ସମ୍ରାଟ ଅଶୋକ

                “ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ ଯୁବରାଜ” ଏହା କହି ନର୍ତ୍ତକୀ ସେମାନଙ୍କୁ କିପରି ଓ କେବେ ରାଜମନ୍ଦିରକୁ ଡକାଇ ଏହି ଷଡଯନ୍ତ୍ର ହୋଇଥିଲା, ତାହା ପ୍ରାଞ୍ଜଳ ଭାବେ ବର୍ଣ୍ଣନା କଲା । ସେମାନଙ୍କୁ ପ୍ରତ୍ୟେକ ଏକହଜାର ସୁନାମୋହର ଓ ଗୋଟିଏ ଲେଖାଏଁ ହୀରକ ମୁଦ୍ରିକା ମିଳିଥିବାର ସେ ଜଣାଇଲେ । ସେମାନେ ପରିଧାନ କରିଥିବା ମୁଦ୍ରିକା ଓ ତତ୍ସହିତ ଉଚ୍ଚାରଣ କରିଥିବା ଉଚ୍ଚ କର୍ମଚାରୀମାନଙ୍କର ନାମରୁ ସ୍ପଷ୍ଟ ପ୍ରମାଣିତ ହୋଇଗଲା ଯେ, ସେମାନଙ୍କର କଥନ ସତ୍ୟ ଅଟେ । ଅଶୋକ ତ ପ୍ରଥମରୁ ହିଁ ସନ୍ଦେହ କରୁଥିଲେ ଯେ, ଏହି କୁକାର୍ଯ୍ୟ ପଶ୍ଚାତ୍ରେ ନିଶ୍ଚୟ ସୁଶେମରହିଁ ହାତ ଥିବ । ତାହା ଅଶୋକ ଏବେ ସ୍ପଷ୍ଟ ବୁଝି ପାରିଲେ । ସେ ଜାଣିଥିଲେ ସୁଶେମ ଉଚ୍ଚାଭିଳାଷୀ, ଅସହିଷ୍ଣୁ ଓ ପରଶ୍ରୀକାତର । ସେ ନିଜକୁ ରାଜପୁତ୍ର ମନେ କରି ସିଂହାସନର ଉତ୍ତରଦାୟାଦ ହେବାପାଇଁ ଉପଯୁକ୍ତ ମନେ କରେ । ତା’ ଦୃଷ୍ଟିରେ ଅଶୋକ ଜଣେ ଦାସୀ ପୁତ୍ର । ଏଥି ପୂର୍ବରୁ ସେ ଦୁଇ ତିନିଥର ସୁଶେମଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ ତାଙ୍କର ସ୍ୱଭାବରେ ଆଦୌ ପରିବର୍ତ୍ତନ ଆସିନାହିଁ । ଏହି କଥା ଚିନ୍ତା କରି ସେ ବ୍ୟସ୍ତ ବିବ୍ରତ ହୋଇ ପଡିଲେ । ସେ ପୁନଶ୍ଚ ସମସ୍ତ ଘଟଣା ସେହି ନର୍ତ୍ତକୀମାନଙ୍କ ଠାରୁ ଶୁଣିବା ପରେ ନିଜର ନିଷ୍ପତି ଜଣାଇବା ପାଇଁ ତାଳି ମାରି ସୈନିକଙ୍କୁ ଡକାଇଲେ । ତିନିଜଣ ଦୃଢକାୟ ସୈନିକ ଉପସ୍ଥିତ ହେବାରୁ ସେମାନଙ୍କୁ ଅଶୋକ ଆଦେଶ ଦେଲେ, “ଏମାନେ ଯେଉଁ ସ୍ଥାନରେ ପହଁଚିବା ପାଇଁ ଉପଯୁକ୍ତ, ସେମାନଙ୍କୁ ସେଠାକୁ ଯଥାଶୀଘ୍ର ପ୍ରେରଣ କର ।”

ନର୍ତ୍ତକୀଗଣ ସବିନୟେ ପଚାରିଲେ, “ପ୍ରଭୁ, ଆମକୁ କେଉଁ ସ୍ଥାନକୁ ପଠାଉଛନ୍ତି?”

ଅଶୋକ ଗମ୍ଭୀର ସ୍ୱରରେ କହିଲେ “ଯେଉଁ ସ୍ଥାନକୁ ତୁମେମାନେ ମୋତେ ପଠାଇବା ପାଇଁ ଚାହୁଁଥିଲ ।”

“ନା, ନା ଆମକୁ ମାରନ୍ତୁ ନାହିଁ । ଦୟା କରନ୍ତୁ ।” ଏପରି ଚିତ୍କାର କରି ସେ ନର୍ତ୍ତକୀଗଣ ଜୋର୍ରେ ରୋଦନ କରିବାରେ ଲାଗିଲେ ।

କାହାର ଗୋଟେ ମଧୁର କଣ୍ଠସ୍ୱର ସମସ୍ତଙ୍କର କର୍ଣ୍ଣଗୋଚର ହେଲା “ହେ ଅଭାଗିନୀ ଯୁବତୀ ଗଣ, ରୋଦନ ବନ୍ଦ କର । ଶାକ୍ୟମୁନି ଗୌତମବୁଦ୍ଧଙ୍କୁ ପ୍ରାର୍ଥନା କର । ସେ ଯେପରି ଅପାର କରୁଣା ପ୍ରଦର୍ଶନ କରି ଯୁବରାଜଙ୍କୁ ରକ୍ଷା କରିଛନ୍ତି, ଠିକ୍ ସେହିପରି ତୁମମାନଙ୍କୁ ମଧ୍ୟ ସେ ନିଶ୍ଚୟ ରକ୍ଷା କରିବେ ।”

ଏକଥା ଶୁଣି ସମସ୍ତେ ହଠାତ୍ ପଛକୁ ବୁଲି ଚାହିଁଲେ । ଠିକ୍ ସେହି ସମୟରେ ବିଦିଶା ସ୍ମିତ ହସି ସେଠାରେ ଆସି ପହଁଚିଲେ ।

ଯଶ ବିଦିଶାଙ୍କୁ କହିଲେ “ଭଗ୍ନୀ, ସେମାନଙ୍କ ମନରେ ଅନାବଶ୍ୟକ ଆଶା ସଂଚାର କରନାହିଁ ।”

ବିଦିଶା ତାଙ୍କ ଭାଇଙ୍କୁ ପ୍ରଶ୍ନ କଲେ “ମୁଁ ନୁହେଁ, ବରଂ ତୁମେ ହିଁ ସେମାନଙ୍କ ମନରେ ଆଶାର ଚାରା ରୋପଣ କରିଛ । କ’ଣ ସ୍ୱୟଂପ୍ରଦତ୍ତ ବଚନ ଏତେ ଶୀଘ୍ର ଭୁଲିଗଲ?”

“ତୁମେ ବିବେକୀ, ବୁଦ୍ଧିମତୀ, କାହିଁକି ଏପରି ନିରର୍ଥକ ଯୁକ୍ତି କରୁଛ? ମୁଁ କେତେବେଳେ ସେମାନଙ୍କୁ ପ୍ରାଣଭିକ୍ଷା ଦେବାର ବଚନ ପ୍ରଦାନ କଲି? ବାସ୍ତବରେ ମୋର ବା ସେପରି ଅଧିକାର କାହିଁ?” ଏପରି କହି ଯଶ ବିରକ୍ତିର ସହ ଭଗ୍ନୀଙ୍କୁ ତାଗିଦ୍ କଲେ ।

ବିଦିଶା ଗମ୍ଭୀର ସ୍ୱରରେ ପ୍ରଶ୍ନ କଲେ “ତୁମେ ସେମାନଙ୍କୁ ଚେତାବନୀ ଦେଇ ସତ୍ୟପ୍ରକାଶ ପାଇଁ ବାଧ୍ୟ କରୁଥିବା ସମୟରେ କହିନଥିଲ, ସତ୍ୟ କୁହ, ନଚେତ୍ ପ୍ରାଣନାଶ କରିଦେବି । ଏହି କଥାର ତାତ୍ପର୍ଯ୍ୟ ହେଉଛି ସତ୍ୟ ପ୍ରକାଶ କରିବା, ଅଥବା ମୃତ୍ୟୁବରଣ କରିବା । ସେମାନେ ସତ୍ୟ କହିଛନ୍ତି, ତେଣୁ ମୃତ୍ୟୁଦଣ୍ଡ ତାଙ୍କର ପ୍ରାପ୍ୟ ନୁହେଁ । କ’ଣ ତୁମେ ଏପରି ବଚନ ଦେଇଛ କି ନାହିଁ?”

“ଅଦ୍ଭୁତ!” ଏପରି କହି ଅଶୋକ ସେଠାରେ ଉପସ୍ଥିତ ହୋଇ ଯଶଙ୍କୁ କହିଲେ, “ମିତ୍ର, ତୁମେ ବହୁତ ଭାଗ୍ୟବାନ । ଏପରି ତୀକ୍ଷ୍ନବୁଦ୍ଧି ସମ୍ପନ୍ନା ଭଗ୍ନୀ ଭାଗ୍ୟରେ ଥିଲେ ମିଳିଥାଏ ।”

ଯଶ ବିସ୍ମିତ ହୋଇ ପଡିଲେ । ଯୁବରାଜ ଅଶୋକ ତାଙ୍କ ଭଗ୍ନୀ ବିଦିଶାଙ୍କ ସମର୍ଥନ କରୁଛନ୍ତି, ତା’ର ତର୍କକୁ ଯଥାର୍ଥ ମନେ କରୁଛନ୍ତି । ଏହା ଯଶଙ୍କ ପାଇଁ ଏକ ଆଶ୍ଚର୍ଯ୍ୟର ବିଷୟ ଥିଲା । ବିଦିଶା ମଧ୍ୟ ଆନନ୍ଦରେ କିଛିକ୍ଷଣ ପାଇଁ ସ୍ତମ୍ଭିତ ହୋଇଗଲେ । ବିଦିଶାଙ୍କ ଏଭଳି ଯୁକ୍ତି ଶୁଣିବା ପରଠାରୁ ନର୍ତ୍ତକୀମାନେ କୃତଜ୍ଞତାରେ ନିଜ ନିଜ ମୁଣ୍ଡ ତଳକୁ କରି ରହିଥିଲେ ।

ଯଶ ଅଶୋକଙ୍କୁ କହିଲେ, “ଯୁବରାଜ, ପ୍ରକୃତରେ କ’ଣ ଆପଣ ଏହି କୃତଘ୍ନ ନର୍ତ୍ତକୀମାନଙ୍କୁ ମୁକ୍ତ କରିଦେବା ପାଇଁ ଚାହୁଁଛନ୍ତି?”

“ବିଦିଶା ଯେପରି ଚାହୁଁଛନ୍ତି, ଠିକ୍ ସେପରି ହେବ । ଆମକୁ ତାଙ୍କ କଥା ମାନିବାକୁ ପଡିବ । କିନ୍ତୁ ତା’ ପ୍ରତିବଦଳରେ ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ ।” ଏପରି କହି ଅଶୋକ ବିଦିଶାଙ୍କ ଆଡକୁ ଚାହିଁଲେ ।

ବିଦିଶା ପଚାରିଲେ “ମୋର ଶକ୍ତିର ପରିସୀମା ଭିତରେ ଥିଲେ, ମୁଁ ଅବଶ୍ୟ ଏହାର ମୁଲ୍ୟ ପରିପୂରଣ କରିବି । ଏବେ ପ୍ରକାଶ କରନ୍ତୁ, ଏହାର ମୂଲ୍ୟ କ’ଣ?”

ଅଶୋକ ସଲ୍ଲଜ ଭାବେ କହିଲେ “ବହୁ ମୂଲ୍ୟବାନ ହେଲେ ମଧ୍ୟ, ତାହା କେବଳ ତୁମ ଦ୍ୱାରାହିଁ ସମ୍ଭବ । ମାତ୍ର ମୁଁ ଏବେ ତାହା ପ୍ରକାଶ କରିପାରୁନାହିଁ । ତୁମ ଭାଇ ଯଶଙ୍କ ମାଧ୍ୟମରେ ସେକଥା ମୁଁ ଅବଶ୍ୟ ଜଣାଇଦେବି ।”

ଅବିଳମ୍ବେ ଯଶ ଅନୁମାନ କରିନେଲେ ଯେ, ଯୁବରାଜ ତାଙ୍କ ଭଗ୍ନୀଙ୍କୁ ମନେ ମନେ ଭାରି ଭଲ ପାଉଛନ୍ତି । ତେଣୁ ନିଜ ମନର କଥା ତା’ ସମ୍ମୁଖରେ ପ୍ରକାଶ କରିବା ପାଇଁ ସେ ସଙ୍କୋଚବୋଧ କରୁଛନ୍ତି । ଏଣୁ ମନେମନେ ସେ ଖୁବ୍ ଖୁସି ହେଲେ । ସ୍ମିତହସି ଭଗ୍ନୀଙ୍କ ଆଡକୁ ଦୃଷ୍ଟି ନିକ୍ଷେପ କରିବାରୁ, ମଥା ଅବନତ କରି ସେ ସ୍ଥାନରୁ ବିଦିଶା ଚାଲିଗଲେ ।

ଏହାପରେ ଅଶୋକଙ୍କ ଆଦେଶ ଅନୁସାରେ ନର୍ତ୍ତକୀ ଓ ବନ୍ଦୀ ପୁରୁଷମାନଙ୍କୁ ସେ ସ୍ଥାନରୁ ବହୁ ଦୂରକୁ ନେଇ ସେମାନଙ୍କୁ ମୁକ୍ତ କରି ଦିଆଗଲା ।

ଶାକ୍ୟନାୟକ ଓ ତାଙ୍କର ପତ୍ନୀ ପ୍ରଥମେ ବିଶ୍ୱାସ କରି ପାରିଲେ ନାହିଁ ଯେ, ଯୁବରାଜ ଅଶୋକ ତାଙ୍କ ପୁତ୍ରୀକୁ ବିବାହ କରିବା ପାଇଁ ଇଚ୍ଛୁକ । ଯଶଙ୍କ ଠାରୁ ଏହି କଥା ଶୁଣି ସେମାନେ କିଛି କ୍ଷଣ ପାଇଁ ଆନନ୍ଦ ଓ ଆଶ୍ଚର୍ଯ୍ୟରେ ହତବାକ୍ ହୋଇଗଲେ ।

ଯଶ କହିଲେ, “ଯୁବରାଜ ଅଶୋକ ଉଚ୍ଚବଂଶ ସମ୍ଭୁତ । ସବୁ ରାଜକୁମାରଙ୍କ ପରି ସେ ମଧ୍ୟ କ୍ଷମତା ଓ ଅଧିକାର ଲାଳସୀ ହେବା ସ୍ୱାଭାବିକ । କିନ୍ତୁ ତାଙ୍କ ସମ୍ବନ୍ଧରେ ଲୋକମାନଙ୍କର ମତ ହେଉଛି ଯେ, ସେ ଅତ୍ୟନ୍ତ କୋମଳ ସ୍ୱଭାବ ଓ ଉନ୍ନତ ଚରିତ୍ର ସମ୍ପନ୍ନ ଅଟନ୍ତି । ମୋର ମଧ୍ୟ ଏହା ମତ । ସେ ଏବେ ସୁସମ୍ପନ୍ନ ଅବନ୍ତୀ ରାଜ୍ୟର ରାଜ ପ୍ରତିନିଧି ରୂପେ ଯୋଗ ଦେବାକୁ ଯାଉଛନ୍ତି । ତାଙ୍କୁ ବିବାହ କଲେ, ଆମ ବିଦିଶା ଭବିଷ୍ୟତରେ ରାଣୀ ହେବା ପ୍ରାୟ ନିଶ୍ଚିତ ଅଟେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ