ଲୋଭୀ କିଏ?

 ଦିନେ ଆକବର ଠିକ୍ କଲେ ଦରବାରରେ ଥିବା ପାରିଷଦବର୍ଗ ଏବଂ କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏକ ଭୋଜି ଦେବେ । ସେଥିପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହେଲା । ଭୋଜିଦିନ ନିର୍ଦ୍ଧାରିତ ସମୟରେ ସମସ୍ତେ ଆସି ଗୋଟିଏ ସ୍ଥାନରେ ରୁଣ୍ଡ ହେଲେ । ପ୍ରକୃତପକ୍ଷେ ରାଜା ଆକବରଙ୍କ ଦ୍ୱାରା ପ୍ରଦତ୍ତ ଏହି ଭୋଜିଟି ଭଗବାନଙ୍କ ଉଦ୍ଧେଶ୍ୟରେ ସମର୍ପିତ ଥିଲା । ରାଜାଙ୍କର କର୍ମଚାରୀମାନେ ସମସ୍ତେ ସୂଚାରୁ ରୂପେ ସେମାନଙ୍କର କାର୍ଯ୍ୟ ସଂପାଦନ କରୁଥାଆନ୍ତି । ସମସ୍ତଙ୍କର ଇଚ୍ଛା ସେମାନେ କିପରି ରାଜାଙ୍କର ଦୃଷ୍ଟି ଆକର୍ଷଣ କରିବେ । କିନ୍ତୁ ମହାରାଜ ଆକବରଙ୍କ ଦୃଷ୍ଟି ସବୁ ସମୟରେ ବିରବଲଙ୍କ ଉପରେ ଥାଏ । ବିରବଲ ମଧ୍ୟ ରାଜାଙ୍କ ପାଖରେ ବସି ସମସ୍ତ କାର୍ଯ୍ୟ ତଦାରଖ କରୁଥାଆନ୍ତି । ସମୟେ ସମୟେ ବିରବଲ ମଧ୍ୟ ରାଜାଙ୍କର ମନୋରଂଜନ ପାଇଁ ଛୋଟ ଛୋଟ କୌତୁକିଆ କାହାଣୀମାନ ଶୁଣାଉଥାଆନ୍ତି ।

         ଭୋଜି ଖାଇସାରିବା ପରେ ସମସ୍ତଙ୍କୁ ଫଳ ଖାଇବାକୁ ଦିଆଗଲା । ଆକବର ଓ ବିରବଲଙ୍କ ପାଖରେ ମଧ୍ୟ ଏକ ପାତ୍ରରେ ଫଳ ରଖାଯାଇଥିଲା । ସେମାନେ ପରସ୍ପର କଥାବାର୍ତ୍ତା ହେବା ସଂଗେ ସଂଗେ ଫଳ ଖାଉଥାଆନ୍ତି । ଆକବର ଫଳ ଖାଇବା ପରେ ଫଳର ମଂଜିକୁ ବାହାର କରି ପାଖରେ ଥିବା ଏକ ପାତ୍ରରେ ରଖୁଥାଆନ୍ତି । ଏକଥା କିନ୍ତୁ ବିରବଲଙ୍କୁ ଜଣା ନଥାଏ । ଆକବର ମନେ ମନେ ବିରବଲଙ୍କୁ ପରୀକ୍ଷା କରିବା ପାଇଁ ଏକ ଉପାୟ କଲେ । ବିରବଲ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ଆକବର ତାଙ୍କ ପାଦଦ୍ୱାରା ପାତ୍ରଟିକୁ ଘୁଂଚାଇ ଘୁଂଚାଇ ଆଣି ବିରବଲଙ୍କ ପାଦତଳେ ରଖିଦେଲେ । ବିରବଲଙ୍କୁ କହିଲେ – “ସତରେ ବିରବଲ! ତୁମେ କେତେ ଫଳ ଖାଇସାରିଲଣି?” ଆକବରଙ୍କ କଥାଶୁଣି ବିରବଲ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । କିପରି ଦରବାରରେ ସମସ୍ତଙ୍କୁ ସାମ୍ନା କରିବେ ଜାଣି ପାରିଲେ ନାହିଁ । ହଠାତ୍ ତାଙ୍କ ମୁଣ୍ଡକୁ ଏକ ଉପାୟ ଆସିଲା । ସେ ସଂଗେ ସଂଗେ କହିଲେ – “ମହାରାଜ! ମୁଁ ମାନୁଛି ଯେ ମୁଁ ଏକ ଲୋଭୀ । କିନ୍ତୁ ଆପଣଙ୍କ ଠାରୁ କମ୍ । ମୁଁ ତ’ ହେଲେ ଫଳ ଖାଇ ସାରିବା ପରେ ମଂଜି ବାହାର କରି ଏଠାରେ ରଖିଛି ହେଲେ ଆପଣ ଫଳ ଖାଇବା ସଂଗେ ସଂଗେ ମଂଜି ମଧ୍ୟ ଖାଇ ଦେଇଛନ୍ତି । ମୋତେ କ’ଣ ଲୋଭୀ କହୁଛନ୍ତି ।” ବିରବଲଙ୍କ କଥା ଶୁଣି ଦରବାରରେ ସମସ୍ତେ ହସି ଉଠିଲେ । ମହାରାଜ ନିଜେ ମଧ୍ୟ ବିରବଲଙ୍କର ବୁଦ୍ଧିକୁ ପ୍ରଶଂସା ନକରି ରହିପାରିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ