ଶିବ ପୁରାଣ

ବହୁତ ସମୟରେ ସେ ଅନ୍ୟ ମନସ୍କ ବି ରୁହନ୍ତି । ଯଦି ବା ସେ କିଛି ନେଇ ଖେଳୁଥା’ନ୍ତି ସଖୀମାନେ ପ୍ରଶ୍ନ କଲେ ସେ ତାହାର ଯେଉଁ ସବୁ ଉତ୍ତର ଦିଅନ୍ତି ସେସବୁ ସେମାନେ ଆଦୌ ବୁଝିପାରନ୍ତି ନାହିଁ । ସେ ଉତ୍ତରରେ ଥାଏ ସୃଷ୍ଟିର ଗୁଢ ରହସ୍ୟ, ଦିବ୍ୟ ଭାବର ସ୍ଫୁରଣ । ସଖୀମାନେ ସେସବୁ ତାଙ୍କର ବାଳିକାସୁଲଭ ଖେଳ ବୋଲି ଭାବନ୍ତି ।

ବାଳିକା ବୟସରେ ପିତାମାତା ବିଦ୍ୟାରମ୍ଭ କରାନ୍ତେ ତାଙ୍କୁ ଆଉ କିଛି ଶିଖିବାକୁ ପଡିଲା ନାହିଁ । ସ୍ମରଣ ମାତ୍ରେ ବିଦ୍ୟାମାନେ ହିଁ ତାଙ୍କ ସମ୍ମୁଖରେ ଆସି ଆବିର୍ଭୂତ ହୁଅନ୍ତି । ଅନାୟସରେ ସେ ସବୁ ବିଦ୍ୟାରେ ପାରଦର୍ଶୀ ହୋଇ ଉଠିଲେ । କାରଣ ସେ ଜନ୍ମସିଦ୍ଧ ଥିଲେ । କେବେ କେବେ ସେ ବୀଣାବାଦନରେ ତତ୍ପର ହୋଇ ଉଠୁଥିଲେ ତ ଆଉ କେବେ କେବେ ସେ ସାମବେଦ ଗାନ କରି ସଂସାର ଭୁଲି ଯାଉଥିଲେ । ବାଳିକା ଅବସ୍ଥାରୁ ହିଁ ସେ ଗଭୀର ଧ୍ୟାନରେ ମଗ୍ନ ହୋଇ ଯାଉଥିଲେ । ଏତେ ଛୋଟ ବାଳିକାର ଏପରି ଭାବାବସ୍ଥା ଦେଖି ମାତା ମେନକା ତାଙ୍କୁ ଧ୍ୟାନସ୍ଥ ହେବାକୁ ବାରଣ କରୁଥିଲେ ଓ ସେଥିପାଇଁ ତାଙ୍କ ନାମ ଥିଲା “ଉମା” ।

ଦିନେ ନାରଦ ଆସି ହିମବାନ୍ଙ୍କ ପ୍ରାସାଦରେ ପହଁଚିଲେ । ପିତା ହିମବାନ୍ ପାର୍ବତୀଙ୍କୁ ଡାକିଲେ । ପାର୍ବତୀ ନାରଦଙ୍କୁ ନମସ୍କାର କଲେ । ହିମବାନ୍ ତାଙ୍କ ଝିଅକୁ ଆଦରରେ କୋଳରେ ବସାଇ ନାରଦଙ୍କୁ ପ୍ରଶ୍ନ କଲେ, “ଦେବର୍ଷି, ଆପଣ ତ ସର୍ବଜ୍ଞ, ତେବେ କୁହନ୍ତୁ ଦେଖି ମୋ ଝିଅର ସ୍ୱାମୀ କିଏ ହେବ?”

ନାରଦ ପାର୍ବତୀଙ୍କ ହାତ ଦେଖି କହିଲେ, “ଆପଣଙ୍କ ଝିଅ ହାତରେ ତ ମହାଶକ୍ତିଙ୍କର ଚିହ୍ନ ଅଛି । ତା’ ଯୋଗୁଁ ଆପଣଙ୍କର ଯଶ ବୃଦ୍ଧି ପାଇବ । ସେ ଲୋକମାନଙ୍କ ଦ୍ୱାରା ପୂଜା ପାଇବ । ଏକମାତ୍ର ଶିବହିଁ ଏହାର ଯୋଗ୍ୟ ପତି । ତେଣୁ କୌଣସି ଚିନ୍ତା ନ କରି ଏହାକୁ ଶିବଙ୍କ ହାତରେ ଅର୍ପଣ କରନ୍ତୁ ।”

ନାରଦ ଯିବା ପରେ ହିମବାନ୍ ତାଙ୍କ ପତ୍ନୀ ମେନକାଙ୍କୁ କହିଲେ, “ଆମେ ମହାଶକ୍ତିଙ୍କୁ ପ୍ରାର୍ଥନା କରିଥିଲେ କି ସେ ଆମର କନ୍ୟା ରୂପରେ ଜନ୍ମ ହୋଇ ଶିବଙ୍କୁ ବିବାହ କରନ୍ତୁ । ଏବେ ନାରଦଙ୍କ ଶୁଭ ବଚନ ତାହାହିଁ ପ୍ରମାଣିତ କରୁଛି ।”

ଏସବୁ ଶୁଣି ମେନକା ପ୍ରସନ୍ନ ହୋଇ କହିଲେ, “ଆମ ପାର୍ବତୀ ତ ଏବେ ବିବାହ ଯୋଗ୍ୟ ହୋଇଗଲାଣି । ତେଣୁ ତମେ ଶୀଘ୍ର ତା’ର ବିବାହର ବ୍ୟବସ୍ଥା କର ।”

ଏଣେ ଶିବ ସତୀଙ୍କ ପ୍ରାଣତ୍ୟାଗ ପରେ ତାଙ୍କର ପବିତ୍ର ଶରୀରକୁ ସ୍କନ୍ଧରେ ଧାରଣ କରି ସାରା ବିଶ୍ୱ ଘୁରି ବୁଲିଲେ । ଶିବ ବିନା ସଂସାର ଅଚଳ । ବିଷ୍ଣୁ ତାଙ୍କର ମାୟା ଦ୍ୱାରା ଶିବଙ୍କୁ ଆଚ୍ଛନ୍ନ କରି ନିଜ ଚକ୍ରରେ ସତୀଙ୍କ ଅଙ୍ଗ ସବୁ କାଟିବାକୁ ଲାଗିଲେ । ଯେଉଁଠି ସେହି ପବିତ୍ର ଦେହାବଶେଷ ସବୁ ପଡିଲା ତାହାହିଁ ମହାତୀର୍ଥ ରୂପେ ପରିଗଣିତ ହେଲା । ଶିବ ହିମାଳୟରେ ପହଁଚିବା ବେଳକୁ ଆଉ ସତୀଙ୍କ ଦେହ ଅବଶିଷ୍ଟ କିଛି ବି ନଥାଏ । ଭୋଳା ପୁରୁଷ ଶିବ ସବୁ ଦୁଃଖ ଭୁଲିବା ପାଇଁ ଘୋର ତପସ୍ୟାରେ ମଗ୍ନ ରହିଲେ । ମଧ୍ୟେ ମଧ୍ୟେ ଭକ୍ତମାନଙ୍କୁ କଦବା କ୍ୱଚିତ୍ ସେ ଦେଖା ଦେଉଥା’ନ୍ତି ।

ହିମବାନ୍ ପ୍ରସ୍ତାବ କଲେ ପାର୍ବତୀ ଯାଇ ଧ୍ୟାନମଗ୍ନ ଶିବଙ୍କର ତତ୍ତ୍ୱ ନେବ ଓ ତାଙ୍କର ପରିଚର୍ଯ୍ୟା କରିବ । ପାର୍ବତୀ ଏକଥା ଶୁଣି ଖୁବ୍ ଖୁସି ହେଲେ । ତା’ପରେ ମେନକା ଓ ହିମବାନ୍ ଶିବଙ୍କୁ ଏ ପ୍ରସ୍ତାବ ଦେବାକୁ କୈଳାସକୁ ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ