ସାତ ନକ୍ଷତ୍ର

ଥରେ ସ୍ୱର୍ଗରେ ଦେବେନ୍ଦ୍ର ସିଂହାସନରେ ବସି ଭାବିଲେ ସମସ୍ତିଙ୍କର ଇଚ୍ଛା ସେ ପୁରଣ କରିବେ; ବିଶେଷତଃ ଭୂଲୋକବାସୀଙ୍କର । ସେଥିପାଇଁ ସେ ସାତଜଣ ନକ୍ଷତ୍ରଙ୍କୁ ଡାକିଲେ ।

ଏହାପରେ ସେମାନେ ଉପସ୍ଥିତ ହୋଇ ଦେବେନ୍ଦ୍ରଙ୍କୁ ପଚାରିଲେ, “ଆମମାନଙ୍କ ପ୍ରତି କ’ଣ ଆଦେଶ ପ୍ରଭୁ?”

ଏହା ଶୁଣି ଦେବେନ୍ଦ୍ର କହିଲେ, “ମୁଁ ସମସ୍ତ ଭୂଲୋକବାସୀଙ୍କୁ ସୁଖ ପ୍ରଦାନ କରିବାକୁ ଚାହୁଁଛି । ମାତ୍ର ମୁଁ ଚାହେଁ ଯାହା କିଛି ମୁଁ ଦେବି ତୁମମାନଙ୍କ ମାଧ୍ୟମରେ ହିଁ ଦେବି । କିନ୍ତୁ ସେଥିପାଇଁ ତୁମେ ସେମାନଙ୍କଠାରୁ ଉଚିତ୍ ମୂଲ୍ୟ ଆଦାୟ କରିବ ।”

ଦେବେନ୍ଦ୍ରଙ୍କ ଏଭଳି ଆଦେଶ ପାଇ ନକ୍ଷତ୍ରମାନେ କହିଲେ, “ଯାହା ଆପଣଙ୍କର ଜିଜ୍ଞାଶା ତାହାହିଁ ହେବ ପ୍ରଭୁ!” ଦେବେନ୍ଦ୍ର ପ୍ରଥମ ନକ୍ଷତ୍ରଙ୍କୁ ସୁବର୍ଣ୍ଣ ପାତ୍ରଟିଏ ଦେଇ କହିଲେ, “ଦେଖ, ଏଥିରେ ହାସ୍ୟରସ ଅଛି । ଯିଏ ଏହାକୁ ସେବନ କରିବ ସେ ସର୍ବଦା ହସଖୁସି ଓ ସନ୍ତୋଷରେ ରହିବ ଏବଂ ତାହାହିଁ ପ୍ରାଣୀମାନଙ୍କର ମୌଳିକ ଜୀବନୀଶକ୍ତି ।”

ତା’ପରେ ସେ ଦ୍ୱିତୀୟ ନକ୍ଷତ୍ରଙ୍କୁ କହିଲେ, “ନିଅ ଏହି ସୁବର୍ଣ୍ଣ ପାତ୍ରରେ ସୁଶୀଳତା ରହିଛି । ଏହା ସଂସ୍କୃତିର ପ୍ରତୀକ ।”

ତୃତୀୟ ନକ୍ଷତ୍ରଙ୍କୁ ଏକ ସୁବର୍ଣ୍ଣପାତ୍ର ଦେଇ ସେ କହିଲେ, “ଏଥିରେ ସ୍ୱାସ୍ଥ୍ୟ ଅଛି । ବିନା ସ୍ୱାସ୍ଥ୍ୟରେ ତ ମଣିଷ କ୍ଷଣେ ମଧ୍ୟ ବଂଚିପାରିବ ନାହିଁ ।”

ଚତୁର୍ଥ ନକ୍ଷତ୍ରଙ୍କୁ ସୁବର୍ଣ୍ଣ ପାତ୍ରଟିଏ ଦେଇ ସେ କହିଲେ, “ଏଥିରେ ଦୀର୍ଘ ଆୟୁ ଅଛି । ଜୀବନକୁ ଆନନ୍ଦରେ କଟାଇବାକୁ ହେଲେ ଦୀର୍ଘ ଆୟୁ ତ ନିହାତି ଆବଶ୍ୟକ ।”

ପଂଚମ ନକ୍ଷତ୍ରଙ୍କୁ ସୁବର୍ଣ୍ଣ ପାତ୍ରଟିଏ ଦେଇ ସେ କହିଲେ, “ଏଥିରେ କୀର୍ତ୍ତି ଅଛି । ଯଶକୀର୍ତ୍ତି ମଣିଷ ଜୀବନକୁ ସାର୍ଥକ କରେ ।”

ଷଷ୍ଠ ନକ୍ଷତ୍ରଙ୍କୁ ସୁବର୍ଣ୍ଣ ପାତ୍ରଟିଏ ଦେଇ ସେ କହିଲେ, “ଏଥିରେ ଆନନ୍ଦ ଅଛି, ସଂସାରର ସାରଜିନିଷ; ଋଷିମୁନି ମଧ୍ୟ ଏହାକୁ ପାଇବାକୁ ତପସ୍ୟା କରନ୍ତି ।”

ସପ୍ତମ ନକ୍ଷତ୍ରଙ୍କୁ ସୁବର୍ଣ୍ଣ ପାତ୍ରଟିଏ ଦେଇ ସେ ଦେବେନ୍ଦ୍ର କହିଲେ, “ଏଥିରେ ଐଶ୍ୱର୍ଯ୍ୟ ଅଛି । ଜୀବନକୁ ଦୀର୍ଘ କରି ସାଫଲ୍ୟ ଆଣିବା ପାଇଁ ଏହା ଇନ୍ଧନ ଯୋଗାଇ ଥାଏ ।”

ଏବେ ସାତନକ୍ଷତ୍ର ସାତଜଣ ସ୍ତ୍ରୀ ବେଶରେ ନିଜ ନିଜ ଜିନିଷ ଧରି ବିକିବାକୁ ବାହାରିଲେ । ପ୍ରଥମ ତିନିଜଣଙ୍କ ଜିନିଷ କେହି ବି କିଣିଲେ ନାହିଁ । ଚତୁର୍ଥ ନକ୍ଷତ୍ର ବଡ ପାଟିକରି ଡାକିଲେ, “ଦୀର୍ଘଜୀବନ କାହାର ଦରକାର କିଣି ନିଅ ।” ଏକଥାରେ କେତେକ ଲୋକ ଆକର୍ଷିତ ହୋଇ ଆସିଲେ ଓ ମୂଲ୍ୟ ନିର୍ଦ୍ଧାରଣ କଲେ ।

ଏସବୁ ଦେଖି ସେ ଚତୁର୍ଥ ନକ୍ଷତ୍ରଟି କହିଲେ, “ଆଚ୍ଛା, ମୋର ସାଥୀମାନଙ୍କଠାରୁ ଏବେ କିଛି କିଣନ୍ତୁ? ଏମାନଙ୍କ ପାଖରେ ହାସ୍ୟରସ, ସୁଶୀଳତା, ସ୍ୱାସ୍ଥ୍ୟ, କୀର୍ତ୍ତି, ଆନନ୍ଦ ଓ ଐଶ୍ୱର୍ଯ୍ୟ ଅଛି । କୁହନ୍ତୁ ଏସବୁ ଭିତରୁ ଆପଣମାନେ କ’ଣ କିଣିବେ?”

ତହୁଁ ସେମାନେ ସିଧା ସିଧା କହିଲେ “ସେସବୁ ଆମର କିଛି ବି ଦରକାର ନାହିଁ ତୁମେ ଯାହା ବିକୁଛ କେବଳ ସେତିକି ହିଁ ଆମର ଦରକାର, ତା’ଛଡା ଆଉ ଅନ୍ୟ କିଛି ନୁହେଁ ।”

“ଯଦି ତମେ ସେସବୁ କିଛି ବି କିଣିବ ନାହିଁ ତେବେ ଏ ଦୀର୍ଘଜୀବନର ଅର୍ଥ କ’ଣ? ଜୀବନ ସିନା ଦୀର୍ଘ ହେବ କିନ୍ତୁ ନଷ୍ଟ ହେବ । ତାହେଲେ ଦୀର୍ଘଜୀବନ ଥାଇ ଲାଭ ବା କ’ଣ? ଥାଉ ମୁଁ ବି ତାକୁ ଆପଣମାନଙ୍କୁ ବିକ୍ରି କରୁନାହିଁ ।” ଏତିକି କହି ସେ ଚତୁର୍ଥ ନକ୍ଷତ୍ର ଦେଖିଲେ ତାଙ୍କ ହାତରେ ନମୁନା ସ୍ୱରୂପ ଯେଉଁ ଟିକକ ଦୀର୍ଘଜୀବନ ଥିଲା ତାକୁ ଖାଇବାକୁ ଶୁଆଟିଏ ଉଡି ଆସିଲା ଓ ସେତକ ଖାଇ ଦେଇ ସେ ଫୁର୍ର କରି ଉଡିଗଲା । ସେଥିପାଇଁ ସେ ତିନିଶହ ବର୍ଷ ବଂଚିଲା । ଏହି ଘଟଣା ଯିଏ ବି ଦେଖିଲା ସେ ଆଶ୍ଚର୍ଯ୍ୟ ହେଲା । ଶୁଆଟି ମଣିଷର ମୂର୍ଖତା ବିଷୟ କେବଳ ବାରମ୍ବାର ମନେ ପକାଇ ଦିଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ