ରୋଗ

                ତା’ପରେ ନାଗରାଜ କହିଲେ “କହିବି ଆଉ କ’ଣ? ସମସ୍ତେ ତ ପ୍ରାୟ ଦୁଷ୍ଟ ପ୍ରକୃତିର ଲୋକ । ଏହି ନଗରୀରେ ମୋ କୋଠା ସବୁଠାରୁ ବଡ ଥିଲା । କିନ୍ତୁ ଏବେ ବରାହସେଠ ନାମକ ଜଣେ ଲୁଗା ବେପାରୀ ଅପର୍ଯ୍ୟାପ୍ତ ଟଙ୍କା ଆୟ କରି ମୋ କୋଠା ଠାରୁ ବି ଅଧିକ ବଡ ଏକ କୋଠା ବନାଇ ରହିଛି । ତା’ର ତ ସବୁ ଦିଗରୁ ଆନନ୍ଦହିଁ ଆନନ୍ଦ ।”

                ସାଧୁ ପଚାରିଲେ “ତୁମର କେହି ବନ୍ଧୁବାନ୍ଧବ ଅଛନ୍ତି?” ତହୁଁ ସେ ନାଗରାଜ କହିଲେ “ତାଙ୍କ କଥା ନ କହିଲେହିଁ ଭଲ । ତାଙ୍କ ନାମ ଶୁଣିଲେ ରାଗରେ ମୋର ଛାତି ଫାଟି ଯାଏ । ଏଇ ପାଖ ଗ୍ରାମରେ ଜଣେ ଅଛି । ସେ ସଦାବେଳେ ଚାହୁଁଛି ଆମେ ସ୍ୱାମୀ ସ୍ତ୍ରୀ କିପରି ମରିଯିବୁ ଓ ଆମ ସମ୍ପତ୍ତି ସେ ହସ୍ତଗତ କରିବ । ସେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେତୁ ମରୁନାହିଁ କାହିଁକି?”

                ସାଧୁ ନାଗରାଜଙ୍କୁ ଆଉ ଅଧିକ ପ୍ରଶ୍ନ ନ ପଚାରି କିଛି ସମୟ ପର୍ଯ୍ୟନ୍ତ ଆଖି ବନ୍ଦ କରି ଧ୍ୟାନସ୍ଥ ହେଲେ । ତା’ପରେ ସେ କହିଲେ, “ତୁମେ ଦୁହେଁ କିଛିଦିନ ତୀର୍ଥଯାତ୍ରା କର । ଦେଖିବ ତୁମ ରୋଗ ଅବଶ୍ୟ ଭଲ ହୋଇ ଯିବ ।”

                ସାଧୁଙ୍କ ନିର୍ଦ୍ଧେଶ ଅନୁସାରେ ନାଗରାଜ ଦମ୍ପତ୍ତି ଛଅମାସ ଧରି ତୀର୍ଥକ୍ଷେତ୍ରସବୁ ବୁଲି ଫେରି ଆସିଲେ । ସେହି ଛମାସ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଏକବାରେ ଭଲ ଥିଲା । ସାଧୁ ମଧ୍ୟ ତା’ପରେ ତୀର୍ଥ କରିବାକୁ ବାହାରିଗଲେ ।

                ଏଣେ ମାସକ ମଧ୍ୟରେ ନାଗରାଜ ପୁଣି ଅସୁସ୍ଥ ହୋଇ ପଡିଲେ । ମାସକ ପରେ ସାଧୁ ଫେରିବାରୁ ନାଗରାଜ ଓ ତାଙ୍କ ସ୍ତ୍ରୀ ସାଧୁଙ୍କୁ ଦେଖା କରିବାକୁ ଗଲେ ।

                “ତୀର୍ଥଯାତ୍ରା କିପରି ହେଲା? ଏବେ ତୁମର ସ୍ୱାସ୍ଥ୍ୟ କିପରି?” ସାଧୁ ତାଙ୍କୁ କୁଶଳ ପ୍ରଶ୍ନ ପଚାରିଲେ ।

                ତା’ପରେ ନାଗରାଜ କହିଲେ “କ’ଣ ଆଉ କହିବି । ଯେତେଦିନ ତୀର୍ଥ କରୁଥିଲି, ସେତେବେଳେ ମୁଁ ସଂପୂର୍ଣ୍ଣ ରୋଗମୁକ୍ତ ହୋଇଥିଲି; କିନ୍ତୁ ଘରକୁ ଫେରିବା ମାତ୍ରେ ସେହି ରୋଗ ଗୁଡିକ ପୁଣି ମାଡିବସି ମୋତେ ଅକାମୀ କରିଦେଲେ ।”

                ସାଧୁ କହିଲେ “ଔଷଧ ତେବେ ଘରେ ତିଆରି କର । ତୁମ ସ୍ତ୍ରୀକୁ ମୁଁ ବୁଝାଇ ଦେବି କିପରି ଔଷଧ ତିଆରି କରିବାକୁ ହେବ । ଏବେ  ତୁମେ କିଛି ସମୟ ପାଇଁ ଧ୍ୟାନ ମନ୍ଦିରରେ ଯାଇ ବସ ।”

                ନାଗରାଜ ସେଠାରୁ ଚାଲିଯିବା ପରେ ତାଙ୍କ ସ୍ତ୍ରୀଙ୍କୁ ସାଧୁ କହିଲେ, “ତୁମ ସ୍ୱାମୀଙ୍କର କୌଣସି ରୋଗ ନାହିଁ । ସେ ସର୍ବାପେକ୍ଷା ବଡ ଧନୀ ବୋଲି, ଭାବୁଛନ୍ତି ଯେ ସମସ୍ତେ ତାଙ୍କୁ ଇର୍ଷ୍ୟା କରୁଛନ୍ତି ଓ ସେମାନେ ସମସ୍ତେ ତାଙ୍କର ଶତ୍ରୁ । ସେଥି ପାଇଁ ତାଙ୍କ ମନରେ ଭୟ ଆସୁଛି ଏବଂ ସେଥିପାଇଁ ଶରୀରରେ ବ୍ୟଥା ହେଉଛି ।” ପୁଣି ଏବେ ଏହି ସହରକୁ ଆସିଥିବା ବରାହସେଠ ଅଧିକ ଧନ ଅର୍ଜ୍ଜନ କରିବାର ଭୟ ଅଛି । ତା’ପ୍ରତି ଉତ୍ପନ୍ନ ହେଉଥିବା ଇର୍ଷ୍ୟା ଯୋଗୁଁ ମନରେ ଶାନ୍ତି ନାହିଁ । ଭୟଙ୍କର ଦୁଃସ୍ୱପ୍ନ ପରି ବରାହସେଠ ଯେପରି ତାଙ୍କର ପିଛା କରୁଛି । ବନ୍ଧୁବାନ୍ଧବଙ୍କ ବିଷୟରେ ବି ସେହି ଏକା ସନ୍ଦେହ ଯେ ହୁଏତ କେହି ସମ୍ପତ୍ତି ଠକି ନେବ । ସନ୍ଦେହ, ଇର୍ଷ୍ୟା, ଦ୍ୱେଷ, ଭୟ, ପ୍ରଭୃତି ରୋଗର ମୂଳ କାରଣ । ଯେତେଦିନ ପର୍ଯ୍ୟନ୍ତ ସେ ସେସବୁଥିରୁ ମୁକ୍ତ ନହେବେ ସେତେଦିନ ପର୍ଯ୍ୟନ୍ତ ସେ ରୋଗମୁକ୍ତ ହେବେ ନାହିଁ । କାରଣ ଔଷଧ କିଛି କାମ କରିବ ନାହିଁ ।”

                ନାଗରାଜଙ୍କ ସ୍ତ୍ରୀ ସୁରମା ସାଧୁଙ୍କୁ ପଚାରିଲେ “ମହାଶୟ, ଏସବୁ କଥା ଆପଣ ନିଜେ ତାଙ୍କୁ ନକହି ମୋତେ କାହିଁକି ବୁଝାଇଲେ?”

                ତହୁଁ ସାଧୁ ଅଳ୍ପ ହସି କହିଲେ, “ଅନ୍ୟ କେହି ଲୋକ ନିଜର ଦୋଷ ତୃଟିକୁ ଦେଖାଇ ଦେଲେ ମଣିଷ କଦାପି ସହି ପାରେ ନାହିଁ । ବିଶେଷତଃ ତୁମ ସ୍ୱାମୀ ଯେପରି ସନ୍ଦେହୀ ଲୋକ, ସେ କେବେ ବି ମଧ୍ୟ ମୋ କଥା ବିଶ୍ୱାସ କରିବେ ନାହିଁ । ସେଥିପାଇଁ ତୁମକୁ ବୁଝାଇଲି ।”

                ସୁରମା କହିଲେ “କ୍ଷମା କରନ୍ତୁ ମହାଶୟ, ଆପଣ କୌଣସି ଔଷଧ କଥା କହୁଥିଲେ ସେ ବିଷୟରେ ଏବେ କୁହନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ