ଲୋଭୀ ବୈଦ୍ୟ

ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ଗଙ୍ଗାଦାସ ନାମକ ଜଣେ ବୈଦ୍ୟ ବାସ କରୁଥିଲେ । ସେ ଜଣେ ଦକ୍ଷ ଚିକିତ୍ସକ ଥିଲେ କିନ୍ତୁ ସେ ବଡ ଲୋଭୀ ପ୍ରକୃତିର ଥିଲେ । ଗରିବ ଲୋକଙ୍କ ପ୍ରତି ତାଙ୍କ ମନରେ ତିଳେ ମଧ୍ୟ ଦୟାଭାବ ନଥିଲା । ଚିକିତ୍ସା ପାଇଁ ତାଙ୍କ ପାଖରେ ଯିଏ ପହଁଚୁଥିଲା, ସେ ତା’ ପାଖରୁ ପ୍ରଚୁର ଅର୍ଥ ଆଦାୟ କରୁଥିଲେ ।

                ସେଥିପାଇଁ ଲୋକମାନେ ତାଙ୍କ ପାଖକୁ ଚିକିତ୍ସା ନିମନ୍ତେ ଯିବାକୁ ଭୟ କରୁଥିଲେ । କିନ୍ତୁ ସେହି ଗ୍ରାମର କୋଡିଏରୁ ପଚିଶ କୋଶ ଦୂରତା ମଧ୍ୟରେ ଆଉ କେହି ବୈଦ୍ୟ ନଥିଲେ । ଏଣୁ ସେଠିକା ଲୋକମାନେ ନିରୁପାୟ ଥିଲେ ।

                ସେହି ଗ୍ରାମରେ ରାମଦାସ ନାମକ ଜଣେ ଧନୀ ଲୋକ ରହୁଥିଲେ । ସେ ଖୁବ୍ ଦୟାଳୁ ଥିଲେ । ସେ ନିଜର ସାଧ୍ୟମତେ ଅନ୍ୟକୁ ସାହାଯ୍ୟ କରୁଥିଲେ । ତେଣୁ ଲୋକମାନେ ତାଙ୍କୁ ଖୁବ୍ ସମ୍ମାନ ଜଣାଉଥିଲେ । କିନ୍ତୁ ତାଙ୍କର ସୁନାମ ପ୍ରତି ଗଙ୍ଗାଦାସ ଭାରି ଈର୍ଷାନ୍ୱିତ ଥିଲେ । ସେ ଭାବୁଥିଲେ, ରାମଦାସ ଯୋଗୁଁ ତାଙ୍କର ସମ୍ମାନ ହାନି ହେଉଛି । ସେ ରାମନାଥଙ୍କୁ ଅପମାନିତ କରିବା ପାଇଁ ବହୁଥର ଚେଷ୍ଟା କଲେ । କିନ୍ତୁ ସବୁଥର ସେ ଅସଫଳ ହେଲେ ।

                କିନ୍ତୁ ଥରେ ଗଙ୍ଗାଦାସଙ୍କୁ ଗୋଟିଏ ଭଲ ମଉକା ମିଳିଲା । ରାମଦାସଙ୍କର ଏକମାତ୍ର ପୁତ୍ର ଅଚାନକ ବେମାରରେ ପଡିଲା । ପିଲାର ଅବସ୍ଥା ସଙ୍କଟାପନ୍ନ ଥିଲା । ଶେଷରେ ନିରୁପାୟ ହୋଇ ରାମଦାସ ଗଙ୍ଗାଦାସଙ୍କୁ ନିଜ ପୁତ୍ରର ଚିକିତ୍ସା ପାଇଁ ଡକାଇଲେ ।

ରାମଦାସ ଗଙ୍ଗାଦାସଙ୍କର ହାତ ଧରି ପକାଇ କହିଲେ, “ବୈଦ୍ୟ ମହାଶୟ, ଆପଣ ଜାଣୁଛନ୍ତି ଯେ, ସେ ମୋର ଏକମାତ୍ର ସନ୍ତାନ । ଯେ କୌଣସି ମତେ ତା’ର ଜୀବନ ରକ୍ଷା କରନ୍ତୁ । ଯାହା ଖର୍ଚ୍ଚ ହେବ, ମୁଁ ତାହା ଦେବି ।”

ତାଙ୍କ କଥା ଶୁଣି ଗଙ୍ଗାଦାସ କୃତ୍ରିମ ସହାନୁଭୂତି ଦେଖାଇ କହିଲା, “ରାମଦାସ ବାବୁ, ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଆପଣଙ୍କ ସ୍ୱଭାବ ଭଲଭାବେ ଜାଣିଛି । ତେଣୁ ମୁଁ ସବୁ ପ୍ରକାରେ ଚେଷ୍ଟା କରିବି । ପୁଅର ଚିକିତ୍ସା ପାଇଁ ମହାଘୃତ ବା ଶହେଏଗାର ବର୍ଷ ତଳର ପୁରୁଣା ଘିଅ ଦରକାର । କିମ୍ବା ସ୍ୱର୍ଣ୍ଣ ଶ୍ୟାମ ପ୍ରସ୍ତୁତ କରିବାକୁ ହେବ । ସେଥିପାଇଁ ଏକଶହ ଭରି ସୁନା ଦରକାର ।”

ବୈଦ୍ୟଙ୍କ ମୁଖରୁ ଏପରି କଥା ଶୁଣି ରାମଦାସଙ୍କର ଛାତି ହଠାତ୍ ଥରି ଉଠିଲା । ସେ ଗଙ୍ଗାଦାସର ଦୁଷ୍ଟବୁଦ୍ଧିକୁ ଅନୁମାନ କରି ପାରିଲେ । ତଥାପି ବିନୟ ହୋଇ ତାଙ୍କୁ କହିଲେ, “ମହାଶୟ, ମୁଁ ମୋର ସବୁ ସମ୍ପତ୍ତି ବିକ୍ରି କରି ଦେଲେ ମଧ୍ୟ ଏତେ ସୁନା ଯୋଗାଡ କରି ପାରିବି ନାହିଁ । ଆପଣ ଅନ୍ୟ କୌଣସି ଉପଚାର କରନ୍ତୁ ।”

ଗଙ୍ଗାଦାସ ନିର୍ଲିପ୍ତ ଭାବେ କହିଲେ “ଏହି ବେମାରୀର ଅନ୍ୟ କୌଣସି ଚିକିତ୍ସା ନାହିଁ । ଦେଖନ୍ତୁ ଆପଣଙ୍କ ଇଚ୍ଛା! ଆପଣ କ’ଣ ପାଖରେ ରଖିବାକୁ ଚାହୁଁଛନ୍ତି – ନିଜ ପୁଅର ଜୀବନ, କି’ ନିଜର ଧନ ସମ୍ପତ୍ତି!”

ରାମଦାସ ଜାଣିଥିଲେ ଯେ, ଗଙ୍ଗାଦାସ ପାଖରେ ମୁଣ୍ଡ ପିଟିଲେ ବି କିଛି ଫାଇଦା ମିଳିବ ନାହିଁ । କାହିଁକିନା ତା’ଙ୍କର ହୃଦୟ ପାଷାଣରେ ଗଢା । ତେଣୁ ସେ ଭଗବାନଙ୍କ ଉପରେ ଭରସା ରଖି ଏକଶହ ଭରି ସୁନା ଦେବାକୁ ପ୍ରସ୍ତୁତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ