ସଂସାରର ସାଗର

ଘରେ ପହଁଚି ନରେନ୍ଦ୍ର ଔଷଧ ଗଛର ଡାଳସବୁ ଏକ ସ୍ଥାନରେ ରଖିଲା । ଗଣେଶ ନରେନ୍ଦ୍ରକୁ କହିଲେ, “ଆପଣ ଜଣେ ବଡ ପରୋପକାରୀ ବ୍ୟକ୍ତି । ଆପଣ ଆଜି ରାତିରେ ରହି ମୋର ଆତିଥ୍ୟ ସ୍ୱୀକାର କରି ମୋତେ କୃତାର୍ଥ କରନ୍ତୁ ।”

ଏହା ଶୁଣି ନରେନ୍ଦ୍ର ଅଳ୍ପ ହସି କହିଲା, “ମହାଶୟ, ମୁଁ ତ ଆପଣଙ୍କ ସହିତ ହିଁ ଦେଖା କରିବାକୁ ଆସିଥିଲି । ମୋତେ ମୋର ଗୁରୁ ପରମାନନ୍ଦ ଆପଣଙ୍କ ପାଖକୁ ପଠାଇଛନ୍ତି ।”

ପରଦିନ ବରଘର କନ୍ୟା ଦେଖିବାକୁ ଆସିଲେ  । ଉତ୍ସବଟି ବିବାହ ଉତ୍ସବ ପରି ହୋଇଥିଲା । ସାରା ଗ୍ରାମର ଲୋକେ ସାହାଯ୍ୟ କରୁଥା’ନ୍ତି ଓ ଖାଇପିଇ ଯାଉଥା’ନ୍ତି । ବରଘର ଝିଅକୁ ଦେଖି ପସନ୍ଦ କଲେ । କିନ୍ତୁ କିଛି ଯୌତୁକ ଦାବୀ କଲେ । ଗଣେଶ ସେଥିରେ ରାଜି ହେଲେ ।

ଉତ୍ସବ ଶେଷ ହେବା ପରେ ଗଣେଶଙ୍କ ମା’ କହିଲେ, “ବରପକ୍ଷର ଦାବୀ ତୁ ସବୁ ମାନିଗଲୁ? ଭଉଣୀ ବାହାଘରରେ କରିଥିବା କରଜ ତ ଏବେ ମଧ୍ୟ ଶୁଝା ହୋଇ ନାହିଁ । ଝିଅ ପାଇଁ ତୁ କିପରି ସବୁ ମାନିଗଲୁ? ଏବେ ତ ବିକ୍ରି କରିବାକୁ ଘରେ ଭଲ ସୁନା ସୁଦ୍ଧା ନାହିଁ; ଏକଥା ଜାଣୁ ତ?”

ତହୁଁ ଗଣେଶ ହସିଦେଇ କହିଲେ, “ଦେଖ ମା’ କଷ୍ଟ, ଅସୁବିଧା, ତ ସବୁବେଳେ ଲାଗି ରହିଛି । ସନ୍ତୁଷ୍ଟ ରୁହ କି ନାତୁଣୀର ବିବାହ ସ୍ଥିର ହୋଇଗଲା । ତା’ପରେ ମୁଁ ସବୁ ସମ୍ଭାଳିବି । ଆଉ ପୁଣି ଭଗବାନ ତ ଅଛନ୍ତି ନା?”

ପରଦିନ ଗଣେଶଙ୍କୁ ଏକାନ୍ତରେ ପାଇ ନରେନ୍ଦ୍ର ତାଙ୍କୁ ପଚାରିଲା, “ମହାଶୟ, ଆପଣଙ୍କ ମୁହଁ ଉପରେ ଯେଉଁମାନେ ସବୁ ଆପଣଙ୍କର ପ୍ରଶଂସା କରୁଛନ୍ତି, ପଛରେ ଆପଣଙ୍କ ନାମରେ ଯାହା ତାହା କହୁଛନ୍ତି ।” ଏତିକି କହି ସମସ୍ତେ କହିଥିବା କଥା ସବୁ ନରେନ୍ଦ୍ର ତାଙ୍କୁ କହିଲା ।

ସବୁ ଶୁଣି ଗଣେଶ ହସି ହସି କହିଲେ, “ମୁଁ ସେସବୁ ଜାଣେ; ମୋ ପାଖରେ ଧନ ନାହିଁ । ଅନ୍ୟ ଉପରେ ନିର୍ଭର କରେ । ତେଣୁ ଯଦି ସେଥିପାଇଁ ସେମାନେ ମୋତେ ପଛରେ ଦୁଇକଥା କହନ୍ତି ତେବେ ତାଙ୍କର ବା ଏଥିରେ ଦୋଷ କ’ଣ?”

ଏକଥା ଶୁଣି ନରେନ୍ଦ୍ର କହିଲା “ସେମାନେ ମୁହଁରେ ମିଠାକଥା କହୁଛନ୍ତି ପଛରେ ନିନ୍ଦା ମଧ୍ୟ କରୁଛନ୍ତି ।”

ଗଣେଶ କହିଲେ “ତା’ର କାରଣ ମୋର ସାଧୁତା । ନିହାତି ଆବଶ୍ୟକ ନହେଲେ ମୁଁ କାହାକୁ ସାହାଯ୍ୟ ମାଗେନାହିଁ । କାହାର ନିନ୍ଦା କରେ ନାହିଁ, ମୋର କେହି ନିନ୍ଦା କଲେ ମୁଁ ସେସବୁ ଦେହକୁ ମୋଟେ ନିଏ ନାହିଁ ।”

ନରେନ୍ଦ୍ର କହିଲା “ଆପଣଙ୍କ ଜୀବନପଦ୍ଧତି ବଡ ବିଚିତ୍ର; ଆଶ୍ଚର୍ଯ୍ୟର କଥା ଯେ ଏତେଗୁଡିଏ ସମସ୍ୟା ମଧ୍ୟରେ ବି ଆପଣ ଜଣେ ଶ୍ରେଷ୍ଠ ସନ୍ତରଣକାରୀ ହୋଇ ପାରିଛନ୍ତି । ମୁଁ ଆପଣଙ୍କଠାରୁ ସନ୍ତରଣର ବିଭିନ୍ନ କଳା ଶିଖିବାକୁହିଁ ଆସିଛି ।”

ଏପରି କଥା ଶୁଣି ଗଣେଶ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ବାଲ୍ୟକାଳରୁ ମୋର ଜୀବନ ତ ଏହି ସଂସାର ରୂପକ ସାଗରରେ ହିଁ ସନ୍ତରଣ କରି କରି ବିତି ଯାଉଛି । ପାଣିରେ ସନ୍ତରଣ କରିବା ତ ମୁଁ ଆଦୌ ଶିଖି ନାହିଁ?”

ଏହି ଉତ୍ତର ଶୁଣି ନରେନ୍ଦ୍ର ବୁଝିଗଲା ଯେ ପରମାନନ୍ଦ କାହିଁକି ତାକୁ ଏଠାକୁ ପଠାଇ ଥିଲେ । ସଂସାର ଏକ ସମୁଦ୍ର । ମଣିଷର କର୍ତ୍ତବ୍ୟ, ଓ ଦାୟିତ୍ୱ, ତାକୁ ସେଥିରେ ବୁଡାଇ ଦେବାକୁ ଚେଷ୍ଟା କରେ । ସେଥିରେ ଜୁଆର, ଭଟ୍ଟା ଓ ସ୍ରୋତ ମଧ୍ୟରେ ନିଜକୁ ହଜାଇ ନଦେଇ ନିଜକୁ ସମ୍ଭାଳି ଯିଏ ତଟରେ ପହଁଚି ପାରେ କେବଳ ସେ ହିଁ ଯଥାର୍ଥରେ ଶ୍ରେଷ୍ଠ ସନ୍ତରଣକାରୀ ।”

ଏଥୁଅନ୍ତେ ନରେନ୍ଦ୍ର ଗଣେଶଙ୍କଠାରୁ ବିଦାୟ ନେଇ ନିଜ ଗ୍ରାମରେ ଯାଇ ପହଁଚିଲା । ସଙ୍ଗେସଙ୍ଗେ ସେ ଗୁରୁ ପରମାନନ୍ଦଙ୍କ ସହ ଦେଖା କରି ତାଙ୍କୁ ସବୁକଥା କହିଲା ଓ ଗୁରୁଙ୍କ ଆଶିର୍ବାଦ ନେଇ, ଚମ୍ପାକୁ ବିବାହ କରି, ଅତି ସହଜରେ ସବୁ ସମସ୍ୟାର ସମାଧାନ କରିଦେଲା । ପ୍ରକୃତରେ ସଂସାର ସାଗରରେ ସେ ଜଣେ ଶ୍ରେଷ୍ଠ ସନ୍ତରଣକାରୀ ଭାବରେ ନିଜକୁ ପ୍ରମାଣିତ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ