ରୋଗୀକୁ ଭଲ ପାଅ ରୋଗକୁ ନୁହେଁ

                ଦିନକର କଥା । ଡାକ୍ତର ଏବଂ ସେ ଧର୍ମଯାଜକ ଦଳର ମୁଖ୍ୟ ‘ଫାଦର’ ଏକାଠି ବସି କଥା ହେଉଥାନ୍ତି । ଆଲୋଚନା ଚାଲିଥାଏ ନିଃସ୍ୱାର୍ଥ ସେବା କାହାକୁ କହନ୍ତି? ଆଲୋଚନା ଛଳରେ ଫାଦର କହିଲେ ଡାମିଏନ୍ ନାମରେ ଜଣେ ଧର୍ମଯାଜକଙ୍କ କଥା ।

                ମହାତ୍ମା ଡାମିଏନ୍ ଜଣେ ନିଃସ୍ୱାର୍ଥପର ଜନସେବୀ ଥିଲେ । ହାୱାଇ ଅନ୍ତର୍ଗତ ମୋଲାକାଇଠାରେ କୁଷ୍ଠରୋଗୀଙ୍କ ସେବା କରିବା ସକାଶେ ସେ ନିୟୋଜିତ ହୋଇଥିଲେ । ସେତେବେଳେ ତ କୁଷ୍ଠରୋଗୀ ମାନେ ସମାଜରେ ଅତ୍ୟନ୍ତ ଘୃଣ୍ୟ ବିବେଚିତ ହେଉଥିଲେ । କୃଷ୍ଠରୋଗକୁ ବଡ ରୋଗ ବୋଲି ଆଖ୍ୟା ଦିଆଯାଇ ଏହା ଈଶ୍ୱରଙ୍କ ଅଭିଶାପ ବୋଲି ମଧ୍ୟ କୁହାଯାଉଥିଲା । ସେଥିଲାଗି କୃଷ୍ଠରୋଗୀମାନଙ୍କୁ ସମାଜରୁ ବିତାଡିତ କରାଯାଇ ବିଭିନ୍ନ ଦ୍ୱୀପାଂଚଳକୁ ପଠାଇ ଦିଆଯାଉଥିଲା । ସେଠାରେ ସେମାନେ ଅତି ଦୟନୀୟ ଭାବରେ ବହୁ କଷ୍ଟ ସହି ମରଣ ମୁହଁରେ ପଡୁଥିଲେ ।

                ଠିକ୍ ଏତିକିବେଳେ ଡାମିଏନ୍ ସେହି ହାୱାଇ ଦ୍ୱୀପରେ ପହଁଚି କୁଷ୍ଠରୋଗୀଙ୍କୁ ଏକାଠି କରି ସେମାନଙ୍କ ସେବା ଶୁଶ୍ରୂଷାରେ ଲାଗିଗଲେ । କୁଷ୍ଠରୋଗୀମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ବୁଝାଇ ପ୍ରତ୍ୟେକେ ନିଜକୁ ପରିଷ୍କାର ରଖିବାକୁ ବି କହିଲେ । ପରିବେଶର ପରିମଳ ବ୍ୟବସ୍ଥାକୁ ମଧ୍ୟ ଉନ୍ନତ କଲେ ।

                ଏବେ ଯାଇ ସେ କୁଷ୍ଠରୋଗୀମାନେ ଡାମିଏନ୍ଙ୍କ ସେବାରେ ଟିକେ ଆଶ୍ୱସ୍ତ ହେଲେ । ସେମାନେ ଆଉ ନିଃସଙ୍ଗ ଜୀବନଯାପନ କରୁଥିବା କଥା ସମ୍ପୂର୍ଣ୍ଣ ଭୁଲିଗଲେ । ମନେ ମନେ ଭାବିଲେ ଈଶ୍ୱର ବୋଧହୁଏ ଦେବଦୂତ ଭାବରେ ଡାମିଏନ୍ଙ୍କୁ ଏଠାକୁ ପ୍ରେରଣ କରିଛନ୍ତି । ଡାମିଏନ୍ ମଧ୍ୟ ସେ କୁଷ୍ଠରୋଗୀଙ୍କ ସେବାରେ ନିଜକୁ ଏପରି ହଜେଇ ଦେଲେ ଯେ, କି ଭୋକଶୋଷ ବି ସେ ଭୁଲିଗଲେ ।

                ଦିନେ କୁଷ୍ଠରୋଗୀଙ୍କ ଘା’ସଫା କରିବା ପାଇଁ ଗରମପାଣି ପାତ୍ର ହାତରେ ଧରିଗଲାବେଳେ ଅସାବଧାନତାବଶତଃ ତାହା ତାଙ୍କ ତଥା ଡାମିଏନ୍ଙ୍କ ପାଦରେ ଢାଳି ହୋଇଗଲା । ମାତ୍ର ଆଶ୍ଚର୍ଯ୍ୟର କଥା, ଗରମପାଣିର ଚିଆଁ ବି ସେ ଅନୁଭବ କରିପାରିଲେ ନାହିଁ । ଏଥିରୁ ସେ ଜାଣିପାରିଲେ ଯେ, ନିଜେ କୁଷ୍ଠରୋଗରେ ଆକ୍ରାନ୍ତ ହୋଇଯାଇଛନ୍ତି । ସୁତରାଂ ତାଙ୍କର ଆନନ୍ଦର ଆଉ ସୀମା ରହିଲା ନାହିଁ । ସେ ମନେମନେ ଭାବିଲେ, ଯାହା ହେଉ ଏତେ ଦିନରେ ଈଶ୍ୱରଙ୍କର ଅପାର କରୁଣା ହେଲା । କାରଣ ମୁଁ କୁଷ୍ଠରୋଗୀମାନଙ୍କ ଭିତରୁ ଜଣେ ହୋଇଗଲି ।

ଏହା କହି ଫାଦର୍ କହିଲେ, “ଆଚ୍ଛା ଡାକ୍ତରବାବୁ, ଏବେ କୁହନ୍ତୁ ତ, ଡାମିଏନ୍ କ’ଣ ସତରେ ମହାନ୍ ନ ଥିଲେ?”

ସମସ୍ତ କାହାଣୀ ଶୁଣିସାରିଲା ପରେ ଡାକ୍ତର କଲିନ୍ସ କହିଲେ, “ଫାଦର! ମୁଁ ଆପଣଙ୍କ ସହିତ ଆଦୌ ଏକମତ ନୁହେଁ । କାରଣ ଡାମିଏନ୍ କୁଷ୍ଠରୋଗୀଙ୍କୁ ଭଲ ପାଇବା ସହିତ କୁଷ୍ଠରୋଗକୁ ମଧ୍ୟ ଭଲ ପାଇଲେ । ସତର୍କତା ଅବଲମ୍ବନ ନ କରିବାରୁ ଶେଷରେ ସେ ନିଜେ ମଧ୍ୟ ସେହି ରୋଗରେ ପୀଡିତ ହୋଇଗଲେ । ଏହାଦ୍ୱାରା ତାଙ୍କଠାରୁ ସେବା ଆଉ ଅଧିକ ଦିନ ପାଇବାରୁ କୁଷ୍ଠରୋଗୀମାନେ ବଂଚିତ ହେଲେ । କାରଣ କୁଷ୍ଠରୋଗୀଙ୍କ ସହିତ ଡାମିଏନ୍ଙ୍କ ଜୀବନଦୀପ ଅକାଳରେ ଲିଭିଯାଇଥିବ ।”

ସୁତରାଂ ଆମକୁ ପ୍ରକୃତ ସେବା ଦେବାକୁ ହେଲେ, ରୋଗୀକୁ ଭଲ ପାଇବାକୁ ହେବ, ରୋଗକୁ ନୁହେଁ । ଏହାହିଁ ହେଉଛି ସେବାର ମୂଳତତ୍ତ୍ୱ ।


ଗପ ସାରଣୀ

ତାଲିକାଭୁକ୍ତ ଗପ