ଶତ୍ରୁକୁ ମିତ୍ର କରିବା ଉପାୟ

ଅନେକ ଦିନ ତଳର କଥା । ସେତେବେଳେ ଆମେରିକାରେ ଗୃହଯୁଦ୍ଧ ଚାଲିଥାଏ । ଠିକ୍ ସେତିକିବେଳେ ସେଠାରେ ରାଷ୍ଟ୍ରପତି ଥାଆନ୍ତି ଆବ୍ରାହମ୍ ଲିଙ୍କନ୍ ।

ଥରେ ଲିଙ୍କନ୍ ଯୁଦ୍ଧରେ ଆହତ ହୋଇ ପଡିଥିବା ସୈନ୍ୟମାନଙ୍କୁ ଦେଖିବା ପାଇଁ ବାହାରିଲେ । ସେ ଯାଉଯାଉ ପ୍ରଥମେ ଶତ୍ରୁ ସୈନ୍ୟ ଶିବିରରେ ଯାଇ ପହଁଚିଗଲେ । ସେଠାରେ ଆହତ ସୈନ୍ୟମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ସେମାନଙ୍କ ସହିତ ମଧୁର ବାର୍ତ୍ତାଳାପ କଲେ, ଦୁଃଖ ବି ବୁଝିଲେ । ଏହି ଦୃଶ୍ୟ ନିକଟରେ ଥିବା ଏକ ବୃଦ୍ଧା ଦେଖୁଥାଏ ।

ଲିଙ୍କନ୍ ଯେତେବେଳେ ସେ ଛାଉଣୀ ଭିତରୁ ବାହାରକୁ ବାହାରି ଆସିଲେ, ସେତେବେଳେ ସେହି ବୃଦ୍ଧାଜଣକ ତାଙ୍କୁ ଦେଖି କହିଲେ, “ପୁଅ! ତୁମେ ଶତ୍ରୁସୈନ୍ୟ ଶିବିରରେ ପଶି ଯାହା ବି ସବୁ କଥାବାର୍ତ୍ତା ହେଲ, ତାହା କ’ଣ ଠିକ୍ ଥିଲା? ସେମାନେ ପରା ଦେଶର ଶତ୍ରୁ । ସେମାନଙ୍କୁ ମାରିଦେଲେ ସିନା ତୁମେ ନିଶ୍ଚିନ୍ତରେ ରହିବ?”

ଏହା ଶୁଣି ଆବ୍ରାହମ୍ ଲିଙ୍କନ୍ ହସି ହସି କହିଲେ, “ମାଉସୀ! ମୁଁ ଶତ୍ରୁମାନଙ୍କ ସହିତ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ମିତ୍ର କରି ପକାଉଛି । ଏଥିରେ ସେମାନେ ନିଜେ ନିଜେ ଧ୍ୱଂସ ହୋଇଯାଉଛନ୍ତି, ମୁଁ ତାଙ୍କୁ ଆଉ ମାରିବି କ’ଣ? ଏପରି କଲେ ତ ଆପେ ଆପେ ଯୁଦ୍ଧ ବନ୍ଦ ହୋଇଯିବ ।”

ଆବ୍ରାହମ୍ ଲିଙ୍କନଙ୍କର ଏଭଳି କଥାରୁ ସେ କେତେ ଯେ ମହାନ୍ ଥିଲେ ତାହା ଜଣାପଡେ । ଏଭଳି ଲୋକ ପ୍ରତି କିଏ ବା କାହିଁକି ଶତ୍ରୁତା କରିବ? ସମସ୍ତେ ତ ତାଙ୍କର ମିତ୍ର ହୋଇଯିବେ । ଏହି ଗୁଣ ମଣିଷର ମଣିଷପଣିଆର ପରିଚୟ ଦିଏ ନାହିଁ କି?


ଗପ ସାରଣୀ

ତାଲିକାଭୁକ୍ତ ଗପ