ସବୁ ମାୟାରେ ବାୟା

ଲକ୍ଷ୍ମୀ, ନାରାୟଣଙ୍କର ଆଳାପ ଚାଲିଛି ଅଳକାପୁରୀରେ । ଏହି ସମୟରେ ଅତର୍କିତ ଭାବରେ ଦେବର୍ଷି ନାରଦ ସେଠାରେ ପହଁଚିଗଲେ । ଦେଖିଲେ ଲକ୍ଷ୍ମୀ, ନାରାୟଣଙ୍କର ଯୁଗଳ ମୂରତି । ଉଭୟେ ଖୁସି ଗପ ହେଉଛନ୍ତି । ନାରାୟଣ, ନାରାୟଣ ନାରଦ କହିଲେ, ପ୍ରଭୁ, ସବୁଠି ଦେଖିଲି ସବୁ ମାୟାରେ ବାୟା । ବାୟା ନୁହେଁ କେବଳ ଏ ଦେବର୍ଷି ନାରଦ । ନାରଦଙ୍କ ମନରେ ଅହଂକାର ଆସିଛି । ଏହି କଥା ଜାଣିପାରିଲେ ନାରାୟଣ । ନାରାୟଣ, ନାରଦକୁ କହିଲେ, କାଳବିଳମ୍ବ ନକରି ନଦୀକୁ ଶୀଘ୍ର ଯାଆନ୍ତୁ । ସ୍ନାନ କରି ଆସିବେ । ଲକ୍ଷ୍ମୀ ତ ରୋଷେଇ ସାରିଛନ୍ତି । ସ୍ନାନ ସାରି ଆସିଲେ ଲକ୍ଷ୍ମୀ ଖାଦ୍ୟ ବାଢି ଦେବେ । ତାପରେ ଆମେ ଦୁହେଁ ସାଙ୍ଗ ହୋଇ ଖାଇବା । ଲକ୍ଷ୍ମୀ ନାରଦଙ୍କୁ ତେଲ ଗିନା ଦେଲେ । ସହାସ୍ୟ ବଦନରେ ନାରଦ ତେଲ ଗିନା ଧରି ନଦୀକୁ ସ୍ନାନ କରିବାକୁ ଗଲେ । ନାରାୟଣଙ୍କର ତ ମାୟା । ନାରଦ ସେ ନଦୀ ତୁଠରେ ତେଲ ଗିନା ଧରି ପାଣିରେ ପ୍ରବେଶ କଲେ । ହଠାତ୍ ନାରାୟଣଙ୍କ ମାୟାରେ ନାରଦ ସେ ନଦୀ ମଧ୍ୟରେ କେଉଁଆଡେ ଅଦୃଶ୍ୟ ହୋଇଗଲେ । ନଦୀ ମଧ୍ୟରେ ସ୍ଥଳ । ତାପରେ ନାରଦ ଯାଇ ପହଁଚିଗଲେ ଏକ ଶାନ୍ତ ପଲ୍ଲୀରେ । ଭୁଲିଗଲେ ନିଜକୁ, ନିଜର ପରିଚୟକୁ । କିଏ ସେ? କୁଆଡେ ଆସିଛନ୍ତି? କିଛି ବି ଜାଣିପାରିଲେ ନାହିଁ ।

                ନିର୍ଜନ ନିସ୍ତବ୍ଧ ରାସ୍ତା । ଆଉ ସେହି ନିର୍ଜନ ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଉଥାଏ ଖୁବ୍ ସୁନ୍ଦର ଝିଅଟିଏ । ରାଜା ଝିଅ ଠାରୁ ବି ଆହୁରି ସୁନ୍ଦର ସେ । ସତେକି ସେ ଜଣେ ସରଗର ପରୀ । ସ୍ୱର୍ଗର ଉର୍ବଶୀ, ମେନକା ଆଦି ସ୍ୱର୍ଗର ନର୍ତ୍ତକୀମାନଙ୍କ ଠାରୁ ବି ସେ ଝିଅଟି ଅତ୍ୟନ୍ତ ସୁନ୍ଦରୀ । ତହୁଁ ନାରଦ ସେ ଝିଅଟି ପଛରେ ଚାଲିଲେ । ଝିଅଟିର ସୁନ୍ଦର ରୂପରେ ମୁଗ୍ଧ ହୋଇ ନାରଦ ସେ ଝିଅଟିକୁ ବିବାହ କରିବାକୁ ଚାହିଁଲେ । ତେଣୁ ନାରଦ ସେ ଝିଅଟିକୁ ପଚାରିଲେ – କୁଆଡେ ଯାଉଛ? ଏହା ଶୁଣି ହଠାତ୍ ସେ ଝିଅଟି ପଛକୁ ଚାହିଁ ଦେଖିଲେ ନାରଦଙ୍କୁ । ଝିଅଟି ନାରଦଙ୍କୁ କହିଲେ କୁଆଡେ ଆଉ ଯିବି ଯୋଗୀବର, ବେସାହାରା ଝିଅଟିଏ ମୁଁ, ଏ ଅଂଚଳରେ ଏକ ଅଜଣା ରୋଗ କାହୁଁ ଆସିଲା ସେ ରୋଗରେ ଏ ଅଂଚଳର ସବୁଲୋକ ମରିଗଲେ । ମୋ ବାପା-ମାଆ ଭାଇ-ଭଉଣୀ ସମସ୍ତେ ବି ମରିଗଲେ । ଆଉ କେବଳ ଏକା ରହିଗଲି ମୁଁ । ସମସ୍ତଙ୍କୁ ଆପଣାର କରି ଶେଷରେ କାହାରି ବି ଆପଣାର ହୋଇ ପାରିଲିନି । ତେଣୁ ଏ ନିର୍ଜନ ଦ୍ୱୀପରେ ଏକୁଟିଆ ପଡି ରହିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ