ଲୋଭୀ ବୈଦ୍ୟ

ଏହି ଚିକିତ୍ସା ପାଇଁ ରାମଦାସଙ୍କର ସବୁ ଜମିବାଡି ଓ ଧନସମ୍ପତ୍ତି ବିକ୍ରି ହୋଇଗଲା । ଗଙ୍ଗାଦାସ ଚିକିତ୍ସା କଲାବେଳେ ଏପରି ଅଭିନୟ କରୁଥିଲେ, ସତେ ଯେପରି ସେ କଠିନ ପରିଶ୍ରମ କରି ତାଙ୍କ ପୁଅର ଜୀବନ ବଂଚାଉଛନ୍ତି । ଧୀରେ ଧୀରେ ପୁତ୍ର ସୁସ୍ଥ ହୋଇ ଉଠି ଚଲାବୁଲା କଲା ।

ଗଙ୍ଗାଦାସଙ୍କର ଅନ୍ୟାୟ କଥା ଚିନ୍ତା କଲାମାତ୍ରେ ରାମଦାସଙ୍କର ମନ ଘୃଣାରେ ପୂରି ଉଠୁଥିଲା । ସେ ପ୍ରତିଶୋଧ ନେଇ ଗଙ୍ଗାଦାସଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ମନସ୍ଥ କଲେ । ନଚେତ୍ ଏପରି ମାରାତ୍ମକ ଲୋଭର ବଶବର୍ତ୍ତୀ ହୋଇ ସେ ତାଙ୍କ ପରି ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେବେ । କିଛିଦିନ ପରେ ରାମଦାସ, ତାଙ୍କ ପତ୍ନୀ ଓ ପୁତ୍ର ସେହି ଗ୍ରାମ ଛାଡି ଅନ୍ୟତ୍ର ଚାଲିଗଲେ ।

ଗ୍ରାମର ସବୁଲୋକଙ୍କ ମଧ୍ୟରେ ପ୍ରଚାର ହୋଇଗଲା ଯେ, ରାମଦାସ ସୁଯୋଗ ଉଣ୍ଡି ଗଙ୍ଗାଦାସଙ୍କ ଉପରେ ପ୍ରତିଶୋଧ ନେବେ ଓ ତା’ର ସମସ୍ତ ଧନ ସମ୍ପତ୍ତି ଲୁଟିନେବେ । ରାମଦାସଙ୍କର ବିଶ୍ୱସ୍ତ ଲୋକମାନେ ଏପରି ପ୍ରଚାର କରୁଥିଲେ ।

ଲୋକଙ୍କର କଥା ଶୁଣି ଗଙ୍ଗାଦାସ ଖୁବ୍ ଭୟଭୀତ ହୋଇ ପଡିଲେ । କାରଣ ସେ ଗ୍ରାମଟି ବହୁତ ଛୋଟ ଥିଲା ଓ ଗ୍ରାମର କୌଣସି ଲୋକ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ନ ଥିଲେ ।

ସାରାରାତି ଚିନ୍ତା କରିବା ପରେ ଗଙ୍ଗାଦାସ ଗୋଟିଏ ନିଷ୍ପତି ନେଲେ । ସେ ତାଙ୍କର ସବୁ ଟଙ୍କା, ସୁନା ନେଇ ସହରର ସରକାରୀ କୋଷାଗାରରେ ରଖିଦେବା ପାଇଁ ନିଷ୍ପତି ନେଲେ । ନିଜର ଦୁଇଜଣ ବିଶ୍ୱସ୍ତ ନୌକରକୁ ସାଙ୍ଗରେ ଧରି ତା’ ପରଦିନ ସକାଳୁ ଗଙ୍ଗାଦାସ ସହର ଅଭିମୁଖେ ବାହାରିଲେ ।

ବାଟରେ ପାହାଡିଆ ଅଂଚଳ ଅତିକ୍ରମ କରିବା ବେଳକୁ କେତେ ଜଣ ଲୋକ ଗଙ୍ଗାଦାସ ଓ ତା’ଙ୍କର ଲୋକମାନଙ୍କୁ ଘେରିଗଲେ । ଚୋରମାନେ ପାଖାପାଖି କୋଡିଏ ଜଣ ଥିଲେ । ସେମାନେ ଗଙ୍ଗାଦାସ ଓ ତାଙ୍କର ଚାରିଜଣ ଲୋକଙ୍କୁ ଗୋଟିଏ ଗୁମ୍ଫା ମଧ୍ୟରେ ବନ୍ଦୀ କରି ରଖିଲେ । କିନ୍ତୁ ସେମାନେ ତାଙ୍କଠାରୁ ଟଙ୍କା ସୁନା ଛଡାଇ ନେଲେ ନାହିଁ । ଗଙ୍ଗାଦାସଙ୍କୁ ଏହି ଘଟଣା ବଡ ବିସ୍ମିତ କଲା ଓ ସେ ଜଣେ ଚୋରକୁ ପାଖକୁ ଡାକି କହିଲେ, “ଭାଇ, ମୋ ପାଖରେ ଅଳ୍ପ କିଛି ଟଙ୍କା ଅଛି । ସେତିକି ନେଇ ମୋତେ ଛାଡିଦିଅ ।”

ଚୋର ଉତ୍ତର ଦେଲା “ଆମ ନେତାଙ୍କର ଆଦେଶ ଅନୁସାରେ ସବୁ ହେବ ।”

ଗଙ୍ଗାଦାସ ପଚାରିଲେ “ଆଚ୍ଛା, ତାହେଲେ ଏପରି କଥା ତେବେ ମୋତେ ଖାଇବାକୁ ପିଇବାକୁ ଦେବ କି, ନାହିଁ ନା ଭୋକରେ ମାରିଦେବ?”

ଚୋର ବେଖାତିର ଢଙ୍ଗରେ ଉତ୍ତର ଦେଲା “ଆପଣଙ୍କର ଟଙ୍କା ବଦଳରେ ଆପଣଙ୍କୁ ସବୁ ମିଳି ପାରିବ ।”

ଗଙ୍ଗାଦାସ ଜାଣିବାକୁ ଚାହିଁଲେ  “କେତେ ଟଙ୍କା?”

ଚୋର ଜଣାଇଲା – “ଖାଇବା ପାଇଁ ଏକଲକ୍ଷ ଟଙ୍କା ଓ ପାଣି ପିଇବା ପାଇଁ ପଚାଶହଜାର ଟଙ୍କା”

ଏକଥା ଶୁଣିବା ମାତ୍ରେ ଗଙ୍ଗାଦାସ ଅଚାନକ ଚମକି ପଡିଲେ, ତା’ପରେ ସେ କ୍ରୋଧରେ  ଚିତ୍କାର କଲେ “ଖାଇବା ପାଇଁ ଏକଲକ୍ଷ ଟଙ୍କା? ଏହା ତ ଘୋର ଅନ୍ୟାୟ! ମୋ ପ୍ରତି ଅବିଚାର କରୁଛ ।”

ଚୋର ନିର୍ଲିପ୍ତ ଭାବେ ଜଣାଇଦେଲା “ମୁଁ ଜାଣେନି, ଏହା ନ୍ୟାୟ କି ଅନ୍ୟାୟ । ବାସ୍ ମୁଁ ଖାଦ୍ୟର ମୂଲ୍ୟ ଜଣାଇ ଦେଲି । ଆପଣଙ୍କର ମର୍ଜି, ଆପଣ ଖାଦ୍ୟ ଚାହାଁନ୍ତି କି ଟଙ୍କା, ସୁନା?”

ଗଙ୍ଗାଦାସ ବିନା ଖାଇବା ପିଇବାରେ ଦୁଇଦିନ କଟାଇ ଦେଲେ । ତାଙ୍କର ମନ ହେଲା, ରାମଦାସଙ୍କ ପ୍ରତି ସେ ଯେଉଁ ଅନ୍ୟାୟ କରିଛନ୍ତି, ତାରି ଫଳ ସ୍ୱରୂପ ଆଜି ତାଙ୍କୁ ଏପରି ଦଣ୍ଡ ମିଳୁଛି । କ୍ରମେ ସେ ଭୋକରେ ଆଉଟୁପାଉଟୁ ହେଲେ ।

ତାଙ୍କ ଆଖିକୁ ସବୁ ଅନ୍ଧାର ଦିଶିଲା । ଖାଦ୍ୟ, ଜଳ ବିନା ସେ ମୃତ୍ୟୁବରଣ କଲେ, ସବୁ ଧନ ସମ୍ପତ୍ତି ଚୋରଙ୍କ ହାତକୁ ସହଜରେ ଚାଲିଯିବ । ତେଣୁ ଅନ୍ତତଃ କିଛି ଖାଇ ପିଇ ଜୀବନ ବଂଚାଇବାକୁ ପଡିବ ।

ସେ ଚୋରଙ୍କୁ ଡକାଇ ଟଙ୍କା ବଦଳରେ ଖାଦ୍ୟ ଦେବା ପାଇଁ ନିଜର ସ୍ୱୀକୃତି ଜଣାଇଦେଲେ । ଦୁଇ ସପ୍ତାହ ପୂର୍ଣ୍ଣ ହେବାବେଳକୁ ଗଙ୍ଗାଦାସଙ୍କର ସବୁ ଟଙ୍କା ଓ ସୁନା ସମାପ୍ତ ହୋଇଗଲା ।

ତା’ପରେ ସେ ଖାଇବେ କ’ଣ? ଏହା ଭାବି ସେ ଦୁଃଖରେ ଭାଙ୍ଗିପଡିଲେ ।

ତେଣୁ ସେ ଚୋରଙ୍କ ସର୍ଦ୍ଦାରକୁ ଡକାଇ ତାକୁ ବିନତି କରିବାକୁ ସ୍ଥିର କଲେ ।

ମାତ୍ର ଚୋରଙ୍କ ସର୍ଦ୍ଦାର ପାଖକୁ ଆସି ଗଙ୍ଗାଦାସଙ୍କୁ ପ୍ରଣାମ ଜଣାଇ କହିଲା, “ଆପଣ ଯେତେବେଳେ ରାମଦାସର ଧନସମ୍ପତ୍ତି ସବୁ ଅକ୍ତିଆର କରୁଥିଲେ, ଗ୍ରାମବାସୀମାନଙ୍କୁ ଶୋଷଣ କରୁଥିଲେ, ସେତେବେଳେ ସେମାନଙ୍କୁ ମଧ୍ୟ ଏପରି ଦୁଃଖ ଭୋଗିବାକୁ ପଡିଥିବ । ଆପଣ ଏବେ ସେମାନଙ୍କ ଅବସ୍ଥା କଳ୍ପନା କରି ପାରୁଛନ୍ତି କି’ ନାହିଁ?”

ଗଙ୍ଗାଦାସଙ୍କୁ ସେ ଚୋର ସର୍ଦ୍ଦାରଙ୍କ କଣ୍ଠସ୍ୱର ଚିର ପରିଚିତ ମନେ ହେଲା । ସେ କହିଲେ, “ରାମଦାସ, ମୋତେ କ୍ଷମା କର । ଧନର ଲୋଭ ସେତେବେଳେ ମୋତେ ଅନ୍ଧ କରି ଦେଇଥିଲା । ସେହି ଲୋଭରେ ପଡି ମୁଁ ତୁମର ସର୍ବସ୍ୱ ଲୁଟି ନେଲି । ବୈଦ୍ୟ-ଧର୍ମର ବିପରୀତ କର୍ମ କରି ରୋଗୀମାନଙ୍କର ଅସହାୟତାରୁ ଫାଇଦା ଉଠାଇଲି । ଆଜି ତୁମେ ମୋର ଆଖି ଖୋଲିଦେଲ । ଏବେ ମୁଁ ବୁଝି ପାରୁଛି ଯେ ମୁଁ ମୋ ଜୀବନରେ କେତେ ଅପରାଧ କରି ସାରିଛି ।” ଏପରି କହି ଗଙ୍ଗାଦାସ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲେ ।

ରାମଦାସ ଗଙ୍ଗାଦାସଙ୍କୁ ଆଶ୍ୱାସନା ଦେଇ ଗ୍ରାମକୁ ଫେରାଇ ନେଲେ । ଏହା ପରଠାରୁ ଗଙ୍ଗାଦାସଙ୍କର ସ୍ୱଭାବ ସମ୍ପୂର୍ଣ୍ଣ ରୂପେ ବଦଳିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ