ସମ୍ରାଟ ଅଶୋକ

                ସୁଶେମ ଗର୍ବରେ କହିଲେ “ଭାଗ୍ୟବଶତଃ ସେ ମୋ ହାତରୁ ଆଜି ବର୍ତି ଗଲା । ନଚେତ୍ ମୁଁ ଆଜି ଏହି ଉଦ୍ଧତ ଯୁବକର ଚମଡା ଉତାରି ଦେଇଥାନ୍ତି । ମୋ ଉପରେ ହାତ ଉଠାଇବାର ଦୁଃସାହସର ଉପଯୁକ୍ତ ପ୍ରତିଫଳ ସେ ଆଜି ପାଇଛି ।”

                “ଯୁବରାଜ, ନିଜ ଭାଇ ସମ୍ବନ୍ଧରେ ଏପରି ମନ୍ତବ୍ୟ ଦେବା ଅନୁଚିତ୍ ଅଟେ । ସେ ମଧ୍ୟ ଆପଣଙ୍କ ପରି ଜଣେ ଯୁବରାଜ ଓ ଆପଣଙ୍କ ପିତାଙ୍କର ପୁତ୍ର ।” ଏହିପରି ଭାବେ ମନ୍ତ୍ରୀ ତାଙ୍କୁ ବୁଝେଇବା ପାଇଁ ପ୍ରଯତ୍ନ କଲେ ।

                “ହୋଇପାରେ, ସେ ମୋ ପିତାଙ୍କର ପୁତ୍ର, କିନ୍ତୁ ତାର ମା’ ବିବାହ ପୂର୍ବରୁ ଅନ୍ତଃପୁରରେ ମୋ ମା’ଙ୍କର ସେବାକାରିଣୀ ଥିଲେ । ଅନ୍ୟ ରାଣୀଙ୍କର ମଧ୍ୟ । ତେଣୁ ମୁଁ ତାଙ୍କୁ ଯୁବରାଜ ରୂପେ କେବେବି ସ୍ୱୀକାର କରେ ନାହିଁ ।”

                ଏହି କଥା ଅଶୋକଙ୍କୁ ଭୟଙ୍କର ଉତ୍ତେଜିତ କଲା । ସେ ପୁନଃ ଆକ୍ରମଣ କରିବାକୁ ଉଦ୍ୟତ ହୁଅନ୍ତେ ମନ୍ତ୍ରୀ ସେଥିରେ ତାଙ୍କୁ ବାଧା ଦେଲେ ।

“କାଳହିଁ ନିର୍ଦ୍ଧାରଣ କରିବ, କିଏ ଯୋଗ୍ୟ ଯୁବରାଜ- ମୁଁ ନା ତୁମେ? ମୋ’ ମାତାଙ୍କର ଆଜି ତୁମେ ଯେଉଁ ଅପମାନ କଲ, ତାହାର ପ୍ରତିଶୋଧ ମୁଁ ଦିନେ ନା ଦିନେ ନିଶ୍ଚୟ ନେବି । ଏହା ମୋର ଅଟଳ ପ୍ରତିଜ୍ଞା । ସ୍ୱୟଂ ପ୍ରଧାନମନ୍ତ୍ରୀ ଓ ଉପସ୍ଥିତ ଜନସାଧାରଣ ହେଉଛନ୍ତି ଏହାର ସାକ୍ଷୀ । ମଗଧ ସିଂହାସନ ଆରୋହଣ କରିବାକୁ ଯାଉଥିବା ବ୍ୟକ୍ତି ତୁମେ ନୁହଁ…. ” ଆଉ କିଛି କହିବାକୁ ନ ଦେଇ ପ୍ରଧାନମନ୍ତ୍ରୀ ଅଶୋକଙ୍କ ପାଟିକୁ ଚାପି ଧରିଲେ ଓ ନିଜର ବକ୍ତବ୍ୟ ଆରମ୍ଭ କରି କହିଲେ, “ମହାରାଜ ବିନ୍ଦୁସାରଙ୍କ ପ୍ରତିନିଧି ଭାବରେ, ମୁଁ ଆପଣ ଦୁହିଁଙ୍କୁ ଏ ସ୍ଥାନ ତ୍ୟାଗ କରିବା ପାଇଁ ଆଦେଶ ପ୍ରଦାନ କରୁଛି । ଏବେ, ଏହି ମୁହୂର୍ତ୍ତରେ ଦୁହେଁ ରାଜଭବନ ଫେରିଯାଆନ୍ତୁ ।” ତା ପରେ ସମବେତ ଜନତାଙ୍କୁ ସେ ସ୍ଥାନ ପରିତ୍ୟାଗ କରିବା ପାଇଁ ସେ ଆଦେଶ ଦେଲେ ।

ପ୍ରଧାନମନ୍ତ୍ରୀ ନିଜ ଗୃହ ଅଭିମୁଖେ ଆଗେଇଲେ । ଅଶ୍ୱରୁ ଅବତରଣ କରୁଥିବା ସମୟରେ ବିନ୍ଦୁସାରଙ୍କ ପ୍ରଧାନ ପରାମର୍ଶଦାତା ତାଙ୍କୁ ନମସ୍କାର କରି କହିଲେ, “ମହାରାଜ ଆପଣଙ୍କୁ ସ୍ମରଣ କରୁଛନ୍ତି । “ଆଚ୍ଛା, ତେବେ ଚାଲ ।” ଏପରି କହି ଦୁହେଁ ଆଗପଛ ହୋଇ ରାଜଭବନରେ ଯାଇ ପହଁଚିଲେ । ରାଜା ଏକାନ୍ତ କକ୍ଷରେ ଅବସ୍ଥାନ କରୁଥିଲେ । ସେହି ବିଶାଳ କକ୍ଷରେ ଏକ ଗଦି ଉପରେ ଏକାକୀ ବିନ୍ଦୁସାର ବସିଥାନ୍ତି । ତାଙ୍କ ସମ୍ମୁଖରେ ଜଣେ ରାଜକର୍ମଚାରୀ ଦଣ୍ଡାୟମାନ ଥାଆନ୍ତି । ମନ୍ତ୍ରୀ ପ୍ରଣାମ କରିବାରୁ ରାଜା ତାଙ୍କୁ ଉପବେଶନ କରିବାକୁ ସଙ୍କେତ ଦେଲେ ।

ଏହାପରେ ମହାରାଜା ଆରମ୍ଭ କଲେ “ଭଲ୍ଲାଟକ, ଆଜି ଏକ ମନ୍ଦ ସମାଚାର ମିଳିଛି । ଏହାର ସମ୍ପୂର୍ଣ୍ଣ ବିବରଣୀ, ଏହି ତକ୍ଷଶିଳାର ରାଜ କର୍ମଚାରୀ ଆପଣଙ୍କୁ ପ୍ରଦାନ କରିବେ ।”

କର୍ମଚାରୀ ବିବରଣୀ ପ୍ରଦାନ କରିବାକୁ ଯାଇ କହିଲେ “ମନ୍ତ୍ରୀବର, ଆପଣ ତ ଜାଣିଥିବେ ମହାରାଜ ଚନ୍ଦ୍ରଗୁପ୍ତ ତକ୍ଷଶିଳା ପ୍ରାନ୍ତ ଉପରେ ବିଜୟଶ୍ରୀ ପ୍ରାପ୍ତ ହୋଇଥିଲେ । ସେଠାରେ ସେ ନିଜର ପ୍ରତିନିଧିଙ୍କୁ ନିଯୁକ୍ତ କରିଥିଲେ । ସେହିଦିନଠାରୁ ଅଦ୍ୟାବଧି ଶାସନକାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ ହୋଇ ଆସୁଥିଲା । କିନ୍ତୁ ଏବେ ମୌର୍ଯ୍ୟ ଅଧିକାରକୁ ଆହ୍ୱାନ ଦେବାପରି ବିଦ୍ରୋହର ଆଭାସ ତକ୍ଷଶିଳାରେ ପରିଲକ୍ଷିତ ହେଉଛି । ତକ୍ଷଶିଳାର ସାଧାରଣ ନାଗରିକଙ୍କ ପ୍ରତି କୌଣସି ଅବିଚାର ବା ଅନ୍ୟାୟ କରାଯାଇନାହିଁ । ତେଣୁ ଆପଣଙ୍କୁ ଏହା ନିଶ୍ଚୟ ବିଚିତ୍ର ବୋଧ ହେଉଥିବ । କିନ୍ତୁ ଆମେ ରାଜକର୍ମଚାରୀମାନେ ଏହି ବିଦ୍ରୋହର ଆଭାସରେ ଆଦୌ ବିସ୍ମିତ ନୁହେଁ । କାରଣ ଏହା ପଛରେ ଗ୍ରୀକ୍ମାନଙ୍କର ହାତ ଅଛି । ଏବେ ଯାଏଁ ସେମାନେ ଭୁଲିନାହାଁନ୍ତି ମହାରାଜ ଚନ୍ଦ୍ରଗୁପ୍ତଙ୍କ ପ୍ରଚଣ୍ଡ ଆକ୍ରମଣ ଓ ତାର ଫଳାଫଳ । ତେଣୁ ସେମାନେ ମଗଧ ରାଜ୍ୟ ଖଣ୍ଡବିଖଣ୍ଡିତ ହୋଇଯାଉ ଏହାହିଁ କାମନା କରି, ଆକ୍ରମଣର ସ୍ୱପ୍ନ ଦେଖୁଛନ୍ତି ।”

ପ୍ରଧାନମନ୍ତ୍ରୀ ପ୍ରଶ୍ନ କଲେ, “କେଉଁ ପଦ୍ଧତିରେ ବିଦ୍ରୋହ ହେବାର ସମ୍ଭାବନା ରହିଛି?” “ବିଦ୍ରୋହର ନେତା ଆତ୍ମଗୋପନ କରି, ବିଶିଷ୍ଟ ନାଗରିକ ଓ ବ୍ୟବସାୟୀଙ୍କୁ ପ୍ରଭାବିତ କରୁଛନ୍ତି । ମଗଧ ରାଜକର୍ମଚାରୀଙ୍କ ଗୃହ ଲୁଟ୍ କରିବା ତଥା ଅଗ୍ନି ସଂଯୋଗ କରିବା ପରି କାର୍ଯ୍ୟ କରିବା ପାଇଁ ସାଧାରଣ ପ୍ରଜାଙ୍କୁ ଉତ୍ତେଜିତ କରାଉଛନ୍ତି । ଆମର କେତେଜଣ ସୈନିକଙ୍କୁ ପ୍ରଜା ହତ୍ୟା କରି ସାରିଲେଣି । ଦିନକୁ ଦିନ ଏହି ପରିସ୍ଥିତି ବିଷମ ହେବାକୁ ଯାଉଛି ।” ଏହା କହି କର୍ମଚାରୀ ବିଦ୍ରୋହର ଅବସ୍ଥାର ଏକ ଚିତ୍ର ଦେଲେ ।

“ହିଂସାତ୍ମକ ମାର୍ଗର ଉପଯୋଗ ଆରମ୍ଭ ହୋଇ ସାରିଛି । ତେଣୁ ଆଉ ବିଳମ୍ବ ହାନିକାରକ ହେବ । ନିଜର ଶକ୍ତି ମାଧ୍ୟମରେ ବିଦ୍ରୋହ ଦମନ କରିବା ଏକମାତ୍ର ସମାଧାନ ଅଟେ ।” ମହାରାଜଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ, “ରାଜନ୍, ସେନାଧିପତିଙ୍କୁ ତକ୍ଷଶିଳା ଠାରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଅବିଳମ୍ବେ ଆଦେଶ ପ୍ରଦାନ କରନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ