ଶିବ ପୁରାଣ

ମେନକା ଓ ହିମବାନ୍ ତା’ପରେ ନିଜ ପ୍ରାସାଦକୁ ଲେଉଟି ଆସିଲେ । କାଳକ୍ରମେ ମେନକାଙ୍କର ଶହେଟି ପୁତ୍ରସନ୍ତାନ ଜନ୍ମ ହେଲେ । ସେଥି ମଧ୍ୟରୁ ଜୈଷ୍ଠ ପୁତ୍ର ହେଲେ ମୈନାକ । କିଛି କାଳ ପରେ ଚୈତ୍ର ଶୁକ୍ଳ ନବମୀ ଦିନ ଆଦ୍ରା ନକ୍ଷତ୍ରର ଶୁଭ ସମୟରେ ଏକ କନ୍ୟା ଭୂମିଷ୍ଠ ହେଲେ । ପର୍ବତଙ୍କ କନ୍ୟା ଯୋଗୁଁ ତାଙ୍କ ନାମ ପାର୍ବତୀ ରଖାଗଲା । ସେ କନ୍ୟା ଜନ୍ମ ହେବା ମାତ୍ରେ ଦଶଦିଗ ଆଲୋକିତ ହୋଇ ଉଠିଲା ଦେବତାମାନେ ଆନନ୍ଦରେ ପୁଷ୍ପବୃଷ୍ଟି କଲେ ଓ ମହାଶକ୍ତିଙ୍କର ସ୍ତୋତ୍ର ସବୁ ଗାନ କଲେ ।

ସେ କନ୍ୟାଟିର ରୂପ ଥିଲା ଅଦ୍ଭୁତ । ତା’ ଦେହରୁ ନୀଳବର୍ଣ୍ଣର ଆଲୋକ ନିଃସାରିତ ହେଉଥାଏ । ଲଲାଟରେ ତା’ର ତୃତୀୟ ନୟନ ଥିଲା  । ଏସବୁ ଦେଖି ମାତା ମେନକା ପ୍ରାର୍ଥନା କଲେ କି ସେ ଯେପରି ସାଧାରଣ ରୂପ ଧାରଣ କରନ୍ତି । ତତ୍କ୍ଷଣାତ୍ ସେ କନ୍ୟାଟି ଏକ ସୁନ୍ଦର କୋମଳ ଶିଶୁରେ ପରିଣତ ହୋଇଗଲେ ।

ଝିଅର ଜନ୍ମବୃତାନ୍ତ ଶୁଣି ହିମବାନ୍ଙ୍କ ମନ ଆନନ୍ଦରେ ଭରି ଉଠିଲା । ସେ ବ୍ରାହ୍ମଣ ଓ ପୁରୋହିତ ନେଇ ପ୍ରସୁତିଗୃହ ନିକଟକୁ ଗଲେ । କସ୍ତୁରୀ ଗୁଣ୍ଡ ଓ ଚନ୍ଦନ ଜଳ ସବୁ ସିଂଚା ହେଲା । ବ୍ରାହ୍ମଣମାନଙ୍କୁ ଅନେକ ଧନରତ୍ନ ଦାନ ସ୍ୱରୂପ ଦିଆଗଲା । ଅନ୍ତଃପୁରର ସ୍ତ୍ରୀମାନେ ନୃତ୍ୟ ଓ ଗାନ କରିବାକୁ ଲାଗିଲେ ଓ ଅନେକ ଉତ୍ସବ ମଧ୍ୟ କରାଗଲା ।

ପାର୍ବତୀ ଧୀରେ ଧୀରେ ବଢିବାକୁ ଲାଗିଲେ । ବାଳିକା ଅବସ୍ଥାରେ ସେ ନିଜ ସଖୀମାନଙ୍କ ସହିତ ପାହାଡ ଉପରେ ବୁଲୁଥା’ନ୍ତି । ପଶୁପକ୍ଷୀ, ଗଛଲତା ସବୁ ଯେପରି ତାଙ୍କର ସ୍ପର୍ଶରେ ମନ୍ତ୍ରମୁଗ୍ଧ ହେଉଥା’ନ୍ତି । ସିଂହମାନଙ୍କୁ ବଶୀଭୂତ କରି ସେ ତାଙ୍କ ଉପରେ ସବାର ହୋଇ ବଣରେ ବୁଲୁଥା’ନ୍ତି । ସେ ଅତ୍ୟନ୍ତ ଦୟାବତୀ ଥିଲେ । ହାତରେ ଯାହା ପାଆନ୍ତି ସର୍ବଦା ସମସ୍ତଙ୍କୁ ସେ ବାଂଟି ଦିଅନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ