ସମ୍ରାଟ ଅଶୋକ

ଠିକ୍ ସେହି ସମୟରେ ସେଠାରେ ପହଁଚିଥିବା ବିଦିଶା କହିଲେ, “ଭଗ୍ନୀ ସମ୍ବନ୍ଧରେ ତେବେ ତୁମର ଏପରି ଧାରଣା? ତୁମେ ମୋ ବିଷୟରେ ଏତିକି ଜାଣିଛ ଓ ମୋତେ ଏପରି ବୁଝୁଛ? ରାଣୀ ହେଲେ ମୁଁ ଅଧିକ ସୁଖୀ ହେବି ବୋଲି ତୁମେ ମନେ କରୁଛ?”

ହଠାତ୍ ଯଶ ତାଙ୍କ ଭଗ୍ନୀଙ୍କର ଏପ୍ରକାର ଆରୋପର ପ୍ରତ୍ୟୁତ୍ତର କିଛିବି ଦେଇ ପାରିଲେ ନାହିଁ । ତେଣୁ ସେ ଚୁପ୍ ରହିଲେ । କିଛିକ୍ଷଣ ପରେ ସେ ହସିହସି କହିଲେ, “ହଁ ବିଦିଶା, କେଉଁ ଭାଇ ନିଜ ଭଉଣୀର ଏପରି ସୌଭାଗ୍ୟ ଦେଖି ଆନନ୍ଦିତ ହେବନାହିଁ । ଏଥିରେ ମୋର ପୁଣି କେଉଁଠି ବା ଭୁଲ୍ ରହିଲା? ଯୁବରାଜଙ୍କ ପ୍ରସ୍ତାବ ସ୍ୱୀକାର କରିବାରେ ତୁମର ଦ୍ୱିଧା ବା ସଙ୍କୋଚ କାହିଁକି, ତୁମେ ଏବେ ତାହା ସ୍ପଷ୍ଟରୂପେ ପ୍ରକାଶ କର । ମୁଁ ତୁମର ମନୋଭାବ ବୁଝି ପାରୁନାହିଁ ।”

ବିଦିଶାଙ୍କ ମାତା କହିଲେ, “ପୁତ୍ର ପ୍ରଥମେ ମୁଁ ତ ଏହି ପ୍ରସ୍ତାବକୁ ବିଶ୍ୱାସ କରିପାରିଲି ନାହିଁ । ମୋର କନ୍ୟା ଯେ ଅନନ୍ୟା, ଅସାଧାରଣା ମୋର ଏହି ଦୃଢ ଧାରଣା ଥିଲା । ଏହି ସବୁ ଘଟଣାକୁ ପଶ୍ଚାତ୍ବଲୋକନ କଲେ ମୁଁ ଅନୁଭବ କରି ପାରୁଛି ଯେ, ଏହା ପଛରେ ପ୍ରକୃତରେ ଦୈବୀ ନିର୍ଣ୍ଣୟ ରହିଛି । ଯୁବରାଜଙ୍କର ଆମ ଗ୍ରାମରେ ଶିବିର ସ୍ଥାପନର କ’ଣ ଆବଶ୍ୟକତା ଥିଲା? ଯୁବରାଜ ଗର୍ତ୍ତ ମଧ୍ୟରେ ନିପତିତ ହେବାକୁ ଯାଇଥିବା ସମୟରେ ବିଦିଶାକୁ କିଏ ସେଠାକୁ ପଠାଇଥିଲେ? ଅଶୋକଙ୍କ ବିରୁଦ୍ଧରେ ହୋଇଥିବା ହତ୍ୟା ଷଡଯନ୍ତ୍ର ତୁମ ଦୁଇଜଣଙ୍କ ସମ୍ମୁଖରେ ଉନ୍ମୋଚିତ୍ତ ହେଲା କିପରି? ଏହି ସବୁ ଘଟଣାବଳୀ କ’ଣ ବିଚିତ୍ର ମନେ ହେଉନାହିଁ?”

ସେତେବେଳ ଯାଏଁ ମୌନ ଥିବା ବିଦିଶାଙ୍କ ପିତା କହିଲେ, “ମୋର ମନେହେଉଛି, ମୋର କନ୍ୟାର ଜୀବନ ସହିତ ଯୁବରାଜଙ୍କ ଜୀବନର କିଛି ନା କିଛି ସମ୍ପର୍କ ନିଶ୍ଚୟ ରହିଛି ।”

ଏହି ସବୁ କଥା ଶୁଣି ବିଦିଶାଙ୍କ ଚକ୍ଷୁ ଲୋତକରେ ଭରିଗଲା । ନିରବରେ ସେ ତାଙ୍କ ଭବନର ବାହାରକୁ ଆସି ଆକାଶକୁ ଚାହିଁ ସ୍ୱର୍ଗତୋକ୍ତି କଲେ, “ତଥାଗତ ବୁଦ୍ଧ! ଏହା କିପରି ପରୀକ୍ଷା! ଏହି ବିକ୍ଷିପ୍ତ, ଆନ୍ଦୋଳିତ ମାନସିକ ସ୍ଥିତିରେ ମୋତେ ଯଥାର୍ଥ ମାର୍ଗ ଦର୍ଶାଅ ପ୍ରଭୁ! ମୋର ଇଚ୍ଛା ଥିଲା, ତୁମ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ସନ୍ୟାସିନୀର ଜୀବନ ବିତାଇବି ଓ ନିର୍ବାଣ ପ୍ରାପ୍ତ କରିବି । କ୍ଷମତା ବା ଐହିକ ସୁଖ ପ୍ରତି ମୋର କୌଣସି ଆକର୍ଷଣ ନାହିଁ । ଏବେ ମୁଁ ଏକ ବିଷମ ପରିସ୍ଥିତିରେ ପଡିଯାଇଛି । ମୋତେ କାହିଁକି ଏପରି ଦୋଦୁଲ୍ୟମାନ ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି, ପ୍ରଭୁ?” ବିଦିଶା ଏପରି ବିନୀତ ଭାବରେ ପ୍ରାର୍ଥନା କରିବାରେ ଲାଗିଲେ ।

କିଛି ସମୟ ପରେ ଯଶଙ୍କ ନିକଟକୁ ଯାଇ ବିଦିଶା କହିଲେ, “ପ୍ରକୃତରେ କ’ଣ ଠିକ୍, କ’ଣ ଭୁଲ୍ ତାତ ମୁଁ ନିର୍ଣ୍ଣୟ କରିପାରୁନାହିଁ । ସତ କହିବାକୁ ଗଲେ, ଏହି ବିଷୟରେ ମୋର ପିତାମାତାଙ୍କର ପରାମର୍ଶକୁ ମଧ୍ୟ ମୁଁ ବିଶ୍ୱାସ କରିପାରୁନାହିଁ । କାରଣ ସେମାନେ ହିଁ ଐହିକ ସୁଖକୁ ପ୍ରାଧାନ୍ୟ ଦେବେ । ପ୍ରତ୍ୟେକ ପିତାମାତା ନିଜ କନ୍ୟାପାଇଁ ଏକ ସୁଯୋଗ୍ୟ ପାତ୍ର ପାଇଲେ ଆନନ୍ଦିତ ହେବେ । ମନେ କରିବେ, ଭଗବାନଙ୍କ ଅଶେଷ କରୁଣାରୁ, ଏପରି ଗୁରୁ ଦାଇତ୍ତ୍ଵ ତୁଲାଇବାରେ ସେମାନେ ସମର୍ଥ ହେଲେ । ଏହି ବିଷୟରେ ମୋତେ ଉପଯୁକ୍ତ ପରାମର୍ଶ ଦେବା ପରି ଏକମାତ୍ର ଯୋଗ୍ୟ ହେଉଛନ୍ତି ଗୁରୁଦେବ ଉପଗୁପ୍ତ ।

ଯଶ ଓ ତାଙ୍କର ପିତାମାତା, ବିଦିଶାଙ୍କର ଏହି ପ୍ରସ୍ତାବରେ ସମ୍ମତ ହେଲେ ।

ଉପଗୁପ୍ତ ତତ୍ପରଦିନ ଆସୁଛନ୍ତି ବୋଲି ଖବର ମିଳିଲା । ଯଶଙ୍କ ଠାରୁ ବିଦିଶାଙ୍କ ନିର୍ଣ୍ଣୟ ଅଶୋକ ଜାଣିବାକୁ ପାଇଲେ । ତେଣୁ ସେ ମଧ୍ୟ ପ୍ରତୀକ୍ଷା କରିବା ପାଇଁ ନିଷ୍ପତି ନେଲେ ।

ପ୍ରାତଃ କାଳରେ ବିଦିଶା ପିତା, ମାତା ଓ ଭାଇଙ୍କ ଗହଣରେ ଉପଗୁପ୍ତ ଅବସ୍ଥାନ କରୁଥିବା ବିହାର ନିକଟରେ ଯାଇ ପହଁଚିଲେ । ମାତା-ପିତା ଓ ଯଶ ବିହାର ବାହାରେ ଅପେକ୍ଷା କଲେ । କେବଳ ବିଦିଶା ଉପଗୁପ୍ତଙ୍କୁ ସାକ୍ଷାତ କରିବା ପାଇଁ ଅଭ୍ୟନ୍ତରକୁ ଗଲେ ।

କିଛି ସମୟ ପରେ ବିଦିଶା ବାହାରକୁ ଆସିଲେ । ତାଙ୍କର ମୁଖମଣ୍ଡଳ ଗମ୍ଭୀର ଦୃଶ୍ୟ ହେଉଥାଏ । ତାଙ୍କର ଭାବଶୂନ୍ୟ, କଠୋର ଚେହେରା ଦେଖି କେହି ସାହସ କରି ପଚାରି ପାରୁ ନ ଥାନ୍ତି ଯେ, ଉପଗୁପ୍ତ ତାଙ୍କୁ କ’ଣ ଉପଦେଶ ଦେଲେ । ଉତ୍କଣ୍ଠାର ସହ ସମସ୍ତେ ତାଙ୍କୁ ଚାହିଁ ରହିଥିଲେ । ବିଦିଶା ଏକ ବୃକ୍ଷ ତଳେ ଦଣ୍ଡାୟମାନ ଅଶୋକଙ୍କୁ ଦେଖି ଭାଇ ଯଶଙ୍କୁ କହିଲେ, “ଯିଏ ଆମର ନିକଟକୁ ଆସିବା କଥା, ସେ ଏତେ ଦୂରରେ କାହିଁକି ଠିଆ ହୋଇଛନ୍ତି?”

ଏହା ଶୁଣି ଯଶଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ସେ ଦୌଡି ଯାଇ ଅଶୋକଙ୍କୁ ନିଜ ପିତାମାତାଙ୍କ ସନ୍ନିକଟକୁ ନେଇ ଆସିଲେ ।

ବିଦିଶା ପ୍ରଶାନ୍ତ କଣ୍ଠରେ କହିଲେ, “ଯୁବରାଜ, ଗୁରୁଦେବ ଆପଣଙ୍କ ପ୍ରସ୍ତାବ ସ୍ୱୀକାର କରିବା ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ମୋର ଏକ ବିନତି ରହିଛି । ବୁଦ୍ଧଙ୍କ ପ୍ରଦର୍ଶିତ ଧର୍ମ – ମାର୍ଗରେ ପରିଚାଳିତ ହେବା ପାଇଁ ମୁଁ ଆପଣଙ୍କ ସହଯୋଗ ଓ ସ୍ୱୀକୃତି ଆଶା କରୁଛି ।”

ଅଶୋକ ହର୍ଷ ବିଭୋର ହୋଇ କହିଲେ “ବିଦିଶାଙ୍କର ବିନତିକୁ ମୁଁ ଆନ୍ତରିକ ଭାବେ ସ୍ୱୀକାର କରୁଛି ।” “ମୁଁ ଆପଣଙ୍କ ପ୍ରତି ଅଶେଷ କୃତଜ୍ଞ । ଗୁରୁଦେବଙ୍କର ଏହି ବିଶ୍ୱାସ ଯେ, ଆପଣଙ୍କ ସହିତ ମୋର ବିବାହ ତଥାଗତଙ୍କ ଦ୍ୱାରା ଅନୁପ୍ରେରିତ ଅଟେ । ତାଙ୍କର ପରାମର୍ଶ ପାଳନ କରିବା ପାଇଁ ମୁଁ ପ୍ରତିଜ୍ଞାବଦ୍ଧ ।” ଏହିପରି କହି ବିଦିଶା ପିତା-ମାତା, ଅଶୋକ ଓ ଭାଇ ଯଶଙ୍କୁ ବିନମ୍ର ପ୍ରଣତି ଜଣାଇଲେ ।

ବିବାହ ନିମନ୍ତେ ଅନୁମତି ପ୍ରାପ୍ତ ହେବାପାଇଁ ଅଶୋକ ଓ ଶାକ୍ୟନାୟକ ବିନ୍ଦୁସାରଙ୍କ ନିକଟକୁ ଏକ ଦୂତ ମାଧ୍ୟମରେ ପତ୍ର ପ୍ରେରଣ କଲେ । ପରନ୍ତୁ ସେହି ପତ୍ର ବିନ୍ଦୁସାରଙ୍କ ନିକଟରେ ପହଁଚି ପାରିଲା ନାହିଁ । ସୁଶେମ ତାଙ୍କର ଏକ ମିତ୍ର ସାହାଯ୍ୟରେ, ସେହି ପତ୍ରଟି ହସ୍ତଗତ କରି ତାକୁ ଅଗ୍ନିରେ ଭସ୍ମ କରିଦେବାରେ ସକ୍ଷମ ହେଲେ । ସୁଶେମ ଏପରି ଏକ ପତ୍ର ପ୍ରସ୍ତୁତ କରାଇଲେ ଯେଉଁଥିରେ ଉଲ୍ଲେଖ ଥିଲା ଯେ, ରାଜା ବିନ୍ଦୁସାର ଏହି ବିବାହ ପାଇଁ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରିଛନ୍ତି । ବିନ୍ଦୁସାରଙ୍କ ଅଜାଣତରେ ଏହି ପତ୍ର ଅଶୋକଙ୍କ ନିକଟକୁ ପ୍ରେରିତ ହେଲା ।

ଅବନ୍ତୀର ରାଜ-ପ୍ରତିନିଧି ପଦବୀ ଗ୍ରହଣ କରିବା ପରେ ଅଶୋକ ବିଦିଶାଙ୍କୁ ବିବାହ କଲେ ।

ଦିନେ ସୁଶେମ ତାଙ୍କ ପିତାଙ୍କୁ କହିଲେ, ଗୁପ୍ତଚରଙ୍କ ଦ୍ୱାରା ମୁଁ ଜାଣିବାକୁ ପାଇଲି ଯେ, ଅଶୋକ ଶାକ୍ୟନାୟକଙ୍କ ପୁତ୍ରୀଙ୍କୁ ବିବାହ କରିଛନ୍ତି, ଆପଣ ଏହା ଜାଣନ୍ତି କି?”

“କ’ଣ? ପିତାଙ୍କ ଅନୁମତି ବିନା ପୁତ୍ର ବିବାହ କରି ସାରିଛନ୍ତି? ତାହା ପୁଣି ଜଣେ ରାଜକୁମାରଙ୍କ ସହିତ ଏକ ସାଧାରଣ ନାରୀର ବିବାହ । ଜଣେ ସାଧାରଣ ମା’ର ଗର୍ଭରୁ ଜନ୍ମ ନେଇଥିବା ପୁତ୍ରର ବୁଦ୍ଧି ଆଉ କଣ’ ବା ହେବ?” ଏପରି ଚିନ୍ତା କରି ବିନ୍ଦୁସାର ମୌନ ରହିଲେ । କିନ୍ତୁ ତାଙ୍କ ମୁଖମଣ୍ଡଳରେ ବିରକ୍ତିର ଚିହ୍ନ ସ୍ପଷ୍ଟ ଫୁଟି ଉଠୁଥାଏ । ପିତାଙ୍କର ଏପରି ରୁକ୍ଷ ଭାବନା ସୁଶେମ ମନରେ ପୈଶାଚିକ ଆନନ୍ଦ ଉଦ୍ରେକ କଲା ।

ସମୟ ବିତି ଚାଲିଥାଏ । ଏଣେ ତକ୍ଷଶିଳାରେ ପୁନର୍ବାର ବିଦ୍ରୋହ ଉଙ୍କି ମାରିଲା । ବିନ୍ଦୁସାର ସୁଶେମଙ୍କୁ କହିଲେ, “ଏଭଳି ପରିସ୍ଥିତିରେ ଅଶୋକଙ୍କୁ ଉଜ୍ଜୟିନୀରୁ ଡକାଇ ତକ୍ଷଶିଳା ପ୍ରେରଣ କରିବା ବଡ କଠିନ ବ୍ୟାପାର । ତେଣୁ ତୁମେ ବା ତୁମ ଭାଇମାନଙ୍କ ମଧ୍ୟରୁ କେହି ଜଣେ ତକ୍ଷଶିଳା ଯାତ୍ରା କରି ସେଠାକାର ବିଦ୍ରୋହ ଦମନ କର ।”

ସୁଶେମଙ୍କର ତ ନିଜ ସାମର୍ଥ୍ୟ ଉପରେ ଆଦୌ ବିଶ୍ୱାସ ନ ଥିଲା । ସେ ଯିବା ପାଇଁ ରାଜି ନ ହେଲେ, ତାଙ୍କର ଅସାମର୍ଥ୍ୟ ପ୍ରତିପାଦିତ ହୋଇଯିବ । ତେଣୁ ସେ କହିଲେ, “ପିତାଶ୍ରୀ, ତକ୍ଷଶିଳା ଯାଇ ବିଦ୍ରୋହ ଦମନ କରିବା ମୁଁ ମୋର ଏକ କର୍ତ୍ତବ୍ୟ ମନେ କରୁଛି । ମାତ୍ର ଅଶୋକ ସେଠାରେ ଶତ୍ରୁ ମାନଙ୍କୁ ସମୂଳେ ବିନାଶ କରିଥିଲେ ଆଜି ଏପରି ପରିସ୍ଥିତି କେବେବି ସୃଷ୍ଟି ହୋଇ ନ ଥାନ୍ତା” ବିନ୍ଦୁସାର ତାଙ୍କ ପୁତ୍ରଙ୍କୁ କହିଲେ “ମୁଁ ଜାଣିପାରୁଛି, ଏହା ପଛରେ ଗ୍ରୀକ୍ ମାନଙ୍କରହିଁ ହାତ ରହିଛି । ସେମାନେ ଜାଣୁଛନ୍ତି ଯେ ମୁଁ ଅସୁସ୍ଥ । ତା’ସହିତ ସେମାନେ ଏକଥା ମଧ୍ୟ ଭୁଲି ପାରୁ ନାହାଁନ୍ତି ଯେ, ସେମାନଙ୍କର ଅଧୀନରେ ଥିବା ଅଖଣ୍ଡ ଭୂଭାଗ ଏବେ ମୌର୍ଯ୍ୟମାନଙ୍କର ଅକ୍ତିଆରରେ ଅଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ