ସନ୍ନ୍ୟାସୀ ଏବଂ ମୂଷା

ଗୋଟିଏ ଜଂଗଲରେ ଜଣେ ସନ୍ନ୍ୟାସୀ ବାସ କରୁଥିଲେ । ସେ ଯେପରି ଧାର୍ମିକ ଥିଲେ, ସେହିପରି ନୀତିନିଷ୍ଠ ଥିଲେ । ଦିନେ ସନ୍ନ୍ୟାସୀ ଜଣକ ତପସ୍ୟା କରୁଥିବା ସମୟରେ ହଠାତ୍ ତାଙ୍କ ସାମ୍ନାରେ ଏକ ମୂଷା ଆକାଶ ମାର୍ଗରୁ ଖସି ପଡିଲା । ଫଳରେ ସନ୍ନ୍ୟାସୀଙ୍କର ତପସ୍ୟା ଭଂଗ ହେଲାପରେ ସେ ଆକାଶ ମାର୍ଗକୁ ଚାହିଁଲେ । ଆକାଶ ମାର୍ଗରୁ ସେ ଏକ କୁଆକୁ ଦେଖିଲେ । କୁଆକୁ ଦେଖି ଜାଣିପାରିଲେ ଯେ, କୁଆ ପାଟିରୁ ମୂଷାଟି ଖସି ପଡିଛି । ମୂଷାଟି ଶିକାରୀ କୁଆ ନିକଟରୁ ଖସିପଡିଥିବାରୁ ସନ୍ନ୍ୟାସୀଙ୍କର ମୂଷା ପ୍ରତି ଦୟା ହେଲା । ସେ ମୂଷାକୁ ନିଜ ଆଶ୍ରମରେ ପାଳିବାକୁ ଚାହିଁଲେ ।

        ଆଶ୍ରମରେ ପୂର୍ବରୁ ଏକ ବିରାଡି ରହୁଥିଲା । ସନ୍ନ୍ୟାସୀଙ୍କ ଦ୍ୱାରା ପ୍ରଦତ୍ତ ଖାଦ୍ୟ ଖାଇ ବିରାଡିଟି ବେଶ୍ ହୃଷ୍ଟପୁଷ୍ଟ ହୋଇଯାଇଥିଲା । ବିରାଡିର ତ’ ମୂଷା ହେଉଛି ପ୍ରଧାନ ଖାଦ୍ୟ । ଆଶ୍ରମରେ ଏକ ମୂଷାକୁ ଦେଖି ତାକୁ ବିରାଡି ଖାଇବାପାଇଁ ମନସ୍ଥ କଲା । ଦିନେ ସୁଯୋଗ ଦେଖି ମୂଷାକୁ ମାରିବାପାଇଁ ଗୋଡାଇଲା । ବିରାଡିଟି ଗୋଡାଇବାର ଦେଖି ମୂଷା ପୁଣି ସନ୍ନ୍ୟାସୀଙ୍କ ନିକଟକୁ ଧାଇଁଲା ଓ ତାକୁ ବଂଚାଇବା ପାଇଁ ଅନୁରୋଧ କଲା । ସନ୍ନ୍ୟାସୀ ମୂଷାର ଅନୁରୋଧକୁ ଏଡାଇ ନପାରି କହିଲେ, “ହେ ମୂଷିକ ! ତୁମେ ଏଇ ବିରାଡିକୁ ଦେଖି ଭୟ କରୁଛ! ମୁଁ ତୁମକୁ ବଂଚାଇବାପାଇଁ ଚେଷ୍ଟା କରିବି । ତେଣୁ ମୁଁ ତୁମକୁ ବର୍ତ୍ତମାନ ଏକ ବିରାଡିରେ ପରିଣତ କରିଦେବି । ଯାହାଫଳରେ ତୁମେ ବିରାଡିକୁ ଦେଖି ଆଉ ଭୟ କରିବ ନାହିଁ ।” ଏହା କହି ସନ୍ନ୍ୟାସୀ ସଂଗେ ସଂଗେ ମୂଷାକୁ ବିରାଡିରେ ପରିଣତ କରିଦେଲେ ।

        କିଛିଦିନ ଗଲା । ମୂଷାଟି ବିରାଡି ରୂପ ଧାରଣ କରି ଆଶ୍ରମରେ ରହୁଥାଏ । ଦିନେ ହଠାତ୍ ଆଶ୍ରମ ନିକଟରେ ଏକ କୁକୁର ବୁଲୁଥିବାର ଦେଖାଗଲା । ବିରାଡି, କୁକୁର ତ’ ଆଜନ୍ମରୁ ଶତ୍ରୁ । ଆଶ୍ରମରେ ବିରାଡିକୁ ଦେଖି କୁକୁର ତାକୁ ମାରିବାପାଇଁ ଗୋଡାଇଲା । କୁକୁର କବଳରୁ ରକ୍ଷା ପାଇବାପାଇଁ ବିରାଡି ଯାଇ ସନ୍ନ୍ୟାସୀଙ୍କ ନିକଟରେ ପୁଣିଥରେ ପହଁଚିଲା । କୁକୁର କବଳରୁ ବିରାଡିକୁ ରକ୍ଷା କରିବାକୁ ଯାଇ ସନ୍ନ୍ୟାସୀ ବିରାଡିକୁ କୁକୁରରେ ପରିଣତ କରିଦେଲେ । କୁକୁରଟି ସାମ୍ନାରେ ଆଉ ଏକ କୁକୁରକୁ ଦେଖି ସଂଗେ ସଂଗେ ଆଶ୍ରମ ଛାଡି ପଳାଇଲା । ଏହିପରି ବିରାଡିଟି କୁକୁର ରୂପ ଧାରଣ କରି ଆଶ୍ରମରେ କାଳାତିପାତ କରୁଥାଏ ।

        ଦିନ ପରେ ଦିନ ଗଡିଚାଲିଲା । କୁକୁରଟି ହଠାତ୍ ଆଶ୍ରମ ନିକଟରେ ଏକ ବାଘକୁ ଦେଖିଲା । ବାଘକୁ ଦେଖି ପ୍ରାଣରକ୍ଷା କରିବାପାଇଁ ସନ୍ନ୍ୟାସୀଙ୍କ ନିକଟକୁ ଧାଇଁଲା । କୁକୁରର ଭୟଭୀତ ହେବାର କାରଣ ଜାଣି ସନ୍ନ୍ୟାସୀ ସଂଗେ ସଂଗେ କୁକୁରକୁ ଏକ ବାଘରେ ପରିଣତ କରିଦେଲେ । ଆଶ୍ରମ ମଧ୍ୟରେ ଏକ ବାଘକୁ ଦେଖି ଅନ୍ୟ ବାଘଟି ପଳାଇଗଲା । ବାଘର ପ୍ରକୃତି ତ’ ମନୁଷ୍ୟ ମାଂସ ଭକ୍ଷଣ କରିବା । ସେ ବା’ ଏଥିରୁ କିପରି ବାଦ୍ ଯିବ । ବାଘଟି ସନ୍ନ୍ୟାସୀଙ୍କୁ ଦିନେ ଆକ୍ରମଣ କରିବାପାଇଁ ଉଦ୍ୟତ ହେଲା । ବାଘର ଏପରି ଆଚରଣ ଦେଖି ସନ୍ନ୍ୟାସୀ ସଂଗେ ସଂଗେ ବାଘକୁ ମୂଷାରେ ପରିଣତ କରିଦେଲେ । ମୂଷାଟି ତା’ର ପୂର୍ବ ଅବସ୍ଥା ଫେରି ପାଇଲା । ତେଣୁ କୌଣସି ବ୍ୟକ୍ତିକୁ କଦାପି ଅତ୍ୟଧିକ ପରିମାଣରେ ବିଶ୍ୱାସ କରିନେବା ଉଚିତ୍ ନୁହେଁ । ସମୟ ସୁଯୋଗ ଦେଖି ସେହି ବ୍ୟକ୍ତି ହିଁ ତୁମକୁ ବିପଦରେ ପକାଇଥାଏ ଠିକ୍ ଯେମିତି ମୂଷା ରୂପୀ ସିଂହଟି ସନ୍ନ୍ୟାସୀଙ୍କୁ ଅସଲ ବାଘର ରୂପ ଦେଖାଇ ଦେଇଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ