ସାଧୁ ଓ ଛଦ୍ମବେଶୀ

ଏଣେ ଘରଲୋକେ ବୁଝିପାରିଲେ ଯେ ରାତିରେ ଚୋର ଘରେ ପଶି ଜିନିଷପତ୍ର ଅଣ୍ଡାଳୁଛି । କିନ୍ତୁ ସେମାନେ ଏ ବିଷୟରେ ଅସୁସ୍ଥ ରାମରତନଙ୍କୁ କିଛିବି ଜଣାଇଲେ ନାହିଁ ।

ରଘୁସିଂହ ସାଧୁ ବେଶ ହୋଇ ସକାଳେ ରାମରତନଙ୍କ କୋଠରୀ ଭିତରକୁ ପଶି ଆସିଲା ଓ କହିଲା, “ଶେଠ୍ଜୀ! ତମକୁ ବର୍ତ୍ତମାନ ଖରାପ ଯୋଗ ପଡିଛି ।”

ରାମରତନ କ୍ରମେ ଦୁର୍ବଳ ହେବା ଯୋଗୁଁ ତାଙ୍କ ମନୋବଳ ବି ଭାଙ୍ଗି ଯାଇଥାଏ । ସେ ଭୟଭୀତ ହୋଇ ପଚାରିଲେ, “ବୋଇଲେ?”

ସାଧୁବେଶୀ ରଘୁସିଂହ କହିଲା, “ତମେ ଜାଣ, ଲକ୍ଷ୍ମୀଙ୍କ ପ୍ରକୃତି ଚଂଚଳ । ସେ ତମ ଘରେ ଅନେକ ଦିନରୁ ରହିଲେଣି । ଏଣିକି ସେ ବାହାରି ପଳାଇବାକୁ ମନ କରୁଛନ୍ତି । ଦୁଇଥର ଚେଷ୍ଟା କଲେଣି । କିନ୍ତୁ କୌଣସି କାରଣରୁ ସେ ଅଟକି ଯାଇଛନ୍ତି । ଆଜି ରାତିରେ ବୋଧ୍ହୁଏ ଏଠୁ ସେ ପଳାଇବେ । କେବଳ ତାଙ୍କରି ମନ ଖରାପ୍ ଯୋଗୁଁ ତମ ଦେହବି ଖରାପ୍!”

ଦୁଇ ରାତି ଧରି କେହି ଚୋରି କରିବାକୁ ଚେଷ୍ଟା କରୁଛି ବୋଲି ରାମରତନ ସିନା ଜାଣି ନଥିଲେ, ମାତ୍ର ହେମା ଓ ଅନ୍ୟମାନେ ସେକଥା ଜାଣିଥିଲେ । ସେମାନେ ଶଙ୍କିଗଲେ ।

ରାମରତନ ମିନତିପୂର୍ଣ୍ଣ କଣ୍ଠରେ ପଚାରିଲେ, “ସାଧୁଜୀ! ଲକ୍ଷ୍ମୀଦେବୀଙ୍କୁ ଅଟକାଇ ରଖିବାର ଉପାୟ କ’ଣ କିଛି ନାହିଁ? ତାଙ୍କୁ ଖୁସି କରି ମୋତେ ଭଲ କରି ପାରିବେ?”

ରଘୁସିଂହ କହିଲା “ପାରିବି । ଆଜି ରାତିରେ ତାଙ୍କୁ ପୂଜା ଦ୍ୱାରା ତୁଷ୍ଟ କଲେ ସେ ରହିଯିବେ । ତମ ଦେହ ବି ଭଲ ହୋଇଯିବ ।”

ରାମରତନ ତାକୁ ପୂଜା କରିବାକୁ ଅନୁରୋଧ କଲା । ସେହି ଭଣ୍ଡ ସାଧୁକୁ ହେମା ନାନା ପ୍ରକାର ସୁସ୍ୱାଦୁ ପଦାର୍ଥ ପରଶିଲେ । ସେ ଦୁଇଦିନ ପରେ ଆନନ୍ଦରେ ଖାଇପିଇ ବିଶ୍ରାମ ନେଲା ଓ ସନ୍ଧ୍ୟାବେଳକୁ ପୂଜାର ଆୟୋଜନ କଲା । ଲକ୍ଷ୍ମୀ ପ୍ରତିମାଙ୍କୁ ଆଗରେ ବସାଇ ସେ ପୂଜାର ଅଭିନୟ କଲାବେଳେ ହେମାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଥାଏ । ରଘୁସିଂହ ତାଙ୍କ ଆଡକୁ ଅନାଇ ମନରେ ବହୁତ ଗ୍ଳାନି ଅନୁଭବ କଲା । କାରଣ ହେମା ତା’ ସହିତ ଅତୀତରେ ଖୁବ୍ ସ୍ନେହପୂର୍ଣ୍ଣ ବ୍ୟବହାର କରୁଥିଲେ । ତେବେ ସେ ଗ୍ଳାନିବୋଧକୁ ତା’ ମନରୁ ଦୂର କରିଦେଇ ସମସ୍ତଙ୍କୁ ପ୍ରସାଦ ସେବନ କରିବାକୁ କହିଲା । ସେ ପ୍ରସାଦରେ ସେ ଏପରି କିଛି ଚିଜ ମିଶାଇ ଦେଇଥାଏ ଯେ ତାକୁ ଖାଇବାର ଖୁବ୍ ଅଳ୍ପ ସମୟ ଭିତରେ ସମସ୍ତଙ୍କ ଆଖିକୁ ଘୋର ନିଦ ଘୋଟି ଆସିଲା । ଫଳରେ ପ୍ରାୟ ସମସ୍ତେ ଚେତା ହରାଇଲେ ।

ରାମରତନଙ୍କର ମଧ୍ୟ ସେହି ଏକା ଅବସ୍ଥା । ରଘୁସିଂହ ତାଙ୍କ ତକିଆ ତଳୁ ଚାବି ବାହାର କରିନେଇ ସିନ୍ଦୁକ ପେଡି ଖୋଲିଲା । ତହିଁରେ ଅନେକ ଅଳଙ୍କାର ଓ ଟଙ୍କା ପଇସା ଥାଏ । ଆନନ୍ଦରେ ରଘୁସିଂହ ସେସବୁ ବାହାର କରିନେଲା । ତା’ପରେ ସେ ହେମାଙ୍କ ପଣତରୁ ଚାବି ନେଥା ଖୋଲିବାକୁ ଗଲା । ହେମାଙ୍କ ମୁହଁ ଉପରେ ତା’ ଆଖି ପଡିବା ମାତ୍ରେ ସେ ରହିଗଲା । ହେମା ତା’ ନିଜ ମା ଭଳି ଦିଶୁଥିଲେ । ଛିଃ, ଏହାଙ୍କଠୁ ସେ ଚୋରି କରିବାକୁ ବସିଛି! ସେ ଚୋର ପାଲଟି ଯାଇଛି! ମୁହୂର୍ତ୍ତକ ମଧ୍ୟରେ ତା’ ଭିତରେ ସବୁକିଛି ଓଲଟ ପାଲଟ ହୋଇଗଲା । ସେ ଚୁପ୍ଚାପ୍ ବସି ରହିଲା ।

ଭୋର୍ ହେବା ବେଳକୁ ହେମାଙ୍କ ଚେତା ଫେରିଲା । ସେ ସାଧୁବେଶୀ ରଘୁସିଂହ ଆଡେ ଅନାଇବା ମାତ୍ରେ ରଘୁସିଂହ ନିଜ କୀର୍ତ୍ତି କଥା ଗପିଗଲା ।

“ମା! ଆପଣ ମୋତେ କ୍ଷମା କରନ୍ତୁ । ମୁଁ ଏବେ ଯାଉଛି ।” ଏହା କହି ସେଠାରୁ ସେ ବାହାରିଗଲା ।

ଏହା ପରେ ପରେ ରାମରତନ ହେମାଙ୍କୁ ଡାକି କହିଲେ, “ଆଶ୍ଚର୍ଯ୍ୟର କଥା । ମୁଁ ସୁସ୍ଥ ଅନୁଭବ କରୁଛି । ଲକ୍ଷ୍ମୀଦେବୀ ନିଶ୍ଚୟ ଦୟା କରିଛନ୍ତି ।”

ହେମା କହିଲେ, “ହଁ ।”

ରାମରତନ ଏହା ପରେ ପୁରାପୁରି ଭଲ ହୋଇଗଲେ । ଲକ୍ଷ୍ମୀଦେବୀ କାଳେ ପୁଣି ପଳାଇବାକୁ ବାହାରିବେ, ସେଥିପାଇଁ ସେ ଦାନଧର୍ମ ବି କଲେ ।

ବେତାଳ ଟିକିଏ ଚୁପ୍ ରହି ମୁକାବିଲା କଲା ଭଳି କଣ୍ଠରେ ପଚାରିଲା, “ରାଜା! ଏହା କିପରି ସମ୍ଭବ ହେଲା? ଯେଉଁ ରାମରତନ ଅସଲ ସାଧୁଙ୍କ ଉପଦେଶକୁ ମାନିଲା ନାହିଁ କି ଆରୋଗ୍ୟ ମଧ୍ୟ ହୋଇ ପାରିଲା ନାହିଁ, ସେ ନକଲ ସାଧୁର ମିଥ୍ୟା ପରାମର୍ଶରେ କିପରି ଭଲ ହୋଇଗଲା? ଯେଉଁ ରାମରତନ ତା’ ଜୀବନରେ କାହାକୁ ହେଲେ ସନ୍ତୋଷ ଦେଇ ନାହିଁ, ସେ କିପରି ପୂଣ୍ୟର ଅଧିକାରୀ ହୋଇପାରିଲା? ରାଜା! ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତମେ ଯଦି ନୀରବ ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ଉତ୍ତର ଦେଲେ: “ଏ ସଂସାରରେ ଜଣକ ଭାଗ୍ୟ ଅନେକ ସମୟରେ ଅନ୍ୟଜଣଙ୍କ ଭାଗ୍ୟ ସହ ମିଶି ହୋଇ ରହିଥାଏ । ରାମରତନଙ୍କ ମନରେ ସିନା ପୂଣ୍ୟ ଚିନ୍ତା ନଥିଲା, କିନ୍ତୁ ହେମାଙ୍କ ମନରେ ତାହା ଥିଲା । ରଘୁସିଂହ ଦୁଇଦିନ ପରେ ହେମାଙ୍କ ହାତରୁ ଖାଇ ଗଭୀର ସନ୍ତୋଷ ଲାଭ କଲା । ହେମା ଭକ୍ତି ଭରେ ଲକ୍ଷ୍ମୀଙ୍କୁ ପୂଜା କଲେ । ଅତଏବ ତାଙ୍କ ପୂଣ୍ୟର ପ୍ରଭାବ ରାମରତନଙ୍କ ଉପରେ ପଡିବାଟା ତ ସ୍ୱାଭାବିକ । ତେଣୁ ଏ ଘଟଣା ସମ୍ଭବ ହେବାରେ ବିସ୍ମୟ କିଛି ନାହିଁ ।”

ସର୍ତ୍ତ ଅନୁସାରେ ରାଜା ନୀରବ ରହିବା କଥା । ଅତଏବ ସେ ଉତ୍ତର ଦେବା ସକାଶେ କଥା କହିବାରୁ ବେତାଳ ପୁନରାୟ ତାଙ୍କ କାନ୍ଧରୁ ଖସି ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ