ଶିବ ପୁରାଣ

କୁମାର ଭାବିଲେ “ବାଃ, ସ୍ଥୁଳକାୟ, ନିଦ୍ରାଳୁ ଯଦି ଏତେ ଶୀଘ୍ର ଏଠାକୁ ଆସିଗଲା, ତେବେ ମୁଁ ବରଂ ଏଠାରୁ ଶୀଘ୍ର ଯାଏ । ସ୍ନାନ କରି ସମୟ ନଷ୍ଟ ନକରି ଦ୍ୱିତୀୟ ତୀର୍ଥକୁ ଯାଏ ।” ତା’ପରେ କାର୍ତ୍ତିକେୟ ଯେତେ ତୀର୍ଥକୁ ଯାଉଥା’ନ୍ତି ତାଙ୍କର ଅନୁଭବ ହେଉଥାଏ ଯେ ଗଣେଶ ସେଠାକୁ ତାଙ୍କ ପୂର୍ବରୁ ଆସିଥିଲେ ।

ଇତିମଧ୍ୟରେ ଗଣେଶ ଶିବପଂଚାକ୍ଷରୀ ଜପିବା ପରେ ଈଶ୍ୱରପାର୍ବତୀଙ୍କୁ ତିନିଥର ପରିକ୍ରମା କରି ସେମାନଙ୍କ ସମ୍ମୁଖରେ ହାତ ଯୋଡି ଠିଆ ହୋଇଥା’ନ୍ତି ।

ଏସବୁ ଦେଖି ଅନ୍ୟ ଦେବତାମାନେ କୁହାକୁହି ହେଉଥା’ନ୍ତି, “ଦେଖ ଗଣେଶ କୁଆଡେ ନଯାଇ ଅଧିପତିର ପଦବୀକୁ ମାରିନେବାକୁ ବସିଛନ୍ତି ।”

ଠିକ୍ ସେତିକିବେଳେ କାର୍ତ୍ତିକେୟ ଲେଉଟି ଆସି କହିଲେ, “ମୁଁ ପ୍ରକୃତରେ ଅଧିପତି ପଦ ପାଇବା ପାଇଁ ଯୋଗ୍ୟ ନୁହେଁ, ସୁତରାଂ ଆପଣମାନେ ଗଣେଶକୁ ହିଁ ସେ ପଦବୀ ଦେଇ ଦିଅନ୍ତୁ ।”

ଶିବ, ପାର୍ବତୀ, ଦେବତାମାନେ ଓ ଗଣମାନେ ପଚାରିଲେ, “ଏପରି କାହିଁକି କହିଲ?”

ତା’ପରେ କାର୍ତ୍ତିକେୟ କହିଲେ, “ମୁଁ ପୃଥିବୀର ସବୁ ତୀର୍ଥକ୍ଷେତ୍ରକୁ ଯାଇଥିଲି କିନ୍ତୁ କେଉଁଠାରେ ହେଲେ ସ୍ନାନ କରିନାହିଁ । କାରଣ ଯେଉଁଠି ପହଁଚେ ଦେଖେ ମୋ ପୂର୍ବରୁ ଗଣେଶ ସେ ତୀର୍ଥରେ ସ୍ନାନ କରି ଫେରିଛନ୍ତି । ତୀର୍ଥଯାତ୍ରୀମାନେ ମଧ୍ୟ ସେଇ କଥା କହିଲେ । ତେଣୁ ରୁଦ୍ରଗଣଙ୍କ ଉପରେ ସେଇହିଁ ଅଧିପତି ପଦ ପାଆନ୍ତୁ ।”

ଦେବତାମାନେ ଓ ରୁଦ୍ରଗଣ କାର୍ତ୍ତିକେୟଙ୍କ କଥାକୁ ସ୍ୱୀକାର କରି ନେଲେ । ତା’ପରେ ଗଣାଧିପତି ଭାବରେ ତାଙ୍କର ଅଭିଷେକ ହେବାର ଆୟୋଜନ କରାଗଲା ।

ରୁଦ୍ରଗଣ ଶୀଘ୍ର ଯାଇ ନଦୀମାନଙ୍କରୁ ଓ ସମୁଦ୍ରରୁ ଜଳ ନେଇ ଆସିଲେ । ଉତ୍ସବ ପାଇଁ ଗରୁଡ, ଗନ୍ଧର୍ବ, କିନ୍ନର, ନାଗ ଓ ଭୂଲୋକବାସୀମାନଙ୍କୁ ନିମନ୍ତ୍ରଣ କରାଗଲା । ବୃହଷ୍ପତି ଉତ୍ସବ ପାଇଁ ମୁହୂର୍ତ୍ତ ନିର୍ଣ୍ଣୟ କଲେ । ଶୁଭ ମୁହୂର୍ତ୍ତରେ ଗଣପତି ଓ ତାଙ୍କ ପତ୍ନୀ ଜୟଲକ୍ଷ୍ମୀଙ୍କୁ ନବରତ୍ନ ଖଚିତ ଏକ ସିଂହାସନ ଉପରେ ବସାଇ ଦିଆଗଲା । ତା’ପରେ ସମସ୍ତ ରୁଦ୍ରଗଣଙ୍କ ଉପରେ ତାଙ୍କୁ ଅଧିପତି ଭାବରେ ଅଭିଷେକ କରାଗଲା । ଶିବ ପାର୍ବତୀ ଗଣେଶ ଓ ଜୟଲକ୍ଷ୍ମୀଙ୍କୁ ଆଶିର୍ବାଦ ଦେଲେ । ଅଭିଷେକ ପରେ ଶିବ ଓ ପାର୍ବତୀ ତାଙ୍କ ଦୁଇ ପୁତ୍ରଙ୍କୁ ଡାକି କହିଲେ, “ବର୍ତ୍ତମାନ ତୁମେ ଦୁଇଭାଇ ତିନିଲୋକ ଉପରେ ଶାସନ କର । ଯିଏ ତୁମଙ୍କୁ ସ୍ମରଣ କରିବ, ତୁମଙ୍କୁ ପୂଜା କରିବ ବା ତୁମପାଇଁ ତପସ୍ୟା କରିବ, ତୁମେମାନେ ସେହି ବ୍ୟକ୍ତିର ସହାୟତା କରିବ ଓ ତା’ର ସମସ୍ତ କାର୍ଯ୍ୟରେ ସାଫଲ୍ୟ ପ୍ରଦାନ କରିବ ।”

ତାରକାସୁର ତ ପୂର୍ବରୁ ମରିଥିଲା । ତା’ର ଥିଲେ ତିନୋଟି ଶିଶୁପୁତ୍ର । ସେମାନଙ୍କ ନାମ ହେଲା, ତାରକାକ୍ଷ, କମଳାକ୍ଷ ଓ ବିଦ୍ୟୁନ୍ମାଳୀ । ତାରକାସୁରର ପତ୍ନୀ ତିନିପୁତ୍ରଙ୍କୁ ନେଇ ପାତାଳପୂରକୁ ଗଲା । ସେଠାରେ ଶୁକ୍ରାଚାର୍ଯ୍ୟଙ୍କ ସହାୟତାରେ ସେମାନେ ନାନା ବିଦ୍ୟା ହାସଲ କଲେ । ବିଶେଷତଃ ଯୁଦ୍ଧ ବିଦ୍ୟାରେ ସେ ତିନିଜଣଯାକ ଖୁବ୍ ପାରଙ୍ଗମ ହୋଇ ଉଠିଲେ । କାଳକ୍ରମେ ସେମାନେ ବଡ ବଡ ଯୋଦ୍ଧା ଭାବରେ ଖ୍ୟାତି ଅର୍ଜ୍ଜନ କଲେ । ସେମାନେ ନିଜ ମା’ଠାରୁ ଶୁଣିଲେ ତାରକାସୁରର ଜୀବନ ବୃତାନ୍ତ । ସବୁ ଶୁଣିସାରି ପିତାଙ୍କ ମୃତ୍ୟୁର ପ୍ରତିଶୋଧ କିପରି ନେବେ ତାହାହିଁ ସେମାନେ ଚିନ୍ତା କରିବାକୁ ଲାଗିଲେ । ସେମାନଙ୍କୁ ଚିନ୍ତିତ ଦେଖି ସେମାନଙ୍କର ମା’ ପରାମର୍ଶ ଦେଇ କହିଲେ, “ପୁତ୍ରଗଣ, ପ୍ରତିଶୋଧ ନେବା ପୂର୍ବରୁ ତୁମେମାନେ ନିଜେ ପ୍ରଥମେ ଶକ୍ତିଶାଳୀ ହେବା ଦରକାର । ସେଥିପାଇଁ ତପସ୍ୟାର ପ୍ରୟୋଜନ । ଯାଅ ତିନିଜଣଯାକ ତପସ୍ୟାରେ ପ୍ରଥମେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବର ମାଗ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ