ଲୀଳାବତୀ ସୂତ୍ର ରଚନା କଥା

                ଭାସ୍କରାଚାର୍ଯ୍ୟଙ୍କ କନ୍ୟା ଲୀଳାବତୀ ଯେପରି ବୁଦ୍ଧିମତୀ ଥିଲେ ଠିକ୍ ସେପରି ସୁନ୍ଦରୀ ମଧ୍ୟ ଥିଲେ । ଅଙ୍କ ବିଦ୍ୟାରେ ତାଙ୍କ ପିତାଙ୍କଠାରୁ ବଳି ଅସାଧାରଣ ଜ୍ଞାନ ତାଙ୍କର ଥିଲା । ସେଥିଲାଗି ସେ ଆଜି ମଧ୍ୟ ବିଶ୍ୱରେ ନମସ୍ୟା ହୋଇଯାଇଛନ୍ତି ।

                ସେହି ଲୀଳାବତୀଙ୍କ ସମ୍ପର୍କରେ ଅନେକ ଆଶ୍ଚର୍ଯ୍ୟଜନକ କଥା ଅଛି । ସେଥିରୁ ଗୋଟିଏ ହେଲା – ଯେତେବେଳେ ତାଙ୍କର ବିବାହ ବୟସ ଉପସ୍ଥିତ ହେଲା, ପିତା ଭାସ୍କରାଚାର୍ଯ୍ୟ ଗଣନା କରି ଜାଣିପାରିଲେ ଯେ, ଲୀଳାବତୀ ବିବାହ ସିନା କରିବେ, ମାତ୍ର ଖୁବ୍ ଅଳ୍ପ ଦିନରେ ସେ ବିଧବା ହୋଇଯିବେ । ପୁନଶ୍ଚ ସେ ଗଣନା କରି ଜାଣିପାରିଲେ, ଯଦି ଠିକ୍ ଲଗ୍ନରେ ବିବାହ କାର୍ଯ୍ୟ ସମାପନ କରାଯାଏ, ତେବେ ବିଧବା ଦଶା କଟିଯାଇପାରେ । ସୁତରାଂ ସେ ଠିକ୍ ଲଗ୍ନରେ ବିବାହକାର୍ଯ୍ୟ ସମ୍ପନ୍ନ କରିବାକୁ ମନସ୍ଥ କଲେ ।

                ସେତେବେଳେ ତ ଆଉ ଆଜିକାଲି ପରି ସମୟ ଜାଣିବା ପାଇଁ ଘଂଟା ନ ଥାଏ । ତେଣୁ ଠିକ୍ ସମୟ ଜାଣିବା ନିମନ୍ତେ ଗୋଟିଏ ମାଠିଆରେ କଣାଟିଏ କରି ପାଣିପାତ୍ରରେ ତାହା ଭସାଇଦେଲେ । ସେହି କଣାବାଟେ ମାଠିଆ ଭିତରକୁ ପାଣି ଧୀରେ ଧୀରେ ପଶି ଯେତେବେଳେ ଭର୍ତ୍ତି ହୋଇଯିବ, ସେତେବେଳେ ଏହା ବିବାହର ଠିକ୍ ସମୟ ବୋଲି ଧରାଯିବ ।

                ହେଲେ ବିଧିର ବିଧାନ ତ ବଡ ବିଚିତ୍ର । ସେଦିନ ଅଳଙ୍କାର ପିନ୍ଧି ଲୀଳାବତୀ କାହିଁକି ମାଠିଆ ଭିତରକୁ ଚାହିଁଦେଲେ । ଠିକ୍ ଏତିକିବେଳେ ତାଙ୍କ ମଥାମଣିରୁ ମୁକ୍ତାଟିଏ ଖସି ସେ ମାଠିଆ ଭିତରେ ପଡି ଛିଦ୍ରଟିକୁ ବନ୍ଦ କରିଦେଲା । ଫଳରେ ସେଇଠି ପାଣି ଅଟକିଗଲା । ସୁତରାଂ ସେ ମାଠିଆ ଆଉ ଜଳପୂର୍ଣ୍ଣ ହେଲା ନାହିଁ । ଜଳପୂର୍ଣ୍ଣ ନ ହେବାର କାରଣ ପରେ ଜଣାପଡିଲେ ମଧ୍ୟ ସେତେବେଳକୁ ଆଉ କିଛି ବି ଉପାୟ ନ ଥିଲା । ଶେଷରେ ବାହାଘର କାର୍ଯ୍ୟ ସମ୍ପନ୍ନ ହେଲା ।

ସତକୁ ସତ ବିବାହର ଖୁବ୍ ଅଳ୍ପଦିନ ପରେ ଲୀଳାବତୀ ବିଧବା ହୋଇଗଲେ । ତା’ପରେ ସେ ତାଙ୍କ ବାପଘରକୁ ଫେରିଆସି ଲାଗିଗଲେ ଗଣିତ ଓ ବୀଜଗଣିତ ସୂତ୍ର ଲେଖିବାରେ । ଏଥିପାଇଁ ପିତା ଭାସ୍କରାଚାର୍ଯ୍ୟ ତାଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ମଧ୍ୟ ଯୋଗାଇଦେଲେ । ଦିନ ଦିନ ମାସ ମାସ ଧରି ବାପ ଝିଅ ଦୁହେଁ ଗଣିତ ଉପରେ ବିଭିନ୍ନ ଆଲୋଚନା କରି ତାର ସମାଧାନ ପାଇଁ ସରଳ ସୂତ୍ରମାନ ନିର୍ଦ୍ଧାରଣ କରିବାରେ ବ୍ୟସ୍ତ ରହିଲେ । ଗଣିତସୂତ୍ର ପୁସ୍ତକ ଲେଖି ଲୀଳାବତୀ ବେଶ୍ ଖ୍ୟାତି ଅର୍ଜନ କଲେ । ପରବର୍ତ୍ତୀ କାଳରେ ଏହା ଲୀଳାବତୀ ସୂତ୍ର ନାମରେ ନାମିତ ହେଲା । ଯଦ୍ୱାରା   କଠିନ ଗଣିତଗୁଡିକ ଏହି ସରଳ ସୂତ୍ର ଦ୍ୱାରା ଅତି ସହଜରେ ସମାଧାନ କରିହେଲା । ଏବେ ଏହି ସୂତ୍ରଗୁଡିକ ବିଭିନ୍ନ ଭାଷାରେ ଅନୁବାଦିତ ହେଲାଣି ।


ଗପ ସାରଣୀ

ତାଲିକାଭୁକ୍ତ ଗପ