ସମ୍ରାଟ ଅଶୋକ

ଅଶୋକ, ତାଙ୍କ ବିରୁଦ୍ଧରେ ହୋଇଥିବା ଷଡଯନ୍ତ୍ର ବିଷୟ ଜାଣିଶୁଣି ମାତାଙ୍କ ଠାରୁ ଗୋପନୀୟ ରଖିଲେ । କାରଣ ସେ ଜାଣିଥିଲେ ଯେ, ତାଙ୍କ ମାତା ଏହା ଶୁଣିବା ମାତ୍ରେ ଅତ୍ୟନ୍ତ ଭୟଭୀତା ହୋଇପଡିବେ । ତାଙ୍କର ପିତା ଓ ପ୍ରଧାନମନ୍ତ୍ରୀ, ଷଡଯନ୍ତ୍ରକାରୀ ସୁଶେମ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ଏଥିପାଇଁ ମଧ୍ୟ ସେ ଦୁଃଖିତ ନ ଥିଲେ । ଏହି ରହସ୍ୟ ଉନ୍ମୋଚିତ ହେଲେ, ରାଜବଂଶରେ କଳଙ୍କ ଲାଗିବ । ବିଦ୍ରୋହୀ ଶକ୍ତିମାନେ, ଏହି ଅବସରରୁ ଲାଭ ଉଠାଇବେ ଓ ଦେଶର ଅଖଣ୍ଡତାକୁ ବିନଷ୍ଟ କରିବା ପାଇଁ ସେମାନେ ସୁଯୋଗ ପାଇବେ । ତେଣୁ ଦେଶ-କଲ୍ୟାଣକୁ ସେ ସର୍ବାଧିକ ଗୁରୁତ୍ୱ ଦେଲେ ।

ଦିନେ ଉଷାକାଳର ଏକ ଶୁଭ ମୁହୂର୍ତ୍ତରେ ଅଶୋକ ଓ ତାଙ୍କର ଏକଶତ ଅଙ୍ଗରକ୍ଷକ ଉଜ୍ଜୟିନୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ ।

ମଧ୍ୟାହ୍ନ ଉପଗତ ହେବା ସମୟକୁ ସେମାନେ ଯାଇ ସୁନ୍ଦର ବିଦିଶା ଘାଟୀର ଏକ ଗ୍ରାମ ନିକଟରେ ପହଁଚି ସାରିଥିଲେ । ସେହି ଗ୍ରାମଟି ଛୋଟ ଛୋଟ ପାହାଡରେ ଘେରା । ଆହୁରି ପୁଣି ସେଇ ଗ୍ରାମରେ ଅନେକ ମନ୍ଦିର ଓ ଗୋଟିଏ ବୌଦ୍ଧ-ବିହାର ଥାଏ । ଏହି ଗ୍ରାମରେ ଶାକ୍ୟବଂଶ ସମ୍ଭୁତ ଗୌତମ ବୁଦ୍ଧଙ୍କର ବଂଶର କେତେକ ପରିବାର ବାସ କରୁଥାଆନ୍ତି ।

ବିଦିଶା ଘାଟୀର ଶାକ୍ୟ ନାୟକ ଅଶୋକଙ୍କର ସ୍ୱାଗତ କଲେ । ନିଜ ଗୃହରେ ତାଙ୍କର ସତ୍କାର ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସେ କରିଥିଲେ । ମାତ୍ର ଅଶୋକ ଗ୍ରାମ ବାହାରେ ରହିବା ପାଇଁ ସ୍ଥିର କଲେ । ତାଙ୍କ ଆଦେଶ ଅନୁସାରେ, ସୈନିକ ଗଣ, ପାହାଡର ଏକ ସମତଳ ଅଂଚଳରେ ତମ୍ବୁ ପକେଇଲେ । ରାତ୍ରି ଭୋଜନ ସମାପ୍ତି ପରେ, ଅଶୋକ ଶାନ୍ତିରେ ବିଶ୍ରାମ ନେଲେ ।

ଅରୁଣୋଦୟ ସମୟରେ ତାଙ୍କର ନିଦ୍ରାଭଗ୍ନ ହେଲା । ତମ୍ବୁ ବାହାରକୁ ଆସି ସେ ଦେଖିଲେ, ଚତୁର୍ଦିଗରେ ଘନକୁହୁଡି ଛାଇ ରହିଛି । ଆରଣ୍ୟକ ପ୍ରକୃତିର ସେହି ପ୍ରଶାନ୍ତ, ମନୋରମ ବାତାବରଣରେ ସେ କିଛି ଦୂର ପାଦରେ ଚାଲି ଚାଲି ବୁଲିବା ପାଇଁ ଇଚ୍ଛା କଲେ । ଅଙ୍ଗରକ୍ଷକଙ୍କୁ ସାଥିରେ ଆସିବା ପାଇଁ ବାରଣ କରି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସେ ଧୀର ପଦପାତରେ ଆଗେଇଲେ । ସଦ୍ୟ ନିଦ୍ରାରୁ ତତ୍ଥିତ ପକ୍ଷୀଗଣଙ୍କର ମଧୁର କଳରବ ତାଙ୍କର ଚିତକୁ ଆହ୍ଲାଦିତ କରୁଥାଏ । କୋମଳ ପ୍ରଶାନ୍ତି ସାରା ପରିବେଶରେ ଭରି ରହିଥାଏ । ସୂର୍ଯ୍ୟ ପୂର୍ବ ଆକାଶରେ ଉଇଁ ଆସୁଥାନ୍ତି । ସୂର୍ଯ୍ୟଙ୍କର ସୁବର୍ଣ୍ଣ କିରଣ, ନୀଳ ରଂଗର ଘନ କୁହୁଡିର ଆସ୍ତରଣକୁ ଭେଦ କରି, ଆକାଶରେ ବିଚିତ୍ର ଶୋଭା ଉତ୍ପନ୍ନ କରୁଥାଏ । ସୁଶୀତଳ ପବନରେ ଅଶୋକ ଦଣ୍ଡାୟମାନ ହୋଇ ଅଦ୍ଭୁତ ଦୃଶ୍ୟରାଶିକୁ ଉପଭୋଗ କରୁଥାନ୍ତି । ଠିକ୍ ଆଗକୁ ପାଦ ବଢାଇବାକୁ ଯାଆନ୍ତି ତ କେଉଁଠାରୁ ଏକ ସ୍ୱର ଭାସି ଆସିଲା “ଆଗକୁ ଯାଆନ୍ତୁ ନାହିଁ । ସେହିଠାରେ ରହନ୍ତୁ ।”

ସେହି ମଧୁର କଣ୍ଠସ୍ୱର କାହାର ବୋଲି ଜାଣିବା ପାଇଁ ଅଶୋକ ପଛକୁ ଚାହିଁଲେ । ଅଳ୍ପ ସମୟପରେ ଜଣେ ସୁନ୍ଦରୀ ଯୁବତୀ ଦୃଶ୍ୟ ହେଲେ । ଧବଳ ରଂଗର କୁହୁଡିର ପତଳା ଆବରଣ ଭିତରୁ ଅଶୋକଙ୍କୁ ସେହି ଯୁବତୀ ସାକ୍ଷାତ ଏକ ଦେବୀ ମନେହେଲେ ।

ଯୁବତୀ ଜଣକ କହିଲେ “କ୍ଷମା କରିବେ, ଆପଣଙ୍କୁ ବାରଣ କଲି । ଆପଣଙ୍କ ଠିକ୍ ସମ୍ମୁଖରେ ଏକ ବିରାଟ ଗର୍ତ୍ତ ରହିଛି ।” ସେତେବେଳକୁ କୁହୁଡି ଅପସରି ଯାଇ ଚତୁର୍ଦ୍ଦିଗ ପ୍ରକାଶମୟ ହୋଇ ସାରିଥାଏ । ଅଶୋକ ବାମ ପଟକୁ ଝୁଙ୍କି ପଡି ତଳକୁ ଦେଖନ୍ତି ତ ଏକ ଅଗାଧ ଗର୍ତ୍ତ ଓ ସେ ଗର୍ତ୍ତର ଧାର ସନ୍ନିକଟରେ ଦଣ୍ଡାୟମାନ । ଆଉ ପାଦଟିଏ ଆଗକୁ ପକାଇଥିଲେ, ତାଙ୍କର ମୃତ୍ୟୁ ସୁନିଶ୍ଚିତ ଥିଲା ।

ଅଶୋକ ସେହି ଯୁବତୀଙ୍କ ନିକଟକୁ ଆସିଲେ । ସେହି ଯୁବତୀ ମଥାନତ କରି କହିଲେ, “ଆପଣଙ୍କୁ ବିବ୍ରତ କରାଇଲି । କ୍ଷମା କରିବେ, ଯୁବରାଜ ।”

ଅଶୋକ କୃତଜ୍ଞତା ପୂର୍ବକ କହିଲେ “ତୁମକୁ କ’ଣ କ୍ଷମା କରିବି? ଆଜି ତୁମେ ନ ଥିଲେ, ଏତେବେଳକୁ ମୁଁ ଆଉ ଜୀବନରେ ନ ଥାନ୍ତି ।”

ଯୁବତୀ ନମ୍ରତାର ସହ ପ୍ରକାଶ କଲେ “ଆପଣଙ୍କୁ ମୁଁ ରକ୍ଷା କରିନାହିଁ । ଶାକ୍ୟମୁନି ବୁଦ୍ଧଙ୍କର କରୁଣାରୁ ଆପଣ ରକ୍ଷା ପାଇଛନ୍ତି ।”

ଅଶୋକ ପ୍ରଶ୍ନ କଲେ “ତୁମର ପରିଚୟ? ଏହି ସମୟରେ ଏଠାକୁ ଆସିବାର କାରଣ?”

ତହୁଁ ବିଦିଶା ଜଣାଇଲେ “ଏହି ପ୍ରଦେଶର ନାମ ଓ ମୋର ନାମ ସମାନ । ଅର୍ଥାତ୍ ମୋର ନାମ ବିଦିଶା । ମୋର ପିତା ହେଉଛନ୍ତି ଶାକ୍ୟନାୟକ । ଏକ ଗୁମ୍ଫାରେ ବାସ କରୁଥିବା ବୃଦ୍ଧ ବୌଦ୍ଧ ଭିକ୍ଷୁଙ୍କ ପରିଚର୍ଯ୍ୟା ସମାପ୍ତ କରି ମୁଁ ଫେରୁଥିଲି ।”

ବିଦିଶାଙ୍କର କଥାଭଙ୍ଗୀ ଓ ସୁନ୍ଦରତା ଅଶୋକଙ୍କୁ ବେଶ୍ ଆକର୍ଷିତ କଲା । ତାଙ୍କର ପ୍ରଶାନ୍ତ ବଦନ ଓ ମନୋମୁଗ୍ଧକାରୀ ଚେହେରା ଅଶୋକଙ୍କୁ ଅତ୍ୟନ୍ତ ବିମୋହିତ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ