ଶ୍ରେଷ୍ଠ ବୈଦ୍ୟ

ପ୍ରଦୀପ ସେଠାରେ ପହଁଚି ସବୁ କଥା ଶୁଣି କହିଲେ, “ମହାରାଜ, ମୁଁ ରାଜବୈଦ୍ୟ, ମୋଠାରୁ ଅଧିକ ଉତ୍ତମ ବୈଦ୍ୟ ଏ ରାଜ୍ୟରେ ଆଉ କେହିବି ନାହିଁ । ଯଦି ରାଜକୀୟ ସମ୍ମାନ କାହାକୁ ଦେବା କଥା ତେବେ ମୋତେ ଦିଆଯିବା ଉଚିତ୍ । କେବଳ ଲଜ୍ଜା ଓ ସଙ୍କୋଚବଶତଃ ମୁଁ ଏ ବିଷୟ କେବେବି କହୁ ନ ଥିଲି ।” ରାଜା ପଚାରିଲେ “ଆଚ୍ଛା, ସୌଭାଗ୍ୟନଗରରେ ପ୍ରଚଣ୍ଡ ନାମକ ଏକ ବଡ ବୈଦ୍ୟ ଅଛନ୍ତି ବୋଲି ତୁମେ କ’ଣ ଜାଣି ନାହଁ?”

ପ୍ରଚଣ୍ଡଙ୍କ ନାମ ଶୁଣିବା ମାତ୍ରେହିଁ ପ୍ରଦୀପଙ୍କ ମୁହଁ ହଠାତ୍ ଫିକା ପଡିଗଲା । ଅନିଚ୍ଛା ସହିତ ସେ କହିଲେ, “ମହାରାଜ, ପ୍ରଚଣ୍ଡଙ୍କ ନାମ ମୁଁ ଅବଶ୍ୟ ଶୁଣିଛି । ଆହୁରି ପୁଣି ମୁଁ ଏକଥା ମଧ୍ୟ ଶୁଣିଛି ଯେ ଯିଏ ତାଙ୍କ ପାଖରେ ଚିକିତ୍ସା କରାନ୍ତି, ସେମାନେ ବହୁତ ଶୀଘ୍ର ଗରିବ ହୋଇ ଯା’ନ୍ତି । କିଛି ଦିନ ଆଗରୁ କୁମାର ଗୁପ୍ତ ନାମକ ଜଣେ ଧନୀ ଲୋକ ସୌଭାଗ୍ୟ ନଗରରୁ ଏଠାକୁ ଆସିଥିଲେ । ସେ ମୋର ବନ୍ଧୁ । ସେ ହିଁ ତ ମୋତେ ଏପରି କଥା କହୁଥିଲେ । ଲୋଭର ତ ପୁଣି ଗୋଟେ ସୀମା ଅଛି । ତାହା ସୀମାତୀତ ହେଲେ ଅମାନୁଷିକ ହୋଇ ଯାଇପାରେ ।”

ପ୍ରଦୀପ ସେଠାରୁ ଯିବା ପରେ ରାଜା ମନ୍ତ୍ରୀଙ୍କୁ ବଡ ଅସନ୍ତୁଷ୍ଟ ସ୍ୱରରେ କହିଲେ, “ମୁଁ ପ୍ରଚଣ୍ଡଙ୍କ ଶ୍ରେଷ୍ଠତା ବିଷୟରେ ବହୁତ କିଛି ଶୁଣିଛି । ଏକଥା ଯିଏ ମୋତେ କହିଲେ ସେ ଜଣେ ବଡ ସାଧୁ ।”

ମନ୍ତ୍ରୀ କହିଲେ, “କୁମାରଗୁପ୍ତଙ୍କ ସହିତ କଥାବାର୍ତ୍ତା ହେବା ପରେ ଆପଣଙ୍କ ସନ୍ଦେହର ନିବୃତି ହେବ । କିନ୍ତୁ ଆପଣ ରାଜା ଭାବରେ ଗଲେ, ସେ ଆପଣଙ୍କୁ ନିର୍ଭୟରେ ସବୁକଥା ଖୋଲିକି ନ କହି ପାରନ୍ତି ଆମେ ଛଦ୍ମ ବେଶରେ ସେଠାକୁ ଯାଇ ନିଜେ ସବୁ ବୁଝିବା ।” ରାଜା ଓ ମନ୍ତ୍ରୀ ବହୁରୂପୀ ଛଦ୍ମବେଶରେ ସେଠାରେ ଯାଇ ପହଁଚିଲେ । ସେମାନେ କୁମାରଗୁପ୍ତଙ୍କୁ ଦେଖାକରିବାରୁ ସେ ପ୍ରଦୀପ ତାଙ୍କୁ ଯାହା କହିଥିଲେ ସେ ତାହାହିଁ କହିଲେ ।

ମନ୍ତ୍ରୀ କୁମାରଗୁପ୍ତଙ୍କୁ କହିଲେ, “ମୋର ମନେହୁଏ ଆପଣଙ୍କର ତାଙ୍କ ସହ ନିଶ୍ଚୟ କିଛି ବ୍ୟକ୍ତିଗତ ଶତୃତା ରହିଛି ।”

ଏକଥା ଶୁଣି ସେ ହସି ହସି କହିଲେ, “ହଁ ଏକଥା ସତ ଯେ ପ୍ରଚଣ୍ଡ ସହିତ ମୋର ଆଦୌ ଭଲ ପଡେ ନାହିଁ । କିନ୍ତୁ ତାଙ୍କ ବିଷୟରେ ମୁଁ ଯାହା କହିଲି ସେସବୁ ପ୍ରଚଣ୍ଡଙ୍କ ଘନିଷ୍ଠ ବନ୍ଧୁ ପରାଙ୍କୁଶ ମୋତେ ପ୍ରଥମେ କହିଥିଲେ । ଆପଣ ଚାହିଁଲେ ତାଙ୍କୁ ଦେଖା କରି ସତ୍ୟ ଜାଣି ନିଅନ୍ତୁ ।”

ରାଜା ଓ ମନ୍ତ୍ରୀ ପରାଙ୍କୁଶଙ୍କ ସହ ଯାଇ ଦେଖାକଲେ । ସେ ମଧ୍ୟ ସେହି ଏକା କଥା କହିଲେ । ରାଜା ମନ୍ତ୍ରୀଙ୍କୁ କହିଲେ, “ପ୍ରଚଣ୍ଡ ଜଣେ ଉଚ୍ଚକୋଟିର ବୈଦ୍ୟ ହୋଇପାରନ୍ତି, କିନ୍ତୁ ମୋର କାହିଁ ମନେହୁଏ ରାଜସମ୍ମାନ ପାଇଁ ତାଙ୍କର କୌଣସି ଯୋଗ୍ୟତା ବି ନାହିଁ । କାରଣ ବୋଧହୁଏ ତାଙ୍କ ମଧ୍ୟରେ ବିଶେଷ କିଛି ଭଲ ଗୁଣ ନାହିଁ, ଯାହାକି ରାଜସମ୍ମାନ ପାଇଁ ଆବଶ୍ୟକ ।”

ରାଜାଙ୍କ କଥା ଶୁଣି ପରାଙ୍କୁଶ ଭାରି ଆଶ୍ଚର୍ଯ୍ୟ ହୋଇ କହିଲେ, “ମହାରାଜ ଆପଣଙ୍କୁ ବୋଧହୁଏ ମୁଁ ଠିକ୍ ବୁଝାଇ ପାରିନାହିଁ । ତାଙ୍କର ବୈଦ୍ୟଗୁଣ ଅପେକ୍ଷା ଅନ୍ୟାନ୍ୟ ଭଲଗୁଣ ଯୋଗୁଁ ସେ ଖୁବ୍ ଜନପ୍ରିୟ । ପ୍ରଚଣ୍ଡଙ୍କ ମଧ୍ୟରେ ଲୋଭ ତିଳେମାତ୍ର ବି ନାହିଁ । ମଣିଷର ସେବାକୁ ସେ ଭଗବାନଙ୍କର ସେବା ବୋଲି ଭାବନ୍ତି । ତେଣୁ ଅଧିକାଂଶ ସମୟରେ ସେ ଦୀନଦରିଦ୍ରମାନଙ୍କର ସେବାରେ ଲାଗିଥାନ୍ତି । ସେଥିପାଇଁ ଉପର ମହଲରେ ସେ ବେଶି ଖ୍ୟାତି ଅର୍ଜନ କରି ନାହାଁନ୍ତି । କାରଣ କେହି ଧନୀ ତାଙ୍କର ଚିକିତ୍ସା ନେବାକୁ ହେଲେ ନିଜେ ଦରିଦ୍ର ବେଶରେ ଯିବାକୁ ହୁଏ । ଏବେ ମୋର ଆଶା ଆପଣ ସବୁକଥା ଠିକ୍ ଠିକ୍ ବୁଝି ପାରିଥିବେ ।”

ଏଥର ରାଜାଙ୍କ ସନ୍ଦେହ ଦୂର ହୋଇ ଗଲା । ସେ ବୁଝିଲେ ଯେ ସମ୍ପୂର୍ଣ୍ଣ ରୂପେ ନବୁଝି କିଛି ବିଚାର କରିବା ପ୍ରମାଦପୂର୍ଣ୍ଣ । ରାଜା ବିରାଟ ଉତ୍ସବ କରି ପ୍ରଚଣ୍ଡଙ୍କୁ ବହୁତ ରାଜସମ୍ମାନ ଦେଲେ ଓ ବହୁଅର୍ଥ ଦାନ ବି କଲେ । ତା’ପରେ ସେ ସାରା ରାଜ୍ୟର ବୈଦ୍ୟମାନଙ୍କୁ ଓ ଅନ୍ୟାନ୍ୟ ପ୍ରତିଭାବାନ୍ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନ ଓ ଅର୍ଥ ପ୍ରଦାନ କଲେ । ପ୍ରଦୀପଙ୍କର ମଧ୍ୟ ମତ ପରିବର୍ତ୍ତନ ହେଲା । ସେ ଏଣିକି କିଛି ସମୟ ବିନା ମୂଲ୍ୟରେ ଦରିଦ୍ରଙ୍କର ସେବା କରନ୍ତି । କାରଣ ଯଥାର୍ଥରେ ତାହା ପରୋକ୍ଷ ଭାବରେ ଭଗବାନଙ୍କର ହିଁ ସେବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ