ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର

ହଜାର ହଜାର ସଂଖ୍ୟାରେ ସତ୍ୟାଗ୍ରହୀ ସ୍ୱୟଂସେବକ ‘ଝଣ୍ଡା ଉଚ୍ଚାଁ ରହେ ହମାରା’ ଗୀତ ଗାଇ ଗାଇ ଗୋରା ପୋଲିସ୍ ଦ୍ୱାରା ଗିରଫ୍ ହେଲେ । ମାତ୍ର ସର୍ଦ୍ଦାର ପଟେଲ କୌଶଳକ୍ରମେ ଖସିଗଲେ । ସେ ନାଗପୁରରେ ପହଁଚି ସଂଗଠନକୁ ଏତେ ଜୋର୍ଦାର୍ କରିଦେଲେ ଯେ, ଗୋରା ସରକାର ଭୟଭୀତ ହୋଇଗଲେ ।

ଏଥର ଗଭର୍ଣ୍ଣର ଜେନେରାଲ୍ ସର୍ଦ୍ଦାରଙ୍କୁ ଡାକି ସ୍ୱୟଂ ରାଜିନାମା କଥା କହିଲେ । ବିନା ସର୍ତରେ ବନ୍ଦୀମାନଙ୍କୁ ଛାଡିଦେଇ ସର୍ବତ୍ର ପତାକା ଧରିବାର ଦାବିକୁ ସ୍ୱୀକାର କରିନେଲେ । ଫଳରେ ଦେଶସାରା ଉତ୍ସାହର ମାହୋଲ ଖେଳିଗଲା ।

ଠିକ୍ ତା’ ପରେ ବୋରସଦର ସତ୍ୟାଗ୍ରହ ଏକ ବିରଳ ଘଟଣା ଥିଲା । ସେଠାରେ ଦେବର ବାବା ନାମରେ ଜଣେ ଡାକୁ ଲୋକମାନଙ୍କଠାରୁ ଜୋରଜବରଦସ୍ତ ଲୁଟତରାଜ କରୁଥିଲା । ଗୋରା ପୋଲିସ୍ ଯେତେ ଚେଷ୍ଟା କଲେ ବି ତାକୁ ମୋଟେ ଧରିପାରିଲେ ନାହିଁ । କିଛି ଦିନ ପରେ ଆଉ ଜଣେ ମୁସଲମାନ ସେହି ଡକାୟତ ସହିତ ମିଶି ଲୋକମାନଙ୍କର ଦୁଃଖ ଆହୁରି ବଢାଇଦେଲା । ଲୋକମାନେ ସଂଧ୍ୟା ପରେ ଘରେ ଲୁଚି ରହିବାକୁ ବାଧ୍ୟ ହେଲେ ।

ମାତ୍ର ଗୋରା ସରକାର ଓଲଟା ବୁଝିଲେ । ଗାଁ ଲୋକମାନେ ଡକାୟତ ସହିତ ମିଶି ଏଭଳି କରୁଛନ୍ତି ବୋଲି ବୋରସଦବାସୀଙ୍କ ଉପରେ ବାର୍ଷିକ ଦୁଇଲକ୍ଷ ଚାଳିଶ ହଜାର ଟିକସ୍ ବୋଝ ଗୋରା ସରକାର ଲଦିଦେଲେ । ଏହି ଟଙ୍କା ସେଠାରେ ମୃତୟନ ଗୋରା ପୋଲିସ୍ଙ୍କ ଦରମା ବାବଦରେ ଖର୍ଚ୍ଚ ହେଲା ।

ସରକାରଙ୍କର ଏଭଳି ଜୁଲୁମର ଦୃଢ ପ୍ରତିବାଦ କଲେ ପଟେଲ୍ । ଲୋକଙ୍କୁ ଟିକସ ନ ଦେବା ପାଇଁ ମତାଇଲେ । ଡକାୟତଙ୍କୁ ଦୃଢତାର ସହିତ ମୁକାବିଲା କରିବା ପାଇଁ ଗ୍ରାମର ଯୁବକମାନଙ୍କ ଭିତରେ ଅସୀମ ସାହସ ଭରିଦେଲେ । ତେଣେ ଡକାୟତଙ୍କୁ ଭୟରେ ଗୋରା ପୋଲିସ୍ ଲୁଟିବା ଘଟଣାର ଫଟୋ ଉତ୍ତୋଳନ କରି ଗୋରା ସରକାର ପାଖରେ ଉପସ୍ଥାପନ କଲେ । ଫଳରେ ସରକାର ଲୋକଙ୍କ ଉପରୁ ଅଯଥା କର ଆଦାୟକୁ ବନ୍ଦ କରିଦେଲେ ।

ଶେଷରେ ସରକାର ସତ୍ୟାଗ୍ରହ ଆଗରେ ମୁଣ୍ଡ ନୁଆଁଇଲେ । ଗାଁରୁ ପୋଲିସ୍ ହଟାଇ ନିଆଗଲା । ଗାଁ ଯୁବକମାନଙ୍କର ଅସୀମ ସାହସ ଦେଖି ଡାକୁମାନେ କିଏ କୁଆଡେ ଲୁଚି ପଳାଇଲେ । ଏହିଭଳି ଅନେକ ଦୁଃସାହସିକ କାର୍ଯ୍ୟ କରି ଗୋରା ସରକାରକୁ ଛାନିଆ କରି ଦେଇଥିବା ଏହି ଯୁବ ଓକିଲ ଥିଲେ ବଲ୍ଲଭଭାଇ ପଟେଲ, ଯିଏ କି ଜନତାଙ୍କର ପ୍ରକୃତ ସର୍ଦ୍ଦାର ପାଲଟି ଯାଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ