ଶିବ ପୁରାଣ

ଜ୍ୟୋତିର୍ଲିଙ୍ଗ ଭିତରୁ ଶିବ ଆବିର୍ଭୂତ ହେଲେ । ବ୍ରହ୍ମା ଦେଖିଲେ ତାଙ୍କ ନିଜର ଯେପରି ପଂଚ ମୁଖ, ଆବିର୍ଭୁତ ଶିବଙ୍କର ମଧ୍ୟ ଠିକ୍ ସେହିପରି ପଂଚମୁଖ । ବ୍ରହ୍ମା ଯେହେତୁ ସୃଷ୍ଟିକର୍ତ୍ତା ହେବା କଥା ଏବଂ ସୃଷ୍ଟି ଭିତରେ ଯେହେତୁ ଅଜ୍ଞାନର ବୀଜ ନିହିତ, ତେଣୁ ଅଜ୍ଞାନ ପରିଚାଳିତ ହୋଇ ବ୍ରହ୍ମା ଶିବଙ୍କୁ କହିଲେ, “ମୋର ଯେପରି ପାଂଚଟି ଶୀର, ତମର ବି ଠିକ୍ ସେହିପରି ପାଂଚଟି ଶୀର । ତମର ବ୍ୟାପ୍ତି ମାପିବା ପରେ ମୋର ଆଉ କ’ଣ ଦରକାର?”

ତତ୍କ୍ଷଣାତ୍ ଶିବଙ୍କ କନିଷ୍ଠ ଅଙ୍ଗୁଳି ବ୍ରହ୍ମାଙ୍କର ଗୋଟିଏ ମୁଣ୍ଡକୁ ସ୍ପର୍ଶ କଲା । ଫଳରେ ସେ ମୁଣ୍ଡଟି ଉଡିଯାଇ କୁଆଡେ ଅର୍ନ୍ତଧ୍ୟାନ ହୋଇଗଲା । ଏହାପରେ ସେ ବ୍ରହ୍ମା ଆଉ କିଛି ବି କହିଲେ ନାହିଁ ।

ଏହି ଘଟଣାର ଏକ ବିଶେଷ ତାତ୍ପର୍ଯ୍ୟ ଅଛି । ଅଜ୍ଞାନ ବଶତଃ ବ୍ରହ୍ମା ଯେପରି ଅହଂର ପରିଚୟ ଦେଲେ, ସେ ଅହଂ ଭାଙ୍ଗିଯିବା ଏକାନ୍ତ ଆବଶ୍ୟକ ଥିଲା । ତେଣୁ ଶିବ ତାହା ଭାଙ୍ଗି ଦେଲେ । ଏହି ପ୍ରକ୍ରିୟା ସୃଷ୍ଟି ଭିତରେ ଆଜିପର୍ଯ୍ୟନ୍ତ ଗଳ୍ପ ହୋଇ ରହିଛି । ଅଜ୍ଞାନ ଏବଂ ଅହଂ ଏକା ଗୁଣ । ମଣିଷ ଯେତେବେଳେ ଅହଂ ଚାଳିତ ହୁଏ, ସେତେବେଳେ କୌଣସି ନା କୌଣସି ଉପାୟ ଦ୍ୱାରା ବିଧାତା ତା’ର ସେ ଅହଂ ଉପରେ ଆଘାତ ଦିଏ । ଅହଂର ବିନାଶ ଦ୍ୱାରା ମଣିଷ ସତ୍ୟ ଦିଗରେ ପାଦ ପାଦ କରି ଅଗ୍ରସର ହୁଏ । ଶିବ, ବିଷ୍ଣୁ, ବ୍ରହ୍ମା ସମସ୍ତେ ଏକହିଁ ଦିବ୍ୟଶକ୍ତି । କିନ୍ତୁ ସୃଷ୍ଟି ପାଇଁ ଯେଭଳି ପ୍ରକ୍ରିୟା ଆବଶ୍ୟକ ହୋଇଥିଲା, ସେହି ଅନୁସାରେ ଏସବୁ ଘଟଣା ଘଟିଥିଲା ।

ପରମେଶ୍ୱର ଶିବ କହିଲେ, “ହେ ବ୍ରହ୍ମା, ତୁମେ ସୃଷ୍ଟି ପାଇଁ, ବିଷ୍ଣୁ ସୃଷ୍ଟିକୁ ରକ୍ଷା କରିବା ପାଇଁ ଏବଂ ମୁଁ ପ୍ରଳୟ ପାଇଁ ଉଦ୍ଦିଷ୍ଟ । ବର୍ତ୍ତମାନ ସୃଷ୍ଟିକାର୍ଯ୍ୟ ଆରମ୍ଭ କର ।”

ଏହା କହି ଶିବ ଜ୍ୟୋତିର୍ଲିଙ୍ଗରେ ଲୀନ ହୋଇଗଲେ । ବିଷ୍ଣୁଙ୍କଠାରୁ ବେଦ ଗ୍ରହଣ କରି ଶିବ ପଦ୍ମାସନରେ ଧ୍ୟାନାବିଷ୍ଟ ହେଲେ ।

ତା’ପରେ କେତେକାଳ ଯେ ବିତିଗଲା, ସେକଥା କହିବା ସମ୍ଭବପର ନୁହେଁ । କାରଣ ଆଜିପରି ସେତେବେଳେ ତ ଆଉ ସମୟର ଧାରଣା ସୃଷ୍ଟି ହୋଇ ନଥିଲା । ସହସ୍ର ବର୍ଷ, ନିୟୁତ ବର୍ଷ, ଏଭଳି ଗଣନା ସେ ପୃଷ୍ଠଭୂମିରେ ସମ୍ଭବପର ନଥିଲା ।

ସେହିପରି ଧ୍ୟାନସ୍ଥ ଅବସ୍ଥାରେ ଶିବ ଏକ ଗୋଲାକାର ପିଣ୍ଡର କଳ୍ପନା କଲେ ଓ ନିଜକୁ ତହିଁ ଭିତରେ ପ୍ରବିଷ୍ଟ କରାଇଲେ । ହଠାତ୍ ସେ ଗୋଲକ ଦ୍ୱିଧାବିଭକ୍ତ ହେଲା । ତଳଭାଗ ପୃଥିବୀ ରୂପେ ରହିଲା; ଆଉ ତା’ଉପରି ଭାଗ ଆକାଶ ହେଲା । କ୍ରମେ ପୃଥିବୀରୁ ଜଳ ଭାଗ ଶୁଷ୍କ ହେବାକୁ ଲାଗିଲା ଏବଂ ମାଟି ଦୃଶ୍ୟମାନ ହେଲା ।

ଏସବୁ ଦେଖି ଧ୍ୟାନସ୍ଥ ବ୍ରହ୍ମା ଆନନ୍ଦରେ ତାଙ୍କ ଶକ୍ତି ଦ୍ୱାରା ସନକ, ସନନ୍ଦ ଆଦି କେତେକ ଋଷିଙ୍କୁ ସୃଜନ କଲେ । ସେମାନେ ତାଙ୍କୁ ସହଯୋଗ ଦେଇ ସୃଷ୍ଟିକାର୍ଯ୍ୟ ଆଗେଇ ନେବେ ବୋଲି ସେ ଆଶା କରିଥିଲେ । କିନ୍ତୁ ସୃଷ୍ଟି ହେବା ମାତ୍ରେ ସେମାନେ ତପସ୍ୟା କରିବାକୁ ଚାଲିଗଲେ । ସୃଷ୍ଟି ପ୍ରତି ସେମାନଙ୍କ ଚେତନାରେ ତିଳେ ମଧ୍ୟ ଆଗ୍ରହ ନଥିଲା ।

ବ୍ରହ୍ମା ଏସବୁ ଦେଖି ଅତ୍ୟନ୍ତ ଦୁଃଖି ହେଲେ । ତାଙ୍କ ଦୁଃଖ ଦେଖି ତାଙ୍କ ଆଗରେ ପୁନର୍ବାର ବିଷ୍ଣୁ ପ୍ରତ୍ୟକ୍ଷ ହେଲେ । ତାଙ୍କୁ ଦେଖି ବ୍ରହ୍ମା ଏଥର ଟିକେ ଆଶ୍ୱସ୍ତ ହେଲେ । କାରଣ ସେ ବୁଝିଲେ ଯେ ଯେତେ ବିଳମ୍ବ ହେଲେ କିଛି ବି କ୍ଷତି ନାହିଁ । ବିଷ୍ଣୁ ସୃଷ୍ଟି ଧାରଣ କରିବା ନିମନ୍ତେ ସର୍ବ କାଳ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

ତେବେ ସମ୍ପୂର୍ଣ୍ଣ ସତାହୀନ ଭୂଲୋକରେ ବ୍ରହ୍ମା ଏକାକୀ ଅନୁଭବ କରିବେ ବୋଲି ତାଙ୍କ ନିବାସ ସକାଶେ ସତ୍ୟଲୋକ ନାମକ ଏକ ସ୍ଥାନ ସୃଷ୍ଟି ହେଲା । ସେଠାରେ ମରୀଚ, କଶ୍ୟପ, ଦକ୍ଷ, ଗୌତମ, ବଶିଷ୍ଠ ଓ କର୍ଦମ ଆଦି ଉପବ୍ରହ୍ମାମାନଙ୍କୁ ସୃଷ୍ଟି କରି ସେ ସେମାନଙ୍କ ଗହଣରେ କାଳାତିପାତ କଲେ ।

ବିଷ୍ଣୁଙ୍କ ନିବାସ ପାଇଁ ବୈକୁଣ୍ଠ ଏବଂ ଶିବଙ୍କ ସକାଶେ କୈଳାସ ସୃଷ୍ଟି ହେଲା ।

ଏସବୁ ଘଟିବା ଭିତରେ କେତେ ଯୁଗ ବିତିଗଲା, ତା’ର କୌଣସି ହିସାବ ନାହିଁ ।

ଉପବ୍ରହ୍ମାମାନଙ୍କ ଭିତରେ ଦକ୍ଷ ଥିଲେ । ସେ ଚୌଷଠି କନ୍ୟାର ଜନକ । କଶ୍ୟପ ସେ କନ୍ୟାଙ୍କ ଭିତରୁ ଦଶଜଣଙ୍କୁ ବିବାହ କଲେ । ସେମାନଙ୍କ ଭିତରୁ ଅଦିତି ହେଲେ ଇନ୍ଦ୍ର ଇତ୍ୟାଦି ଦେବଗଣଙ୍କ ଜନନୀ; ଦିତିଙ୍କ ଗର୍ଭରୁ ଦୈତବର୍ଗ ଜନ୍ମ ହେଲେ; ବିନତା ଅରୁଣ ଏବଂ ଗରୁଡଙ୍କୁ ଜନ୍ମ ଦେଲେ; କଦ୍ରୁବଙ୍କଠାରୁ ସର୍ପକୂଳ ଜାତହେଲେ ଏବଂ ଯକ୍ଷ ଓ ରାକ୍ଷସ ସ୍ୱୟଙ୍କଠାରୁ ଜନ୍ମ ନେଲେ ।

ଦକ୍ଷଙ୍କ ଅନ୍ୟତମ କନ୍ୟା ହେଲେ ସତୀ । ସେ ବାସ୍ତବରେ ମାହେଶ୍ୱରୀ । ଦକ୍ଷଙ୍କ ପ୍ରାର୍ଥନା କ୍ରମେ ସେ ତାଙ୍କ କନ୍ୟା ରୂପେ ଜନ୍ମ ଗ୍ରହଣ କରିଥିଲେ ।

କିନ୍ତୁ ଦୁଃଖର କଥା ହେଲା, ମାହେଶ୍ୱରୀ ପ୍ରକୃତରେ କିଏ, ସେକଥା ଦକ୍ଷ ମନେ ରଖି ପାରିଲେ ନାହିଁ । ସେ, ତାଙ୍କ ସହ ଏପରି ବ୍ୟବହାର କଲେ ସତେ ଅବା ସତୀ ଜଣେ ସାଧାରଣ ମାନବ କନ୍ୟା ।


ଗପ ସାରଣୀ

ତାଲିକାଭୁକ୍ତ ଗପ