଡିଯାଏ, ସେହିଠାରେ ରାତି କାଟେ । ରେବତୀ ଧକେଇ ଧକେଇ ପାଖରେ ପଡିଯାଏ । ବୁଢୀ ଆଖିକି ଏବେ ଆଉ ଭଲ ଭାବେ ଦିଶୁ ନାହିଁ; ବାୟାଣୀ ପରି ସେ ହୋଇଗଲାଣି । ଏବେ କାନ୍ଦିବାର ଊଣା କରି ସେ ଖାଲି ରେବତୀକୁ ଗାଳିଦେବାକୁ ଆରମ୍ଭ କରିଛି । ଏତେ ଯେ ଦୁଃଖ, ଏତେ ଯେ ଦୁର୍ଦ୍ଦଶା ସବୁର ମୂଳ କାରଣ ରେବତୀ, ଏହା ସେ ମନ ମଧ୍ୟରେ ସ୍ଥିରସିଦ୍ଧାନ୍ତ କରିସାରିଲାଣି । ରେବତୀ ପାଠ ପଢିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡିଗଲା, ବଳଦ ବିକାଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା । ରେବତୀ କୁଲକ୍ଷଣୀ, ସେ କୁଢଙ୍ଗୀ, ସେ ଲକ୍ଷ୍ମୀହୁଡୀ । ବୁଢୀ ଆଖିକି ଯେ ଆଉ ମୋଟେ ଦିଶୁ ନାହିଁ, ତାହାର କାରଣ ରେବତୀର ପାଠପଢା । ବୁଢୀ ଏପରି ଗାଳିଦେବା ବେଳେ ରେବତୀ ଆଖିରୁ ଦୁଇଧାରା ବହିଯାଉଥାଏ, ଏମିତିକି ଡରରେ ବୁଢୀ ପାଖରେ ସେ ଆଉ ଛିଡା ହୋଇପାରେ ନାହିଁ । ବାଡିଦୁଆରେ ନୋହିଲେ ଘର କୋଣରେ ମୁହଁ ଘୋଡାଇ କାଠଟି ଧରି ସେ ବସିଥାଏ । ଏଠାରେ ବାସୁ ମଧ୍ୟ ଦୋଷୀ, କାରଣ ରେବତୀ ତ ଏତେଦିନଯାଏଁ ପଢୁ ନ ଥିଲା, ସେହି ଆସି ସିନା ପଢାଇଦେଲା । ମାତ୍ର ଏ ବୁଢୀ ବାସୁକୁ କିଛି ବି କହିପାରେ ନାହିଁ, ବାସୁ ନ ହେଲେ ତାଙ୍କ ଘର ଦଣ୍ଡେ ଅଚଳ, ପୁଣି ଜମିଦାର ଘର ଲଟ ଛିଡି ନାହିଁ । ଜମିଦାର ଘର ଲୋକ ଆସି ଆଜି ଏ ହିସାବଟା, କାଲି ସେ ହିସାବଟା ମାଗେ । ବାସୁ ନ ହେଲେ ପାଞ୍ଜିବିଡାରୁ ପଢି ପତର କାଢିଦେବ କିଏ? ତଥାପି ବାସୁ ନ ଥିଲାବେଳେ ସେ ସହଜ କଥାରେ କେବେ କେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ । ରେବତୀ ଆଉ ଏଣିକି ପିଲା ନୁହେଁ । ତାହା ପାଟି ଆଉ କେହି ବି ଶୁଣି ନାହିଁ । ବାପ ମାଆ ଗଲାଦିନୁ ତାକୁ ସେ ଦାଣ୍ଡଦୁଆରେ ଆଉ କେହି କେବେ ବି ହେଲେ ଦେଖି ନାହିଁ । କେତେଦିନଯାଏଁ ଭୋ-ଭୋ କରି ଡକାପାଡୁଥିଲା, ଏବେ ଆଉ ପାଟି କରି ସେ କାନ୍ଦେ ନାହିଁ, ମାତ୍ର ଦିବାରାତ୍ର ଆଉ ଆଖିରୁ ପାଣି ଶୁଖିବାକୁ ନାହିଁ ତାର । ତାହାର କ୍ଷୁଦ୍ରପ୍ରାଣ – ତହିଁରୁ ଅତିକ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗିଯାଇଅଛି । ତା ପକ୍ଷରେ ବର୍ତ୍ତମାନ ଦିନରାତି ସବୁ ସମାନ । ସୂର୍ଯ୍ୟରେ ଆଲୁଅ ନାହିଁ, କି ରାତିରେ ଅନ୍ଧାର ନାହିଁ । ସମସ୍ତ ଜଗତଟା ଯେପରି ତା’ଲାଗି ଶୂନ୍ୟ । କେବଳ ପିତାମାତାଙ୍କ ମୂର୍ତ୍ତି ତା’ ହୃଦୟ ପୂର୍ଣ୍ଣ କରିଅଛି । ମା ଏହିଠାରେ ବସିଅଛନ୍ତି, ବାପା ଚାଲିଯାଉ ଅଛନ୍ତି, ତାହା ଆଖିରେ କେବଳ ଏହି ଦୁଇଟା ଦିଶୁଅଛି । ବାପମା’ ମରିଯାଇଛନ୍ତି, ଆଉ ସେମାନେ ଯେ କେବେବି ଆସିବେ ନାହିଁ, ଏକଥା ସେ ଆଦୌ ବିଶ୍ୱାସ କରିପାରୁ ନାହିଁ । ସେ ରେବତୀ ପେଟରେ ଭୋକ ନାହିଁ, କି ଆଖିରେ ନିଦ ବି ନାହିଁ । ଦିବାନିଶି ଅନୁକ୍ଷଣ ପିତାମାତା ଧ୍ୟାନ । ଖାଲି ଯାହା ଜେଜୀମା ଡରରେ ସେ ରେବତୀ ଖାଇବାକୁ ବସେ । ଭୂଇଁରୁ ପ୍ରାୟ ଉଠେ ନାହିଁ ସେ । ଦେହରେ ହାଡ ଚମ ମାତ୍ର ଦୁଇଖଣ୍ଡ ଅଛି ତାର । କେବଳ ବାସୁଦେବ ଘରକୁ ଆସିଲେ ହିଁ ସେ ଉଠି ବସେ, ବଡ ବଡ ଆଖି ଦୁଇଟାରେ ଜଳଜଳ କରି ବାସୁକୁ କେବଳ ସେ ଚାହିଁଥାଏ, ବାସୁ ଅନାଇଲେ ସାନ ନିଃଶ୍ୱାସଟାଏ ପକାଇ ସେ ମୁଣ୍ଡ ପୋତିଦିଏ । ବାସୁ ପାଖରେ ଥିବାଯାଏଁ ରେବତୀ କେବଳ ତାକୁ ହିଁ ଚାହିଁ ରହିଥାଏ । ସେତେବେଳେ ତା’ର ଆଉ କିଛି ବି ଜ୍ଞାନ ନ ଥାଏ- ଆଖିରେ ବାସୁଦେବ, ଚିନ୍ତା ବାସୁଦେବ, ଏମିତିକି ତା’ର ସମସ୍ତ ହୃଦୟଟା ବାସୁଦେବମୟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ