ସଦ୍ବୁଦ୍ଧିର ଔଷଧ

ସନ୍ନ୍ୟାସୀ କହିଲେ “ଏପରି ଉପାୟ ମୁଁ ତୁମମାନଙ୍କୁ ବତେଇବି, ଯାହାର ଫଳସ୍ୱରୂପ, ତୁମମାନଙ୍କର ଘର ପଛପଟ ବାରିରୁ ଧନରତ୍ନ ପ୍ରାପ୍ତ ହେବ ।”

ଧନରତ୍ନ ନାମ ଶୁଣୁ ଶୁଣୁ, ତିନିଜଣଙ୍କ ମଧ୍ୟରେ ଉତ୍ସାହ ଜାଗି ଉଠିଲା । ସେମାନେ ଭିକ୍ଷା ଦେବା ପାଇଁ ତତ୍ପର ହୋଇ ଉଠିଲେ ।

ସନ୍ନ୍ୟାସୀ ଧନପ୍ରାପ୍ତି ସମ୍ବନ୍ଧିତ ସମସ୍ତ ବିବରଣୀ ବିସ୍ତୃତ ଭାବେ ପ୍ରକାଶ ନ କରି କହିଲେ, “ଏହି ଗୃହ ତିନିଭାଇଙ୍କର ଅଟେ । ତେଣୁ ସମସ୍ତଙ୍କର ଅଧିକାର ସମାନ । ଅତଏବ ଜଣଙ୍କ ଘରେ ଅନ୍ନ, ଅନ୍ୟଜଣଙ୍କ ଘରେ ବ୍ୟଞ୍ଜନ ଓ ତୃତୀୟ ଜଣଙ୍କ ଘରେ ଦହି ଇତ୍ୟାଦିର ଆୟୋଜନ କର । ଏପରି ତିନିଜଣଯାକ ମିଶି ମୋତେ ପେଟପୁରା ଭୋଜନ ପ୍ରଦାନ କର । ତା’ପରେ ମୁଁ ଧନପ୍ରାପ୍ତିର ସ୍ଥାନ ଓ ଉପାୟ କହିବି ।”

ଏହା ଶୁଣି ବଡ ଆତୁରରେ ସେ ତିନିହେଁ ଏକ ସ୍ୱରରେ କହିଲେ, “ଧନ କାହା ବାରିପଟେ ମିଳିବ?”

ସନ୍ନ୍ୟାସୀ କହିଲେ, “ତିନିଜଣଙ୍କୁ ନିଜ ନିଜର ଭାଗ ଧନ ନିଜ ବାରିରେ ମିଳିବ ।” ଏହାପରେ ସେ ତିନିଜଣଯାକ ମିଶି ସନ୍ନ୍ୟାସୀଙ୍କୁ ପେଟପୁରା ଭୋଜନ କରାଇଲେ । ତୃପ୍ତିରେ ହାକୁଡି ମାରି ସନ୍ନ୍ୟାସୀ କହିଲେ, “ମୁଁ ଅତ୍ୟନ୍ତ ପ୍ରସନ୍ନ ହେଲି । ତୁମ୍ଭମାନଙ୍କର ପତି ଲେଉଟି ଆସିଲେ, ସେମାନଙ୍କୁ ସାଧାରଣ ମନୁଷ୍ୟଙ୍କ ପାଇଁ ଉପକାର ହେବାଭଳି କିଛି ସତ୍କାର୍ଯ୍ୟ କରିବା ପାଇଁ କହିବ । ସେମାନେ ସତ୍କାର୍ଯ୍ୟ କରି ପାରିଲେ, ତୁମେ ନିଜ ଇଚ୍ଛାରେ ବାରିର ଯେଉଁ ସ୍ଥାନ ଖୋଦନ କରିବ ଧନ ପାଇ ପାରିବ । ମୁଁ ଏହି ଗ୍ରାମରେ ଆହୁରି ତିନି ଦିନ ଅବସ୍ଥାନ କରୁଛି । ଧନ ନ ମିଳିଲେ ମୋତେ ସାକ୍ଷାତ କରିବ ।”

ତାଙ୍କ କଥାଶୁଣି ଏ ତିନି ଯାଆଙ୍କର ମୁହଁ ହଠାତ୍ ଫିକା ପଡିଗଲା । ସେମାନଙ୍କର ଚିନ୍ତାଗ୍ରସ୍ତ ମୁଖମଣ୍ଡଳ ଦେଖି ସନ୍ନ୍ୟାସୀ ସେମାନଙ୍କୁ ଏହାର କାରଣ ପଚାରିଲେ ।

ବଡ ଯାଆ କହିଲେ “ସେ ତିନିଭାଇଙ୍କ ସ୍ୱଭାବ ତ ସମାନ ଅଟେ । ତୁମ କହିବା ଅନୁସାରେ, ସେମାନଙ୍କ ଦ୍ୱାରା କୌଣସି ସତ୍କାର୍ଯ୍ୟ କରେଇବା ଅସମ୍ଭବ ଅଟେ । ପରୋପକାର କରିବା ସେମାନଙ୍କର ଜାତକରେ ମୋଟେ ନାହିଁ । ଆମେ ତୁମକୁ ଖାଇବାକୁ ଦେଇଛୁ । ଏତିକି କଥା ସେମାନଙ୍କ କାନକୁ ଗଲେ ସେମାନେ ଭୀଷଣ ବିରକ୍ତ ହେବେ । ସେମାନଙ୍କ ଅନୁପସ୍ଥିତିରେ ଆମେ ଏହା କରିବାକୁ ସାହସ କରିଛୁ ।”

ତା’ପରେ ସେ ସନ୍ନ୍ୟାସୀ ଜଣକ ଅଳ୍ପ ସମୟ ଚିନ୍ତା କରି କହିଲେ, “ମୋ ପାଖରେ ସଦ୍ବୁଦ୍ଧିର ଔଷଧ ଅଛି । ସେଥିରୁ ଗୋଟିଏ ଗୋଟିଏ ଲେଖାଏଁ ବଟିକା ମୁଁ ତୁମ ତିନିଜଣଙ୍କୁ ଦେବି । ରାତ୍ରିରେ ଶୋଇବା ପୂର୍ବରୁ ଏହାକୁ ଜଳରେ ମିଶାଇ ପତିମାନଙ୍କୁ ପାନ କରିବାକୁ ଦେବ । ସକାଳେ ଉଠିବା ବେଳକୁ ସେମାନଙ୍କ ଭିତରେ ସଦ୍ବୁଦ୍ଧି ଉତ୍ପନ୍ନ ହୋଇସାରିଥିବ । ଏହାର ପ୍ରଭାବ ତା ପରଦିନ ସୂର୍ଯ୍ୟାସ୍ତ ଯାଏଁ ରହିବ ।” ଏପରି କହି ସନ୍ନ୍ୟାସୀ ସେ ତିନିଜଣଙ୍କୁ ଔଷଧ ପ୍ରଦାନ କଲେ ।

ତିନିଭାଇ ଘରକୁ ଫେରିବାରୁ, ସେମାନଙ୍କର ପତ୍ନୀ, ସନ୍ନ୍ୟାସୀଙ୍କ କହିବା ଅନୁସାରେ ଜଳରେ ଗୋଳାଇ ସଦ୍ବୁଦ୍ଧି ବଟିକା ନିଜ ନିଜର ପତିଙ୍କୁ ପିଇବା ପାଇଁ ଦେଲେ ।

ପରଦିନ ପ୍ରଥମେ ଚତୁରଙ୍କର ନିଦ ଭାଙ୍ଗିଗଲା । ସେ ଘରର କବାଟ ଖୋଲି ବାହାରକୁ ବାହାରିଛନ୍ତି କି ନାହିଁ ଦେଖିଲେ କେତେଜଣ ସିପାହୀ ଓ ରାଘବ ଠିଆ ହୋଇଛନ୍ତି । ରାଘବ ଉଚ୍ଚସ୍ୱରରେ ରୋଦନ କରୁଥିବାର ଦେଖି ସେ ପ୍ରଶ୍ନ କଲେ, “କଥା କଣ? ଏପରି କାହିଁକି କାନ୍ଦୁଛ?”

ଜଣେ ସିପାହୀ କହିଲେ, “ବହୁତ ଟଙ୍କା କରଜ କରି ସେ ଜମି ଓ ଘର କିଣିଛି । ଘର ପତ୍ନୀ ନାମରେ ଓ ଜମି ସନ୍ତାନ ମାନଙ୍କ ନାମରେ ରହିଛି । କରଜ ଶୁଝିବା ପାଇଁ ତା ପାଖରେ କିଛି ନାହିଁ । ମହାଜନ ଏହା ନାମରେ ଅଭିଯୋଗ କରିବାରୁ ତାର ବିଚାର ପାଇଁ ତାକୁ କାରାଗାରକୁ ପଠାଯାଇଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ