ସଙ୍କେତର ଅର୍ଥ

ପ୍ରାଚୀନ କାଳର କଥା । ସେତେବେଳେ କୋଶଳ ଦେଶରେ ରାଜା ଶାନ୍ତିବର୍ଦ୍ଧନ ରାଜୁତି କରୁଥିଲେ । ସେ ଅତ୍ୟନ୍ତ ଦକ୍ଷ ଓ ନ୍ୟାୟପରାୟଣ ଶାସକ ଥିଲେ ଓ ସବୁ ପ୍ରଜାଙ୍କ ଆପତ୍ତି ଅଭିଯୋଗ ବିଚାର କରି ସମସ୍ତଙ୍କୁ ଶାନ୍ତିରେ ରଖିବାକୁ ସେ ଚେଷ୍ଟା କରୁଥିଲେ । କିନ୍ତୁ କୋଶଳ ରାଜ୍ୟ ଆକାରରେ ଏଡେ ବୃହତ୍ ଯେ ସମସ୍ତଙ୍କ ସମସ୍ୟାର ସମାଧାନ ରାଜାଙ୍କ ଦ୍ୱାରା ହେବା ସମ୍ଭବପର ନଥିଲା । ସେଥିପାଇଁ ସେ ସିଂହାସନ ଆରୋହଣ କରିବା ପରେ ପରେ ରାଜ୍ୟ ଯାକ ବୁଲି ବୁଲି ଦେଖିଲେ ଓ ସ୍ଥାନେ ସ୍ଥାନେ ଡେରା ପକାଇ ଲୋକମାନଙ୍କ ସୁବିଧା ଅସୁବିଧା ସବୁ ବୁଝିଲେ । କିନ୍ତୁ ରାଜା ଏପରି ଭାବରେ ରାଜଧାନୀ ଛାଡି କେତେଦିନ ବା ଆଉ ବୁଲି ପାରିବେ? ତା’ ଛଡା ସବୁଆଡେ ତ ରାଜା ରହିପାରିଲା ଭଳି ଆଉ ବ୍ୟବସ୍ଥା ନଥାଏ । ତେଣୁ ସେ ଗସ୍ତ କରିବା ଛାଡିଦେଇ ନଅରରେ ରହିଲେ । ଅନେକ ଲୋକ ସେ ରାଜାଙ୍କୁ ଦେଖା କରିବାକୁ ରାଜଧାନୀରେ ଆସି ପହଁଚୁଥିଲେ । ଯେଉଁମାନଙ୍କୁ ରାଜା ଭେଟୁଥିଲେ, ସେମାନଙ୍କୁ ସେ ଯଥେଷ୍ଟ ସମୟ ଦେଇପାରୁ ନଥିଲେ । ଅନେକଙ୍କୁ ତ ସେ ମୋଟେ ଭେଟି ହିଁ ପାରୁ ନଥିଲେ । ସେମାନେ ସମସ୍ତେ ରାଜାଙ୍କ ଉପରେ ଅସନ୍ତୁଷ୍ଟ ହେଉଥିଲେ ।

                ଗୁପ୍ତଚରମାନଙ୍କଠାରୁ ରାଜା ଲୋକଙ୍କର ଏଭଳି ପ୍ରତିକ୍ରିୟା ବିଷୟ ଜାଣିବାକୁ ପାଉଥିଲେ । ଏ ସମସ୍ୟା ଉପରେ ଅନେକ ଚିନ୍ତା କରି ସେ ଏହାର ଏକ ସମାଧାନ ବାହାର କଲେ । ସେ ଗୋଟିଏ ନୂଆ ପଦ ସୃଷ୍ଟି କରିବାକୁ ସ୍ଥିର କଲେ । ସେ ପଦରେ ରହିବା କର୍ମଚାରୀଙ୍କର କାମ ହେବ ପ୍ରଜାଙ୍କର ସମସ୍ତ ଆପତ୍ତି ଅଭିଯୋଗ ମନଦେଇ ଶୁଣି କେବଳ ଯେଉଁଗୁଡିକର ସମାଧାନ ମନ୍ତ୍ରୀ, କଟୁଆଳ ବିଚାରକ ଓ ଅନ୍ୟ ଉଚ୍ଚ ରାଜକର୍ମଚାରୀଙ୍କ ଦ୍ୱାରା ହୋଇ ପାରିବ ନାହିଁ, କେବଳ ସେହିଗୁଡିକୁ ବାଛି ରାଜାଙ୍କ ପାଖକୁ ପଠାଇବା । କିନ୍ତୁ ଯିଏ ସେହି ପଦରେ ରହିବେ, ସେ ଅତ୍ୟନ୍ତ ବୁଦ୍ଧିମାନ, ବିବେକୀ ଓ ଭଦ୍ର ହୋଇଥିବା ଏକାନ୍ତ ଆବଶ୍ୟକ । ରାଜା ନିଜ ପାତ୍ର ମିତ୍ର ଅମାତ୍ୟମାନଙ୍କ ଭିତରୁ ସମସ୍ତଙ୍କ କଥା ଥରେ ଥରେ ମନେ ମନେ ତଉଲି ଦେଖିଲେ । କିନ୍ତୁ ଏ ବିଶେଷ ପଦ ପାଇଁ କେହି ଯୋଗ୍ୟ ବୋଲି ତାଙ୍କର ମନେ ହେଲେ ନାହିଁ ।

                ତା’ପରେ ସେ ରାଜା ତାଙ୍କ ମନ୍ତ୍ରୀଙ୍କ ସହ ପରାମର୍ଶ କରି ଏ ନୂଆ ପଦ କଥା ଚାରିଆଡେ ପ୍ରଚାର କରିଦେଲେ । ସେହି ପଦଟିର ନାମ ହେଲା ଲୋକ-ପ୍ରତିନିଧି । ଅନେକ ଉଚ୍ଚ ଶିକ୍ଷୀତ ବ୍ୟକ୍ତି ଆସି ସେଥିରେ ପ୍ରାର୍ଥୀ ହେଲେ । ସ୍ୱୟଂ ରାଜା ଓ ମନ୍ତ୍ରୀ ସେମାନଙ୍କୁ ପରୀକ୍ଷା କଲେ । ମାସେ କାଳ ସବୁଦିନ ଆଠ ଦଶ ଜଣଙ୍କୁ ପରୀକ୍ଷା କରାହେବା ପରେ ଉଭୟ ରାଜା ଓ ମନ୍ତ୍ରୀ ମାତ୍ର ଦୁଇଜଣ ଯୁବକଙ୍କୁ ମନୋନୀତ କଲେ । ତନ୍ମଧ୍ୟରୁ ଜଣକର ନାମ ସୁକୁମାର ଓ ଅନ୍ୟ ଜଣଙ୍କର ନାମ ଧୀମାନ୍ ।

ମନ୍ତ୍ରୀ ପଚାରିଲେ “ମହାରାଜ, ଏ ଦୁଇଜଣଙ୍କ ଭିତରୁ ଆମେ କାହାକୁ ବାଛିବା?”

ମହାରାଜ କହିଲେ “ମନ୍ତ୍ରୀବର, ମୋର ମନେହୁଏ ସୁକୁମାର ଯେପରି ବୁଦ୍ଧିମାନ, ଠିକ୍ ସେହିପରି ସାହସୀ ମଧ୍ୟ । ଧୀମାନ୍ ମଧ୍ୟ ଖୁବ୍ ଉତ୍ତମ ପ୍ରାର୍ଥୀ । କିନ୍ତୁ ସୁକୁମାର ଅଧିକ ଯୋଗ୍ୟ । ତୁମର ଏଥିରେ ଧାରଣା କ’ଣ?”


ଗପ ସାରଣୀ

ତାଲିକାଭୁକ୍ତ ଗପ