ଶାଶୁଙ୍କ ଆତ୍ମା

ଶଳା ଭିଣୋଇ କଥାବାର୍ତ୍ତା ହେଉ ହେଉ ସୁଭାଷ ରାମଚନ୍ଦ୍ରଙ୍କୁ କହିଲେ, “ଭାରତୀ ପରି ସ୍ତ୍ରୀ ପାଇ ମୁଁ ପ୍ରକୃତରେ ଭାଗ୍ୟବାନ୍ । କାରଣ ଅନ୍ୟମାନଙ୍କ ଘରେ ତ ଶାଶୁବୋହୁ ସର୍ବଦା ଝଗଡା କରନ୍ତି । ଏପରିକି ବୋହୁମାନେ ତାଙ୍କ ଶାଶୁମାନଙ୍କୁ ଆଦୌ ସମ୍ମାନ ଦିଅନ୍ତି ନାହିଁ! କିନ୍ତୁ ଭାରତୀ ତା’ର ମୃତ ଶାଶୁକୁ ମଧ୍ୟ ସମ୍ମାନ ଦେଉଛି ।”

ଆଳାପ ଆଲୋଚନା ଶେଷ ହେବା ପରେ ରାମଚନ୍ଦ୍ର ଶୋଇବାକୁ ଗଲେ; ସୁଭାଷ ଓ ଭାରତୀ ମଧ୍ୟ ନିଜ କାମଦାମ ଶେଷ କରି ଶୋଇବାକୁ ଗଲେ । ରାମଚନ୍ଦ୍ର ତ ଭୋର୍ରୁ ଉଠି ପଡିଲେଣି । ହେଲେ ରାତି ଆହୁରି ବି ପାହି ନଥାଏ । ତେଣୁ ସେ ମନେକଲେ ଯାଇ ଟିକେ ଦେଖିବେ ସେତକ ଖାଦ୍ୟ କିଏ ଖାଉଛି । ଭାରତୀର ମୃତ ଶାଶୁ ଖାଦ୍ୟ ଖାଇଲେଣି ନା ନାହିଁ । ଏଭଳି ଚିନ୍ତାକରି ସେ ସିଧା ରୋଷେଇ ଘରକୁ ଚାଲିଗଲେ ଓ ଥାଳୀ ଖୋଲି ଦେଖିଲେ ଯେ, ରାତିରେ କିଏ ସବୁ ଖାଦ୍ୟ ଖାଇ ନେଇଛି । ଏସବୁ ଦେଖି ତାଙ୍କର କୌତୁହଳ ଆହୁରି ମଧ୍ୟ ବଢିଗଲା ।

ପରଦିନ ରାମଚନ୍ଦ୍ର କାମ ସାରି ଫେରିବା ରାସ୍ତାରେ ଭାରତୀ ଓ ସୁଭାଷଙ୍କୁ ଦେଖିଲେ । ସୁଭାଷ କହିଲେ, “ଭାଇ, ପଡୋଶୀ ଘରେ ଚାବି ରଖି ଆସିଛି ତାକୁ ନେଇ ଘର ତାଲା ଫିଟାଇବ । ଯଦି ତୁମ ପାଖରେ ଚାରିଶହ ଟଙ୍କା ଅଛି ତେବେ ମୋତେ ତାହା ଦେଇଥାଅ । ମୋ ଦରମା ମିଳିଲେ ତମକୁ ମୁଁ ତମ ଟଙ୍କା ଦେଇଦେବି ।” ତା’ପରେ ରାମଚନ୍ଦ୍ର ସୁଭାଷକୁ ଟଙ୍କା ଦେଇ ଘରକୁ ଫେରିଲେ, ଆଉ ତାଙ୍କ ଭଉଣୀ ଭିଣୋଇ ବଜାର ଆଡେ ଗଲେ । ସେଦିନ ସ୍ୱାମୀ ସ୍ତ୍ରୀ ବହୁତ ରାତିରେ ଘରକୁ ଫେରିଲେ । ଭାରତୀ ଏକ ନୂଆ ରେଶମୀ ଶାଢୀ ହାତରେ ଧରିଥାଏ । ସେ ଘରକୁ ପଶିଆସି ଗୋଟିଏ ଚୌକି ପାଖକୁ ଯାଇ କହିଲା, “ମା’ ନିଅନ୍ତୁ ଏ ଶାଢୀ । ଆପଣ ଏଇ ନୀଳ ରଙ୍ଗର ଶାଢୀ ଚାହୁଁଥିଲେ ତ? ଆପଣଙ୍କ ପୁଅ ଆଜି ତାହା ଆଣି ଦେଇଛନ୍ତି? କ’ଣ ଏହା ଆପଣଙ୍କର ପସନ୍ଦ ହେଉଛି ତ?”

ତା’ପରେ ଭାରତୀ ସୁଭାଷ ଆଡକୁ ଚାହିଁ କହିଲା, “ମା’ କହିଲେ, ତାଙ୍କ ପାଇଁ କେବଳ ମୁଁ ହିଁ ତ ଏ ଶାଢୀ ପିନ୍ଧିବି । ତେଣୁ ମୋର ପସନ୍ଦ ହେଲେ ତାଙ୍କର ମଧ୍ୟ ପସନ୍ଦ ହେବ ।”

ରାତିରେ ସମସ୍ତେ ଏକାଠି ଖାଇ ବସିଛନ୍ତି; ଏଣେ ଭାରତୀ ସମସ୍ତିଙ୍କୁ ଖାଦ୍ୟ ବାଢିଦେଇ କହିଲା, “ମା’ ଆପଣ ଏ କ’ଣ କହୁଛନ୍ତି । ଯେତେ ଯାହା ହେଲେବି ସେ ତ ଆମର ଅତିଥି । ତାଙ୍କୁ ପୁଣି ମୁଁ ଫେରିଯିବାକୁ କିମିତି କହିବି? ଦୟାକରି ଆପଣ ଆମକୁ ସେମିତି ଲଜ୍ଜାକର ପରିସ୍ଥିତିରେ ପକାନ୍ତୁ ନାହିଁ ।”

ସ୍ତ୍ରୀର ଏଭଳି କଥା ଶୁଣି ସୁଭାଷ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ଭାରତୀ କ’ଣ ହେଲା? ମା’ କ’ଣ କିଛି କହୁଛନ୍ତି?”

ତା’ପରେ ଭାରତୀ କହିଲା, “ମା’ କହୁଛନ୍ତି ରାମଚନ୍ଦ୍ର ଏଠାକୁ ଆସିଛି ହେଲେ ତା’ ସ୍ତ୍ରୀ ଏକେଲା ଥିବ ତେଣୁ ତାକୁ କହ ଯେ ସେ ଯଥାଶୀଘ୍ର ଏଠୁ ଫେରିଯାଉ ।”

ସେତେବେଳେ ରାମଚନ୍ଦ୍ର ତ ସେଇଠି ବସିଥିଲେ । ଏକଥା ଶୁଣି ସେ ଅଳ୍ପ ହସି କହିଲେ, “ଭାରତୀ ତୁ ତୋ ଶାଶୁକୁ କହିଦେ ମୋ କାମ ସରିଲେ ମୁଁ ପଅରଦିନ ଏଠାରୁ ଚାଲିଯିବି । ମୁଁ ମଧ୍ୟ ମୋ ସ୍ତ୍ରୀକୁ ଏକଲା ଛାଡି ଏଠାକୁ ଆସି ବଡ ଚିନ୍ତିତ ଅଛି । ତେବେ କାଲି ସଂଧ୍ୟା ସୁଦ୍ଧା ମୋର କାମ ନିଶ୍ଚୟ ଶେଷ ହୋଇଯିବ ।”

ସେଦିନ ରାତିରେ ସେ ରାମଚନ୍ଦ୍ରଙ୍କୁ ଆଦୌ ନିଦ ହେଲାନାହିଁ । ତାଙ୍କୁ ଟିକିଏ ଶୋଷ ଲାଗିବାରୁ ସେ ରୋଷେଇ ଘରକୁ ଯାଇ ଯାହା କିଛି ବି ଦେଖିଲେ ସେଥିରେ ସେ ହଠାତ୍ ଚମକି ପଡିଲେ । ସେ ଦେଖିଲେ ଯେ ଶାଶୁପାଇଁ ରଖିଥିବା ଥାଳୀଟିକୁ ଭାରତୀ ନିଜେ ବସି ସେସବୁ ଅତି ଆରମ୍ରେ ଖାଉଛି । ଏସବୁ ଦେଖି ରାମଚନ୍ଦ୍ର ଚୁପ୍ଚାପ୍ ଶୋଇବା ଘରକୁ ଲେଉଟି ଆସିଲେ ।

ପରଦିନ ଯେତେବେଳେ ସେ ତିନିଜଣ ଖାଇ ବସିଲେ ସେତେବେଳେ ରାମଚନ୍ଦ୍ର ହଠାତ୍ ଉଠିପଡି କହିଲେ, “ଆରେ ମଉସା, ଆସନ୍ତୁ, ଆସନ୍ତୁ, ବସନ୍ତୁ ।”

ଏମନ୍ତ କଥା ଶୁଣି ସୁଭାଷ ରାମଚନ୍ଦ୍ରକୁ ପଚାରିଲା, “କାହା ସହିତ କଥା ହଉଛ? ଏଠାରେ ତ କେହି ବି ନାହିଁ ।”

ଭିଣୋଇଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାମଚନ୍ଦ୍ର କହିଲେ, “କ’ଣ ସତରେ ତମେ କିଛିବି ଦେଖି ପାରୁନାହଁ? ତୁମ ବାବା ତ ଏବେ ଆସିଛନ୍ତି । ଆଚ୍ଛା ସେ କେବେଠାରୁ ସ୍ୱର୍ଗବାସ ଗଲେଣି?”

ଏହାପରେ ରାମଚନ୍ଦ୍ର ନିଜ ଥାଳୀ ପାଖରେ ବସି କହିଲେ, “ଆପଣ ବି ବସନ୍ତୁ ଏବେ ଆପଣଙ୍କ ବୋହୁ ଖାଦ୍ୟ ପରଷି ଦେବେ । ସେ ବହୁତ ଭଲ ଖାଦ୍ୟ ବନାଇଛି ।”

ମାତ୍ର ଭାରତୀ ଏସବୁ ଆଦୌ ବିଶ୍ୱାସ କଲାନାହିଁ, ତଥାପି ମଧ୍ୟ ଥାଳୀଟିଏ ବାଡି ଆଣି ସେ ରଖିଲା । ରାମଚନ୍ଦ୍ର ପୁଣି ପ୍ରଶ୍ନ କଲେ, “ମଉସା କିପରି ଅଛନ୍ତି? ଆପଣ ଏମିତି ଉଦାସ କାହିଁକି ଦେଖାଯାଉଛନ୍ତି?

ଏସବୁ କଥା ଶୁଣି ସୁଭାଷ ଅତ୍ୟନ୍ତ ବ୍ୟସ୍ତ ହୋଇ କହିଲା, “ବାବାଙ୍କର କ’ଣ କିଛି ଅସୁବିଧା ହୋଇଛି କି, ସେ ବିଷୟରେ ତାଙ୍କୁ ଟିକିଏ ପଚାର ତ?”

ତହୁଁ ରାମଚନ୍ଦ୍ର କହିଲେ, “ସୁଭାଷ, ମଉସା କହୁଛନ୍ତି, ଆଜି ସେ ବିଦାୟ ନେବାକୁ ଆସିଛନ୍ତି, କାହିଁକିନା ସେମାନେ ଦୁଇଜଣ ଉଚ୍ଚ ସ୍ତରର ଲୋକକୁ ଚାଲିଯାଉଛନ୍ତି । ଏଣିକ ସେମାନଙ୍କ ପକ୍ଷେ ପାର୍ଥିବ ସଂପର୍କ ରଖିବା ଭୀଷଣ କଷ୍ଟଦାୟକ । ଆଜିଠାରୁ ମାଉସୀ ଆଉ ଭାରତୀକୁ ଦେଖା ଦେବେନାହିଁ । ସେଥିପାଇଁ ପୁଅବୋହୁଙ୍କୁ ଆଶିର୍ବାଦ ଦେବାକୁ ସେମାନେ ଦୁହେଁ ଆସିଛନ୍ତି ।”

ସବୁକଥା ଶୁଣି ସୁଭାଷ ବ୍ୟସ୍ତ ହୋଇ କହିଲା, “ଓ ତାହେଲେ ଏପରି କଥା?” ବାବା ତ ସବୁବେଳେ ଏମିତି କାମ କରି ବସନ୍ତି । ଏତେ ଶିଘ୍ର ଉପର ଲୋକକୁ ଯିବାର ତାଙ୍କର କ’ଣ ଦରକାର ଥିଲା?”

ଭାଇର ଏଭଳି କଥା ଶୁଣି ଏଣେ ଭାରତୀର ଚେହେରା ଫିକା ପଡିଗଲାଣି । ତଥାପି ବି ସବୁକିଛି ସେ ବୁଝିବାକୁ ଚେଷ୍ଟା କରୁଥାଏ ।

ତା’ ପରଦିନ ସକାଳୁ ରାମଚନ୍ଦ୍ର ସେଠାରୁ ବାହାରି ଗଲେ । ସେ ସେଠୁ ଯିବା ପରେ ଭାରତୀ ତାଙ୍କ ଶେଯ ସଜାଡିବାକୁ ଯାଇ ଦେଖିଲା ଯେ ତା’ଭାଇ ଚିଠିଟିଏ ଲେଖି ଯାଇଛନ୍ତି । ସେଥିରେ ଲେଖା ଅଛି, “ମୁଁ ତୋର ନିଜ ଭାଇ, ତେଣୁ ମୁଁ ତୋ ଭଲ ପାଇଁ ଏ ଚିଠି ଲେଖିଲି । ସୁଭାଷ ତା’ ମା’କୁ ଖୁବ୍ ଭଲପାଏ । ମା’ ମରିବାରୁ ସେ ତାଙ୍କୁ ଝୁରି ହେଉଛି । ଆଉ ତୁ ତା’ର ସେହି ଦୁର୍ବଳତାର ସୁଯୋଗ ନେଇ ନାଟକ କରୁଛୁ ଓ ଏଥିରେ ତୋର ଲୋଭ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଦ୍ୱାରାକି ଶାଶୁ ନାମରେ ତୁ ତୋ ନିଜର ସମସ୍ତ କାମନା ପୂର୍ଣ୍ଣ କରୁଛୁ । ରାତିରେ ଶାଶୁ ନାମରେ ଥିବା ଥାଳୀକଯାକ ଖାଦ୍ୟ କେବଳ ତୁ ହିଁ ଖାଉଛୁ ଆହୁରି ମଧ୍ୟ ଶାଶୁ ନାମ କହି ଶାଢୀ ବି ତୁ ପିନ୍ଧୁଛୁ । ଖାଲି ଏ ସବୁକୁ ବନ୍ଦ କରିବା ପାଇଁ ମୁଁ ମଧ୍ୟ ତୋ ଶ୍ୱଶୁର ନାମରେ ନାଟକ କଲି । ନହେଲେ ଦିନେ ନା ଦିନେ ସୁଭାଷ ତୋର ସବୁ ଚାଲାକି ଠିକ୍ ଜାଣିପାରିଥା’ନ୍ତା । ସେତେବେଳେ ତୋର ଅବସ୍ଥା କ’ଣ ଯେ ହୋଇଥାନ୍ତା? ସେକଥା ବୁଝି ପାରୁଛୁ ତ! ତା’ପରେ ସେ ତୋତେ ସାରାଜୀବନ ପାଇଁ ଆଉ କେବେବି ମଧ୍ୟ ବିଶ୍ୱାସ କରି ନଥାନ୍ତା । ତୁ ବା ତାକୁ କିପରି ମୁହଁ ଦେଖେଇ ପାରନ୍ତୁ? ଏଣିକି ତୁ ଭଲ ବୁଦ୍ଧି ବାହାର କର । ଅନ୍ତତଃ ଆମ ଘରର ନା ତୁ କେବେବି ତଳେ ପକାଇବୁ ନାହିଁ । ମୋ କଥାଶୁଣି ତୁ ମୋଟେ ରାଗିବୁ ନାହିଁ । ତୋ ମନରେ ଦୁଃଖ ଦେଇ ମୁଁ ବି ବହୁତ ଦୁଃଖିତ । ଆସନ୍ତା ପୂଜା ବେଳକୁ ତୁମେ ଦୁଇଜଣ ଆମ ଘରକୁ ନିଶ୍ଚୟ ଆସିବ ।”

ଏ ଚିଠି ପଢି ଭାରତୀର ଆଖି ହଠାତ୍ ଖୋଲିଗଲା । ତା’ର ମୁହଁ ବି ଶୁଖିଗଲା । ସୁଭାଷ ଆସି ତାକୁ ପଚାରିଲା, “କ’ଣ ହୋଇଛି ତୁମେ ଏତେ ଶୁଖିଲା ଦିଶୁଛ?”

ସ୍ୱାମୀ କଥା ଶୁଣି ଭାରତୀ କହିଲା “ନା ମୁଁ ଭାବୁଥିଲି ଯେ ଆମ ବାହାଘର ପରେ ଭାଇ ଆସି ଏଠି ଏତେଦିନ ରହିଲେ ଅଥଚ ଆମେ ତାଙ୍କୁ ଖଣ୍ଡେ ବି ନୂଆଲୁଗା ଦେଇପାରିଲେ ନାହିଁ । ଏଣୁ ଆସନ୍ତା ପୂଜାକୁ ଆମେ ଭାଇ ଓ ଭାଉଜଙ୍କ ପାଇଁ ନୂଆ ଲୁଗା ଉପହାରସ୍ୱରୂପ ନେଇ ଯିବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ